Food Distribution To Poor: ଦିନେ କି ଦୁଇଦିନ ନୁହେଁ, ୧୦ ବର୍ଷ ହେଲା ଗରିବଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଏହି ସ୍ୱାମୀ-ସ୍ତ୍ରୀ

ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକଦିନ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ରୋଷେଇ କରି ଅତି ଶ୍ରଦ୍ଧାର ସହ ପଠେଇ ଦିଅନ୍ତି ଲୋକଙ୍କ ପାଇଁ...।

ଗରିବଙ୍କ ସାହାରା ପାଲଟିଛନ୍ତି ଏହି ସ୍ୱାମୀ-ସ୍ତ୍ରୀ

ମାନବିକତା ଆଗରେ ହାର ମାନିଛି ଅଭାବ...। ନେବାରେ ନୁହଁ ଦେବାରେ ବିଶ୍ୱାସ ରଖନ୍ତି ମନୋରଞ୍ଜନ..। ଗରିବ ଅସହାୟ ଲୋକଙ୍କ ସାହାରା ପାଲଟି ମାନବିକତାର ପ୍ରକୃତ ଉଦାହରଣ ସାଜିଛି ମନୋରଞ୍ଜନଙ୍କ ପରିବାର...।

କଥାରେ ଅଛି ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଏ କଥାର ପ୍ରକୃତ ଉଦାହରଣ ସାଜିଛନ୍ତି ମନୋରଞ୍ଜନଙ୍କ ପରିବାର ।....ତେବେ ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଗୋଷାଳପଦାର ମନୋରଞ୍ଜନ ସ୍ୱାଇଁଙ୍କ କଥା । ଜଣେ ମଧ୍ୟମ ମଧ୍ୟବିତ୍ତ ପରିବାରର ଲୋକ ହୋଇ ମଧ୍ୟ ସେବା କରିବାର ମନୋବୃତି ତାଙ୍କୁ ଆଜି ସମାଜ ଆଗରେ ମହାନ୍ କରି ଦେଇଛି। ଦୀର୍ଘ ୧୦ ବର୍ଷ ହେବ ବାଲେଶ୍ୱରର ପ୍ରତେକ ଗରିବ ଓ ଅସହାୟ ବ୍ୟକ୍ତିକୁ ରନ୍ଧାଖାଦ୍ୟ ଯୋଗାଇ ଆସୁଥିବା ବେଳେ ଏଥିରେ ତାଙ୍କୁ ସାଥ୍ ଦେଇଛନ୍ତି ସ୍ତ୍ରୀ ମାଣିକମାଳା..। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ସେବା କରିବାରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି ମନୋରଞ୍ଜନ।

ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ମାଳା ପରିବା କାଟି ଅତି ଶ୍ରଦ୍ଧାର ସହ ରୋଷେଇ କରି ପଠେଇ ଦିଅନ୍ତି ଲୋକଙ୍କ ପାଇଁ । ଏହି କାମ ରେ ପରିବାରର ସମସ୍ତ ସଦସ୍ୟ ଏକତ୍ର ହେଇ ସାହାଯ୍ୟ କରୁଥିବା ବେଳେ ମଧ୍ୟାହ୍ନ ସମୟରେ ବାଲେଶ୍ୱରର ସମସ୍ତ ଗରିବ ଅସହାୟ ଓ ମାନସିକ ବିକଳାଙ୍ଗ ଲୋକଙ୍କ ପାଖକୁ ମଧ୍ୟାହ୍ନ ଭୋଜନ ପହଞ୍ଚାଇବାର ଦାୟିତ୍ଵ ନିଅନ୍ତି ମନୋରଞ୍ଜନ । ହାତରେ ବ୍ୟାଗ୍ ଟିଏ ଧରି ବାଲେଶ୍ୱର ସହର ସାରା ବୁଲି ବୁଲି ରାସ୍ତା କଡ଼ରେ ଶୋଇ ରହିଥିବା ଅସହାୟ ମାନଙ୍କୁ ପତ୍ର ପକାଇ ଲୁଣ ଲଙ୍କା ଦେଇ ଯତ୍ନର ସହ ଖାଦ୍ୟ ପରଶି ଦିଅନ୍ତି ମନୋରଞ୍ଜନ।

ମନୋରଞ୍ଜନଙ୍କ ହାତ ପରଶା ଖାଇ ଗରିବ ଅସହାୟମାନେ ଆଶୀର୍ବାଦରେ ପୋତିପକାନ୍ତି ତାଙ୍କୁ। ଏହି ସ୍ୱାର୍ଥପର ଦୁନିଆରେ ନିଜର ସ୍ୱାର୍ଥ ଭୁଲି ଗରିବ ଲୋକଙ୍କୁ ଖାଦ୍ୟ ଆଣି ଦେଉଥିବାରୁ ମନୋରଞ୍ଜନଙ୍କୁ ଭଗବାନଙ୍କ ଆଖ୍ୟା ଦେଇଛନ୍ତି ଏହି ବେସାହାରା ଲୋକମାନେ। ମନୋରଂଜନ କହନ୍ତି, ସବୁ ଜଗନ୍ନାଥଙ୍କ କୃପାରୁ ଚାଲିଛି। ମୋର ସ୍ୱଳ୍ପ ରୋଜଗାର ଭିତରେ ମୁଁ ଏ କାମଟି ଚଲାଇ ରଖିଛି। ଯେତେଦିନ ପାରିବି ଏ ସେବା ଚାଲୁ ରଖିବି। ତାଙ୍କ ପତ୍ନୀ ମାଣିକ କୁହନ୍ତି, ମୋତେ ରୋଷେଇ ପାଇଁ କେବେ କଷ୍ଟ ହୁଏନି। କାରଣ ମୁଁ ଭାବେ, ମୋ ହାତରନ୍ଧା ଖାଇ ଜଣେ ଅସହାୟ ଲୋକର ମୁହଁରେ ହସ ଫୁଟି ପାରୁଛି। 

ଆଜି କାଲିର ଏଇ  ସ୍ୱାର୍ଥବାଦୀ ଦୁନିଆରେ ମଣିଷ ନିଜ ଘର ନିଜ ପରିବାର ଓ ନିଜର ଅଭାବକୁ ପୁରା କରିବାରେ ବ୍ୟସ୍ତ ଥିବା ବେଳେ ମନୋରଞ୍ଜନଙ୍କ ଏଭଳି ଚିନ୍ତାଧାରାକୁ ଅବଲୋକନ କରିବା ପରେ ଲାଗୁଛି ଯେମିତି ଏବେ ବି ବଂଚିଛି ମାନବିକତା । ସତରେ ମନୋରଂଜନ ଓ ତାଙ୍କ ପତ୍ନୀ ମାଣିକଙ୍କ ଭଳି ଲୋକମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ।

(ରିପୋର୍ଟ- ଚନ୍ଦ୍ରକାନ୍ତ ଜେନା, ବାଲେଶ୍ୱର)