ଇରାନର ଦକ୍ଷିଣପନ୍ଥୀ ସରକାରଙ୍କ ନିଷ୍ଠୁର ପଦକ୍ଷେପ ସତ୍ତ୍ୱେ ପଛକୁ ନହଟିବାକୁ ପଣ କରିଛନ୍ତି ଆନ୍ଦୋଳନକାରୀ । ୧୯୭୯ରେ ଇସଲାମୀୟ ବିପ୍ଲବ ପର ଠାରୁ ଇରାନ ସରକାର ପ୍ରଥମ ଥର ଲାଗି ଏଭଳି ବିରୋଧର ସମ୍ମୁଖୀନ ହୋଇଛନ୍ତି । ମହିଳାମାନେ ଖୋଲାଖୋଲି ହିଜାବ ବାଧ୍ୟତାମୂଳକ ନିର୍ଦ୍ଦେଶର ଅମାନ୍ୟ କରୁଥିବା ବେଳେ ବିଶ୍ୱବ୍ୟାପୀ ସେମାନଙ୍କୁ ସମର୍ଥନ ବଢିବାରେ ଲାଗିଛି । ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟତୋଲ୍ଲା ଖୋମିନିଙ୍କ ଭଉଣୀ ମଧ୍ୟ ହିଜାବ ଆନ୍ଦୋଳକୁ ସମର୍ଥନ କରିବା ସହ ଖୁବ୍ ଶୀଘ୍ର କଠୋରପନ୍ଥୀ ଇସଲାମୀୟ ସରକାରର ପତ୍ତନ ଘଟିବ ବୋଲି କହିଛନ୍ତି ।
ଇରାନରେ ଖୁବ୍ ଶୀଘ୍ର ପଡିବ ଅତ୍ୟାଚାରୀ ଆୟତୋଲ୍ଲା ଖୋମିନି ସରକାରର ଯବନିକା ଏଭଳି ଭବିଷ୍ୟବାଣୀ କରିଛନ୍ତି ଦେଶର ସର୍ବୋଚ୍ଚ ଧାର୍ମିକ ନେତା ଆୟତୋଲା ଖୋମିନିଙ୍କ ଭଉଣୀ ବଦ୍ରି ହୋସିନି । ଖୋମିନି ସରକାରର ନିଷ୍ଠୁରତାର ଶିକାର ହୋଇଥିବା ବଦ୍ରି ହୋସିନି ଖୋଲାଖୋଲି ଆନ୍ଦୋଳନକାରୀଙ୍କୁ ସମର୍ଥନ କରିଛନ୍ତି । ଭାଇ ଆୟତୋଲ୍ଲାଙ୍କ ଅତ୍ୟାଚାରର ସାମ୍ରାଜ୍ୟ ଶୀଘ୍ର ଧ୍ୱଂସ ହେବ, ସେ ଏହା ହିଁ କାମନା କରନ୍ତି ବୋଲି କହିଛନ୍ତି ବଦ୍ରି । ଆନ୍ଦୋଳନକାରୀଙ୍କ ଉପରେ ସରକାର ଯେଉଁଭଳି ଦମନ ଚଳାଇଛନ୍ତି ଆଉ ବେଶି ଦିନ ନୁହଁ । ଭାଇଙ୍କ କାର୍ଯ୍ୟଧାରାକୁ ଘୋର ବିରୋଧ କରିବା ସହ ହିଜାବ ବିରୋଧୀ ଆନ୍ଦୋଳନରେ ପ୍ରାଣ ବଳି ଦେଇଥିବା ଲୋକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ।
Also Read
ଗତ ସେପ୍ଟେମ୍ବର ୧୬ ତାରିଖ ୨୨ ବର୍ଷିୟା ଛାତ୍ରୀ ମାସା ଅମିନଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ଉଗ୍ର ହୋଇଥିଲା । ନିୟମ ମୁତାବକ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଇରାନର ନୈତିକତା ରକ୍ଷାକାରୀ ବାହିନୀ ହତ୍ୟା କରିଥିବା ଅଭିଯୋଗ ଉଠିଥିଲା । ସେବେ ଠାରୁ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ବିଶ୍ୱବ୍ୟାପୀ ଇରାନ ସରକାର ନିନ୍ଦିତ ହୋଇଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଦମନଳୀଳା ଚଳାଇଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନରେ ଏଯାଏଁ ୪ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆନ୍ଦୋଳନକାରୀଙ୍କୁ ସେଠିକାର ସରକାର ଗିରଫ କରିଛନ୍ତି । ସେମାନଙ୍କ ଭାଗ୍ୟ କଣ ହେବ ତାକୁ ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଉଛି ।