ପାପୁଲି ଓ ପାଦରୁ ଅନେକ ସମୟରେ କାତି ପରି ଚେକାଚେକା ହୋଇ ଚମଡା ଛାଡେ। ଯଦିଓ ଏହା ଯନ୍ତ୍ରଣା ଦିଏନି କିନ୍ତୁ ଅନେକ ସମୟରେ ଲୋକହସା ଓ ଅପମାନର କାରଣ ହୁଏ। କିନ୍ତୁ ପ୍ରକୃତରେ ଏହା କୌଣସି ବଡ ସମସ୍ୟାର ମଧ୍ୟ ଲକ୍ଷଣ ହୋଇଥାଇପାରେ। କାରଣ ଜାଣିବା ଦ୍ବାରା ଉପଚାର ମଧ୍ୟ ସମ୍ଭବ ହୁଏ। କ’ଣ କରିବେ ଏପରି ସମସ୍ୟା ଲାଗି ରହିଥିଲେ ଏବଂ କେମିତି ସହଜରେ ଘରୋଇ ଉପରେ ନିୟନ୍ତ୍ରଣ କରିପାରିବେ, ଜାଣିବା ପାଇଁ ପଢନ୍ତୁ।
ଅଧିକ ପଢ଼ନ୍ତୁ : ଡାଳଚିନିର ଅଦ୍ଭୁତ ଫାଇଦା; ଏମିତି କରନ୍ତୁ ବ୍ୟବହାର, ରାତିକ ଭିତରେ ଚିକ୍ ଚିକ୍ କରିବ ମୁହଁ !
ଅନେକ ସମୟରେ ଲକ୍ଷ୍ୟ କରିଥିବେ ପାପୁଲି ଓ ପାଦର ତଳିପାରୁ ଚେକା ଚେକା ହୋଇ ଚମଡା ଛାଡେ। ପ୍ରଥମେ ଶୁଖିଲା ଓ ଧଳା ଦେଖା ଯାଇ ଖୋଳପା ବା କାତି ଛାଡିଲା ପରି ଠା’-ଠା’ ହୋଇ ଚମଡା ଉଠିଯାଏ। ଯଦିଓ ଏପରି ସ୍ଥଳରେ କୌଣସି ବ୍ୟଥା କିମ୍ବା ଦରଜ ଅନୁଭବ ହୁଏ ନାହିଁ କିନ୍ତୁ cosmetology ବା ଆଖିକୁ ଅସୁନ୍ଦର ଦିଶିବା ସହ ଗୋଟିଏ ଅସହଜ ପଣ ମଧ୍ୟ ସୃଷ୍ଟି କରେ। ଯେହେତୁ ଏଥିରେ ବ୍ୟଥା କିମ୍ବା ଅନ୍ୟ କୌଣସି ଲକ୍ଷଣ ନଥାଏ ତେଣୁ ଅନେକ ସମୟରେ ମଣିଷ ଏହାକୁ ଅଣଦେଖା କରିଦିଏ। କିନ୍ତୁ କୌଣସି ସର୍ବସାଧାରଣ ସ୍ଥାନ, ପାରିବାରିକ କିମ୍ବା ସାମାଜିକ ଆୟୋଜନରେ ଉକ୍ତ ସମସ୍ୟା ଭୋଗୁଥିବା ବ୍ୟକ୍ତି ସଙ୍କୋଚ ଅନୁଭବ କରନ୍ତି। ତେବେ ଏ ସମସ୍ୟାର ସମାଧାନ ଉପଲବ୍ଧ ବୋଲି ମଧ୍ୟ ଅନେକ ଜାଣନ୍ତି ନାହିଁ। କିନ୍ତୁ ସମାଧାନ ପୂର୍ବରୁ କାରଣ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।
କାତି ପରି ଚମଡା ଛାଡିବାର କାରଣ ଓ ଉପଚାର:
