କଥାରେ ଅଛି ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ହେଲେ ଉଦ୍ଭାବନ କହିଲେ, ଏହା କେବଳ ଯେ ପାଠପଢ଼ୁଆ କି ଜ୍ଞାନୀ ବିଜ୍ଞାନୀଙ୍କ ଶବ୍ଦ, ତା ନୁହେଁ ସାଧାରଣ ଅପାଠୁଆ ଗାଉଁଲି ମଣିଷମାନେ ବି ଯେ, ଦରକାର ପଡ଼ିଲେ କିଛି ଅଭିନବ ଉଦ୍ଭାବନ କରିପାରନ୍ତି, ତାହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସୋନପୁର ଗାଁରେ। ପାଣି ସମସ୍ୟା ଦୂରେଇବା ପାଇଁ ସେମାନେ କିଭଳି ଦେଶୀ ଜ୍ଞାନକୌଶଳର ପ୍ରୟୋଗ କରିଛନ୍ତି, ଦେଖନ୍ତୁ ଓଟିଭିର ଏହି ବିଶେଷ ରିପୋର୍ଟରେ।
ଦେଶୀ ମଣିଷଙ୍କ ଦେଶୀ ଯୁଗାଡ଼୍: ବାଉଁଶ ପାଇପ୍ରେ ପାହାଡ଼ ଉପର ଝରଣାରୁ ଗାଁକୁ ଆସୁଛି ପାଣି। ପ୍ରଶାସନ ନଶୁଣିବାରୁ ନିଜେ ଅଣ୍ଟାଭିଡ଼ିଲେ ଦାରିଙ୍ଗିବାଡ଼ି ସୋନପୁର ଗାଁବାସୀ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ସୋନପୁର ଗାଁ ବଣବୁଦା, ପଥର ସନ୍ଧି ଦେଇ ସାପ ଭଳି ଲମ୍ବି ଯାଇଛି ପାଇପ୍ ହେଲେ ଇଏ ପ୍ଲାଷ୍ଟିକ୍ କି କୌଣସି ଧାତବ ପାଇପ୍ ନୁହେଁ। ଇଏ ବାଉଁଶ ପାଇପ୍। ଏହା ଦେଶୀ ମଣିଷଙ୍କ ଦେଶୀ ଯୁଗାଡ଼୍। ବାଉଁଶକୁ ବାଉଁଶ ଯୋଡ଼ି ତିଆରି ହୋଇଛି ଲମ୍ବା ପାଇପ୍। ମଝି ମଝିରେ କଣା କରି ଗଣ୍ଠି କଟାଯାଇଛି। ଫଳରେ ଆରାମରେ ବହି ଯାଉଛି ପାଣି। ଏକ କିଲୋମିଟର ଦୂର ପାହାଡ଼ ଉପରେ ବହି ଯାଉଥିବା ଝରଣାରୁ, ଗାଁ ମୁଣ୍ଡ ଯାଏଁ ପାଣି ଆଣିବାରେ ସଫଳ ହୋଇଛନ୍ତି ଏଇ ଗାଉଁଲି ଭଗିରଥମାନେ।
ଦାରିଙ୍ଗବାଡ଼ି ବ୍ଲକ୍ ସୋନପୁର ପଞ୍ଚାୟତର ଗାହାକିଆ ଛକ, ଡୁଗେଡ଼ମାହା, ପଦାସାହି ଓ ବିନ୍ଧାଣିସାହି ଆଦି ଗାଁରେ ପ୍ରାୟ ୮୦ ପରିବାର ରହନ୍ତି ଦୀର୍ଘବର୍ଷ ତଳେ ଏଠି ପ୍ରଶାସନ ୨ଟି ନଳକୂଅ ଓ ଗୋଟିଏ କୂଅର ବ୍ୟବସ୍ଥା କରିଥିଲା, ଯାହା ଏବେ ଥାଇବି ନଥିବା ଭଳି। କୂଅ ନଳକୂଅ ଅଚଳ ହୋଇଯିବା ପରେ, ଏମାନଙ୍କ ଜଳକଷ୍ଟ କଥା ନା ପ୍ରଶାସନ ଶୁଣିଲା, ନା ନିଜେ ନୂଆ ନଳକୂଅ ବସାଇବା ପାଇଁ ଏମାନଙ୍କ ପାଖରେ ସମ୍ବଳ ଥିଲା।
ନାଳର ଦୂଷିତ ପାଣି ପିଇ ଆଉ କେତେ ଦିନ ବା ଚୁପ୍ ବସିଥାନ୍ତେ। ତେଣୁ ଟଙ୍କା ଖର୍ଚ୍ଚ କରିନପାରିଲେ ବି ବୁଦ୍ଧି ଖର୍ଚ୍ଚ କଲେ ସୋନପୁର ଗାଁବାସୀ। ସମସ୍ତେ କିଛି କିଛି ଚାନ୍ଦା ଦେଇ ବାଉଁଶ କିଣିଲେ ଓ ଏକାଠି ମିଶି ତାକୁ ଏଇ ପାଇପର ରୂପ ଦେଲେ।
ଏବେ ଗାଁମୁଣ୍ଡକୁ ପାଣି ଆସି ଏଇ କୁଣ୍ଡରେ ଜମା ହେବା ପରେ, ଜଳାଭାବରେ ସାମାନ୍ୟ ସୁଧାର ଆସିଛି। ହେଲେ ବିଡ଼ମ୍ବନା ଇଏ ବି ଚିରସ୍ଥାୟୀ ନୁହେଁ। ଏନେଇ ଦାରିଙ୍ଗବାଡ଼ି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ, ସେ କହିଛନ୍ତି ବ୍ଲକ୍ ପ୍ରଶାସନ ନିକଟରେ ଥିବା ଅନୁଦାନରୁ ଖୁବଶୀଘ୍ର ଏହାର ସମାଧାନ କରାଯିବ।
ସୋନପୁରବାସୀଙ୍କ ଏହି ବାଉଁଶ ପାଇପ ବ୍ୟବସ୍ଥାକୁ ଆପଣ ବାହାବା କହିପାରନ୍ତି, ହେଲେ ଏହା ବ୍ୟବସ୍ଥା ଗାଲରେ ଯେ ଏକ ଶକ୍ତ ଚାପୁଡ଼ା, ଏଥିରେ ତିଳେ ହେଁ ସନ୍ଦେହ ନାହିଁ।
ରିପୋର୍ଟ: ଅଜିତ ନାୟକ