କଳିଯୁଗରେ ବି ଏମିତି ମଣିଷ ଥାନ୍ତି ! ଗାଁ ସାରା ଲୋକଙ୍କ ମଉଡ଼ମଣୀ, ପହଞ୍ଚିଲେ ଓଠରେ ଆପେ ଖେଳିଯାଏ ହସ

ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।

Inspiration

ଗାଁ ଭିତରେ ହେଉ କିମ୍ବା ଜାତୀୟ ରଜପଥ ଉପରେ । ମଟର ସାଇଲକେଲ ସହ କାନ୍ଧରେ ବ୍ୟାଗ ଖଣ୍ଡିଏ ପକାଇ ରାତି ପାହିଲେ ଘରୁ ବାହାରି ପଡନ୍ତି ସନ୍ତୋଷ ମହଲ । ଘର ବାଲେଶ୍ୱର କଲ୍ୟାଣପୁର ଦୁମୁଦା ଗାଁରେ । ନିଜାମପୁର ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ବ୍ୟବସାୟୀକ ପ୍ରତିନିଧି ଭାବେ ଆଜିକୁ ୮ ବର୍ଷ ଧରି କାମ କରିଆସୁଛନ୍ତି ସନ୍ତୋଷ । ଯଦିଓ ତାଙ୍କ ଦାୟିତ୍ୱ ହେଉଛି ପଞ୍ଚାୟତର ଗୋଟିଏ ସ୍ଥାନରେ ବସି ବୁଢାବୁଢି କିମ୍ବା ଦିବ୍ୟାଙ୍ଗଙ୍କୁ ଭତ୍ତା ଯୋଗାଇବା । କିନ୍ତୁ ସେତିକିରେ ସେ ସୀମିତ ନରହି ନିଜସ୍ୱ ଉଦ୍ୟମରେ କେଉଁଠି କ୍ୟାନସରରେ ପିଡିତ ରୋଗୀ ତ ଆଉ କେଉଁଠି ଦିବ୍ୟାଙ୍ଗଙ୍କୁ ଯୋଗାଉଛନ୍ତି ଭତ୍ତା ।

କେବଳ ଭତ୍ତା ନୁହଁ ବରଂ ମାସ ସାରା କାହାର କି ପ୍ରକାର ସେବା ଦରକାର ତାହା ସେ ହାତରେ ମେସିନ ଖଣ୍ଡେ ଏବଂ ଖାତାରେ ଟିପି ନେଇ ସେବା ଯୋଗାଇ ଦେଇଥାନ୍ତି । ଆଉ ଏହି ସେବା ପାଇଁ ଟଙ୍କାଟିଏ ବି କାହାଠାରୁ ଗ୍ରହଣ କରନ୍ତି ନାହିଁ । ଆଉ ଏହିମାନଙ୍କ ସେବା କରି ତାଙ୍କୁ ଆତ୍ମତୃପ୍ତି ମିଳେ ବୋଲି କହିଛନ୍ତି ସନ୍ତୋଷ ।

ଯେଉଁମାନଙ୍କର ପୁଅ ବୋହୂ ଥାନ୍ତୁ ବା ନଥାନ୍ତୁ ସନ୍ତୋଷ କିନ୍ତୁ ସେମାନଙ୍କ ପାଇଁ ଘରର ପୁଅ ଭଳି । ରାତି ପାହିଲେ ସବୁ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦିଅନ୍ତି ସନ୍ତୋଷ । ଆଉ ତାଙ୍କର ଏହି କାମ ଲାଗି ଗାଁ ସାରା ଲୋକ ତାଙ୍କୁ ଚାତକ ପରି ଅପେକ୍ଷା କରି ରହିଥାନ୍ତି । କେତେବେଳେ ସନ୍ତୋଷ ଆସିବ ? ଆଉ ସନ୍ତୋଷ ଆସିଯିବା ପରେ ବେଶ୍‌ ଖୁସିରେ ସବୁ କାମ କରିପାରନ୍ତି ଗାଁ ଲୋକେ ।

ଆଜିର ଦିନରେ କିଏ କାହା ପାଇଁ ୫ ମିନିଟ୍‌ ବି ସମୟ ଦେଉନାହାନ୍ତି । ହେଲେ ସନ୍ତୋଷ ନିଜସ୍ୱ ଉଦ୍ୟମରେ ଶହଶହ ଗାଁ ଲୋକଙ୍କ ସେବା କରୁଛନ୍ତି  ଦୁଃଖ ବୁଝୁଛନ୍ତି । ସତରେ ସନ୍ତୋଷଙ୍କ ପରି ବ୍ୟକ୍ତିତ୍ୱ ଆଜିକା ସମୟରେ ନିଆରା ନିଶ୍ଚୟ ।

 

(ରିପୋର୍ଟ- ରଶ୍ମି ରଂଜନ ଦାସ, ବାଲେଶ୍ୱର)