ବିରଳ ଏ ବନ୍ଧନ; ଶିକ୍ଷକଙ୍କ ବଦଳି ପରେ ଟିସି ନେଇଗଲେ ୧୩୩ ପିଲା

ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, "ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଭାବପ୍ରବଣ ହୁଅନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଅସ୍ୱାଭାବିକ ଘଟଣା।"

ସାର୍‌ଙ୍କ ବଦଳି, ପିଲା କଲେ ଏମିତି..

ଆମେ ଗୁରୁ ଶିଷ୍ୟଙ୍କର ଅନେକ କାହାଣୀ ଶୁଣିଛେ। ହେଲେ ସେସବୁ ପୌରାଣିକ। ଗୁରୁ ମାର୍ଗଦର୍ଶକ, ଜ୍ଞାନଦାତା ସେ ହିଁ ପଥପ୍ରଦର୍ଶକ। ତେବେ ଏପରି ଜଣେ ଗୁରୁଙ୍କ କାହାଣୀ ଶୁଣିଲେ ଆପଣ ବି କିଛି ସମୟ ଭାବିବେ। ଆଜିକାଲି ଏମିତି ବି ଶିକ୍ଷକ ଅଛନ୍ତି ! ହଁ, ଜଣେ ଆଦର୍ଶ ଶିକ୍ଷକ, ଯିଏ ବଦଳି ହୋଇଯିବା ପରେ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ଛାଡି ତାଙ୍କ ପ୍ରିୟ ଶିକ୍ଷକ ଯାଇଥିବା ସ୍କୁଲ୍‌ରେ ନାମ ଲେଖାଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସଂପୂର୍ଣ୍ଣ ସତ୍ୟ।

ଘଟଣାଟି ଆମ ପଡ଼ୋଶୀ ରାଜ୍ୟ ତେଲଙ୍ଗାନାର। ଅନେକ ସମୟରେ ସ୍କୁଲରେ କିଛି ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଥାଆନ୍ତି। ସେମାନେ ପିଲାଙ୍କ ସହ ଏପରି ଜଡ଼ିତ ରହନ୍ତି ଯେ ପିଲାମାନେ ତାଙ୍କୁ ଆଦୌ ଛାଡିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ଚାକିରି ତ ସ୍ଥାୟୀ ନୁହେଁ। ବଦଳି ହେଲା ବେଳେ ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରନ୍ତି। ମାତ୍ର ତେଲଙ୍ଗାନାରେ ଛାତ୍ରଛାତ୍ରୀ କେବେଳ ଦୁଃଖ ପ୍ରକାଶ କରିନାହାନ୍ତି। ସେମାନେ ବଦଳି ହୋଇଥିବା ଶିକ୍ଷକଙ୍କ ନୂଆ ସ୍କୁଲରେ ନାମ ଲେଖାଇଛନ୍ତି।

ସୂଚନା ଅନୁସାରେ, ଏହି ଆଦର୍ଶ ଶିକ୍ଷକ ହେଉଛନ୍ତି ଜେ ଶ୍ରୀନିବାସ ସାର୍। ମଞ୍ଚେରିଆ ଜିଲ୍ଲା ଜନନାରାମର ପୋନାକାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ହେଲେ ତାଙ୍କୁ ଆକ୍କାପେଲିଗୁଡା ସ୍କୁଲକୁ ବଦଳି କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ତାଙ୍କୁ ଛାଡିବାକୁ ନାରାଜ ହୋଇଥିଲେ। ସ୍କୁଲରେ ପ୍ରାୟ ୨୫୦ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ୧୩୩ ଜଣ ସ୍କୁଲ ଛାଡି ସେ ଯୋଗଦେଇଥିବା ନୂତନ ସ୍କୁଲରେ ନାମ ଲେଖାଇଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍ ୟାଦାୟ କହିଛନ୍ତି, "ଏହା ଏକ ବିରଳ ଘଟଣା। ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କ ସହ ଜଡିତ ଥାଆନ୍ତି ଏବଂ ସେ ଚାଲିଯିବା ପରେ ଭାବପ୍ରବଣ ହୁଅନ୍ତି। କିନ୍ତୁ ଶିକ୍ଷକଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଛାଡିଦେବା ଅସ୍ୱାଭାବିକ ଘଟଣା।" ଶ୍ରୀନିବାସ ସାର୍‌ଙ୍କ ବଦଳି ନେଇ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତାଙ୍କୁ ଅବଗତ କରାଇଥିଲେ। ତାଙ୍କ ବଦଳି ଜୁଲାଇ ୧ରେ ହୋଇଥିବା ବେଳେ ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ୨୫୦ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୩ ଜଣ ଆକ୍କାପେଲିଗୁଡା ସ୍କୁଲରେ ନାମ ଲେଖାଇଥିଲେ। ଯାହାକି ପୂର୍ବ ସ୍କୁଲଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅବସ୍ଥିତ।

ଏନେଇ ଶିକ୍ଷକ କହିଛନ୍ତି, " ଅଭିଭାବକ ମୋ ଉପରେ ବିଶ୍ୱାସ କରିଛନ୍ତି। ମୁଁ ପିଲାମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷା ଦେବାକୁ କର୍ତ୍ତବ୍ୟ ବୋଲି ଭାବିଥିଲି। ସେମାନେ ମୋର ପାଠପଢାକୁ ପସନ୍ଦ କରିଥିଲେ। ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତମାନର ସୁବିଧା ରହିଛି। ତେଣୁ ମୁଁ ଅଭିଭାବକ ପିଲାଙ୍କୁ ସରକାରୀ ସ୍କୁଲରେ ପଢାନ୍ତୁ।" ତେବେ ଏହି ନୂଆ ସ୍କୁଲରେ ମୋଟ୍‌ ଛାତ୍ରସଂଖ୍ୟା ୨୧ଥିବା ବେଳେ ଏହା ବୃଦ୍ଧି ପାଇ ୧୫୪ରେ ପହଞ୍ଚିଛି।