ହାତଧୋଇବା: ବାରମ୍ବାର ଗରମପାଣି ଏବଂ ସାବୁନରେ ହାତ ଧୋଇବା ଦ୍ବାରା ଦ୍ବାରା ତ୍ବଚାର ପ୍ରାକୃତିକ ତୈଳ ନଷ୍ଟ ହୋଇ ଚର୍ମ ଶୁଷ୍କ ଓ ରୁକ୍ଷ ହୋଇ ଚୋପା ଛାଡିଲା ପରି ଛାଡିଥାଏ। ସେହିପରି ବାରମ୍ବାର ହ୍ୟାଣ୍ଡ୍ ସାନିଟାଇଜରର ବ୍ୟବହାର ଦ୍ବାରା ମଧ୍ୟ ଏଥିରେ ଥିବା ଆଲକୋହଲ୍-ବେସଡ୍-ଫର୍ମୁଲା ତ୍ବଚାକୁ ଶୁଷ୍କ, ରୁକ୍ଷ କରି କାତି ଛାଡିଲା ପରି ସମସ୍ୟା ଦେଖାଯାଏ। ବାରମ୍ବାର ଅତ୍ୟଧିକ ଗରମପାଣି ଏବଂ ରୁକ୍ଷ ତୀବ୍ର ମେଡିକେଟେଡ୍ ସାବୁନରେ ହାତ ନଧୋଇ ହାଲୁକା ଉଷୁମ ପାଣିର ବ୍ୟବହାର କରିବା ଉଚିତ। ହାତ ଧୋଇବା ପାଇଁ ମାଇଲ୍ଡ ସାବୁନ ବା ହ୍ୟାଣ୍ଡ୍-ଓ୍ବାସ ବ୍ୟବହାର ଭଲ।
ଅତି ବେଶୀରେ ୨୦ ସେକେଣ୍ଡ୍ ପାଇଁ ହାତ ଧୁଅନ୍ତୁ। ହାତ ଧୋଇସାରି ସଫା କପଡାରେ ପୋଛି, ସମ୍ପୂର୍ଣ୍ଣ ଶୁଖିବା ପୂର୍ବରୁ କ୍ରିମ୍ ବା ମଏଶ୍ଚରାଇଜର୍ ବ୍ୟବହାର କରିବା ଆବଶ୍ୟକ। ମଏଶ୍ଚରାଇଜରକୁ କେବଳ ପାପୁଲି ନୁହେଁ ବର° ଆଙ୍ଗୁଠି ଏବଂ ନଖରେ ମଧ୍ୟ ବ୍ୟବହାର କରିବା ଜରୁରୀ। ଯେଉଁମାନଙ୍କୁ ବାରମ୍ବାର ହ୍ୟାଣ୍ଡ୍-ସାନିଟାଇଜର୍ ବ୍ୟବହାର କରିବା ପାଇଁ ପଡିଥାଏ ସେମାନେ ମଧ୍ୟ ସାନିଟାଇଜର୍ ଶୁଖିବା ପରେ ମଏଶ୍ଚରାଇଜର୍ ବ୍ୟବହାର ସୁଫଳ ଦେଇଥାଏ। କାତି ପରି ଚମଡା ଛାଡିବା ସମସ୍ୟା ରହିଥିଲେ, ତୀବ୍ର ବାସ୍ନା ଯୁକ୍ତ ମଏଶ୍ଚରାଇଜର୍ ବ୍ୟବହାର କରିବା ଉଚିତ ନୁହେଁ। ମଏଶ୍ଚରାଇଜର୍ ସହ ମଝିରେ ମଝିରେ ପେଟ୍ରୋଲିୟମ ଜେଲିର ବ୍ୟବହାର ଆବଶ୍ୟକ।
ଜଳବାୟୁ ଓ ବାୟୁମଣ୍ଡଳିୟ:
ବିଭିନ୍ନ ଜଳବାୟୁ ଓ ବାୟୁମଣ୍ଡଳିୟ ପରିବର୍ତ୍ତନ କାରଣରୁ ମଧ୍ୟ ହାତ-ପାଦରୁ ଚମଡା ଛାଡିପାରେ। ଶୀତ ଋତୁରେ ବାୟୁମଣ୍ଡଳରେ ଆଦ୍ରତା କମ୍ ରହିଥାଏ ଏବଂ ଶୁଷ୍କ ପବନ ବୋହିଥାଏ। ଏହା ତ୍ବଚାକୁ ଶୁଷ୍କ, ରୁକ୍ଷ କରି ଫଟାଇ ଦିଏ ଏବଂ ଚୋପା ଛାଡିଲା ପରି ଚମଡା ଛାଡିଯାଏ। ଶୀତ ଋତୁରେ ସ୍ନାନ ପରେ ମଏଶ୍ଚରାଇଜର୍ ଲଗାଇବା ଉଚିତ। ଅତ୍ୟଧିକ ଗରମପାଣିରେ ନଗାଧୋଇ, ହାଲୁକା ଉଷୁମପାଣି ବ୍ୟବହାର ଭଲ। ତୀବ୍ର ବାସ୍ନା ଏବଂ ଆଲକୋହଲ୍ ବେସ୍ଡ ସାବୁନ ବ୍ୟବହାର ଏହି ସମସ୍ୟାକୁ ବଢାଇ ଦିଏ। ଗ୍ରୀଷ୍ମ ଋତୁରେ ପାପୁଲି ଓ ପାଦ ଝାଳେଇବା ଦ୍ବାରା ଅନେକଙ୍କଠାରେ ତ୍ବଚାରେ irritation, କୁଣ୍ଡେଇହେବା ଆଦି ସମସ୍ୟା ଦେଖାଯାଇ ଚମଡା ଛାଡିଥାଏ। ଗ୍ରୀଷ୍ମ ଋତୁର ମଧ୍ୟ ଅଏଲ୍ ଫ୍ରି ମଏଶ୍ଚରାଇଜର୍ ବ୍ୟବହାର କରିବା ନିହାତି ଜରୁରୀ।
ସୂର୍ଯ୍ୟକିରଣ:
ତୀବ୍ର-ଟାଣ ଖରାରେ ବାହାରେ ବୁଲିବା କିମ୍ବା କାମ କରିବା କାରଣରୁ କେବଳ ହାତ-ପାଦ ନୁହେଁ ଶରୀରର ଯେକୌଣସି ଅ°ଶରେ ସନ୍-ବର୍ଣ୍ଣ (sunburn) ହୋଇଥାଏ। ଏହି ସନ୍-ବର୍ଣ୍ଣ ଦ୍ଵାରା କ୍ଷତିଗ୍ରସ୍ତ ତ୍ବଚା ଯେତେବେଳେ ସୁସ୍ଥହୋଇ (healing) ଆସେ ସେତେବେଳେ ରୁଗ୍ଣ ଚର୍ମ ଧିରେଧିରେ ଖୋଳପା ପରି ଛାଡେ। ସନ୍-ବର୍ଣ୍ଣର ଆଶଙ୍କା ଥିଲେ ଥଣ୍ଡା ପାଣିରେ ଏକାଧିକବାର ସ୍ନାନ କରନ୍ତୁ। ସ୍ନାନ ସରିଲେ, ତ୍ବଚା ସମ୍ପୂର୍ଣ୍ଣ ଶୁଖିବା ପୂର୍ବରୁ ଏଲୋଭେରା କିମ୍ବା ସୋୟାମିଲ୍କ ଯୁକ୍ତ ମଏଶ୍ଚରାଇଜର୍ ବ୍ୟବହାର କରନ୍ତୁ। ଅଧିକ ମାତ୍ରାରେ ପାଣି ଗ୍ରହଣ କରନ୍ତୁ। ଡିହାଇଡ୍ରେସନ୍ କାରଣରୁ ତ୍ବଚା ଉପରେ ସନ୍-ବର୍ଣ୍ଣର ଆହୁରି ଅଧିକ କୁପ୍ରଭାବ ପଡି ପାରେ। କ୍ଷତିଗ୍ରସ୍ତ ତ୍ବଚା ସୁସ୍ଥ ହୋଇ ଆସୁଥିବା ସମୟରେ ସୂର୍ଯ୍ୟକିରଣରୁ ରକ୍ଷା କରନ୍ତୁ, ଘୋଡାଇ ରଖନ୍ତୁ। ଅଧିକ ଜଳାପୋଡା କିମ୍ବା ଇରିଟେସନ୍ ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧୀୟ କ୍ରିମ୍ ଲଗାଇ ପାରନ୍ତି।
ଅଧିକ ପଢ଼ନ୍ତୁ : ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ କିଛି ଟିପ୍ସ୍
ଏକ୍ଜିମା:
