Advertisment

Teachers' Unity Initiative in Uttar Pradesh: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ, ମାତ୍ର ୧୬ ଟଙ୍କା ଆଦାୟ କରି ଦେଉଛନ୍ତି ୫୦ ଲକ୍ଷର ସହାୟତା

ଶିକ୍ଷକମାନେ ମିଶି ଏପରି ଏକ ଫଣ୍ଡ କରିଛନ୍ତି, ଯାହା ମାଧ୍ୟମରେ ସେମାନେ ଯେକୌଣସି ସମୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିପାରିବେ । ଏବେ ସେମାନଙ୍କର ଏକତା ଏବଂ ପ୍ରୟାସ ଅନେକ ଶିକ୍ଷକ ପରିବାର ପାଇଁ ଜୀବନରକ୍ଷକ ଭାବରେ କାର୍ଯ୍ୟ କରୁଛି । ଉତ୍ତର ପ୍ରଦେଶର ପ୍ରୟାଗରାଜର ଶିକ୍ଷକମାନେ ସମସ୍ୟାରେ ପଡ଼ିଥିବା ଶିକ୍ଷକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ 'ଟିଚର୍ସ ସେଲ୍ଫ କେୟାର ଟିମ୍(TSCT) ନାମକ ଏକ ଗୋଷ୍ଠୀ ଗଠନ କରିଛନ୍ତି।

ଅଦ୍ୟତନ ହୋଇଛି
ଶିକ୍ଷକଙ୍କ ମହାନତା

ଶିକ୍ଷକଙ୍କ ମହାନତା

Advertisment

ଶିକ୍ଷା ମାଧ୍ୟମରେ ଅଜ୍ଞାନତାର ଅମା ଅନ୍ଧକାରରୁ ବାହାରି ସମାଜରେ ଜ୍ଞାନର ଆଲୋକ ବିଚ୍ଛୁରିତ କରିହୁଏ । ଏହି ଶିକ୍ଷା ପଦ୍ଧତିକୁ ପୂର୍ଣ୍ଣାଙ୍ଗ କରିବାରେ ଶିକ୍ଷକଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକତା ଏକ ବୃତ୍ତି ନୁହେଁ, ସଙ୍କଳ୍ପ । ଛାତ୍ରର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ଶିକ୍ଷାନୁଷ୍ଠାନ ଗୁଡିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାରେ କାରିଗର ହେଉଛନ୍ତି ଶିକ୍ଷକ। ଶୃଙ୍ଖଳିତ ଓ ସଫଳ ଛାତ୍ର ଗଠନରେ ବଡ଼ ଦାୟିତ୍ୱ ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ । ଶିକ୍ଷକଙ୍କ କର୍ତ୍ତବ୍ୟ ସେମାନେ ଛାତ୍ରୀଛାତ୍ରମାନଙ୍କୁ ସାମାଜିକ, ଶାରୀରିକ, ଭାବନାମତ୍କ ଓ ନୈତିକ ଭାବରେ ବିକଶିତ କରିବାରେ ସହାୟକ ହେବେ । ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି। ଶିଷ୍ୟ ତଥା ସମାଜର ଉନ୍ନତି ନିମନ୍ତେ ଗୁରୁମାନଙ୍କ ଜୀବନ ସର୍ବଦା ସମର୍ପିତ ହୋଇଥାଏ ।

Advertisment

ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଶିକ୍ଷିତ ହେଲେ ଅନ୍ୟର ଅନୁଗାମୀ ନହୋଇ ନିଜର ବୁଦ୍ଧିବଳରେ ବଞ୍ଚିବା ତଥା ସାମାଜିକ ରୀତିନୀତିକୁ ପରୀକ୍ଷା କରି ନିଜେ ଚାଲିବା ଶିଖିପାରନ୍ତି । କାହାଦ୍ବାର ଠକି ହୋଇଯିବା ତଥା ଅନ୍ଧଭାବରେ ଅନ୍ୟଜଣକୁ ସମର୍ଥନ କରି ତା ପଛରେ ଗୋଡ଼ାଇବାକୁ ଇଚ୍ଛା ନକରି ନିଜ ପାଇଁ ନିଜେ ରାସ୍ତା ତିଆରି କରନ୍ତି । ଭଲମନ୍ଦ ବିଚାର କରି ଉପଯୁକ୍ତ ଅନୁପଯୁକ୍ତ ବାଛି ବିଚାରି ଜୀବନକୁ ସରସ ସୁନ୍ଦର ଗଢ଼ିପାରନ୍ତି । ବିଡ଼ମ୍ବନାର ବିଷୟ ଆମ ଜୀବନରେ ଶିକ୍ଷକଙ୍କର ଏତେ ବଡ଼ ଭୂମିକା ଥିବା ସତ୍ୱେ ସେମାନେ ଆଜି ବି ଅବହେଳିତ ଆଉ ନିଷ୍ପେସିତ । ଅସମୟରେ କିମ୍ବା ବିପତ୍ତି ପଡ଼ିଲେ ସେମାନଙ୍କୁ ସାହାଯ୍ୟ କରିବାକୁ କେହି ଆଗେଇ ଆସନ୍ତି ନାହିଁ । ସରକାର ବି ହାତ ଝାଡ଼ି ଦେଇ ଚୁପଚାପ ବସିଯାଆନ୍ତି । ଏଥିପାଇଁ ବିପଦ ସମୟରେ ସହକର୍ମୀଙ୍କୁ ସାହା ହେବାପାଇଁ ଉତ୍ତରପ୍ରଦେଶର ଶିକ୍ଷକମାନେ ଏକଜୁଟ ହୋଇ ଏକ ଅଭିଯାନ ଚଳାଇଛନ୍ତି ।

