Success Story: ମଜୁରୀ ଲାଗି ଦିନକୁ ରୋଜଗାର କରୁଥିଲେ ୩୫୦ ଟଙ୍କା, ଏବେ ପାଇଲେ IIT

ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।

Gagan

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT)ରେ ଅଧ୍ୟୟନ କରିବାର ସ୍ୱପ୍ନ ଯୁବକମାନଙ୍କ ମଧ୍ୟରେ ଏକ ସାଧାରଣ ଆକାଂକ୍ଷା । ଏହି ସ୍ୱପ୍ନକୁ ସାକାର କରିବାକୁ, ସେମାନଙ୍କୁ ନିଶ୍ଚିତ ଭାବେ JEE ମେନ୍ ଏବଂ ଆଡଭାନ୍ସଡ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ । ଯଦିଓ ସେମାନେ ସଫଳ ହୁଅନ୍ତି, ଆର୍ଥିକ ଅନଗ୍ରସର ଛାତ୍ରମାନେ IIT ରେ ଅଧ୍ୟୟନ ଜାରି ରଖିବାରେ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ସେମାନେ ଶିକ୍ଷା ଶେଷ କରିପାରିବେ କି ନାହିଁ ଅନିଶ୍ଚିତତା ଭିତରେ ରହିଥାନ୍ତି । ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ଏମିତି ଜଣେ ଛାତ୍ର ହେଉଛନ୍ତି ଗଗନ ।

ଉତ୍ତର ପ୍ରଦେଶ ଆଲିଗଡର ଏକ ଛୋଟ ସହର ଅତ୍ରଉଳିରେ ଗଗନଙ୍କ ଘର । ଏକ ସାଧାରଣ ପରିବାରରୁ ଆସିଥିବା ସତ୍ତ୍ୱେ ସର୍ବଭାରତୀୟ ରାଙ୍କ୍ (AIR) ୫୨୮୬ ହାସଲ କରି IITରେ ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ । ଗଗନଙ୍କ ବାପା ଏକ ଗ୍ୟାସ ଏଜେନ୍ସିରେ ଗୋଦାମ ରକ୍ଷକ ଭାବେ କାମ କରନ୍ତି । ଗଗନ ଓ ତାଙ୍କର ବଡ଼ ଭାଇ ମଜୁରୀ ଲାଗନ୍ତି ଓ ଗ୍ୟାସ୍ ସିଲିଣ୍ଡର ଉଠାଇ ଦୈନିକ ମଜୁରୀ ବାବଦକୁ ୩୫୦ ଟଙ୍କା ପାଆନ୍ତି । ଏଥିସହ ବାପାଙ୍କୁ କାମରେ ସାହାଯ୍ୟ କରନ୍ତି । 

ପାଠପଢାରେ ସଂପୂର୍ଣ୍ଣ ଫୋକସ କରିବା ଲାଗି ଗୋଟିଏ ବର୍ଷ ନେଇଥିଲେ ଗଗନ । IITରେ ପଢ଼ିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ଏଥିପାଇଁ ସେ ଦିନବେଳା କାମ କରୁଥିଲେ ଓ ରାତିରେ ମୋବାଇଲ ସାହାଯ୍ୟରେ ଅନଲାଇନରେ ପାଠ ପଢ଼ୁଥିଲେ ।

ଗଗନଙ୍କ ପାଠପଢ଼ା ପ୍ରତି ରୁଚିକୁ ଦେଖି ଫିଜିକ୍ସ ୱାଲାର ପ୍ରତିଷ୍ଠାତା ତଥା ସିଇଓ ଅଲଖ ପାଣ୍ଡେ ୪ ଲକ୍ଷ ଟଙ୍କା ସ୍କଲାରସିପ୍ ପ୍ରଦାନ କରିଥିଲେ । ଶ୍ରମିକ କାମ ବଦଳରେ ଗଗନ ଓ ତାଙ୍କ ବଡ଼ଭାଇଙ୍କୁ ଫିଜିକ୍ସ ୱାଲାରେ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ସଂଘର୍ଷ ଓ ସଫଳତାର ଯାତ୍ରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିରନ୍ତର ନିଜର ପ୍ରଚେଷ୍ଟା ଜାରି ରଖିଥିଲେ ଗଗନ । ଦିନରେ ଦୀର୍ଘସମୟ କାମ କରୁଥିଲେ ଓ ରାତିରେ ସ୍ମାର୍ଟଫୋନରେ ଅନଲାଇନ ଅଧ୍ୟୟନ ଜାରି ରଖିଥିଲେ । କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ଇଲେକ୍ଟ୍ରିକାଲ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ପଢିବା ପାଇଁ IIT ବିଏଚୟୁରେ ଆଡମିଶନ ନେବାଲାଗି ସକ୍ଷମ ହୋଇଥିଲେ ।