୨୦-୩୦% ବ୍ୟକ୍ତିଙ୍କ ଠାରେ ଏକ୍ଜିମା କାରଣରୁ ପାପୁଲି ଓ ପାଦରୁ ଚମଡା ଛାଡିଥାଏ। ଏହା ଜେନେଟିକ୍, ଆଲର୍ଜିକ୍ କିମ୍ବା ଇରିଟେସନ୍ କାରଣରୁ ହୋଇଥାଏ। ଏଥିରେ ଚର୍ମ ଶୁଖିଲା, ରୁକ୍ଷ ଓ ସେହି ପ୍ୟାଚ୍ ର ରଙ୍ଗ ସାଧାରଣଠାରୁ ଗାଢ ଦେଖାଯିବା ସହ କୁଣ୍ଡାଇ ହୁଏ। ସମୟ ମସୟରେ ଏହା ଫୁଲିଯାଏ, ମୋଟା ଶୁଷ୍କ ଖୋଳପା ବା ବିଣ୍ଡା ପଡିଯାଏ ଏବଂ ନସା ଦେଇଥାଏ। ସୋପ୍-ଫ୍ରି କ୍ଲିଞ୍ଜର ବ୍ୟବହାର କରନ୍ତୁ। ଆଲର୍ଜି ସୃଷ୍ଟି କରୁଥିବା ଦ୍ରବ୍ଯଠାରୁ ଦୂରେଇ ରୁହନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ରିମ୍ କିମ୍ବା ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତୁ।
ଆଟୋପିକ୍ ବା କଣ୍ଟାକ୍ଟ ଡର୍ମାଟାଇଟିସ୍ ବା ଡିସ୍କଏଡ୍ ଏକ୍ଜିମା ସାଧାରଣତଃ କଏନ୍ ପରି ବା ଗୋଲାକୃତି ଦେଖାଯାଏ। ଏହା ଆଲର୍ଜିକ୍ କିମ୍ବା ଇରିଟେସନ୍ କିମ୍ବା ଅତ୍ୟଧିକ ଝାଳ କାରଣରୁ ହୋଇଥାଏ। ତ୍ବଚା କୁଣ୍ଡାଇ ହୋଇ ଫୋଟକା ହୋଇଯାଏ ଏବଂ ଫୋଟାକାରୁ ପାଣି ଅ°ଶ କମିଲେ ଖୋଳପା ଛାଡେ।
ପାମୋପ୍ଲାଣ୍ଟାର୍ ସୋରିଆସିସ୍:
ଶରୀରର ରୋଗପ୍ରତିରୋଧକ ଶକ୍ତି ଅଧିକ ଆକ୍ଟିଭ ହୋଇ ଯେତେବେଳେ ନିଜ ଶରୀରର କୋଷ ଗୁଡିକ ପ୍ରତି ରିଆକ୍ଟିଭ୍ ହୋଇଯାଏ ସେତେବେଳେ ସୋରିଆସିସ୍ ଦେଖାଯାଏ, ଏବଂ ଏହା ପାପୁଲି ଓ ପାଦକୁ ପ୍ରଭାବିତ କଲେ ପାମୋପ୍ଲାଣ୍ଟାର୍ ସୋରିଆସିସ୍ କୁହାଯାଏ। ଏଥିରେ ହାତ ଓ ପାଦର ଚମଡା ଶ୍ବଥ, ଫୁଲା ବା inflammation ଦେଖାଯାଇ ଚେକାଚେକା ହୋଇ ମୋଟା ଚମଡାର ଖୋଳପା ବା ବକଳା ବନିଯାଏ, ତ୍ବଚା ଶୁଖି ଫାଟି ଯାଏ ଏବଂ ବ୍ୟଥା ହୁଏ।
ଆଲର୍ଜିକ୍ ଡର୍ମାଟାଇଟିସ୍:
