Advertisment

ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ...ନହେଲେ ଭାସିଯିବୁ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।

ଅଦ୍ୟତନ ହୋଇଛି
Women Need Help

Women Need Help

Advertisment

ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସାହାଯ୍ୟ ମାଗୁଛନ୍ତି, ଗଣ୍ଡେ ଚାଉଳ ଦେବାକୁ କାକୁତିମୀନତି ବି ହେଉଛନ୍ତି । ଆଉ ନିଜର ଦୁଃଖ କହିବା ବେଳେ ଆଖିରୁ ଝରାଉଛନ୍ତି ଲୁହ । ସ୍ୱାମୀ ଯିବା ପରେ ଜୀବନ ତାଙ୍କ ପାଇଁ ଦୁର୍ବିପାକ ସଦୃଶ ହେଲାଣି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ପାଦ୍ରୀମା ଗାଁର ଶ୍ୟାମ ବେହେରାଙ୍କ ପରିବାର । ଶ୍ୟାମଙ୍କର ମୃତ୍ୟୁ ପରେ ପିଲାଙ୍କ ମୁହଁରେ ଦାନା ଦେବାକୁ ସଙ୍ଘର୍ଷ କରୁଛନ୍ତି ପତ୍ନୀ ଆଲମି ବେହେରା । ୩ଟି ପୁଅ ଓ ଗୋଟିଏ ଝିଅକୁ ଧରି ଝାଟି ମାଟିର କୁଡିଆରେ ପଲଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି । ଯେଉଁଠି ଖାଉଛନ୍ତି ସେଇଠି ଶୋଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଘର ଉପରୁ ମଥାନ କେବେ ଅଲଗା ହୋଇଯିବ ତାହା କେହି ବି କହିପାରିବେ ନାହିଁ ।

Advertisment

ସ୍ୱାମୀ ଥିଲା ବେଳେ ଯାହା ଯେମିତି ଦୁଃଖ କଷ୍ଟରେ ସଂସାର ରଥ ଆଗକୁ ବଢୁଥିଲା, ହେଲେ ସେ ଚାଲିଯିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା । ଏମାନେ ଏତେ କଷ୍ଟରେ ଚଳୁଥିବା ପରେ ବି ସରକାରୀ ରାସନକାର୍ଡ ଖଣ୍ଡେ ୟାଙ୍କ ପାଇଁ ସାତ ସପନ ସଦୃଶ ହୋଇଛି । ତେଣୁ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ କୁଲିମଜୁରୀ କାମ କରୁଛନ୍ତି ଆଲମି । ବେଳେବେଳେ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ନିଜ ପେଟରେ ଓଦା କନା ଦେଇ ଶୋଇବାକୁ ପଡୁଛି ତାଙ୍କୁ ।

ଜାଣି ଆଶ୍ଚର୍ଯ୍ୟ ହେବେ କି ଗତ ଲକଡାଉନ୍‌ ପରଠୁ ଦୁଇ ପୁଅଙ୍କ ପାଠରେ ଡୋରି ବନ୍ଧା ହୋଇଥିବା ବେଳେ ସାନ ପୁଅର ଏଯାଏଁ ସ୍କୁଲରେ ନାଁ ଲେଖା ହୋଇନି । ଆଉ ସାନ ଝିଅ ମାଆ କୋଳ ଛାଡିନି । ଏତେ ସବୁ ପରେ ବି ତାଙ୍କୁ ମିଳିପାରିନି ଖଣ୍ଡେ ବିଧବ ଭତ୍ତା । ଗୋଟିଏ ପଟେ ସରକାର କହୁଛନ୍ତି, ପ୍ରତି ହିତାଧିକାରୀଙ୍କ ପାଖରେ ମୋ ସରକାର ପହଞ୍ଚୁଛି, ସମସ୍ତଙ୍କୁ ସାହାଯ୍ୟର ହାତ ବଢାଉଛି । ହେଲେ ପ୍ରକୃତ ହିତାଧିକାରୀ କେମିତି ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେପଟେ ଆଲମିଙ୍କ ଅବସ୍ଥା ଦେଖି ୫୦ କିଲୋ ଚାଉଳ , ଖଣ୍ଡେ ପଲିଥିନ୍‌ ଦେଇ ଆସିଛନ୍ତି ସରପଞ୍ଚ । ଆଗାମୀ ଦିନରେ କେମିତି ତାଙ୍କୁ ଭତ୍ତା ଓ ସରକାରୀ ଯୋଜନା ମିଳିବ ସେନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

Advertisment

CM Naveen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