ଶିକ୍ଷକମାନେ ମିଶି ଏପରି ଏକ ଫଣ୍ଡ କରିଛନ୍ତି, ଯାହା ମାଧ୍ୟମରେ ସେମାନେ ଯେକୌଣସି ସମୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ କରିପାରିବେ । ଏବେ ସେମାନଙ୍କର ଏକତା ଏବଂ ପ୍ରୟାସ ଅନେକ ଶିକ୍ଷକ ପରିବାର ପାଇଁ ଜୀବନରକ୍ଷକ ଭାବରେ କାର୍ଯ୍ୟ କରୁଛି । ଉତ୍ତର ପ୍ରଦେଶର ପ୍ରୟାଗରାଜର ଶିକ୍ଷକମାନେ ସମସ୍ୟାରେ ପଡ଼ିଥିବା ଶିକ୍ଷକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ 'ଟିଚର୍ସ ସେଲ୍ଫ କେୟାର ଟିମ୍(TSCT) ନାମକ ଏକ ଗୋଷ୍ଠୀ ଗଠନ କରିଛନ୍ତି। ଅସମୟରେ ଯଦି ଜଣେ ସହକର୍ମୀ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ପରିବାରକୁ ସରକାରଙ୍କ ଦୟାରେ ଛାଡି ଦିଆଯିବା ପରିବର୍ତ୍ତେ ଏହି ଗୋଷ୍ଠୀ ମାଧ୍ୟମରେ ସାହାଯ୍ୟ କରାଯାଏ। ଶିକ୍ଷକମାନଙ୍କ ଏକତାରୁ ତିଆରି ହୋଇଥିବା ପାଣ୍ଠି ସମସ୍ୟାରେ ପଡ଼ିଥିବା ଶିକ୍ଷକଙ୍କ ପରିବାରକୁ ତୁରନ୍ତ ସାହାଯ୍ୟ ଯୋଗାଇଥାଏ।

Advertisment

ପ୍ରୟାଗରାଜର ଏକ ସରକାରୀ ସ୍କୁଲ ଶିକ୍ଷକ ବିବେକାନନ୍ଦ ଆର୍ଯ୍ୟ କୁହନ୍ତି, ଅଗଷ୍ଟ ୨୦୨୦ ରେ ଆରମ୍ଭ ହୋଇଥିଲା ଏହି ଅଭିଯାନ। ପ୍ରାରମ୍ଭରେ ଏହି ଗୋଷ୍ଠୀ କୋଭିଡ୍ ଯୋଗୁଁ ପ୍ରାଣ ହରାଇଥିବା ଶିକ୍ଷକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଗଠନ କରାଯାଇଥିଲା । କିନ୍ତୁ ସେତେବେଳେ ବିବେକାନନ୍ଦଙ୍କ ଜଣେ ସାଥୀ, ମହମ୍ମଦ ଶକିଲ ଅହମ୍ମଦ, ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଶକିଲ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ, ଛୁଆପିଲା ବେସାହାରା ହୋଇ ଯାଇଥିଲେ । ଏପରି ସ୍ଥିତିରେ'ଟିଚର୍ସ ସେଲ୍ଫ କେୟାର ଟିମ୍ (TSCT)' ଶକିଲଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ଏବଂ ଏହିପରି ଏହି ମହତ୍ୱାକାଂକ୍ଷୀ ଅଭିଯାନ ଆରମ୍ଭ ହୋଇଥିଲା।

ଶକିଲଙ୍କ ପରିବାର ପାଇଁ ଟିଚର ସେଲ୍ଫ କେୟାର ଟିମ ୭ ଲକ୍ଷ ସଂଗ୍ରହ କରିଥିଲା, ଯାହା ସେତେବେଳେ ତାଙ୍କ ପରିବାର ପାଇଁ ଏକ ବଡ଼ ସାହାଯ୍ୟ ହୋଇଥିଲା । ଏହି ଘଟଣା ପରେ ଅଭିଯାନ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ଟିଚର୍ସ ସେଲ୍ଫ କେୟାର ଟିମ୍ (TSCT) ସମସ୍ତ ଶିକ୍ଷକଙ୍କଠାରୁ ମାତ୍ର ୧୬ ଟଙ୍କା ଆର୍ଥିକ ସହାୟତା ନେଇ ଶିକ୍ଷକ ପରିବାରକୁ ସାହାଯ୍ୟ କରିଥାଏ । ଏପର୍ଯ୍ୟନ୍ତ ଏହି ଗୋଷ୍ଠୀ ୨୭୬ ପରିବାରକୁ ୧୦୯ କୋଟିରୁ ଅଧିକ ସହାୟତା କରିସାରିଛି ।