ତ୍ବଚା ଯେତେବେଳେ ନିକେଲ୍, ରବର୍ ଗ୍ଲୋବ୍ସ ଭିତରେ ଥିବା ପାଉଡର୍, ବାଇଡଙ୍କ କିମ୍ବା ବିଛୁଆତି ଆଦି ସ°ସ୍ପର୍ଶରେ ଆସେ ସେତେବେଳେ ଚର୍ମ ଲାଲ୍ ପଡି, ଫୁଲିଯାଏ, ଫୋଟକା ହୁଏ। ଫୋଟକା ଶୁଖିଲେ ସେହି ସ୍ଥାନର ଚର୍ମ ମୋଟା ହୋଇ ଖୋଳପା ଛାଡେ। ସେହିପରି ସାମ୍ପୁ, ହ୍ୟାଣ୍ଡ୍-ଓ୍ବାସ୍, ସାବୁନ, ମଏଶ୍ଚରାଇଜର୍ ଆଦିରେ ବାସ୍ନା ପାଇଁ ବ୍ୟବହାର କରା ଯାଉଥିବା ରସାୟନିକ ଦ୍ରବ୍ୟ ମଧ୍ୟ ଅନେକଙ୍କ କ୍ଷେତ୍ରରେ ଆଲର୍ଜିର କାରଣ ହୋଇଥାଏ। ଏଥିରେ ମଧ୍ୟ ତ୍ବଚା କୁଣ୍ଡାଇ ହୋଇ, ଶୁଖି, କାତି ଛାଡିଲାପରି ହୁଏ।
ସ°କ୍ରମଣ:
ପାପୁଲିରେ ଟିନିଆ ମାନୁମ୍ ନାମକ ଫଙ୍ଗାଲ୍ ଇନ୍ଫେକ୍ସନ୍ କାରଣରୁ ମଧ୍ୟ କାତି ବା ଖୋଳପା ପରି ଚମଡା ଛାଡିପାରେ। ଏଥିରେ ଚର୍ମ ଶୁଷ୍କ ଓ ମୋଟା ହୋଇଯାଏ ଓ ଖୋଳପା ଛାଡେ। ଏହା ପାପୁଲିରୁ ଆରମ୍ଭ ହୋଇ ଧିରେଧିରେ ହାତର ଉପର ଅ°ଶକୁ ବ୍ୟାପିଥାଏ। ଆଣ୍ଟିଫଙ୍ଗାଲ୍ କ୍ରିମ୍ କିମ୍ବା ଅଏଣ୍ଟମେଣ୍ଟ ଲଗାଇବା ସହ ଔଷଧ ସେବନ ଦ୍ବାରା ଆରାମ ମିଳେ।
ଆକ୍ରାଲ୍ ପିଲିଙ୍ଗ୍ ସ୍କିନ୍ ସିଣ୍ଡ୍ରୋମ୍ (APSS):
ଏହା ଏକ ବିରଳ ଏବଂ ଜନ୍ମଜାତ ରୋଗ। ଏଥିରେ କେବଳ ପାପୁଲି କିମ୍ବା ପାଦ ନୁହେଁ ବର° ଶରୀରର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ କାତି ଛାଡିଲା ପରି ଚମଡା ଛାଡେ। ଯଦିଓ ଏହା ବ୍ୟଥା କିମ୍ବା ଯନ୍ତ୍ରଣା ପରି ସମସ୍ୟା ସୃଷ୍ଟି କରେନି କିନ୍ତୁ ବାରମ୍ବାର ଚମଡା ଛାଡିବା ଦ୍ବାରା ଚର୍ମ ସ°କ୍ରମଣର ଆଶଙ୍କା ରହିଥାଏ। ଅତ୍ୟଧିକ ଖରା ଏବଂ ଆଦ୍ରତା ଏହି ସମସ୍ୟାକୁ ବଢାଇଦିଏ। ଯଦିଓ ସାଧାରଣ ମଏଶ୍ଚରାଇଜର୍ ଲଗାଇବା ଦ୍ବାରା ଏହି ଅବସ୍ଥାକୁ ନିୟନ୍ତ୍ରଣରେ ରଖା ଯାଇ ପାରେ କିନ୍ତୁ ସମସ୍ୟା ତୀବ୍ର ହେଲେ କିମ୍ବା କୌଣସି ସ°କ୍ରମଣର ଆଶଙ୍କା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହି ବିରଳ ସମସ୍ୟା ଭୋଗୁଥିବା ବ୍ୟକ୍ତି ତୀବ୍ର ଗନ୍ଧଯୁକ୍ତ ତୈଳ, ସାବୁନ, ପରଫ୍ୟୁମ୍, ସାନିଟାଇଜର୍ ଆଦିରୁ ଦୂରେଇ ରହିବା ଉଚିତ। ସେହିପରି କୌଣସି ତୀବ୍ର ରସାୟନ ସହ କାମ କରିବା ସମୟରେ ରବର ଗ୍ଲୋବ୍ସର ବ୍ୟବହାର କରିବା ଉଚିତ।
