ମାଟ୍ରିକ୍ ରେ ରଖିଛନ୍ତି ୫୧୯ନମ୍ବର, ଆଉ ପଢିବାକୁ ପଇସା ନାହିଁ

ସରକାରଙ୍କୁ ନେହୁରା ହେଉଛନ୍ତି ମେଧାବୀ ଛାତ୍ରୀ ପ୍ରିୟଙ୍କା । ମାଟ୍ରିକ୍ ପରୀକ୍ଷାରେ ରଖିଛନ୍ତି ୫୧୯ନମ୍ବର । ଭଲ କଲେଜରେ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆଉ ପଢିବାକୁ ପଇସା ନାହିଁ ।

Meritorious student

ସରକାର ମୋତେ ସାହାଯ୍ୟ କର, ମୁଁ ପାଠ ପଢିବି ଡ଼ାକ୍ତର ହେବି, ଆଉ ଲୋକଙ୍କ ସେବା କରିବି । ଏମିତି ଗୁହାରି କରୁଥିବା ଛାତ୍ରୀଜଣଙ୍କ ହେଉଛନ୍ତି ମାଟ୍ରିକ୍ ପରୀକ୍ଷାରେ ୫୧୯ ମାର୍କ ରଖି ସମସ୍ତଙ୍କୁ ଚମକାଇ ଦେଇଥିବା ଆଦିବାସୀ ଝିଅ ପ୍ରିୟଙ୍କା ମାଝୀ । ଗଜପତି ମୋହନା ବ୍ଲକ୍ ରାଜପୁର ଗାଁର ମେଧାବୀ ଛାତ୍ରୀ ପ୍ରିୟଙ୍କା । ନିଜ ପରିଶ୍ରମ ବଳରେ ମାଟ୍ରିକରେ ସିନା ସଫଳତା ପାଇଲେ ପ୍ରିୟଙ୍କା କିନ୍ତୁ ଆଗକୁ କେମିତି ପଢିବେ ସେଇ ଚିନ୍ତାରେ ପୁରା ପରିବାର । ଝିଅର ସଫଳତାରେ ପରିବାରଠୁ ନେଇ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗର୍ବିତ ହେଲେ ଯେଉଁଠି ପେଟ ଚାଖଣ୍ଡକ ପାଇଁ ମୂଲ ଲାଗିବାକୁ ପଡ଼େ ସେଠି ଟଙ୍କା କେଉଠୁ ଆସିବ ଯେ ଝିଅ ପାଠ ପଢିବ ।

ପାହାଡ଼ ପାଦ ଦେଶରେ ଥିବା ଗାଁରେ ପ୍ରିୟଙ୍କାଙ୍କ ଘର । ସିମେଣ୍ଟ କାନ୍ଥରୁ ରଙ୍ଗ ଉଡ଼ିଗଲାଣି, ଛାତ କହିଲେ ମାତ୍ର କେଇ ଖଣ୍ଡ ଆଜବେଷ୍ଟସ । ତଥାପି ସେହି ଘରେ ପାଠପଢି ୬୦୦ ରୁ ୫୧୯ ନମ୍ବର ରଖିଛନ୍ତି ସେ । ଘର କାମ କରନ୍ତି ଆଉ କାମରୁ ଫୁରସତ ମିଳିଲେ ସପ ପକାଇ ପାଠ ପଢାରେ ଲାଗିଯାନ୍ତି । ପ୍ରିୟଙ୍କାଙ୍କ ଦୃଢ ମନୋବଳ ଆଗରେ ପ୍ରତିବନ୍ଧକ ସାଜିପାରିନି ପ୍ରତିକୂଳ ପରିସ୍ଥିତି ।

ସ୍ଥାନୀୟ ଖାରିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ପ୍ରିୟଙ୍କା । ମାଟ୍ରିକରୁ ଭଲ ମାର୍କ ରଖିବା ପରେ ଏବେ ସେ ଗାଁର ମଉଡମଣୀ । ଆଗରୁ ଗାଁରେ ଏତେମାର୍କ ରଖି କେହି ପାସ୍‌ କରିନଥିଲେ । ମାଟ୍ରିକ ପରେ ଭଲ କଲେଜରେ ପଢିବାକୁ ଆଶା ରଖିଛନ୍ତି ସେ । ମାତ୍ର ପରିବାରର ଆର୍ଥିକ ପରିସ୍ଥିତି ତାଙ୍କର କଲେଜ ପଢାପାଇଁ ବାଧକ ସାଜିଛି । ତେବେ ଜିଲ୍ଲା ମଙ୍ଗଳ ଅଧିକାରୀ ଗାଁକୁ ଯାଇ ପ୍ରିୟଙ୍କାଙ୍କ ପରିବାରକୁ ଭେଟିଛନ୍ତି । ଯୁକ୍ତଦୁଇ ପାଠପଢା ଓ ପରେ ଡାକ୍ତରୀ ପାଠ ପଢିବାକୁ ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ।