ଏକା ହୋଇଯିବାର ଭୟ
ଲିପି କେବେବି କାହାଠାରୁ ସାହାଯ୍ୟ ମାଗେନାହିଁ। ନା ବନ୍ଧୁମାନଙ୍କ ଠାରୁ, ନା ପରିବାରରୁ ନା ତା' ସାଙ୍ଗସାଥୀଙ୍କ ଠାରୁ। ତା କଥାରେ: "ଯଦି ମୁଁ ଅତ୍ୟଧିକ ଚାହେଁ, ତେବେ ସେମାନେ ହୁଏତ ମୋ ଠୁ ଦୂରେଇ ଯାଇପାରନ୍ତି।" ଯେତେବେଳେ ମୁଁ ତାକୁ ପଚାରିଲି, "ଏମିତି ଭାବନା ଓ ବିଶ୍ୱାସ କେଉଁଠାରୁ ଆସିଲା, ଆଉ କେବେଠୁ?" ସେ କହିଲା: "ହୁଏତ ଯେତେବେଳେ ମୋ ବାପାମା ମୋତେ ପିଲାଦିନେ ଦୁଇ ବର୍ଷ ପାଇଁ ମାମୁଁଘରେ ଛାଡି ଦେଇଥିଲେ, 'ଏଇଟା ତୋ ଭଲ ପାଇଁ'... କହି ସେବେଠାରୁ। ମୁଁ ସେତେବେଳ ଘର ଛାଡ଼ି କୁଆଡ଼େ ଯିବାକୁ ଚାହୁଁ ନ ଥିଲି।" ଏବେ ଜାଣିଲି ତା'ର ଭୟ ଅକାରଣ ନଥିଲା। ଏବେ ସାହାଯ୍ୟ ନମାଗିବାର ଓ ସମସ୍ତେ ଦୂରେଇଯିବା ଭୟର ମୂଳ ବର୍ତ୍ତମାନ ଭିତରେ ନୁହେଁ, ବରଂ ପିଲାଦିନର ସେଇ ଅକୁହା ଯନ୍ତ୍ରଣା ପାଖରେ ଅଛି ଯାହାକୁ ପରିତ୍ୟକ୍ତ ହେବାର ଭୟ (Fear of Abandonment) କୁହାଯାଏ।
୧. ପରିତ୍ୟକ୍ତ ହେବାର ଭୟ କ’ଣ ?
ଏହା ହେଉଛି ଏକ ଗଭୀର, ପ୍ରାୟତଃ ଅବ୍ୟକ୍ତ ଭୟ ଯେ, ଯଦି ତୁମେ ତୁମର ଆବଶ୍ୟକତା, ଭାବନା କିମ୍ବା ଦୁର୍ବଳତା କହିବ - ତେବେ ଲୋକମାନେ ତୁମକୁ ଛାଡ଼ି ଚାଲିଯିବେ। ଅର୍ଥାତ ଜଣଙ୍କର ସବୁବେଳେ ଭୟ ଥାଏ ଯେ, ତା' ନିଜ ଲୋକମାନେ ତାକୁ ଦୂରେଇ ଦେବେ କି? ତାକୁ ଛାଡ଼ି ପଳେଇବେ କି? ତା' ସହ ସମ୍ପର୍କ ରଖିବାକୁ ପସନ୍ଦ କରିବେନି କି ? ଏହି ଭୟ କେବଳ ଗୋଟିଏ ସମ୍ପର୍କ କିମ୍ବା ଗୋଟିଏ ଘଟଣାକୁ ନେଇ ନଥାଏ। ଏହା ପିଲାଦିନେ ବାରମ୍ବାର ହୋଇଥିବା ଇମୋସନାଲ୍ ଅନୁଭୂତି ବିଷୟରେ, ଯେଉଁଠି ଭଲପାଇବା ଅନିଶ୍ଚିତ ଲାଗୁଥିଲା, କିମ୍ବା ସମ୍ପର୍କ ସବୁ ସହଜରେ ଭାଙ୍ଗିଯିବ ବୋଲି ମନେହେଉଥିଲା।
୨. ବୟସ୍କମାନଙ୍କ ଠାରେ ଏହାର ଲକ୍ଷଣ କ'ଣ?