Advertisment

ପୂର୍ବରୁ ୨୦୧୪ ପର୍ଯ୍ୟନ୍ତ ମୃତ ଶିକ୍ଷକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ମିଳୁଥିଲା, କିନ୍ତୁ ପରେ ତାହା ମଧ୍ୟ ବନ୍ଦ କରିଦିଆଯାଇଥିଲା। କୋଭିଡ୍ ସମୟରେ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ୩୦ ଲକ୍ଷ ମିଳିଥିଲା । କିନ୍ତୁ ଅନେକ ଶିକ୍ଷକ ପରିବାର ସହାୟତା ପାଇପାରି ନଥିଲେ, କାରଣ କୋଭିଡରେ ପ୍ରାଣ ହରାଇଥିବା କଥା ସେମାନେ ପ୍ରମାଣ କରିପାରିନଥିଲେ।

ଟିଚର୍ସ ସେଲ୍ଫ କେୟାର ଟିମରେ ଏପର୍ଯ୍ୟନ୍ତ ୪ ଲକ୍ଷ ସଦସ୍ୟ ଅଛନ୍ତି, ଯେଉଁଥିରୁ ପ୍ରାୟ ୩.୨୫ ଲକ୍ଷ ସକ୍ରିୟ ସଦସ୍ୟ ଅଛନ୍ତି। ଚାକିରି ସମୟରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହେଲେ ପ୍ରତ୍ୟେକ ସଦସ୍ୟ ୧୬ ଟଙ୍କା ଲେଖାଏଁ ଯୋଗଦାନ କରନ୍ତି। ଏହିପରି ଭାବରେ, ଗୋଟିଏ ପରିବାରକୁ ୫୦ ଲକ୍ଷରୁ ଅଧିକ ତୁରନ୍ତ ସହାୟତା ମିଳିଥାଏ। ଖାସ କଥା ହେଉଛି ଏହି ଅବଦାନ ରାଶି ସିଧାସଳଖ ମୃତ ଶିକ୍ଷକଙ୍କ ପରିବାରର ଆକାଉଣ୍ଟକୁ ପଠାଯାଏ। ଏଥିପାଇଁ ରାଜ୍ୟର ୭୫ଟି ଜିଲ୍ଲାରେ ୧୭ ଜଣଙ୍କ ଏକ କୋର୍ ଟିମ୍ ମଧ୍ୟ ଗଠନ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ୧୫ ଜଣ ଶିକ୍ଷକଙ୍କୁ ନେଇ ଏକ ପୃଥକ ଦଳ ଗଠନ କରାଯାଇଛି। କୌଣସି ଶିକ୍ଷକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଯୋଗାଯୋଗ କରି ସାହାଯ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରେ ଏହି ଟିମ ।

ଏଥିପାଇଁ ଏକ ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି । ଗୋଷ୍ଠୀର ପ୍ରତିଷ୍ଠାତା ଏବଂ ସଭାପତି ବିବେକାନନ୍ଦ ଆର୍ଯ୍ୟ ଏହାର ଆପ୍ ଏବଂ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି। ଗୋଷ୍ଠୀ ସଦସ୍ୟମାନଙ୍କ ବିଷୟରେ ସୂଚନା TSCTUP.COM  ରେ ଅପଲୋଡ୍ କରାଯାଉଛି। ବର୍ତ୍ତମାନ ପରିଷଦ ଶିକ୍ଷକମାନଙ୍କ ପାଖରେ ପୁରୁଣା ପେନସନର ସୁବିଧା ନାହିଁ। ସେମାନଙ୍କୁ ବର୍ତ୍ତମାନ NPS ଅଧୀନରେ ବହୁତ କମ୍ ପେନସନ୍ ମିଳିବ। ସେହିପରି ବୀମା ନଥିବା ଯୋଗୁଁ ଶିକ୍ଷକମାନଙ୍କ ଅକାଳ ମୃତ୍ୟୁ ପରେ ସେମାନଙ୍କ ପରିବାର ଆର୍ଥିକ ସହାୟତା ପାଇପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଶଙ୍କରଗଡ଼ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଶିକ୍ଷକ ବିବେକାନନ୍ଦ ଆର୍ଯ୍ୟ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରାଯାଉଛି, ଏବେ ଅନେକ ଶିକ୍ଷକ ଏହି ଅଭିଯାନରେ ଯୋଡ଼ି ହେଉଛନ୍ତି ।

Uttar Pradesh Teachers Human Interest Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