ଫୁଡ୍ ଆଲର୍ଜି
ଆପଣମାନେ କେବେ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବାପରେ ଅସୁସ୍ଥ ହୋଇପଡ଼ିବା ପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି? ସେହି ଖାଦ୍ୟ ଖାଇବା ପରେ ହାତ, ଗୋଡ଼, ମୁହଁ କୁଣ୍ଡେଇ ହୋଇ ଫଳିଯିବା, ମୁଣ୍ଡ ବୁଲେଇବାପରି ଲକ୍ଷଣ ଦେଖାଯାଇଛିକି ? ଏହା ଖାଦ୍ୟ ଜନିତ ଅସହ୍ୟତା ବା ଫୁଡ୍ ଆଲର୍ଜି ବୋଲି କୁହାଯାଏ। ସାଧାରଣତଃ କ୍ଷୀର, ଚିନାବାଦାମ, ସୋୟା ଉତ୍ପାଦ, ଚିଙ୍ଗୁଡ଼ି ଓ କେତେକ ସାମୁଦ୍ରିକ ମାଛ, ବାଇଗଣ ପରି କିଛି ପରିବା ଆଦି ସେବନରୁ ଆଲର୍ଜି ସୃଷ୍ଟି ହେବାର ଦେଖାଯାଏ। ତେବେ ଆଲର୍ଜି କହିଲେ ଆପଣ କଣ ବୁଝନ୍ତି ? ଏହା କଣ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ?
ଆଲର୍ଜି ହେଉଛି କିଛି ବାହ୍ୟ ପଦାର୍ଥ ବା ଖାଦ୍ୟ ପ୍ରତି ଆମ ଶରୀରର ଇମ୍ୟୁନୋଲଜିକାଲ ରେସ୍ପନ୍ସ ବା ପ୍ରତିରୋଧକ ପ୍ରଣାଳୀର ପ୍ରତିକ୍ରିୟା। ଏହା ଇମ୍ୟୁନୋଗ୍ଲୋବିନ୍ ଇ (Immunoglobin E) ଦ୍ୱାରା ମେଡିକେଟେଡ୍ କିମ୍ୱାଏହା ଦ୍ୱାରା ମେଡିକେଟେଡ୍ ହୋଇନଥିବା (non-IgE) ପରି ଦୁଇପ୍ରକାର ପ୍ରତିକ୍ରିୟା ଦେଖାଏ ଯାହା ସମୟ ସମୟରେ ପ୍ରାଣଘାତୀ ମଧ୍ୟ ହୋଇଥାଏ। ଆସନ୍ତୁ ଆଜି କଥା ହେବା କିପରି ଏହିପରି ଆଲର୍ଜିରୁ ଦୂରେଇ ରହିହେବ।
ଛୋଟ ଶିଶୁ ଓ ପିଲାମାନଙ୍କଠାରେ ଦେଖାଯାଉଥିବା ଆଲର୍ଜି ପ୍ରାୟତଃ ବଂଶାନୁଗତ ହୋଇଥାଏ ଅର୍ଥାତ୍ ମାତା କିମ୍ୱା ପିତାଙ୍କ ଗୁଣ ଅନୁସାରେ ଆସିଥାଏ। ଏହା ଜେନେଟିକ, ପରିବେଶ ଅନୁଯାୟୀ ଓ ଇମ୍ୟୁନୋଲଜିକାଲ୍ ବା ପ୍ରତିରୋଧକ ପ୍ରଣାଳୀ ଜନିତ ହୋଇପାରେ। ସରଳ ଭାଷାରେ କହିଲେ, କୌଣସି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରର ପ୍ରତିରୋଧ ପ୍ରଣାଳୀ ଯଦି ଏହା ପ୍ରତି ପ୍ରତିକ୍ରିୟା ଦେଖାଏ ତେବେ ଆମ ଚର୍ମରେ ଥିବା ଏପିଥେଲିଆଲ୍ ବ୍ୟାରିଅର୍ ବା ଏପିଥେଲିଆଲ୍ ଟିସୁ ରୋଧକ ଏଥିପାଇଁ କାର୍ଯ୍ୟ କରେ। ଆମର ଶରୀରରେ ଫିଲାଜ୍ରିନ୍ ନାମକ ଏକ ଜିନ୍ ସାଧାରଣତଃ ବହୁଗୁଣିତ ହୋଇ ଖାଦ୍ୟ କଣିକା ସହ ଆମ ଚର୍ମରେ ଥିବା ରୋଧକର ମେଳକୁ ସହଜ କରେ। କିନ୍ତୁ ଯେବେ ଏହି ପ୍ରକ୍ରିୟା କାମ କରେନି ତେବେ କୌଣସି ଖାଦ୍ୟ, ପରିବେଶ ଅବସ୍ଥା, ଇତ୍ୟାଦି ପରି କାରକ ଯୋଗୁଁ ଚର୍ମରେ ପ୍ରତିକ୍ରିୟା ଦେଖାଯାଏ। ଏହାକୁ ଆମେ ଆଲର୍ଜି କହୁ।
ବର୍ତ୍ତମାନ ସାରା ବିଶ୍ୱରେ ଖାଦ୍ୟ ଜନିତ ଶୁଦ୍ଧତା କମିଯିବା ହେତୁ ବହୁ ପରିମାଣରେ ଲୋକମାନେ ଆଲର୍ଜି ସମସ୍ୟାରେ ପୀଡ଼ିତ। ଆମର ଅବସ୍ଥାନ ଅନୁସାରେ ପରିବେଶ, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସେବନ, ଇତ୍ୟାଦି କାରକ ଏହାର ମୁଖ୍ୟ କାରଣ। ସ୍ପର୍ଶକାତର ବ୍ୟକ୍ତିମାନଙ୍କ ଦେହରେ ଡାଏଟାରୀ ଆଣ୍ଟିଜେନ୍ ବା ଖାଦ୍ୟ ପ୍ରତିରୋଧକ ବ୍ୟବସ୍ଥା, ଖାଦ୍ୟରେ ଡେନ୍ଡ୍ରାଇଟ୍ ସେଲ୍ର ଉପସ୍ଥିତି କିମ୍ୱା କୌଣସି ଅସହ୍ୟ ପ୍ରୋଟିନ୍ ଉପସ୍ଥିତି ନେଇ ଇମ୍ୟୁନୋଗ୍ଲୋବିନ୍ ପ୍ରତିକ୍ରିୟା ସୃଷ୍ଟି କରାଏ।
ତେବେ ଆମେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସାମାନ୍ୟ ଅସାବଧାନତାରୁ ହୋଇଥିବା ଭୁଲ୍ କିମ୍ୱା କୌଣସି ଫଳ କିମ୍ୱା ପରିବାକୁ କଞ୍ଚା ଖାଇବା ଦ୍ୱାରା ମଧ୍ୟ ଆଲର୍ଜି ହୋଇଥାଏ। କ୍ଷୀର, ଛତୁ ପରି ପ୍ରୋଟିନ୍ ଥିବା ଖାଦ୍ୟ ଖାଇବା ପରେ ଲାକ୍ଟୋଜ୍ ଇନଟଲେରାନ୍ସ (କ୍ଷୀରରେ ଥିବା ଶର୍କରା ଲାକ୍ଟୋଜ୍ ପ୍ରତି ଅସହିଷ୍ଣୁତା) ଓ ପ୍ରୋଟିନ୍ ମାଲ୍ଆବଜର୍ପସନ୍ (ପୁଷ୍ଟିସାରର ଖରାପ ଅବଶୋଷଣ) ପରି ସମସ୍ୟା ଯୋଗୁ ଆଲର୍ଜି ଦେଖାଯାଏ।
ଏଠାରେ କେତୋଟି ଜାଣିବା କଥା ରହିଛି ଯାହା ଦ୍ୱାରା ଆପଣ ଆଲର୍ଜିରୁ ଦୂରରେ ରହିପାରିବେ।