ଜଣେ ପରାମର୍ଶଦାତା ଭାବରେ, ମୁଁ ପ୍ରାୟତଃ ଏହା ଉଚ୍ଚ-କାର୍ଯ୍ୟକ୍ଷମ, ସ୍ୱାବଲମ୍ବୀ ବୟସ୍କମାନଙ୍କ ଭିତରେ ଦେଖିଛି, ଯେଉଁମାନେ ନିମ୍ନଲିଖିତ ସମସ୍ୟାଗୁଡ଼ିକ ସହିତ ନୀରବରେ ସଂଘର୍ଷ କରୁଥା'ନ୍ତି।
• ଅତ୍ୟଧିକ ଭାରାକ୍ରାନ୍ତ ହେଲେ ମଧ୍ୟ ସାହାଯ୍ୟ ମାଗିବାରେ ଅସୁବିଧା ଅନୁଭବ କରିବା।
• କୌଣସି ମେସେଜ୍ ପଢ଼ି କିମ୍ବା ପ୍ରତ୍ୟୁତ୍ତର ପାଇବାରେ ବିଳମ୍ବ ହେବା ଦେଖି ଅଧିକ ଚିନ୍ତା କରିବା- ଅଣଦେଖା ଅନୁଭବ କରିବା, ଭଲପାଇବା ନମିଳିବା ଅନୁଭବ କରିବା।
• ଏକା ରହିବାର ଭୟ ଯୋଗୁଁ ସମ୍ପର୍କକୁ ଜାବୋଡ଼ି ଧରିବା, ଏପରିକି ଅସ୍ୱାସ୍ଥ୍ୟକର ସମ୍ପର୍କକୁ ମଧ୍ୟ।
• ବନ୍ଧୁ, ସାଥୀ କିମ୍ବା ସହକର୍ମୀଙ୍କ ଠାରୁ ନିରନ୍ତର ଆଶ୍ୱାସନା ଆବଶ୍ୟକ କରିବା।
• କାଳେ କେହି ଦୂରେଇଯିବେ ବୋଲି ନିହାତି ଆବଶ୍ୟକ, ଗଭୀର ଓ ଭାବପ୍ରବଣ କଥାବାର୍ତ୍ତାକୁ ବି ଏଡ଼େଇବା।
• କେବଳ "ସମସ୍ତଙ୍କୁ ପାଖରେ ରଖିବା ପାଇଁ" ହିଁ ଲୋକଙ୍କୁ ସବୁବେଳେ ଖୁସି କରିବାକୁ ଚେଷ୍ଟା କରିବା।
ଏହି ସମସ୍ୟା ଭୋଗୁଥିବା ମଣିଷମାନେ ସବୁବେଳେ ଏହା ପ୍ରକାଶ୍ୟରେ କୁହନ୍ତି ନାହିଁ - କିନ୍ତୁ ତାଙ୍କ ଭିତରେ ଗୋଟିଏ ପ୍ରଶ୍ନ ଅନବରତ ଚାଲିଥାଏ ଯେ, "ସେମାନେ କ'ଣ ମୋତେ ତଥାପି ଭଲ ପାଇବେ, ଯଦି ମୋତେ ସମ୍ଭାଳିବା ସହଜ ନହୁଏ?"
୩. ପିଲାଦିନର କେଉଁ ଅଭିଜ୍ଞତା ଏହି ଭୟର କାରଣ?
ପ୍ରାୟତଃ କମ୍ ବୟସରୁ ଏବଂ ସୁକ୍ଷ୍ମ ଭାବରେ ଏହା ଆରମ୍ଭ ହୋଇଥାଏ। ଏହାର କିଛି ସାଧାରଣ ଉଦାହରଣ ହେଲା:
• ବୁଝାଶୁଝା ନକରି ସମ୍ପର୍କୀୟଙ୍କ ଘର, ଆବାସିକ ବିଦ୍ୟାଳୟ କିମ୍ବା କେୟାର ଟେକରଙ୍କ ସହିତ ରହିବାକୁ ପଠାଯିବା।
• ଗଠନମୂଳକ ବର୍ଷଗୁଡ଼ିକରେ ବିବାହ ବିଚ୍ଛେଦ, କ୍ଷତି, କିମ୍ବା ଦୂରେଇ ଯିବାର ଅଭିଜ୍ଞତା।
• ଇମୋସନାଲ୍ ଭାବରେ କେହି ଉପଲବ୍ଧ ନରହିବା, ଯତ୍ନ ନେବାରେ ତାଳମେଳ ବା ସଂଗତି ନ ରହିବା - ଶାରୀରିକ ଭାବରେ ଉପସ୍ଥିତ କିନ୍ତୁ ଇମୋସନାଲ୍ ଭାବରେ ଦୂରରେ ରହିବା।
• ନୀରବ ରହି କିମ୍ବା ସ୍ନେହ ପ୍ରତ୍ୟାହାର କରିନେବାର ଦଣ୍ଡ ଦେବା ।
• ଅପ୍ରୀତିକର ଘରେ ବଢ଼ିବା ଯେଉଁଠାରେ ଝଗଡ଼ା, ଧମକ କିମ୍ବା ଛାଡି ଚାଲିଯିବା ନିତିଦିନିଆ କଥା।
• ଖୁବ୍ ଅଳ୍ପ ବୟସରୁ ମଜଭୁତ କିମ୍ବା ସ୍ୱତନ୍ତ୍ର ହେବାକୁ ବାଧ୍ୟ ହେବା।
ଏହି ଅଭିଜ୍ଞତାଗୁଡ଼ିକ ପିଲାକୁ ଶିଖାଏ ଯେ, ସମ୍ବନ୍ଧ ସବୁ ଚିରଦିନ ନୁହେଁ। ଭଲପାଇବା ସରିଯାଇପାରେ। ତେଣୁ ଅଧିକ ଆଶା କରିବା କଥା ନୁହେଁ।
୪. ଏହା ସମ୍ପର୍କକୁ କିପରି ପ୍ରଭାବିତ କରେ?
