Advertisment

ଦୁଇ ପୁଅ ଝଗଡା ଲାଗିଲେ...ମାଆକୁ ହତାଦର କଲେ...ଏବେ ଭୋକରେ କାନ୍ଦୁଛି ବୁଢୀ ମାଆ

ଦୁଇ-ଦୁଇଟି ପୁଅ...ମାଆର ଦେହ ଖରାପ ଶୁଣି ସାନ ଆସିଲା ବଡ ଆସିଲାନି । କିଛିଦିନ ସେବା ପରେ ସିଏ ବି ପଳାଇଲା । ଝିଅ ବି ମୁହଁ ଚାହିଁଲାନି । ୮ ଦିନ ହେଲାଣି ଘର ଦୁଆର ମୁହଁରେ ମୃତ୍ୟୁକୁ ସତେ ଯେମିତି ଅପେକ୍ଷା କରିଛି ବୁଢୀ ମାଆ

ଅଦ୍ୟତନ ହୋଇଛି
undefined

Woman abandoned by children

Advertisment

ବୟସ ବଢିଗଲେ ମଣିଷ କେତେ ଅସହାୟ ହୋଇପଡ଼େ? ଆଉ ଯଦି ପିଲାମାନେ ନପଚାରନ୍ତି ତେବେ ଦୁଃଖ କେମିତି ଦ୍ୱିଗୁଣିତ ହୋଇଯାଏ, ଗଂଜାମ ଜିଲ୍ଲାରୁ ଆସିଥିବା ଚିତ୍ର ହିଁ ତାହାର ବଡ଼ ଉଦାହରଣ । ଘର ଦୁଆର ମୁହଁରେ ଶୋଇରହିଛି ମାଆ । ପଚାରିଲେ କଣ କହୁଛି ଠିକ୍‌ରେ ବି ଶୁଣାଯାଉନି । ପାଟି ଖନି ମାରିଯାଉଥିବାରୁ କଥା ସ୍ପଷ୍ଟ ହେଉନି । ଦୟନୀୟ ଅବସ୍ଥାରେ ୮ ଦିନ ହେଲାଣି ପଡିଛି  ବୁଢୀ ମାଆ । ଦୁଇ ପୁଅଙ୍କ କଳିରେ ଏବେ ବଳି ପଡିଯାଇଛି ମାଆ । ପକ୍ଷାଘାତ ରୋଗରେ ପଡିବା ପରେ ଆଜି ତା’ର ଏମିତି ଦୟନୀୟ ଅବସ୍ଥା ।

Advertisment

ଆଜି କି କାଲି ନୁହେଁ ବରଂ ୮ ଦିନ ହେଲାଣି ଘରେ ପଡିରହିଛି ବୁଢୀ ମାଆ । ଖାଇବାକୁ ଦେବାକୁ କେହି ନାହାନ୍ତି କି ପିଇବାକୁ ଦେବାକୁ କେହି ନାହାନ୍ତି । ବଡ କଷ୍ଟରେ, ଦୁର୍ଦ୍ଦିନରେ ପଡିଛି ବୁଢୀ ମାଆ । ସ୍ଥିତି ଏମିତି ହେଲାଣି ଯେ ଘରଭିତରେ ଝାଡା ପରିସ୍ରା କରିଦେଇଥିବାରୁ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ଏରିଆ । ଦୁର୍ଗନ୍ଧ ହେଉଥିବାରୁ ପଡୋଶୀମାନେ ବି ବିରକ୍ତ ହେଲେଣି । କିନ୍ତୁ କରିବାର କାହା ପାଖରେ କିଛି ଉପାୟ ନାହିଁ ।

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ପଟାଧାର ଗାଁରୁ ଆସିଛି ଏମିତି ହୃଦୟ ବିଦାରକ ଚିତ୍ର । ଏହି ବୃଦ୍ଧା ଜଣକ ହେଉଛନ୍ତି ପଦ୍ମାବତୀ ନାୟକ । ପାରାଲିସିସ୍‌ ରୋଗରେ ପୀଡିତ ହୋଇ ଅଚଳ ହୋଇପଡିଛନ୍ତି ପଦ୍ମାବତୀ । ୨ ବର୍ଷ ହେଲାଣି ସ୍ୱାମୀ ତାଙ୍କୁ ଛାଡିଚାଲିଯିବା ପରେ ପଦ୍ମାବତୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ମାଆର ଏ ଅବସ୍ଥା ସମ୍ପର୍କରେ ସାନ ପୁଅ-ବୋହୂ ଜାଣିବା ପରେ ଗାଁକୁ ଆସି ୨ ମାସ ସେବା କଲେ, ହେଲେ ଭୁବନେଶ୍ୱରରେ ଥାଇ ବି ବଡ-ପୁଅ ବୋହୂ ଆସିଲେ ନାହିଁ । ତେଣୁ ସାନ ପୁଅ-ବୋହୂ ବି ପଳାଇଲେ । ଏବେ ଏଇ ବୁଢୀ ମାଆ ପାଖରେ କେହି ନାହାନ୍ତି । ଜାଣିଆଶ୍ଚର୍ଯ୍ୟ ହେବେ କି ପଦ୍ମାବତୀଙ୍କ ଏମିତି ଅବସ୍ଥା କଥା ଜାଣିବା ପରେ ଭାଈ-ଭାଉଜ ଆସି ସେବା କରୁଥିଲେ ହେଲେ ଭାଉଜଙ୍କ ଦେହ ହଠାତ୍‌ ଖରାପ ହେବାରୁ ସେ ବି ଆଉ ଆସିପାରିଲେ ନାହିଁ । ଏବେ ସତେ ଯେମିତି ମୃତ୍ୟୁକୁ ଅପେକ୍ଷା କରି ବସିଛନ୍ତି ପଦ୍ମାବତୀ ।

Advertisment

ସେପଟେ ପଦ୍ମାବତୀଙ୍କ ଦୁଃଖ ଦେଖିପାରୁନାହାନ୍ତି ପଡୋଶୀ । ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବା ସହିତ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏନେଇ ପୁଅ-ବୋହୂଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