ସୁସ୍ଥ କେଶ ଓ ନଖ ପାଇଁ ଜାଣିବା ଜରୁରୀ
ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବର୍ଷ ୨୦୨୩ରେ ବାୟୋଟିନ୍ ସପ୍ଲିମେଣ୍ଟସ୍ (ଟାବଲେଟ୍/ କ୍ୟାପସୁଲ୍/ ପାଓଡର) ବଜାର ଆକାର ୬୧୮, ୬୭୦, ୦୦୦ ଆମେରିକୀୟ ଡଲାର ରହିଥିଲା, ଯାହାକି ବର୍ଷ ୨୦୨୪ରେ ବଢି ୬୮୭, ୪୫୦, ୦୦୦ ଆମେରିକୀୟ ଡଲାରରେ ପହଞ୍ଚି ଥିଲା। ଆକଳନ କରା ଯାଏ ଯେ ବର୍ଷ ୨୦୩୦ ସୁଦ୍ଧା ଏହା ୧, ୨୧୦, ୦୦୦, ୦୦୦ ଆମେରିକୀୟ ଡଲାରରେ ପହଞ୍ଚିବ। ଗତ ୧୦ ବର୍ଷ ମଧ୍ୟରେ ବାୟୋଟିନ୍ ସପ୍ଲିମେଣ୍ଟସର ବଜାରରେ ଲଗାତାର ବୃଦ୍ଧି ଦେଖା ଯାଇଛି। ଏହାର ମୁଖ୍ୟ କାରଣ ହେଉଛି ବାୟୋଟିନ୍ ସେବନ ଦ୍ବାରା ବିଜ୍ଞାପନରେ ଦାବି କରା ଯାଉଥିବା ସୁସ୍ଥ, ସୁନ୍ଦର, ମଜବୁତ କେଶ ଓ ନଖ। କିନ୍ତୁ ପ୍ରକୃତରେ ବାୟୋଟିନ୍ ଆମ ଶରୀରରେ ଏହାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କାମ କରିଥାଏ। ଏବଂ ଆମ ଶରୀର ଦୈନିକ ଯେତିକି ମାତ୍ରାରେ ବାୟୋଟିନ୍ ଆବଶ୍ୟକ କରେ ତାହା ଆମେ ଗ୍ରହଣ କରୁଥିବା ଖାଦ୍ୟରୁ ପୁରା ହୋଇଯାଏ। ସାଧାରଣତଃ ଆମ ଶରୀର କୌଣସି ବାୟୋଟିନ୍ ସପ୍ଲିମେଣ୍ଟସ୍ ଆବଶ୍ୟକ କରେ ନାହିଁ।
ବାୟୋଟିନ୍ କ’ଣ: ବାୟୋଟିନ୍ ହେଉଛି ଭାଇଟାମିନ୍ B7 (Vit B7)। ଅନ୍ୟ B ଭାଇଟାମିନ୍ ପରି ଏହା ମଧ୍ୟ ଜଳ ଦ୍ରବୀଭୂତ, ଅର୍ଥାତ ଆମେ ଯେତେ ଅଧିକ ପରିମାଣର ବାୟୋଟିନ୍ ଗ୍ରହଣ କଲେ ମଧ୍ୟ ଶରୀର ଆବଶ୍ୟକ ମାତ୍ରାଠାରୁ ଅଧିକ ବାୟୋଟିନକୁ ଶରୀରରୁ ନିଷ୍କାସିତ କରିଦିଏ (ଭାଇଟାମିନ୍ସ ଦୁଇ ପ୍ରକାରର: ଜଳ ଦ୍ରବୀଭୂତ ଏବଂ ଚର୍ବି ଦ୍ରବୀଭୂତ, ଦ୍ୱିତୀୟ ପ୍ରକାରଟି ଶରୀରରେ ଗଚ୍ଛିତ ହୋଇପାରେ)। ପ୍ରତିଦିନ ଜଣେ ସୁସ୍ଥ ପ୍ରାପ୍ତ ବୟସ୍କ ପାଇଁ ୩୦ ମାଇକ୍ରୋଗ୍ରାମର ବାୟୋଟିନ୍ ଆବଶ୍ୟକ ହୋଇଥାଏ। କିନ୍ତୁ ଅନାବଶ୍ୟକ ବାୟୋଟିନ୍ ସେବନ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଯେମିତିକି ଏହା ଥାଇରୋଏଡ୍ ଗ୍ରନ୍ଥିର କାର୍ଯ୍ୟକ୍ଷମତା ତଥା ହୃଦଘାତ ନିରାକରଣ (diagnosis) ପାଇଁ କରାଯାଉଥିବା ରକ୍ତ ପରୀକ୍ଷାରେ ଭୁଲ୍ ଫଳାଫଳ ଆଣିପାରେ।