ଭଲ ହୋଇ ନଥିବା ସେଇ କ୍ଷତସବୁ ପ୍ରାୟତଃ ନିମ୍ନମତେ ଜୀବନକୁ ପ୍ରଭାବିତ କରେ।
• ରୋମାଣ୍ଟିକ ସମ୍ପର୍କରେ ଥିଲେ ତାକୁ ଆବୋରି ଧରିରଖିବାର ଚେଷ୍ଟା କରିବା।
• "ଯଦି ସେମାନେ ଛାଡ଼ି ଚାଲିଯାଆନ୍ତି ତେବେ କ'ଣ ହେବ?" ଭାବି ସୀମା ସ୍ଥିର କରିବାକୁ ଭୟ କରିବା।
• " ମୋର ବେଶୀ କିଛି ଦରକାର ନାହିଁ" ଦେଖାଇବା ପାଇଁ ଆବେଗସବୁକୁ ଦମନ କରିବା।
• ଅତି ଘନିଷ୍ଠ ହେବା ପୂର୍ବରୁ ସମ୍ପର୍କ ନଷ୍ଟ କରିବା।
• ପ୍ରେମ, ଯତ୍ନ କିମ୍ବା ସମର୍ଥନ ଆବଶ୍ୟକ କରୁଥିବାରୁ ଦୋଷୀ ଅନୁଭବ କରିବା।
ଲୋକଙ୍କ ଦ୍ୱାରା ଘେରି ରହିଥିବା ବେଳେ ମଧ୍ୟ ଏପରି ବ୍ୟକ୍ତିମାନେ ପ୍ରାୟତଃ ଏକାକୀ, ଚିନ୍ତିତ କିମ୍ବା ଅଯୋଗ୍ୟ ଅନୁଭବ କରନ୍ତି; ଯେପରି ଭଲପାଇବା ମିଳେ ନାହିଁ, ଅର୍ଜନ କରିବାକୁ ପଡ଼େ।
୫. ପରିତ୍ୟକ୍ତ ହେବାର ଭୟରୁ କିପରି ମୁକ୍ତି ପାଇବେ?
କ) ପ୍ୟାଟନରକୁ ଚିହ୍ନନ୍ତୁ।
କେହି ଜଣେ ଦୂରକୁ ଚାଲିଯିବା ବିଷୟରେ ଯେତେବେଳେ ଆପଣ ଚିନ୍ତିତ ଅନୁଭବ କରୁଛନ୍ତି, ଲକ୍ଷ୍ୟ କରନ୍ତୁ। ନିଜକୁ ପଚାରନ୍ତୁ: "ଏ ଭୟ ଏବେର, ନା ସେବେର?"