ସ୍କିନ୍ ପିଲିଙ୍ଗ୍ ର ଘରୋଇ ଉପଚାର:
ଶରୀରର କୌଣସି ଅ°ଶରୁ ଚମଡା ଛାଡୁଥିଲେ ତାକୁ ନଖରେ କୁଣ୍ଡାଇ କିମ୍ବା ରାମ୍ପି ଜବରଦସ୍ତି ଛଡାନ୍ତୁ ନାହିଁ। ଏହାଦ୍ବାରା ଖଣ୍ଡିଆ ହୋଇ ସ°କ୍ରମଣର ଆଶଙ୍କା ବଢିଯାଏ।
ମଏଶ୍ଚରାଇଜର୍ ଓ ପେଟ୍ରୋଲିୟମ ଜେଲି:
ଯଦି ଆପଣଙ୍କ ହାତ ପାଦରୁ ଚମଡା ଛାଡୁଥାଏ ତାହେଲେ କେବଳ ଘରେ ନୁହେଁ କାର୍ଯ୍ୟକ୍ଷେତ୍ର ଏବଂ ଭ୍ରମଣ ସମୟରେ ମଧ୍ୟ ନିଜ ପାଖରେ ମଏଶ୍ଚରାଇଜର୍ ରଖିବା ଅଭ୍ୟାସ କରନ୍ତୁ। ଗୋଟିଏ ଭଲ ମଏଶ୍ଚରାଇଜର୍ ଆପଣଙ୍କ ତ୍ବଚାର ଅନେକ ସମସ୍ୟା ସମାଧାନ କରିଥାଏ। ସେହିପରି କାତିପରି ଚମଡା ଛାଡୁଥିଲେ ସାଧାରଣ ପେଟ୍ରୋଲିୟମ ଜେଲିର ବ୍ୟବହାର ଖୁବ୍ ଉପକାରୀ। ଏହା ତ୍ବଚା ଉପରେ ଗୋଟିଏ ଆବରଣ ବନାଇ ଆଦ୍ରତା ନଷ୍ଟ ହେବାରୁ ରକ୍ଷା କରେ। ନଖ ମୂଳରେ ଓ ଚାରିକଡେ ପେଟ୍ରୋଲିୟମ ଜେଲି ଲଗାଇବା ଖୁବ୍ ଜରୁରୀ।
ନଡ଼ିଆ ତେଲ:
ଶୁଖି ଫାଟି ଯାଇଥିବା ଚର୍ମ, ଖୋଳପା ପରି ମୋଟା ହୋଇ ଛାଡୁଥିବା ଚର୍ମ, ସନ୍-ବର୍ଣ୍ଣର ଚିହ୍ନ, ଶୁଷ୍କ ନିସ୍ତେଜ ଦିଶୁଥିବା ତ୍ବଚା ପାଇଁ ନଡିଆ ତେଲ ଖୁବ୍ ଉପକାରୀ। ଏଥିରେ ଥିବା Vit E ତ୍ବଚା ଏବଂ କେଶ ପାଇଁ ଖୁବ୍ ଭଲ, କେଶକୁ ମଧ୍ୟ ଏହା ସୂର୍ଯ୍ୟ କିରଣର କୁପ୍ରଭାବରୁ ରକ୍ଷା କରେ। ଘରେ ମଧ୍ୟ ଆପଣ ଅତି ସହଜରେ ନଡ଼ିଆ ତେଲ ପ୍ରସ୍ତୁତ କରି ପାରିବେ।
Vit E ଏବଂ Vit A ସେରମ୍ ରେ ପାପୁଲି ଓ ପାଦ ମାଲିସ୍ କରନ୍ତୁ।
