୪୫ରୁ ୫୫ ବର୍ଷ ବୟସ୍କ ମହିଳାଙ୍କ ଠାରେ “ଋତୁ ବିରତି” ବା menopause (ମେନୋପଜ୍) ଦେଖାଯିବା ଗୋଟିଏ ପ୍ରାକୃତିକ ଏବଂ ସ୍ବାଭାବିକ କଥା। ଜଣେ ମହିଳାଙ୍କ ଠାରେ ଲଗାତାର ୧୨ମାସ ପର୍ଯ୍ୟନ୍ତ ମାସିକ ଋତୁସ୍ରାବ ବନ୍ଦ ହେଲେ ଏହାକୁ ମେନୋପଜ୍ କୁହାଯାଏ। ବୟସ ବଢିବା ଦ୍ବାରା ଆସ୍ତେ ଆସ୍ତେ ଡିମ୍ବକୋଷରୁ (ovary) ନିର୍ଗତ ଜୀବରସ (hormone), ଯଥା ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟ୍ରୋନ୍ କ୍ଷରଣ କମିଯାଏ, ଏହା ଫଳରେ ଡିମ୍ବକୋଷରୁ ଡିମ୍ବାଣୁ (egg) ନିର୍ଗତ ହୁଏନାହିଁ ଏବଂ ଋତୁବିରତି ଦେଖାଯାଏ।
ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ପୃଥିବୀରେ ପୋଷ୍ଟ-ମେନୋପଜାଲ୍ ମହିଳାଙ୍କ ସ°ଖ୍ୟା ବୃଦ୍ଧି ପାଉଛି। ବର୍ଷ ୨୦୨୧ରେ ୫୦ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ସମୁଦାୟ ମହିଳା ଜନସଂଖ୍ୟାର ୨୬% ରହିଥିଲା। କୌଣସି ବିଶେଷ ଶାରୀରିକ ଅସୁସ୍ଥତା, ବ୍ୟାଧି କିମ୍ବା ଅସ୍ତ୍ରୋପଚାର ନହୋଇ ଯଦି ୪୦ ବର୍ଷ ବୟସ ପୂର୍ବରୁ ମେନୋପଜ୍ ଦେଖାଯାଏ ତାହେଲେ ସେଇ କ୍ଷେତ୍ରରେ ଏହାକୁ ପ୍ରି-ମ୍ୟାଚୋର୍ଡ ମେନୋପଜ୍ କୁହାଯାଏ। ଆଦୌ ପ୍ରସବ ନକରିଥିବା ଏବଂ ଧୂମପାନ ପ୍ରି-ମ୍ୟାଚୋର୍ଡ ମେନୋପଜର ଆଶଙ୍କା ବଢାଇଥାଏ।
ମେନୋପଜର ପର୍ଯ୍ୟାୟ:
ପେରି-ମେନୋପଜ୍: ଏହି ପର୍ଯ୍ୟାୟ ମେନୋପଜ୍ ଆରମ୍ଭ ହେବାର ୮ରୁ ୧୦ବର୍ଷ ପୂର୍ବରୁ ଆରମ୍ଭ ହୁଏ। ଏହାର ଅବଧି କିଛି ମାସରୁ ଆରମ୍ଭ କରି କିଛି ବର୍ଷ ପର୍ଯ୍ୟନ୍ତ ହୋଇପାରେ। ଏହା ସାଧାରଣତଃ ୪୦-୫୦ବର୍ଷ ମଧ୍ୟରେ ଦେଖାଯାଏ। ଏହି ଅବସ୍ଥାରେ ଧିରେଧିରେ ଡିମ୍ବକୋଷର ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟ୍ରୋନ୍ କ୍ଷରଣ କ୍ଷମତା କମିବା ଆରମ୍ଭ କରେ।
ମେନୋପଜ୍: ଲଗାତାର ୧୨ମାସ ପର୍ଯ୍ୟନ୍ତ ମାସିକ ଋତୁସ୍ରାବ ବନ୍ଦ ହେଲେ ଏହାକୁ ମେନୋପଜ୍ କୁହାଯାଏ। ଏହାପରେ ମହିଳାଙ୍କ ଠାରେ ଋତୁସ୍ରାବ ଦେଖାଯାଏ ନାହିଁ। ଯଦିଓ ଶରୀରରେ ଇଷ୍ଟ୍ରୋଜେନ୍ କ୍ଷରଣ କିଛି କିଛି ମାତ୍ରାରେ ଦେଖାଯାଏ କିନ୍ତୁ ଡିମ୍ବାଣୁ ନିର୍ଗତ ହୁଏ ନାହିଁ। ଏହା ଗୋଟିଏ ଲଗାତାର କିମ୍ବା ଗୋଟିଏ ସମୟ ବ୍ୟାପି ଚାଲୁଥିବା ପର୍ଯ୍ୟାୟ ବଦଳରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ହିଁ ହୋଇଥାଏ ଏବଂ ମେନୋପଜ୍ ପରେପରେ ତୁରନ୍ତ ପୋଷ୍ଟ-ମେନୋପଜ୍ ପର୍ଯ୍ୟାୟ ଆରମ୍ଭ ହୁଏ।
ପୋଷ୍ଟ-ମେନୋପଜ୍: ଏହା ମେନୋପଜ୍ ପରର ଅବସ୍ଥା ଯାହା ବାକି ଜୀବନ ତମାମ ରହିଥାଏ। ମେନୋପଜ୍ ପରେ କିଛି ବର୍ଷ ପର୍ଯ୍ୟନ୍ତ ମେନୋପଜାଲ୍ ଲକ୍ଷଣ ଦେଖାଯାଏ। ଏହି ଅବସ୍ଥାରେ ଇଷ୍ଟ୍ରୋଜେନ୍ ଜୀବରସର ମାତ୍ରା କମି ଯାଉଥିବା କାରଣରୁ ମହିଳାଙ୍କ ଠାରେ osteoporosis (ଅଷ୍ଟିଓପୋରୋସିସ୍ -ହାଡର ଘନତ୍ବ କମିଯିବା) ଏବଂ heart disease (ହୃଦରୋଗ)ର ଆଶଙ୍କା ବଢିଯାଏ।
ମେନୋପଜର ଲକ୍ଷଣ: ମେନୋପଜ୍ ସମୟରେ ଶରୀରରେ ହରମୋନ୍ ଗୁଡିକର ମାତ୍ରା ହ୍ରାସ କାରଣରୁ ବିଭିନ୍ନ ଲକ୍ଷଣ ଦେଖାଯାଏ। କିଛି ମହିଳାଙ୍କ କ୍ଷେତ୍ରରେ ଏହା ଖୁବ୍ ତୀବ୍ର ହୋଇଥିବା ବେଳେ ଅନେକଙ୍କ ଠାରେ ସାମାନ୍ୟ ସମସ୍ୟା ଦେଖାଯାଏ। ମେନୋପଜ୍ ଅବସ୍ଥା ପରେ ସାଧାରଣତଃ ଲକ୍ଷଣ ଗୁଡିକ ଆଉ ଦେଖାଯାଏ ନାହିଁ।
ଋତୁସ୍ରାବରେ ଅନିୟମିତତା, ଋତୁସ୍ରାବ ସମୟରେ ଅତ୍ୟଧିକ କିମ୍ବା କମ୍ ରକ୍ତସ୍ରାବ।
