ଚୁନା ହୋଇଗଲା ସୁନାର ସ୍ୱପ୍ନ; ଦାଦନ ଖଟିବାକୁ ଯାଇଥିଲେ, ଶବ ହେଇ ଫେରିଲେ

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ ।

ଟ୍ରେନ୍‌ ଦୁର୍ଘଟଣା

ଗୋଟିଏ ଗାଁ, ଗୋଟିଏ ସାହିର ଚାରି ସାଙ୍ଗ । ଏକାଠି ଖେଳନ୍ତି, ବୁଲନ୍ତି, ହାଟ ସଉଦା କରନ୍ତି, ପରସ୍ପର ଦୁଃଖସୁଖ ବାଣ୍ଟନ୍ତି । ଆଉ ପରିବାର ସୁଖ, ସୁବିଧା ପାଇଁ ସେଦିନ ବି ଚାରିହେଁ ଚେନ୍ନାଇକୁ ଦାଦନ ଖଟି ଯିବା ଉଦ୍ଦେଶ୍ୟରେ କରମଣ୍ଡଳ ଚଢ଼ିଥିଲେ । ହେଲେ ମାତ୍ର ଅଧଘଣ୍ଟାର ଟ୍ରେନ୍ ଯାତ୍ରାରେ ରେଳ ବଗି ଭଳି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ସମସ୍ତଙ୍କ ସ୍ୱପ୍ନ । ଚାରି ଜଣଙ୍କ ଭିତରୁ ୩ ଜଣଙ୍କ ମୃତଦେହ ଫେରିଲା, ଏବେ ବି ଆର ଜଣଙ୍କ ଅପେକ୍ଷାରେ ପରିବାର ।

ଏ ପାଲ ଢଙ୍କା ଭଙ୍ଗା କୁଡ଼ିଆରେ ଆଉ ପାଣି ଗଳିବନି । ବୁଢ଼ା ବାପା-ମା, ସ୍ତ୍ରୀ- ପିଲାଙ୍କ ପାଇଁ ଭଲ ଘରଟିଏ ତୋଳା ହେବ । ପୁଅ-ଝିଅ ଭଲ ସ୍କୁଲରେ ପାଠ ପଢ଼ିବେ । ଟିକେ ଭଲ ଖାଇବେ । ଏଇ ସବୁ ଭଲ ପାଇଁ ଚେନ୍ନାଇ ଦାଦନ ଖଟି ବାହାରିଥିଲେ ମୟୂରଭଞ୍ଜ ଫୁଟକିଶୋଳ ଗାଁର ଚାରି ସାଙ୍ଗ ସତ୍ୟନାଥ ପାଟବନ୍ଧା, ଭରତ ଦାସ, କୀର୍ତ୍ତନ ସି, ବ୍ରହ୍ମାନନ୍ଦ ଦାସ ।

ଗୋଟିଏ ଗାଁ, ଗୋଟିଏ ସାହି । ଶତ ସ୍ୱପ୍ନର ଗଣ୍ଠିଲି ସଜେଇ, ଘର ପରିବାରର ବିଶ୍ୱାସକୁ ସାଥି କରି ଗୋଟିଏ ବଗିରେ ଆଶାର କରମଣ୍ଡଳ ଧରିଥିଲେ ସମସ୍ତେ । ଟ୍ରେନ ଚଢୁ ଚଢୁ ଖୁସି ଖୁସିରେ ଘର ଲୋକଙ୍କୁ କେହି କେହି ଫୋନ କରି କହିଥିଲେ ବି- ଭଲରେ ଅଛୁ, ଆଉ ଚିନ୍ତା କରନି । ବାହାନଗା ବଜାର ଷ୍ଟେସନରେ କାଳ ଝଟକାରେ ମୁହୂର୍ତ୍ତକରେ ଶେଷ ହୋଇଗଲା । ଖବର ଆସିଲା, ଯେଉଁ ବଗିରେ ଏ ଚାରି ସାଙ୍ଗ ଏକାଠି ଯାଉଥିଲେ, ଅନ୍ୟ ଅନେକଙ୍କ ପରି ସେମାନଙ୍କ ବଡି ବି ଆଉ ଚିହ୍ନିବା ଅବସ୍ଥାରେ ନାହିଁ । ହେଲେ ଏହାରି ଭିତରେ ଦୁର୍ଘଟଣାର ୫ ଦିନ ପରେ ଗାଁଟା ଯାକର ଲୋକଙ୍କୁ ଶୋକରେ ବୁଡ଼ାଇ ୪ ଜଣଙ୍କ ଭିତରୁ ଅତି କଷ୍ଟରେ ୩ ସାଙ୍ଗଙ୍କ ଶବ ଫେରିଛି । ଏବେ ବାହୁନି କାନ୍ଦୁଛି ଗାଁ । ଛୋଟ ଛୋଟ ଆଶାସବୁର ଅକାଳ ମୃତ୍ୟୁରେ ଦିଗହରା ପିଲା ପରିବାର ।

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ । ଏମିତିକି ଭୁବନେଶ୍ୱରରେ ଶବର ପାହାଡ଼ ଭିତରୁ ନିଜ ଭାଇକୁ ଚିହ୍ନି ବି ମୃତଦେହକୁ ଆଣି ପାରି ନାହାନ୍ତି ବ୍ରହ୍ମାନନ୍ଦଙ୍କ ଭାଇ । କାରଣ ଯାହାକୁ ସେ ଯାହାକୁ ନିଜ ଭାଇ ବ୍ରହ୍ମାନନ୍ଦ ବୋଲି ଚିହ୍ନିଲେ, ପଶ୍ଚିମବଙ୍ଗ ପୁରୁଲିଆର ଏକ ପରିବାର ତାକୁ ସେମାନଙ୍କ ସଂପର୍କୀୟ ବୋଲି ଦାବି କରି ବସିଲେ । ତେଣୁ ଡିଏନ୍ଏ ପାଇଁ ରକ୍ତ ନମୁନା ରଖି ପ୍ରଶାସନ ଶବ ନଦେଇ ଫେରେଇ ଦେବାରୁ ଏବେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛନ୍ତି 

ବ୍ରହ୍ମାନନ୍ଦଙ୍କ ପରିବାର ।

ବାହାନଗା କରମଣ୍ଡଳ ଟ୍ରାଜେଡିରେ ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣଙ୍କ ଜୀବନ ଯାଇଥିଲା ବେଳେ, ଫୁଟକିଶୋଳ ଗାଁର ଚାରି ସାଙ୍ଗ ଓ ସେମାନଙ୍କ ପରିବାରର ଏ ଦଶାରେ ହତବାକ୍ ଅଞ୍ଚଳବାସୀ ।