Elderly man seeks financial assistance
ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବସି ବୃଦ୍ଧ ଜଣକ କାନ୍ଦୁଛନ୍ତି । ହେଲେ ସେ କାହିଁକି କାନ୍ଦୁଛନ୍ତି ତାହା ଜାଣିଲେ ଆପଣ ବି କିଛି ସମୟ ଚୁପ୍ ରହିବେ । ଆଉ ପ୍ରଶାସନକୁ ନିଶ୍ଚୟ କହିବେ ତୁରନ୍ତ ତାଙ୍କୁ ମିଳୁ ସରକାରୀ ସହାୟତା । କାରଣ ସେହି ବୃଦ୍ଧଙ୍କ ସହ ଯେଉଁ ଦୁର୍ଘଟଣା ଘଟିଛି ତାହା ଶୁଣିବା ପରେ ଆପଣ ବି ବାକ୍ଶୂନ୍ୟ ହୋଇଯିବେ ।
ଅନୁଗୁଳୁ ବାରସିଂହା ଅଞ୍ଚଳର ଉଦୟ ନାଥ ସାହୁ । ନିଜର ଦୁଃଖ ଏତେ ଅଧିକ ଯେ କହୁକହୁ ଆଖିରେ ଜକେଇ ଆସୁଛି ଲୁହ । କାରଣ ଭଗବାନ ଉଦୟନାଥଙ୍କୁ ଯେଉଁ ଦୁଃଖ ଦେଇଛନ୍ତି ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ ପ୍ରାୟ । ସେଦିନ ଥିଲା ନଭେମ୍ବର ୫ ତାରିଖ, ୨୦୧୧ ମସିହା । ପୁଅ-ବୋହୂ ଘରେ ଥିଲା ବେଳେ ହଠାତ୍ ଫାଟିଥିଲା ଗ୍ୟାସ୍ ଟାଙ୍କି । ଗ୍ୟାସ୍ ଟାଙ୍କି ଫାଟିବା ପରେ ପୁଅ-ବୋହୂ ଉଭୟେ ଗୁରୁତର ଆହତ ହୋଇଥିଲେ । ପରେ ଉଭୟଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଗୁରୁତର ଥିବାରୁ ଚିକିତ୍ସା ଅବସ୍ଥାରେ ହିଁ ବୋହୂ ସସ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଦିନ ପରେ ପୁଅ ବିଭୂତିଙ୍କର ବି ପ୍ରାଣ ଯାଇଥିଲା । ଆଉ ଏକା ସାଙ୍ଗରେ ଡକାଡକି ହୋଇ ପୁଅ-ବୋହୂ ଚାଲିଯାଇଥିବାରୁ ଉଦୟଙ୍କ ଉପରେ ଘୋଡେଇ ହୋଇରହିଥିଲା ଦୁଃଖର କଳାବାଦଲ । ପୁଅ-ବୋହୂ ସିନା ଚାଲିଗଲେ ହେଲେ ୨ ନାତୁଣୀଙ୍କ ଲାଳନପାଳନର ଦାୟିତ୍ୱ ବୃଦ୍ଧ ଉଦୟଙ୍କ କାନ୍ଧରେ ରହିଥିଲା ।
ଏ ବୟସରେ ଦୁଇଦୁଇଟା ନାତୁଣୀଙ୍କୁ ମଣିଷ କରିବା କେତେ ଯେ କଷ୍ଟ ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ପ୍ରଶାସନର ସାହାଯ୍ୟ ଲାଗି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ତୁରନ୍ତ ଗ୍ୟାସ୍ କମ୍ପାନୀ ପକ୍ଷରୁ ବକେୟା ବୀମା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ତେବେ ପୂରା ଘଟଣାରେ କେମିତି ଅସହାୟଙ୍କୁ ଟଙ୍କା ମିଳିପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685292088.jpg)