ଜାଣିଥିବ କି ନାହିଁ !! ଏକା ସାଙ୍ଗରେ ବାପା-ମାଆଙ୍କ ମୁହଁରେ ନିଆଁ ଦେଲା କୁନି ପୁଅ

ଏ ବୟସରେ ଇଏ ସ୍ୱପ୍ନରେ ଭାବିନଥିବେ କି ବାପା-ମାଆଙ୍କ ମୁହଁରେ ଏକା ସାଙ୍ଗରେ ନିଆଁ ଦେବେ ବୋଲି । ବାପାଙ୍କୁ ଭଲ କରିବାକୁ ମେଡିକାଲ ନେଇଥିଲେ । ହେଲେ ଆମ୍ବୁଲାନ୍ସ ସହ ଧକ୍କା ହେଲା ଗାଡି...ଘଟଣା ସ୍ଥଳରେ ବାପା-ମାଆଙ୍କ ସହ ଆଉ ୨ ଜଣଙ୍କର ବି ଜୀବନ ଗଲା । ଆଉ ଘରେ ଯେବେ ଶବ ପହଞ୍ଚିଲା ନିଷ୍ପାପ ଶିଶୁର ବୁକୁଫଟା କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ । ରାମ ରାମ ସତ୍ୟ ହେ ଡାକକୁ, କାନ୍ଦବୋବାଳିର ଚିତ୍କାରର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ

Unfortunate incident

ନିଷ୍ପାପ ଆଖି...କଅଁଳ କଢି । ଘରେ କଣ ହୋଇଛି ? କେମିତି ହେଲା ସେ କଥା ତାକୁ ଜଣାନାହିଁ । ହେଲେ ମୁଖାଗ୍ନି ଦେବାକୁ ସେ ପ୍ରସ୍ତୁତ ହେଲାଣି । ଧୋତି ପିନ୍ଧିସାରିଛି...ଢାଳରେ ପଂଚୁପାତ୍ରୀ ସଜଡା ହୋଇଛି । ଛଣ ପ୍ରସ୍ତୁତ ହୋଇଛି...ନିଆଁ ଚେଙ୍କା ହେବାକୁ । ବାସ୍‌ ଓମ୍‌ ଶିବ ଗଙ୍ଗା ନାରାୟଣାୟ ଡାକ ଦେବେ ଗାଁ ଲୋକେ...ଶ୍ମଶାନକୁ ଶେଷ ଯାତ୍ରା କରିବ ଶବ । ଏମିତି ଦୃଶ୍ୟ ଦେଖିଲେ ଛାତି ଫାଟିଯିବ..ହେଲେ ବିଧିର ବିଧାନ ଆଗରେ ସମସ୍ତେ ନଇଁ ପଡିଛନ୍ତି । ସେଇଥି ପାଇଁ ତ କଅଁଳ ବୟସରେ ମୁଖାଗ୍ନି ଦେବାକୁ ବାହାରିଛି କୁନି ପୁଅ ।

ଗୋଟିଏ ପଟେ ସ୍ୱାମୀ ଆଉ ସ୍ତ୍ରୀଙ୍କ ଜୁଇ ଜଳୁଛି । ଅନ୍ୟପଟେ ଦୁଇ ସମ୍ପର୍କୀୟ ଦାଦାଙ୍କ ଜୁଇ । କାନ୍ଦବୋବାଳିରେ ଫାଟିଫଡୁଛି ଗାଁ ଦାଣ୍ଡ । ବାପାଙ୍କୁ ହରାଇ କଇଁ କଇଁ କାନ୍ଦୁଛନ୍ତି ଦୁଇ କୁନି ପୁଅ । ଆଉ ଆଖି ସାମ୍ନାରେ ଚାରିଚାରି ଜଣଙ୍କୁ ହରାଇ ଅଚେତ ହୋଇ ପଡୁଛନ୍ତି ପରିବାର ଲୋକେ । ଆଉ ସ୍ତବ୍ଧ ହୋଇଯାଇଛନ୍ତି ଗାଁ ଲୋକେ । କେନ୍ଦ୍ରପଡା ଆଳି ଅଙ୍ଗାରଖା ଗାଁର ଉମେଶ ସାହୁଙ୍କର କିଛିଦିନ ହେଲାଣି ଦେହ ଅସୁସ୍ଥ ଥିଲା । ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ବେଙ୍ଗାଲୁରୁର ଏକ ମେଡିକାଲକୁ ଚିକିତ୍ସିତ ହେବାକୁ ଆମ୍ବୁଲାନ୍ସରେ ଯାଉଥିଲେ । କିନ୍ତୁ ସେଠାରେ ବି ଡାକ୍ତର କୁଆଡେ ଫେରାଇ ଦେଇଥିଲେ । ଆଉ ସେହି ଆମ୍ବୁଲାନ୍ସ ଯୋଗେ ପୁଣି ଥରେ ଘରରୁ ଫେରୁଥିଲେ ଉମେଶଙ୍କ ପରିବାର ।

ହେଲେ ବାଟରେ ସତେ ଯେମିତି ଛକି ବସିଥିଲା ଯମ । ଆମ୍ବୁଲାନ୍ସ ଦୁର୍ଘଟଣା ହେବା ପରେ ଉମେଶଙ୍କ ସହ ପତ୍ନୀ ସସ୍ମିତା ଓ ଦୁଇଜଣ ସମ୍ପର୍କୀୟ ଆଖି ବୁଜିଥିଲେ । ବାସ୍‌ ଗୋଟିଏ ପରିବାରର ଯେତେବେଳେ ୪ ଜଣଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା ସେତେବେଳେ ଘର ଲୋକଙ୍କ ମନର ଅବସ୍ଥା କଣ ଯେ ହେଉଥିବ ସେ କଥା ଉଣା ଅଧିକେ ଆପଣଙ୍କୁ ଜଣା ।ବାପା-ମାଆଙ୍କ ଆକ୍ମସିକ ମୃତତ୍ୟୁ ଖବର ଶୁଣିବା ପରେ ଦଶମରେ ପଢୁଥିବା ଝିଅ ପ୍ରଭାସିନୀ ଓ ପଂଚମରେ ପଢୁଥିବା ପୁଅ ପ୍ରତୀକଙ୍କର ବୁକୁଫଟା କାନ୍ଦ ଯିଏ ଦେଖିଥିଲା ସିଏ ବି ନିର୍ବାକ ହୋଇଥିଲା । ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲା ଏମିତି ଦୁଃଖ ଶତ୍ରୁକୁ ବି ନଦିଅ । ଜନ୍ମ ହେଲେ ମୃତ୍ୟୁ ତ ସୁନିଶ୍ଚିତ । ହେଲେ ଏକା ସାଙ୍ଗରେ ପିଲାଙ୍କ ଉପରୁ ଯେବେ ବାପା-ମାଆଙ୍କ ହାତ ଉଠିଯାଏ ସେବେ ସ୍ଥିତି କଣ ହୁଏ ସେ କଥା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ।