Fat Loss
ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ମହିଳା ଓ ୨୨.୧% ପୁରୁଷ ବିଏମ୍ଆଇ (BMI) ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର ସ୍ଥୂଳତା (abdominal obesity) ପ୍ରାୟ ୪୦% ମହିଳା ଓ ୧୨% ପୁରୁଷଙ୍କୁ ପ୍ରଭାବିତ କରୁଛି, ଯାହା ମଧୁମେହ ବା ଡାଇବେଟିସ, ଉଚ୍ଚ ରକ୍ତଚାପ, ହୃଦରୋଗ, ନିଦ୍ରା ସମସ୍ୟା (ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ/ ଅତ୍ୟଧିକ ଶୟନକାଳୀନ ଘୁଙ୍ଗୁଡ଼ି) ଓ ଗଣ୍ଠି ସମସ୍ୟା ଆଦି ବଢ଼ାଇ ଦିଏ । ପୂର୍ବରୁ ଏହି ମେଦବହୁଳତା/ ସ୍ଥୂଳକାୟତାର ଚିକିତ୍ସା ପାଇଁ ଭାରତରେ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଓ ଅର୍ଲିଷ୍ଟାଟ (Orlistat) ପରି ପୁରୁଣା ଔଷଧ ବ୍ୟବହୃତ ହେଉଥିଲା, ଯାହାର ଫଳାଫଳ ଏତେ ଉତ୍ସାହଜନକ ନଥିଲା ।
୨୦୨୫ ମସିହା ମାର୍ଚ୍ଚରେ ଭାରତରେ ମୋଞ୍ଜାରୋ (ଟିରଜେପାଟାଇଡ୍)ର ଆଗମନ ସହିତ ଏପରି ସ୍ଥିତି ବଦଳୁଛି। ମୋଞ୍ଜାରୋ ସପ୍ତାହକୁ ଥରେ ଚର୍ମ ତଳେ ଏକ ଇଞ୍ଜେକ୍ସନ ରୂପେ ଦିଆଯାଇଥାଏ। ୨୨ ପ୍ରତିଶତ ଓଜନ କମାଇପାରିବା କ୍ଷମତା ରଖିଥିବା ଏହି ଜଣାଶୁଣା ଔଷଧକୁ COVID-19 ଟିକା ପରେ ଚିକିତ୍ସା ବିଜ୍ଞାନର ସବୁଠାରୁ ଅଧିକ ଚର୍ଚ୍ଚିତ ବିକାଶ ଭାବରେ ପରିଗଣିତ କରାଯାଉଛି । ଏହାକୁ ୨୦୨୨ ମେ ମାସରେ U.S. FDA ଦ୍ୱାରା ଟାଇପ୍ 2 ଡାଇବେଟିସ ପାଇଁ ଏବଂ ନଭେମ୍ବର ୨୦୨୩ରେ ମେଦବହୁଳ ଲୋକଙ୍କଠାରେ ଦୀର୍ଘକାଳୀନ ଓଜନ ପରିଚାଳନା ପାଇଁ ଅନୁମୋଦନ ମିଳିଥିଲା।
ଭାରତରେ କାହିଁକି ବିଳମ୍ବରେ ଉପଲବ୍ଧ ହେଲା ?
ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ଓ ବିକାଶଶୀଳ ବଜାରକୁ ପ୍ରାଥମିକତା ଦେବାରେ ଉତ୍ପାଦକ ନିୟୋଜିତ ହେଉଥିଲେ। ଏହା ସହିତ ଭାରତୀୟ ଚିକିତ୍ସା ଅନୁଗାମୀଙ୍କ ପାଇଁ ଏହାକୁ ଶସ୍ତା ଓ ପହଞ୍ଚଯୋଗ୍ୟ କରିବା ଚେଷ୍ଟା ଜାରି ରହିଥିଲା। ତେଣୁ ଏହା ଭାରତରେ ବିଳମ୍ବରେ ଉପଲବ୍ଧ ହେଲା।
ଟିରଜେପାଟାଇଡ୍ କାହିଁକି ସ୍ୱତନ୍ତ୍ର ?
GLP-1 ଓ GIP ଉଭୟେ, ରିସେପ୍ଟର ଉପରେ କାର୍ଯ୍ୟ କରୁଥିବା ଦ୍ୱୈତ-କ୍ରିୟା ପ୍ରଣାଳୀ ବିଶିଷ୍ଟ ଟିରଜେପାଟାଇଡ- ୧. ଲିରାଗ୍ଲୁଟାଇଡ୍/ ବଜାରନାମ- ସାକସେଣ୍ଡା ଓ ୨. ସେମାଗ୍ଲୁଟାଇଡ୍/ ବଜାର ନାମ- ଓଜେମ୍ପିକ/ ୱେଗୋଭି ପରି ଔଷଧ ଠାରୁ ଅଗ୍ରଣୀ ରୂପେ ବିବେଚନା କରାଯାଏ, ଏହି ଦୁଇଟି କେବଳ GLP-1 ରିସେପ୍ଟର ଉପରେ କାର୍ଯ୍ୟ କରିଥାନ୍ତି।
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ବ୍ୟାନ୍ ହେଲା କଫ ସିରପ୍ !