ବାୟୋଟିନର ଉପକାର:
ବାୟୋଟିନ୍ ଅତ୍ୟାବଶ୍ୟକ ଭାଇଟାମିନ୍ ବା essential vitamins ଶ୍ରେଣୀ ଭୁକ୍ତ, କାରଣ ଶରୀରରେ ଶ୍ବେତସାର, ପୁଷ୍ଟିସାର, ସ୍ନେହସାରର ପାଚନ ଏବଂ ଏଥିରୁ ଉର୍ଜା ବା ଶକ୍ତି ନିର୍ଗତ ପାଇଁ ବାୟୋଟିନ୍ ଆବଶ୍ୟକ। ଏହା metabolism ପ୍ରକ୍ରିୟାରେ ସାହାଯ୍ୟ କରେ। ବାୟୋଟିନ୍ enzyme cofactor ବା ସହକାରୀ ଭାବରେ କାମ କରେ, ଯାହା ଖାଦ୍ୟସାର ଗୁଡିକର କ୍ଷୁଦ୍ର କଣିକାକୁ ଭାଙ୍ଗିବାରେ ସାହାଯ୍ୟ କରେ।
ସ୍ନାୟୁ ପ୍ରଣାଳୀ ଏବଂ ଜିନ୍ ର ସୁସ୍ଥ ପରିଚାଳନାରେ ସାହାଯ୍ୟ କରେ, କାର୍ଯ୍ୟକ୍ଷମତା ରକ୍ଷା କରେ।
ବାୟୋଟିନ୍ ଅଭାବରେ କେଶ ଛିଣ୍ଡିବା ଏବଂ ଝଡିବା, ନଖ ଭଙ୍ଗୁର ହୋଇଯିବା, ଚର୍ମରେ ଚୋପା ଛାଡିଲା ପରି ହୋଇ ନାଲିନାଲି ଦାଗ ହୋଇଯିବା, ଇତ୍ୟାଦି ଦେଖା ଯାଏ। ଏହି କାରଣରୁ ଆଜି ପ୍ରସାଧନ ବା cosmetology and beauty industry ରେ ବାୟୋଟିନ୍ ଯୁକ୍ତ ସପ୍ଲିମେଣ୍ଟସର ଚାହିଦା ଖୁବ୍ ଅଧିକ। କିନ୍ତୁ ବିନା କାରଣରେ ବାୟୋଟିନ୍ ଟାବଲେଟ୍ସ ବା କ୍ୟାପସୁଲ୍ ସେବନ କରିଦେଲେ ଯେ କେଶ, ନଖ ଓ ଚର୍ମ ସୁନ୍ଦର ହୋଇଯିବ ଏହାର କୌଣସି ପ୍ରମାଣ ନାହିଁ।
ବାୟୋଟିନ୍ ସପ୍ଲିମେଣ୍ଟସର ପାର୍ଶ୍ବ ପ୍ରତିକ୍ରିୟା: ସାଧାରଣତଃ ମେଡିସିନ୍ ଷ୍ଟୋରରେ ଉପଲବ୍ଧ ମଲ୍ଟିଭାଇଟାମିନ୍ ଟାବଲେଟ୍ସ କିମ୍ବା କ୍ୟାପସୁଲରେ ଦୈନନ୍ଦିନ ଆବଶ୍ୟକ ମାତ୍ରାର ବାୟୋଟିନ୍ ରହିଥାଏ। କିନ୍ତୁ ବଜାରରେ ଉପଲବ୍ଧ ସୁସ୍ଥ କେଶ ଓ ନଖ ପାଇଁ ଉପଲବ୍ଧ କେବଳ ବାୟୋଟିନ୍ ସପ୍ଲିମେଣ୍ଟସରେ ଖୁବ୍ ଅଧିକ ମାତ୍ରାରେ ବୋୟୋଟିନ୍ ରହିଥାଏ, ଯାହାକି ଅନେକ ସମୟରେ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରେ:
ଆଲର୍ଜିକ୍ ରିଆକ୍ସନ୍, କୁଣ୍ଡାଇ ହୋଇ ଫଳିଯିବା
ଅଇ ଉଠି ବାନ୍ତି ଆସିବା
ପେଟ ମୋଡ଼ିହେବା, ଦରଜହେବା ଓ ଯନ୍ତ୍ରଣା
ଥାଇରୋଏଡ୍ କାର୍ଯ୍ୟକ୍ଷମତା, ହୃଦଘାତ, ଗର୍ଭାବସ୍ଥା, ରକ୍ତହୀନତା ଏବଂ କିଛି କର୍କଟ ରୋଗର ନିରାକରଣ ପାଇଁ ହେଉଥିବା ରକ୍ତ ପରୀକ୍ଷାର ଫଳାଫଳକୁ ପ୍ରଭାବିତ କରିପାରେ, ସଠିକ୍ ଫଳ ଆସେ ନାହିଁ।
