ଦିବ୍ୟାଙ୍ଗ ପୁଅ ବୋଲି ଚିନ୍ତାରେ ଥିଲେ ବାପା-ମାଆ, ଏବେ ସିଏ ଡାକ୍ତରୀ ପଢିଲେ

ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । କିନ୍ତୁ ସେ ହାର ମାନିନଥିଲେ । ପାଠ ପଢା ନିଶା ଏମିତି ଥିଲା ଯେ ଘରେ ଅନଲାଇନ୍‌ରେ ପାଠ ପଢି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏବେ ବ୍ରହ୍ମପୁରରେ ପଢୁଛନ୍ତି ଡାକ୍ତରୀ...ଭବିଷ୍ୟତରେ ଦୃଦରୋଗ ବିଭାଗର ଡାକ୍ତର ହେବାକୁ ଦେଖୁଛନ୍ତି ସ୍ୱପ୍ନ।

Will finds way

ଯେଉଁ ପୁଅ ଜନ୍ମ ହେବା ପରେ ବଞ୍ଚିବାର ଆଶା ଛାଡି ଦେଇଥିଲେ ବାପା ମାଆ । ଆଜି ସେହି ପୁଅ ବଂଚିବାର ରାହା ଦେଇଛି...ନୂଆ ସ୍ୱପ୍ନ ଦେଖିବାକୁ ବାଧ୍ୟ କରିଛି । ତେବେ ଅଶ୍ରୁମୋଚନଙ୍କ କାହାଣୀ ଜାଣିଲେ ଆପଣ ବି ତାଙ୍କୁ ସଲାମ୍‌ କରିବାକୁ ବାଧ୍ୟ ହେବେ ।

ଢେଙ୍କାନାଳ ଗଂଦିଆ ବ୍ଲକ କରମୁଳ ପଞ୍ଚାୟତ ଆମ୍ବପଡା ଗାଁର ଅଶ୍ରୁମୋଚନ ନାୟକ । ପିଲାଟି ଦିନରୁ ସେ ଦିବ୍ୟାଙ୍ଗ । ତେଣୁ ଘରେ...ଗାଁରେ ସବୁଆଡେ ତାଙ୍କୁ ଜଗା ଡାକନ୍ତି । ପୁଅ ଜନ୍ମ ହେବା ପରେ ପୂରା ପରିବାରରେ ଆନନ୍ଦ ଖେଳିଯାଇଥିଲା । ହେଲେ ପିଲାଟି ଦିବ୍ୟାଙ୍ଗ ବୋଲି ଜଣାପଡିବା ପରେ ମନ ଦୁଃଖ ହୋଇଥିଲା ସତ କିନ୍ତୁ କେମିତି ସେ ଭଲରେ ରହିବ, ଭଲ ପାଠ ପଢିବ ସେନେଇ ପରିବାର ସବୁବେଳେ ଚେଷ୍ଟା କରୁଥିଲା । ଆଜି ସେହି ଚେଷ୍ଟା ହିଁ ଅଶ୍ରୁମୋଚନଙ୍କ ଜୀବନରେ ଭରି ଦେଇଛନ୍ତି ଆନନ୍ଦ । କାରଣ ଖୁବଶୀଘ୍ର ପାଠ ପଢା ସରିବା ପରେ ଡାକ୍ତର ହେବେ ଅଶ୍ରୁମୋଚନ ।

ଜାଣିଆଶ୍ଚର୍ଯ୍ୟ ହେବେ କି ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିବାରୁ ଘରେ ଅନଲାଇନ୍‌ରେ ହିଁ ସେ ପାଠ ପଢୁଥିଲେ । ଖାଲି ପାଠ ପଢୁଥିଲେ ତାହା ନୁହେଁ ବରଂ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ନାଁ ଲେଖାଇଛନ୍ତି । ଆଗାମୀ ଦିନରେ ଜଣେ ଦକ୍ଷ କାର୍ଡିଆଲୋଜି ସ୍ପେଶିଆଲିଷ୍ଟ ହେବା ପାଇଁ ଇଛା ମଧ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ଆଜି ଅନ୍ୟମାନଙ୍କ ପାଇଁ ପାଲଟି ଯାଇଛି ପ୍ରେରଣାର ଉତ୍ସ ।

ଅଶ୍ରୁମୋଚନ ଜନ୍ମରୁ ଦିବ୍ୟାଙ୍ଗ ହେବା ପରେ ବି କେବେ ହାର୍‌ ମାନିନାହାନ୍ତି । ବରଂ ଘରେ ବସି ପାଠ ପଢିବା ସହ ଡାକ୍ତର ହେବାକୁ ପଣ କରିଛନ୍ତି । ସତରେ ଆଜିକା ଯୁବପିଢିଙ୍କ ଲାଗି ଇଏ ନିଶ୍ଚୟ ଜଣେ ପ୍ରେରଣା ।