କୁନି ବୈଜ୍ଞାନିକଙ୍କ କମାଲ୍
ମୋ ସ୍କୁଲ ମୋତେ ଏକ ପକ୍ଷାଘାତ ଚିକିତ୍ସା କେନ୍ଦ୍ରକୁ ନେଇଥିଲା। ସେଠାରେ ମୁଁ ଦେଖିଲି ଯେ ରୋଗୀମାନଙ୍କ ପାଇଁ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଏବଂ ପରିବେଶ ସହିତ ଯୋଗାଯୋଗ କରିବା କେତେ କଷ୍ଟକର ଥିଲା। ସେତେବେଳେ ମୋ ମନକୁ ଏହି ଚିନ୍ତା ଆସିଲା: ଏପରି ଏକ ମେସିନ୍ ଲର୍ଣ୍ଣିଂ ସିଷ୍ଟମ୍ ଥାଆନ୍ତା କି ଯାହା ଦ୍ୱାରା ସେମାନେ କ'ଣ କହିବାକୁ ଚେଷ୍ଟା କରୁଛନ୍ତି ତାହା ବୁଝିହୁଅନ୍ତା।
ଏପରି ଚିନ୍ତା କରିଥିଲେ ଏକାଦଶ ଶ୍ରେଣୀରେ ପଢୁଥିବା ପ୍ରଣେତ ଖେତାନ। ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ କାମ। ବର୍ତ୍ତମାନ ଏହି କୁନି ବୈଜ୍ଞାନିକ ଏକ ଛୋଟ ଡିଭାଇସ୍ ବିକଶିତ କରିଛନ୍ତି ଯାହା ଅସ୍ପଷ୍ଟ କଥାକୁ ଅନୁବାଦ କରିପାରିବ।
ଗୁରୁଗ୍ରାମର ଶିବ ନାଦର ସ୍କୁଲରେ ପଢ଼ୁଥିବା ପ୍ରଣେତ ଖେତାନ ଏହାର ନାଁ 'ପାରାସ୍ପିକ୍'(Paraspeak) ରଖିଛନ୍ତି। ଏହା ଏକ AI-ଆଧାରିତ ଡିଭାଇସ୍, ଯାହା ପକ୍ଷାଘାତ ରୋଗୀଙ୍କ ଅସ୍ପଷ୍ଟ କଥାକୁ ସ୍ପଷ୍ଟ ରୂପରେ ଅନୁବାଦ କରିପାରୁଛି।
ପାରାସ୍ପିକ୍ ହେଉଛି ଭାରତର ପ୍ରଥମ ଓପନ୍ ସୋର୍ସ ଅଟୋମେଟିକ୍ ସ୍ପିଚ୍ ରେକଗ୍ନିସନ୍ ଫ୍ରେମୱାର୍କ; ଯାହା ପକ୍ଷାଘାତ, ପାର୍କିନସନ୍, COPD ଏବଂ ଅନ୍ୟାନ୍ୟ ସ୍ନାୟୁ ରୋଗରେ ପୀଡିତ ରୋଗୀଙ୍କୁ ପ୍ରଭାବିତ କରେ।
ପ୍ରଣେତଙ୍କ କହିବା କଥା, ଏହି ରୋଗୀମାନଙ୍କର ମସ୍ତିଷ୍କ ସମ୍ପୂର୍ଣ୍ଣ ସ୍ୱାଭାବିକ, ସେମାନେ ସବୁକିଛି ବୁଝନ୍ତି ଏବଂ କଥା ମଧ୍ୟ ଜାଣନ୍ତି, କିନ୍ତୁ ସେମାନଙ୍କର ମାଂସପେଶୀ ସ୍ପଷ୍ଟ ଭାବରେ ସ୍ୱର ବାହାର କରିବାକୁ ସକ୍ଷମ ନୁହେଁ।
ହିନ୍ଦୀରେ ଏପରି ଟେକନିକ୍ ଉପରେ କୌଣସି ଗବେଷଣା କିମ୍ବା ତଥ୍ୟ ନଥିଲା। ପ୍ରଣେତ ୨୮ ଜଣ ରୋଗୀଙ୍କ ଠାରୁ ୪୨ ମିନିଟର କଥା ରେକର୍ଡ କରିଥିଲେ ଆଉ ପ୍ରଥମ ହିନ୍ଦୀ ଡିସ୍ଆର୍ଥ୍ରିକ୍ ସ୍ପିଚ୍ ଡାଟାସେଟ୍ ତିଆରି କରିଥିଲେ। ତା’ପରେ ଡାଟାକୁ ୨୦ ଘଣ୍ଟା ପର୍ଯ୍ୟନ୍ତ ବଢାଇଥିଲେ।
ଏହାର ଆକାର ଏକ ୱେବ୍କ୍ୟାମ୍ ପରି ଛୋଟ ଏବଂ ଏହାକୁ ବେକରେ ଓହଳାଯାଇପାରିବ। କେବଳ ଗୋଟିଏ ବଟନ୍ ଦବାଇଲେ, ରୋଗୀ କଥା କହିପାରିବେ ଏବଂ ଡିଭାଇସ୍ ଏହାକୁ ଅନୁବାଦ କରି ଶୁଣାଇବ।