କେଉଁ ଖାଦ୍ୟରୁ ପାଇବେ ବାୟୋଟିନ୍: ଖାଦ୍ୟସାର ବିଶେଷଜ୍ଞ ଏବଂ ଗବେଷକଙ୍କ ମତରେ ମଣିଷ ଶରୀର ପାଇଁ ଦୈନନ୍ଦିନ ଆବଶ୍ୟକ ପରିମାଣର ବାୟୋଟିନ୍ ବା Vit B7, ଗ୍ରହଣ କରୁଥିବା ଖାଦ୍ୟରୁ ହିଁ ପୁରଣ ହୋଇଯାଏ। ଏହା ପାଇଁ ବାୟୋଟିନ୍ ସପ୍ଲିମେଣ୍ଟସର ସେବନ ଏକଦମ୍ ଅନାବଶ୍ୟକ। ଯଦି ଜଣେ ପ୍ରତିଦିନ ଉପଯୁକ୍ତ ପରିମାଣର ପୁଷ୍ଟିସାର ଗ୍ରହଣ କରୁଥାଏ (ପଶୁଜାତ ଓ ଉଦ୍ଭିଦଜାତ, ଯେକୌଣସି ପ୍ରକାରର ହୋଇପାରେ) ତାହେଲେ ଶରୀରକୁ ଆବଶ୍ୟକ ପରିମାଣର ବାୟୋଟିନ୍ ମିଳିଯାଏ। ସୁସ୍ଥ କେଶ, ନଖ ଓ ଚର୍ମ ପାଇଁ କେବଳ ବାୟୋଟିନ୍ ନୁହେଁ ବର° ସନ୍ତୁଳିତ ଆହାର ଜରୁରୀ। ବାୟୋଟିନ୍ ଯୁକ୍ତ ଖାଦ୍ୟ ଗୁଡିକ ହେଲା:
ଅଣ୍ଡା,କୁକୁଡ଼ା ଏବଂ ବିଫ୍ କଲିଜା, ସାଲ୍-ମୋନ୍, ଟୁନା ଫିସ୍, ଚିକେନ୍, ପୋର୍କ, ବିଫ୍, ଛତୁ, ଓଟ୍ସ, ସୋୟାବିନ୍ ମଞ୍ଜି, ଡାଲି, ଚିନାବାଦାମ, ଆଲ୍-ମଣ୍ଡ, ଓ୍ବାଲ୍-ନଟ୍ସ, ହେଜଲ୍-ନଟ୍ସ, ସୂର୍ଯ୍ୟମୂଖୀ ମଞ୍ଜି, କନ୍ଦମୂଳ, ଗାଜର୍, ପାଳଙ୍ଗ ଶାଗ, ବ୍ରୋକଲି, ଫୁଲକୋବି, ଟମାଟୋ, ଷ୍ଟ୍ରବେରୀ, ରାସ୍-ବେରୀ ଓ କଦଳୀ
ଯଦି ଆପଣଙ୍କ ମନରେ ନିଜର ଦୈନିକ ବାୟୋଟିନ୍ ଗ୍ରହଣର ମାତ୍ରାକୁ ନେଇ କୌଣସି ଆଶଙ୍କା, ଦ୍ବନ୍ଦ କିମ୍ବା ସନ୍ଦେହ ରହୁଥାଏ ତାହେଲେ ନିଜ ଡାକ୍ତର କିମ୍ବା ଡାଏଟିସିଆନ୍ ଙ୍କ ସହ ପରାମର୍ଶ କରନ୍ତୁ। ତରବରିଆ ଭାବରେ ବଜାରରେ କିମ୍ବା ବିଜ୍ଞାପନରେ ଦେଖା ଯାଉଥିବା ଯେକୌଣସି ବାୟୋଟିନ୍ ସପ୍ଲିମେଣ୍ଟସକୁ ସେବନ କରନ୍ତୁ ନାହିଁ। ଯଦି ବାୟୋଟିନ୍ ସପ୍ଲିମେଣ୍ଟସ୍ ଗ୍ରହଣ କରୁଥା’ନ୍ତି ତାହେଲେ ଥାଇରୋଏଡ୍, ହୃଦଘାତ, ରକ୍ତହୀନତା ଆଦି ପାଇଁ ରକ୍ତ ପରୀକ୍ଷା ପୂର୍ବରୁ ଡାକ୍ତରଙ୍କୁ ଜଣାଇ ଦିଅନ୍ତୁ। ସନ୍ତୁଳିତ ଆହାର, ହାଲୁକା ବ୍ୟାୟାମ ଏବଂ ମାନସିକ ସୁସ୍ଥତା ହିଁ ସୁନ୍ଦର କେଶ ଓ ଚର୍ମ ପାଇଁ ସହାୟକ ହୋଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740635254.jpg)