ଖାଦ୍ୟ ଆଣିବା ପୂର୍ବରୁ କମ୍ପୋଜିସନ୍ ବା ଉପାଦାନକୁ ଭଲରେ ପଢ଼ନ୍ତୁ। ଯେତେବେଳେ କୌଣସି ପ୍ୟାକେଟ୍ ଖାଦ୍ୟ ଆଣୁଛନ୍ତି କିମ୍ୱା ବାହାରୁ ରନ୍ଧା ଖାଦ୍ୟ କିଣୁଛନ୍ତି ଆପଣଙ୍କ ଶରୀରର ପୂର୍ବ ଆଲର୍ଜି ଲକ୍ଷଣ ଅନୁସାରେ ସେଥିରେ ଥିବା ଖାଦ୍ୟକୁ ଦେଖନ୍ତୁ। ଯଦି ଆପଣଙ୍କ ପାଇଁ ସମସ୍ୟା ଦେଖାଉଥିବା ଆଲର୍ଜେନ୍ ପଦାର୍ଥ ଏଥିରେ ରହିଥିବ ତେବେ ତାହା ବିଲକୁଲ ଖାଆନ୍ତୁ ନାହିଁ। ସାଧାରଣତଃ ପ୍ୟାକେଟ୍ ଫୁଡ୍ ଉପରେ ଦୁଗ୍ଧଜାତ ଦ୍ରବ୍ୟ, ବାହାମ, ସେଲ୍ ଫିସ୍ ଆଦି ଉପାଦାନ ଥିବାର ଉଲ୍ଲେଖ ଥାଏ।
କ୍ରସ୍-ସଂକ୍ରମଣରୁ ଦୂରେଇ ରୁହନ୍ତୁ। ନିଜେ କିମ୍ୱା ଘରେ କେହି ବି ରୋଷଇ କଲାବେଳେ ଖୁବ୍ ସଫା ସୁତୁରା ଭାବେ ପ୍ରସ୍ତୁତ କରନ୍ତୁ। ଅଲଗା ଅଲଗା ରୋଷେଇ ଉପକରଣ ବ୍ୟବହାର କଲେ ଭଲ।
ବାହାରକୁ ଖାଇବା ପାଇଁ ଗଲାବେଳେ ଅର୍ଡର୍ ଦେବାବେଳେ ଆପଣଙ୍କ ଆଲର୍ଜି ତଥ୍ୟ ତଥା ଶରୀରର ଇନଟଲେରାନ୍ସକୁ ଭଲରେ ଉଲ୍ଲେଖ କରନ୍ତୁ। ଭୋଜନାଳୟରେ ସେହି ଦ୍ରବ୍ୟର ବ୍ୟବହାର ନେଇ ଆଗରୁ ତଥ୍ୟ ସଂଗ୍ରହକରି ଯଆନ୍ତୁ।
ଆପଣଙ୍କ ଶରୀରରେ ଆଲର୍ଜି ସୃଷ୍ଟି କରୁଥିବା ଆଲର୍ଜେନ୍ ଖାଦ୍ୟଗୁଡ଼ିକର ଏକ ତାଲିକା କରନ୍ତୁ ଏବଂ ଉପଯୁକ୍ତ ଯୋଜନା ମୁତାବକ ଆବଶ୍ୟକ ଔଷଧ ମଧ୍ୟ ସାଙ୍ଗରେ ରଖନ୍ତୁ।
ଖାଦ୍ୟ ଜନିତ ଆଲର୍ଜି ସହ ବଞ୍ଚିବା ବର୍ତ୍ତମାନ ସାଧାରଣ ହୋଇପଡ଼ିଲାଣି। ନାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନଫେକସିୟସ୍ ଡିଜିଜେସ୍ (ଜାତୀୟ ଆଲର୍ଜି ଓ ସଂକ୍ରାମକ ରୋଗପ୍ରତିଷ୍ଠାନ) ଦ୍ୱାରା ଆଲର୍ଜିର କାରଣ ହେଉଥିବା ବିଭିନ୍ନ କାରକ ବିଷୟରେ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହାକୁ ଦେଖିବା ସହ ନିଜ ପାଖରେ ଆବଶ୍ୟକ ଔଷଧ ପତ୍ର ସର୍ବଦା ରଖିଯାଆନ୍ତୁ। ଅତ୍ୟନ୍ତ ଜରୁରୀ ସ୍ଥଳେ ଡାକ୍ତର ଆପଣଙ୍କୁ ଇଞ୍ଜେକ୍ସନ୍ ଦେଇପାରନ୍ତି। ଏଣୁ ସର୍ବଦା ସଜାଗ ରହି ଏପରି ସମସ୍ୟାକୁ ଚିହ୍ନଟ କରିପାରିଲେ ଭବିଷ୍ୟତରେ କୌଣସି ଆଲର୍ଜିଗତ ସମସ୍ୟାରେ ମୁକ୍ତି ପାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751094991.jpg)