ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।
ପ୍ରଶ୍ନ : କୁହାଯାଏ ଯେ ଯୋଗ ପ୍ରାପ୍ତ ସକାଳ ଓ ସନ୍ଧ୍ୟାରେ କରାଯାଏ। କିନ୍ତୁ ମୋର କାମ ସନ୍ଧ୍ୟାରୁ ଆରମ୍ଭ ହୋଇ ବିଳମ୍ବିତ ରାତିରେ ଶେଷ ହୁଏ। ଏନେଇ ସକାଳେ ଉଠିବା ସମ୍ଭବ ହୁଏ ନାହିଁ। ତେଣୁ ମୁଁ ଯୋଗ ପାଇଁ ପ୍ରାପ୍ତ ସକାଳ ଓ ସନ୍ଧ୍ୟା ଦେଇପାରେନି। କିନ୍ତୁ ମୋର ଯୋଗ କରିବା ନିହାତି ଆବଶ୍ୟକ। ମୁଁ ଅନ୍ୟ ସମୟରେ କରିପାରିବି କି?
ଉତ୍ତର : ଯୋଗ ତ ସବୁ ସମୟରେ କରିହେବ। କିନ୍ତୁ ଏହା ନିଶ୍ଚିତ ସତ ଯେ ପ୍ରାପ୍ତ ସକାଳ ଓ ସନ୍ଧ୍ୟା ଯୋଗ ପାଇଁ ଉପଯୁକ୍ତ ସମୟ ହୋଇଥାଏ। କାରଣ ଏହି ସମୟ ପରିବେଶ ସୁଦ୍ଧ ଓ ଶାନ୍ତ ଥାଏ। ପ୍ରାପ୍ତ ସକାଳ ଅଧିକ ସକରାତ୍ମକ ହୋଇଥାଏ। ଏହି ସମୟରେ ପରିବେଶ ଅତ୍ୟଧିକ ପ୍ରଦୂଷିତ ହୋଇ ନ ଥାଏ। ପରିବେଶ ଶୀତଳ ମଧ୍ୟ ଥାଏ। ଯୋଗ ମାଧ୍ୟମରେ ଆମକୁ ଶୁଦ୍ଧ ଅମ୍ଳଜାନ ଗ୍ରହଣ କରିବାକୁ ଥିବା ଏହି ସମୟ ଉପଯୁକ୍ତ ହୋଇଥାଏ। କିନ୍ତୁ ଅନ୍ୟ ସମୟରେ ମଧ୍ୟ ଯୋଗ କରିହେବ କିନ୍ତୁ ପେଟ ଖାଲି ଥିବା ଦରକାର।
ଯୋଗର ବିଭିନ୍ନ ବିଭାଗ ରହିଛି। ସେଥିମଧ୍ୟରୁ ପ୍ରାଣାୟମ ଓ ଧ୍ୟାନ ଅନ୍ୟତମ। ଆମେ ଦିନର ଯେକୌଣସି ସମୟରେ ପ୍ରାଣାୟମ ଓ ଧ୍ୟାନ କରି ପାରିବା। କିନ୍ତୁ ଏଥିପାଇଁ ଆମକୁ ପ୍ରଥମେ ଶୁଦ୍ଧ ଓ ଶାନ୍ତ ପରିବେଶ ଚୟନ କରିବାକୁ ହେବ। କୋଲାହଳ ଓ ଦୂଷିତ ପରିବେଶ ଯୋଗ ପାଇଁ ଅନୁକୁଳ ନୁହେଁ। ଯଦି ବି ଆପଣ ସକାଳ ୭ଟାରେ ଉଠିପାରୁଛନ୍ତି ତେବେ ନୀତ୍ୟକର୍ମ ସାରି ଘଣ୍ଟାଏରୁ ଦେଢ ଘଣ୍ଟା ଯୋଗ ପାଇଁ ଦେଇପାରିବେ।
ପ୍ରଶ୍ନ : ମୋର ବୟସ ୪୭। ମୁଁ ଉଚ୍ଚ ରକ୍ତଚାପରେ ପୀଡିତ। ଏନେଇ ମୁଁ କ’ଣ କରିପାରିବି?