ଆଲୋଭେରା ବା ଘିକୁଆଁରୀ ସେକ: ଯଦି ବଗିଚାରେ ଘିକୁଆଁରୀ ଗଛ ଅଛି, ସତେଜ ପତ୍ର ଗୋଟିଏ କାଟି ଆଣି, ତା’ ଭିତର ପଲ୍ପକୁ କୋରି ଏକ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ। ଏହାକୁ ଫ୍ରିଜରୁ ବାହାର କରି ଆଙ୍ଗୁଠି ଚାରିକଡ କିମ୍ବା ଚମଡା ଛାଡି ଜଳାପୋଡା ହେଉଥିବା କିମ୍ବା ସନ୍-ବର୍ଣ୍ଣ ସ୍ଥାନରେ ଲେପ ଦେଲେ ଆରାମ ମିଳେ। ସତେଜ ପତ୍ର ନଥିଲେ ବଜାରରେ ଉପଲବ୍ଧ ଆଲୋଭେରା ଜେଲ୍ ମଧ୍ୟ ବ୍ୟବହାର କରି ପାରିବେ। ଘିକୁଆଁରୀ ପତ୍ରକୁ ଫ୍ରିଜରେ ରଖି ବ୍ୟବହାର କରିବା ଦ୍ୱାରା ଆଉ କୁଣ୍ଡାଇ ହୁଏ ନାହିଁ। ଯଦି ଘିକୁଆଁରୀକୁ ଆଲର୍ଜି ଥାଏ ତାହେଲେ ଏହି ଉପାୟ କରନ୍ତୁ ନାହିଁ।
ମହୁ: ଫାଟି ଯାଇଥିବା ଏବଂ ଅତ୍ୟଧିକ କ୍ଷତି ହୋଇଥିବା ସ୍ଥାନରେ ମହୁ ଲଗାଇବା ଦ୍ବାରା ଏହା କ୍ଷତପୁରଣ ବା healing ରେ ସାହାଯ୍ୟ କରେ।
ପାଣି, ତାଜା ଜୁସ୍, ତଟକା ପନି ପରିବା, ସାଲାଡ୍ ଏବଂ ଫଳକୁ ଅଧିକ ମାତ୍ରାରେ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ। ଡିହାଇଡ୍ରେସନରୁ ନିଜକୁ ରକ୍ଷା କରନ୍ତୁ।
ବାହାରକୁ ଯିବା ସମୟରେ ଚମଡା ଛାଡୁଥିବା ଅ°ଶକୁ ଘୋଡେ଼ଇ ରଖନ୍ତୁ।
ଘରେ ବନାନ୍ତୁ ମଏଶ୍ଚରାଇଜର୍: ଗ୍ଲିସେରିନ୍ ୪ଚାମଚ୍, ନଡ଼ିଆ ତେଲ ୨ଚାମଚ୍, ଆଲୋଭେରା ଜେଲ୍ ୪ଚାମଚ୍, ମହୁ ୧ଚାମଚ୍, ଗୋଲାପଜଳ ୧ଚାମଚ୍, ଏସବୁକୁ ଗୋଟିଏ ପାତ୍ରରେ ନେଇ ଭଲରେ ଫେଣ୍ଟି ଦିଅନ୍ତୁ। ଫ୍ଲଫି ଏବଂ ଚିକ୍କଣ ଦିଶିବା ଯାଏଁ ଫେଣ୍ଟିବେ। ଗୋଟିଏ କାଚ ଡବାରେ, ଫ୍ରିଜରେ ରଖି (ଶୀତ ଋତୁରେ ଫ୍ରିଜରେ ରଖିବା ଆବଶ୍ୟକ ନାହିଁ) ଏହାକୁ ଆପଣ ବ୍ୟବହାର କରି ପାରିବେ। ଯେହେତୁ ଆପଣ ଘରେ ପ୍ରସ୍ତୁତ କରିବେ ତେଣୁ ଅଳ୍ପ ଅଳ୍ପ ମାତ୍ରାରେ ବନାଇଲେ ଭଲ, ନଷ୍ଟ ହେବାର ଆଶଙ୍କା ରହିବ ନାହିଁ। ଯଦି କ୍ୟାଲେଣ୍ଡୁଲା ଫୁଲ ପାଇବେ, ତାହେଲେ ତା’ର ପାଖୁଡାର ରସ ଏହି ମଏଶ୍ଚରାଇଜର୍ ରେ ମିଶାଇ ପ୍ରସ୍ତୁତ କଲେ ତ୍ବଚାର କ୍ଷତକୁ ଏହା ଶିଘ୍ର ଭରିଥାଏ, ଆରାମ ଦିଏ।