ଏହା ମସ୍ତିଷ୍କର ହାଇପୋଥାଲାମସ୍ ଉପରେ କାର୍ଯ୍ୟ କରି ଭୋକ କମାଏ, ପେଟରୁ ଖାଦ୍ୟ ଖାଲି କରିବାର ଗତିକୁ ଧୀର କରି ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣତା ଅନୁଭବ କରାଏ । ଚର୍ବି ସଞ୍ଚୟ କମାଇ ଚର୍ବି ହ୍ରାସ ହେବା ପ୍ରକ୍ରିୟା ବା ଲାଇପୋଲାଇସିସକୁ ପ୍ରେରିତ କରିଥାଏ। ଏହାସହ ଉଚ୍ଚ କ୍ୟାଲୋରି ଓ ଚର୍ବିଯୁକ୍ତ ଖାଦ୍ୟ ପ୍ରତି ଆଗ୍ରହ କମାଇଥାଏ। ଓଜନ ହ୍ରାସ କରୁଥିବା ବର୍ତ୍ତମାନ ସୁଦ୍ଧା ବ୍ୟବହୃତ ହେଉଥିବା ପୁରୁଣା ଔଷଧ ସାଧାରଣତଃ ୫-୮% ଓଜନ କମାଇଥାଏ, ଯେଉଁଥିରେ ସେମାଗ୍ଲୁଟାଇଡ୍ (ଓଜେମ୍ପିକ/ ୱେଗୋଭି) ପ୍ରାୟ ୧୫ ପ୍ରତିଶତ ଓଜନ କମାଏ। କିନ୍ତୁ ଟିରଜେପାଟାଇଡ୍ ୨୨% ପର୍ଯ୍ୟନ୍ତ ଓଜନ କ୍ଷୟ କରିପାରେ, ଯାହା ବାରିଆଟ୍ରିକ୍ ସର୍ଜରୀ (ଓଜନ କ୍ଷୟ କାରକ ଶଲ୍ୟ ଚିକିତ୍ସା) ସହିତ ତୁଳନୀୟ।
ବୈଜ୍ଞାନିକ ନିଷ୍କର୍ସର ଚମତ୍କାରୀ ଫଳାଫଳ
SURMOUNT ପରୀକ୍ଷଣ ଅନୁଯାୟୀ ୭୨ ସପ୍ତାହ ପରେ ମେଦବହୁଳ ରୋଗୀଙ୍କଠାରେ ସାପ୍ତାହିକ ୫ ଏମ୍.ଜି ଡୋଜ୍ ରେ ୧୫% ଓଜନ କମିଛି । ସେହିପରି ସାପ୍ତାହିକ ୧୯ ଏମ୍.ଜି ଡୋଜ୍ ରେ ୧୯.୫ ପ୍ରତିଶତ ଏବଂ ସାପ୍ତାହିକ ୧୫ ଏମ୍.ଜି ଡୋଜ୍ ନେଲେ ୨୦.୦୯ ପ୍ରତିଶତ ଓଜନ କମିପାରିଛି । ପ୍ଲାସେବୋ (କେବଳ ଖାଦ୍ୟପେୟ ନିୟନ୍ତ୍ରଣ ଏବଂ ଜୀବନଶୈଳୀ ପରିବର୍ତ୍ତନ) ଦ୍ୱାରା ମାତ୍ର ୩.୧% ଓଜନ କମିଛି ।
କେବଳ ଓଜନ ହ୍ରାସ ନୁହେଁ, ଆହୁରି ଅନେକ ବହୁବିଧ ଉପାଦେୟତା ଉପଲବ୍ଧ
SURPASS ନାମକ ବୈଜ୍ଞାନିକ ନିଷ୍କର୍ସ ଅନୁଯାୟୀ, ଏହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ୪୦-୫୨ ସପ୍ତାହ ମଧ୍ୟରେ, HbA1C ର ମାତ୍ରା ୧.୫-୨.୪% କମାଇଥାଏ। ଏହା ହୃତପିଣ୍ଡ ଓ ଯକୃତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକୃତ । ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ (ରାତି ସମୟରେ ଘୁଙ୍ଗୁଡ଼ି ମାରିବା, ଦିନରେ ଅତ୍ୟଧିକ ନିଦ୍ରା ଏବଂ ଆଳସ୍ୟ ସହିତ ଜଡିତ ଏକ ଅବସ୍ଥା)ରେ ମଧ୍ୟ ଏହି ଔଷଧ ପ୍ରଯୁଜ୍ୟ । ଡିସେମ୍ବର ୨୦୨୪ରେ USFDA ଦ୍ୱାରା ଏହି ଚିକିତ୍ସା ପାଇଁ ମାନ୍ୟତା ଲାଭ କରିଥିବା ପ୍ରଥମ ଏବଂ ଏକମାତ୍ର ଔଷଧ ହେଉଛି ଟିରଜେପାଟାଇଡ୍ । ଭାରତରେ ଏହି ଔଷଧ ଶିଶି ଅବା ବୋତଲ ଆକାରରେ ବିକ୍ରି ହୁଏ, ଯାହା ଆମେରିକାରେ ବିକ୍ରି ହେଉଥିବା ପେନ୍ ଠାରୁ ୮୦ ପ୍ରତିଶତ ଶସ୍ତା।
