ଦିନକୁ ରୋଜଗାର ଥିଲା ୭ ଟଙ୍କା, ଏବେ କୋଟି କୋଟି ଟଙ୍କାର ମାଲିକ...୧୦୦ ଜଣଙ୍କୁ ଦେଇଛନ୍ତି ଚାକିରି

ଜୀବନର ଏହି ସଂଘର୍ଷ ଭିତରେ ସେ ସବୁବେଳେ ଶିକ୍ଷା ପାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଅଭାବ ଅନଟର ତାଙ୍କୁ ରେଷ୍ଟୁରାଣ୍ଟ କାମରେ ବାନ୍ଧି ରଖିଥିଲା ।

Success Story

ବିହାରର ବାସିନ୍ଦା ଅମରଦୀପ କୁମାରଙ୍କ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ । ଦିନକୁ ୭ ଟଙ୍କା ରୋଜଗାର କରୁଥିବା ଅମରଦୀପ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ୩ କୋଟି ଟଙ୍କା ମୂଲ୍ୟର ବ୍ୟବସାୟିକ ସଂସ୍ଥା ଛିଡ଼ା କରିଛନ୍ତି । ସମସ୍ତିପୁରରେ ଏକ ଧୂପକାଠି କାରଖାନା ଚଳାଉଥିବା ଅମରଦୀପଙ୍କ ପିଲାଦିନ ଦାରିଦ୍ରତାରେ କଟିଥିଲା । କିନ୍ତୁ ଆଜି ସେ ଜଣେ ସଫଳ ଉଦ୍ୟୋଗୀ । ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ ବିଷୟରେ....

ଅମରଦୀପଙ୍କ ଜନ୍ମ ବିହାରର ଏକ ଗରିବ ପରିବାରରେ ହୋଇଥିଲା । ପିଲାଦିନରୁ ହିଁ ତାଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ସେଠାରେ ତାଙ୍କୁ ଦିନକୁ ମାତ୍ର ୭ ଟଙ୍କା ମଜୁରି ମିଳୁଥିଲା । ଏହି ସ୍ୱଳ୍ପ ରୋଜଗାରରେ ପରିବାର ଚଳାଇବା ତାଙ୍କ ପାଇଁ ଭାରି କଷ୍ଟ ହେଉଥିଲା । ରେଷ୍ଟୁରାଣ୍ଟରେ ୱେଟର କାମଠାରୁ ଆରମ୍ଭ କରି ବାସନ ଧୋଇବା ପର୍ଯ୍ୟନ୍ତ ସେ ଅନେକ କାମ କରୁଥିଲେ । ଜୀବନର ଏହି ସଂଘର୍ଷ ଭିତରେ ସେ ସବୁବେଳେ ଶିକ୍ଷା ପାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଅଭାବ ଅନଟନ ତାଙ୍କୁ ରେଷ୍ଟୁରାଣ୍ଟ କାମରେ ବାନ୍ଧି ରଖିଥିଲା ।

୧୯୮୯ ରୁ ୧୯୯୬ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟରେ କାମ କରୁଥିବାବେଳେ ଅମରଦୀପ କେବଳ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତାହା ନୁହେଁ, ବରଂ ଅନ୍ୟ ପିଲାମାନଙ୍କୁ ମଧ୍ୟ ଟ୍ୟୁସନ ପଢ଼ାଉଥିଲେ । ତାଙ୍କର ଉଚ୍ଚ ଅଭିଳାଷ ପାଇଁ ସେ ପ୍ରଥମେ ପାଟନା ଏବଂ ପରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ସେଠାରେ ସେ ସିଭିଲ ସର୍ଭିସରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ସେଥିରେ ତାଙ୍କୁ ସଫଳତା ମିଳିଲା ନାହିଁ ।

ଜ୍ଞାନର ସନ୍ଧାନରେ ଥିବା ଅମରଦୀପ, ଦକ୍ଷିଣ କୋରିଆ ଏବଂ ଥାଇଲ୍ୟାଣ୍ଡର ଘରୋଇ କମ୍ପାନୀ ତଥା ବେଙ୍ଗାଲୁରୁରେ ଏକାଡେମିକ୍ କାର୍ଯ୍ୟକଳାପ ସହିତ ଅନେକ ସ୍ଥାନରେ ପହଞ୍ଚିଥିଲେ । ବେଙ୍ଗାଲୁରୁରେ କର୍ପୋରେଟ୍ ଦୁନିଆରେ କାମ କରୁଥିବା ବେଳେ ସେ ସନ୍ତୁଷ୍ଟ ନଥିଲେ । ସ୍ଥାନୀୟ ସାମାଜିକ କର୍ମୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ପ୍ରବଳ ଇଚ୍ଛା ରଖୁଥିଲେ । ଭଲ ବେତନ ପାଇବା ସତ୍ତ୍ୱେ ସେ ନିଜକୁ ଅସମ୍ପୂର୍ଣ୍ଣ ଅନୁଭବ କରୁଥିଲେ ।

ବାୟୋକେମିଷ୍ଟ୍ରିରେ ପିଏଚଡି କରିଥିବା ଅମରଦୀପଙ୍କ ପତ୍ନୀ ଡକ୍ଟର ହେମଲତା ସିଂ, ତାଙ୍କୁ ବିହାର ଫେରିଯିବାକୁ ପରାମର୍ଶ ଦେଇଥିଲେ । ଆଉ ସେଠାରେ ନିଜ ସମ୍ପ୍ରଦାୟର ଲୋକଙ୍କ ସେବା କରିବାକୁ ପ୍ରୋତ୍ସାହିତ କରିଥିଲେ । ଫଳରେ ସେ ନିଜ ଗାଁ ରାମପୁର ସମଥୁକୁ ଫେରିଥିଲେ ।

ଏଠାକୁ ଆସିବା ପରେ ସେ ଏକ ଏନଜିଓ ଆରମ୍ଭ କରିଥିଲେ । ୨୦୧୯ ମସିହାରେ ଅମରଦୀପ ୬ ଲକ୍ଷ ଟଙ୍କା ବିନିଯୋଗରେ 'ମୋରାଙ୍ଗ ଦେଶ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍' ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ବିଭିନ୍ନ ପ୍ରକାରର ଧୂପକାଠି ତିଆରି କରୁଛି । ତାଙ୍କ ବ୍ୟବସାୟ ଏବେ ୧୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଉଛି ।

ଏହାର ବାର୍ଷିକ କାରବାର ୩ କୋଟି ଟଙ୍କାରୁ ଅଧିକ । ଅମରଦୀପଙ୍କ କମ୍ପାନୀ ମନ୍ଦିରରୁ ବାହାରୁଥିବା ଖରାପ ଫୁଲ ବ୍ୟବହାର କରି ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରନ୍ତି । ଯେଉଁମାନେ ପରିସ୍ଥିତି କାରଣରୁ ଜୀବନରେ ହାର୍ ମାନିଯାଆନ୍ତି ସେମାନଙ୍କ ପାଇଁ ଅମରଦୀପଙ୍କ କାହାଣୀ ଏକ ପ୍ରେରଣା । ତାଙ୍କ କାହାଣୀ ଏହା କହୁଛି ଯେ, ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସବୁକିଛି ସମ୍ଭବ ।