ଉତ୍ତର : ସାଧରଣତଃ ଶରୀରରେ ରକ୍ତ ପ୍ରବାହରେ ସମସ୍ୟାକୁ ରକ୍ତଚାପ କୁହାଯାଏ। ଡାକ୍ତରୀ ବିଜ୍ଞାନ ଅନୁସାରେ ଆମ ଶରୀର ସାଧାରଣ ରକ୍ତ ପ୍ରବାହ ୧୨୦/୮୦ ହୋଇଥାଏ। ଏହା ଠାରୁ ଯଦି ଅଧିକ ହୁଏ ତେବେ ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ତେବେ ଏହା ହେବାର ଅନେକ କାରଣ ରହିଛି। ଏହା ମଧ୍ୟ ମାନସିକ ଚିନ୍ତା ହେଉଛି ଏକ ପ୍ରଧାନ କାରଣ। ଏହାଦ୍ୱାର ଆମ ହୃଦୟ ଆବଶ୍ୟକତା ଠାରୁ ଅଧିକ ସ୍ପନ୍ଦନ ହୋଇଥାଏ, ଯାହା ରକ୍ତ ପ୍ରବାହକୁ ଅସନ୍ତୁଳିତ କରେ। ତେଣୁ ଆମକୁ ଯଥା ସମ୍ଭବ ଚିନ୍ତାମୁକ୍ତ ହେବାକୁ ପଡିବ।
ଏହାଛଡା ପ୍ରତିକୁଳ ଜୀବନଯାପନ ମଧ୍ୟ ଏଥିରେ ପ୍ରଭାବ ପକାଏ, ଯେପରିକି ଧୂମ୍ରପାନ, ମଦ୍ୟପାନ, ଡ୍ରଗ୍ସ ସେବନ ଇତ୍ୟାଦି। ଏସବୁରୁ ଦୂରେଇ ରହିବା ଜରୁରୀ। ଅତ୍ୟଧିକ ମୋଟାପଣ ମଧ୍ୟ ଏକାର କାରଣ ହୋଇଥାଏ। ଯଦି ଆପଣଙ୍କର କୌଣସି ଶାରୀରିକ ପରିଶ୍ରମ ନାହିଁ ତେବେ ଶରୀରରେ ମୋଟାପଣ ବୃଦ୍ଧି ହୁଏ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଆସେ। ନିଦ୍ରାହିନତା ମଧ୍ୟ ଅନ୍ୟତମ କାରଣ ହୋଇଥାଏ।
ଏହି କ୍ଷେତ୍ରରେ ଯୋଗ ନିହାତି ଉପକାରୀ। ଏହା ଶ୍ୱାସକୁ ନିୟନ୍ତ୍ରଣ କରିବା ସହିତ ରକ୍ତ ପ୍ରବାହକୁ ସନ୍ତୁଳିତ କରେ ଓ ମସ୍ତିଷ୍କକୁ ଚିନ୍ତାମୁକ୍ତ ରଖିବାରେ ସାହାଯ୍ୟ କରେ। ଯୋଗ ମଧ୍ୟ ସ୍ନାୟୁଗୁଡିକୁ ଶାନ୍ତ କରାଏ ଓ ହୃଦସ୍ପନ୍ଦନକୁ ଧୀର କରିବାରେ ସହଯୋଗ କରେ। ଏହା ସହିତ ଯୋଗ ଶରୀରର ରୋଗ ପ୍ରତିରୋଧକ ଶତି ବଢେଇବା ସହ ସୁଖ ନିଦ୍ରା ଦେଇଥାଏ। ଅଭ୍ୟାସଗତ ଭାବେ ଯୋଗ କରିବେ ଏହା ଶରୀରରୁ ମେଦ ହ୍ରାସ କରେ ଏବଂ ଶରୀର ଓ ମନକୁ ସକରାତ୍ମକ ଦିଗରେ ନିଏ।
କେଉଁ ଆସନ କରିବେ:
ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଆପଣ ବାଳାସନ, ବଜ୍ରାସନ, ପଶ୍ଚିମୋତ୍ତାନସନ, ଅର୍ଦ୍ଧମତ୍ସ୍ୟନ୍ଦ୍ରାସନ, ବଦ୍ଧକୋଣାସନ, ଜାନୁଶିରାସନ, ବୀରାସନ, ସେତୁବନ୍ଧାସନ, ଅର୍ଦ୍ଧ ହଳାସନ ଓ ଶବାସନ କରିପାରିବେ। ଏହାକୁ ଦୈନନ୍ଦୀନ କରିବା ଦ୍ୱାରା ନିଶ୍ଚିତ ସକରାତ୍ମକ ଫଳ ମିଳିବ।
କେଉଁ ପ୍ରାଣାୟମ କରିବେ:
ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇଁ ପ୍ରାଣାୟମ ଅତି ଉଚ୍ଚକୋଟିର ମାଧ୍ୟମ। ଆପଣ ଦୈନିକ ଅନୁଲୋମ୍ ବିଲୋମ୍, ଭ୍ରାମରୀ, ଶିତଳୀ, ଶିତ୍କାରୀ, ଉଦ୍ଗିତ୍ ପ୍ରାଣାୟମ ଓ ଯୋଗିକ୍ ପ୍ରାଣାୟମ କରିପାରିବେ। ଏହା ସହିତ ଦୈନିକ ଜୀବନରେ ଧ୍ୟାନ ନିଶ୍ଚିତ କରିବେ। କାରଣ ଧ୍ୟାନ ମସ୍ତିଷ୍କକୁ ସ୍ଥିର ରଖିବା ସହିତ ଶରୀରର ପ୍ରତ୍ୟେକ ଅଙ୍ଗ ଓ ବାୟୁକୁ ସନ୍ତୁଳନ କରିଥାଏ।