ପାର୍ଶ୍ୱ ପ୍ରତିକ୍ରିୟା ଓ ସତର୍କତା
ସାଧାରଣତଃ ନିମ୍ନଲିଖିତ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ -
ବାନ୍ତି ଅନୁଭୂତି (୩୧%)
ପତଳା ଝାଡ଼ା (୨୩%)
କୋଷ୍ଠକାଠିନ୍ୟ (୧୭%)
ଏହା ସାଧାରଣତଃ ମୃଦୁ ଧରଣର ଓ ସମୟ ସହିତ ସମାଧାନ ହୁଏ। କେବଳ ୪-୭% ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଚିକିତ୍ସା ବନ୍ଦ କରାଯାଇଥିଲା। ଏହି ପ୍ରଭାବ ଗୁଡ଼ିକୁ କମ୍ କରିବା ପାଇଁ, ସାଧାରଣତଃ କମ୍ ଡୋଜ୍ ସହିତ ଚିକିତ୍ସା ଆରମ୍ଭ କରାଯାଏ ଏବଂ ଧିରେ ଧିରେ ଡୋଜ୍ ବୃଦ୍ଧି କରାଯାଏ, ଶରୀରକୁ ସଜାଡ଼ିବା ପାଇଁ ସମୟ ଦିଆଯାଏ ।
ମେଡୁଲାରି ଥାଇରଏଡ୍ କ୍ୟାନ୍ସର (ଥାଇରଏଡ଼ କର୍କଟ) ବା ପ୍ୟାନକ୍ରିଆଟାଇଟିସ୍ (ଅଗ୍ନ୍ୟାଶୟ ସମସ୍ୟା) ଥିବା ରୋଗୀଙ୍କ ପାଇଁ ଏହି ଔଷଧ ଉପଯୁକ୍ତ ନୁହେଁ । ଅତ୍ୟଧିକ ଏବଂ ଦ୍ରୁତ ଗତିରେ ଓଜନ ହ୍ରାସ ଦ୍ୱାରା ପିତ୍ତକୋଷ ସମସ୍ୟା ବଢ଼ିପାରେ । ଏହି ପରୀକ୍ଷଣ ମଧ୍ୟରେ ପ୍ରାୟ ୦.୬% ଲୋକଙ୍କୁ ଏପରି ଅସୁବିଧା ଦେଖାଯାଇଛି।
ଯଦି ଔଷଧ ବନ୍ଦ କରାଯାଏ ତେବେ କ’ଣ ହୁଏ ?
୨୦୧୪ର ଏକ ଅଧ୍ୟୟନରୁ ଦେଖାଇଛି ଯେ, ଯେଉଁ ଲୋକେ ଔଷଧ ବନ୍ଦ କରିଥିଲେ ସେମାନଙ୍କର ୧ ବର୍ଷ ମଧ୍ୟରେ ହ୍ରାସ ପାଇଥିବା ଓଜନର ୧୪% ପୁନଃ ବୃଦ୍ଧି ହୋଇଥିଲା । ଆଉ ଯେଉଁମାନେ ଚାଲୁରଖିଥିଲେ, ସେମାନେ ଅତିରିକ୍ତ ୫.୫% ଓଜନ କମାଇଥିଲେ । ତେବେ ଏହା ସତ କିନ୍ତୁ ଅସମାହିତ ପ୍ରଶ୍ନ ଉଠାଏ ଯେ, ରୋଗୀମାନେ କେତେ ସମୟ ଔଷଧ ସେବନ କରିବା ଉଚିତ ?
କାହାପାଇଁ ବିକଳ୍ପ
ଯଦିଓ ଦୀର୍ଘକାଳୀନ ଚିକିତ୍ସା ଉପରେ ଅଧ୍ୟୟନ ଚାଲୁଛି, ବର୍ତ୍ତମାନ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁଯାୟୀ, କେବଳ ଖାଦ୍ୟ ଏବଂ ବ୍ୟାୟାମ ଦ୍ୱାରା ଲାଭାନ୍ବିତ ନହୋଇପାରିଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ଔଷଧ ହେଉଛି ଏକ ପ୍ରଭାବଶାଳୀ ବିକଳ୍ପ । ଏହା ମେଦବହୁଳତା ଓ ଏହାସହ ସଂପୃକ୍ତ ରୋଗ ସହିତ ଲଢ଼ିବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତି। ସମସ୍ତ ନୂଆ ଚିକିତ୍ସା ପରି ଏଥିରେ ମଧ୍ୟ ନିରନ୍ତର ଅନୁସନ୍ଧାନ ଓ ନିରୀକ୍ଷଣ ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Fat_Loss_1745743379.jpg)