Hot flushes (vasomotor symptoms): ୭୫- ୮୦% ମହିଳାଙ୍କ କ୍ଷେତ୍ରରେ ଏହା ଦେଖାଯାଏ। ଏହା ଦ୍ୱାରା ଶରୀରର ତାପମାତ୍ରା ହଠାତ୍ ବଢିଯାଇ, ହାତପାଦ ଏବଂ ମଥାରୁ ନିଆଁ ବାହାରିଲା ପରି ଲାଗିବା, ଝାଳ ବୋହିବା, ମୁହଁ- ପାଦ-ପାପୁଲି ଲାଲ୍ ପଡିଯିବା, ମୁଣ୍ଡ ବୁଲାଇବା, ଛାତି ଧଡପଡ ହେବା, କମ୍ପ ଆସିବା, ରାତିରେ ନିଦ୍ରାରେ ଅଧିକ ଝାଳ ହେବା, ନିଦ୍ରା ହୀନତା, ରାତିରେ ଅଣନିଶ୍ବାସି ଲାଗି ହଠାତ୍ ନିଦ ଭାଙ୍ଗିଯିବା, ବକ୍ଷ ଦରଜ, ବାରମ୍ବାର ପରିଶ୍ରା ଲାଗିବା। ସେହହପରି ଚର୍ମ, ଆଖି, ମୁଖ ଗହ୍ବର ଏବଂ Vaginal dryness, ବାରମ୍ବାର ମୁଣ୍ଡବିନ୍ଧା, ହାତ-ଗୋଡ ମା°ସପେଷୀ ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ଦରଜ ଏବଂ ବ୍ୟଥା।
ଖାଲି ସେତିକି ନୁହେଁ, କେତେକ କ୍ଷେତ୍ରରେ ଅତ୍ୟଧିକ କେଶ ଝଡିବା, ଓଜନ ବୃଦ୍ଧି, ଛାତି ଧଡପଡ ହେବା, ହୃଦୟର ଗତି ହଠାତ୍ ବଢିଯିବା ପରି ଲାଗିବା, ଚିଡଚିଡା ଲାଗିବା, ମୁଡ୍-ସ୍ବିଙ୍ଗ୍ସ , ଅବସାଦ, ଅହେତୁକ ଡର, ସନ୍ଦେହ ଓ ଚିନ୍ତା ଦେଖାଯାଏ। ସେହିପରି ଏକାଗ୍ରତା କମିଯିବା, ସ୍ମୃତିଶକ୍ତି ହ୍ରାସ (temporary) ଓ ଶାରୀରିକ ସମ୍ପର୍କର ଇଚ୍ଛା ମଧ୍ୟ ହ୍ରାସ ପାଏ।
ଚିକିତ୍ସା: ଯେହେତୁ ମେନୋପଜ୍ ଏକ ସ୍ବାଭାବିକ ପ୍ରକ୍ରିୟା ତେଣୁ ଏହା ସାଧାରଣତଃ ଚିକିତ୍ସା ଆବଶ୍ୟକ କରେ ନାହିଁ। ଏଠାରେ ଚିକିତ୍ସାର ଅର୍ଥ ସାଧାରଣତଃ ଦେଖାଯାଉଥିବା ଲକ୍ଷଣ ଗୁଡିକର ଚିକିତ୍ସା ହିଁ ହୋଇଥାଏ। ୪୫ବର୍ଷ ବୟସ ପରେ ଦେଖାଯାଉଥିବା ମେନୋପଜାଲ୍ ଲକ୍ଷଣ ପାଇଁ ହରମୋନ୍ ଥେରାପି (Hormone Therapy/ HT) ଯେମିତିକି ଇଷ୍ଟ୍ରୋଜେନ୍ ଥେରାପି ଏବଂ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟ୍ରୋନ୍ ଥେରାପି ଉପଲବ୍ଧ ଥିଲା ବେଳେ ୪୦ବର୍ଷ ବା ପ୍ରିମ୍ୟାଚୋର୍ଡ ମେନୋପଜ୍ ପାଇଁ ହରମୋନ୍ ରିପ୍ଲେସମେଣ୍ଟ ଥେରାପି (Hormone Replacement Therapy/ HRT) ରହିଛି। ବ୍ୟବହାର ଏବଂ ମାନସିକ ଲକ୍ଷଣ ଗୁଡିକ ତୀବ୍ର ହେଲେ ମାନସିକରୋଗ ଚିକିତ୍ସକଙ୍କ ସାହାଯ୍ୟ ନିଆଯାଏ।