ଖ) ଇନର୍ ଚାଇଲ୍ଡ ସହିତ ପୁନଃସଂଯୋଗ କରନ୍ତୁ।
ଆପଣଙ୍କ ଇନର୍ ଚାଇଲ୍ଡ ଏବେ ବି ମନେ ରଖିଛି ଯେ ତାକୁ ଛାଡି ଦିଆଗଲେ କିମ୍ବା ଏକା କରିଦେଲେ କିପରି ଅନୁଭବ ହୁଏ। ନିଜକୁ କୁହନ୍ତୁ:
• "ମୁଁ ଏବେ ତୁମ ସାଙ୍ଗରେ ଅଛି। ତୁମେ ଆଉ ଏକା ନୁହେଁ।"
• "ତୁମର ଆବଶ୍ୟକତା ସବୁ ଆଦୌ ବୋଝ ନୁହେଁ।"
ଗ) ନିରାପଦରେ ରହି ସାହାଯ୍ୟ ମାଗନ୍ତୁ।
ଛୋଟରୁ ଆରମ୍ଭ କରନ୍ତୁ। ଆପଣ ଯାହା ଉପରେ ବିଶ୍ୱାସ କରୁଛନ୍ତି ତାଙ୍କୁ ଗୋଟିଏ ସାଧାରଣ ଆବଶ୍ୟକତା କଥା କୁହନ୍ତୁ। ଭୁଲ୍ ନମାଗି, ନିଜକୁ ସାହାଯ୍ୟ ପାଇବାକୁ ଦିଅନ୍ତୁ।
ଘ) ପୁରୁଣା ବିଶ୍ୱାସକୁ ଚ୍ୟାଲେଞ୍ଜ କରନ୍ତୁ।
ନିମ୍ନ ଆଫାରମେସନ୍ ଲେଖନ୍ତୁ କିମ୍ବା ପୁନରାବୃତ୍ତି କରନ୍ତୁ:
• "ମୋତେ ସେତେବେଳେ ବି ସମସ୍ତେ ଭଲ ପାଆନ୍ତି, ଯେତେବେଳେ ମୋର ସାହାଯ୍ୟର ଆବଶ୍ୟକତା ଥାଏ।"
• "ମୁଁ ଦୁର୍ବଳ ହେଲେ ମଧ୍ୟ ପ୍ରକୃତରେ ଭଲପାଉଥିବା ଲୋକମାନେ ଛାଡି ଯାଆନ୍ତି ନାହିଁ।"
• "ଭଲପାଇବା ପାଇବା ପାଇଁ ମୋର ସହଜ ହେବା ଦରକାର ନାହିଁ।"
ଙ) ଆବେଗଗତ ନିରାପତ୍ତା ତିଆରି କରନ୍ତୁ।
ଦିନଚର୍ଯ୍ୟା, ନିରାପଦ ସ୍ଥାନ ଏବଂ ଇମୋସନାଲ ଗାଇଡ୍ ବାଛନ୍ତୁ, ଯାହା ଆପଣଙ୍କୁ ମନେ ପକାଇଦେବ ଯେ - ଆପଣ ଏବେ ସୁରକ୍ଷିତ। ଏବଂ ସ୍ଥିରତା ହେଉଛି ଏହାର ଔଷଧ।
ଯଦି ଆପଣ ପ୍ରାୟତଃ ଅନୁଭବ କରୁଛନ୍ତି ଯେ ଏହି ଭୟ ବଢ଼ିଯାଉଛି, ତେବେ ଅଟକି ଯାଆନ୍ତୁ ଏବଂ ଇନର୍ ଚାଇଲ୍ଡକୁ ଆଶ୍ୱାସନା ଦିଅନ୍ତୁ। ନିଜକୁ କୁହନ୍ତୁ:
• "ତୁମେ ବହୁତ ବେଶୀ ହେଉନାହିଁ।"
• "ମୁଁ ତୁମକୁ ଛାଡ଼ି କୁଆଡ଼େ ଯିବିନାହିଁ।"
• "ତୁମେ ସବୁବେଳେ ସାହାଯ୍ୟ ମାଗିପାରିବ।"
• "ପ୍ରେମ ପାଇବାର ଅର୍ଥ ପରଫେକ୍ଟ ହେବା ନୁହେଁ।"
ପରିତ୍ୟକ୍ତ ହେବାର ଭୟ ଦୁର୍ବଳତା ନୁହେଁ। ଏହା ହେଉଛି ବଞ୍ଚିରହିବା ବିଷୟରେ। ଆପଣ ନିଜର ମନ, ହୃଦୟକୁ ସୁରକ୍ଷା ଦେବା ପାଇଁ ପିଲାଦିନେ ଏହା ଶିଖିଥିଲେ। କିନ୍ତୁ ଏବେ ଆଉ ଆପଣ ପିଲା ନୁହଁନ୍ତି। ଆପଣ ରହିପାରିବେ। ଆବଶ୍ୟକତା ବେଳେ ଆପଣ ନିଜକୁ ସାହାଯ୍ୟ କରିପାରିବେ। ଏବଂ ଧୀରେ ଧୀରେ ଅନ୍ୟମାନେ ଆପଣଙ୍କୁ ଛାଡ଼ିଦେବେ ବୋଲି ନଡରି ତାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଦେଇପାରିବେ। କାରଣ ଆପଣ ସେତେବେଳେ ସୁସ୍ଥ ହେବା ଆରମ୍ଭ କରିବେ, ଯେତେବେଳେ ଆପଣ ବିଶ୍ୱାସ କରିବେ ଯେ, "ମୁଁ ସୁରକ୍ଷିତ ଅନୁଭବ କରିବାର ଯୋଗ୍ୟ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748423677.jpg)