ଜୀବନଶୈଳୀରେ ପରିବର୍ତ୍ତନ:
ଯଦିଓ ହଟ୍-ଫ୍ଲସେସ୍ ଏବଂ ଗଣ୍ଠି ଦରଜ କାରଣରୁ ଶାରୀରିକ ବ୍ୟାୟାମ କଷ୍ଟକର ହୋଇଥାଏ କିନ୍ତୁ ନିୟମିତ ଅଳ୍ପ ଅଳ୍ପ ଶାରୀରିକ ପରିଶ୍ରମ ମେନୋପଜାଲ୍ ଲକ୍ଷଣରୁ ଅନେକ ମାତ୍ରାରେ ଉପସମ ଦେଇଥାଏ। ନିୟମିତ ଚାଲିବା, ଜଗି°, ପହଁରିବା ବା ସ୍ବିମି°, ବଗିଚା କାମ, ମାଇଲ୍ଡ ବ୍ୟାୟାମ, ଯୋଗ ଆଦି ମନକୁ ଶାନ୍ତ ରଖିବା ସହ ଅନେକ ଲକ୍ଷଣର ପ୍ରଭାବକୁ ହାଲୁକା କରେ।
ଯଦି ହଟ୍-ଫ୍ଲସେସ୍ ଏବଂ ରାତିରେ ଝାଳର ଆଦିର ସମସ୍ୟା ମାତ୍ରାଧିକ ଦେଖାଯାଉଥାଏ ତାହେଲେ ଅଧିକ ରାଗ ଏବଂ ମସଲାଯୁକ୍ତ, ଚର୍ବି ଜାତୀୟ ଏବଂ ଫାଷ୍ଟ ଫୁଡ୍ ଖାଆନ୍ତୁ ନାହିଁ। ରାତିରେ ଉପଯୁକ୍ତ ପବନ ଆତଯାତ ହେଉଥିବା ବା ଅପେକ୍ଷାକୃତ ଥଣ୍ଡା ରହୁଥିବା ଶୟନ କକ୍ଷ ବାଛନ୍ତୁ। ଅଧିକ ନରମ ଏବଂ ଉଷୁମ ବିଛଣାରେ ଶୁଅନ୍ତୁ ନାହିଁ। ଶୋଇବା ସମୟରେ ହାଲୁକା ଏବଂ ସୂତା କପଡ଼ାର ଲୁଗା ବ୍ୟବହାର କରିବା ସହ ଧୂମପାନ ତ୍ୟାଗ ଓ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରନ୍ତୁ।
ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ:
ଇଷ୍ଟ୍ରୋଜେନ୍ ହରମୋନ୍ (ବୁଷ୍ଟ)ବୃଦ୍ଧି କରୁଥିବା ଖାଦ୍ୟ ଗ୍ରହଣ କରନ୍ତୁ ଯେମିତିକି: ସୋୟାବିନ୍; କାବୁଲିସୋଲା; ମସୁରଡାଲି; ଶଷ୍ୟଜାତ (ଓଟ୍ସ, ବାର୍ଲି, ହ୍ବିଟ୍ ଜର୍ମ) ଦ୍ରବ୍ଯ; ବିଭିନ୍ନ ସିଡ୍ସ ବା ମଞ୍ଜି (ଅଳସି/ ଫ୍ଲାକ୍ସ, ରାଶି ଓ ସୂର୍ଯ୍ୟମୂଖୀ); ନଟ୍ସ (ଚିନାବାଦାମ , ଆମଣ୍ଡ); ବିଭିନ୍ନ ପ୍ରକାର ବିନ୍ସ (ରାଜମା, ଲୋବିଆ); ବୃକ୍ଷଜାତ ତରଳ ଖାଦ୍ୟ (ଅଲିଭ୍ ତେଲ, କଫି, ରେଡ୍ ଓ୍ବାଇନ୍, ବିଅର୍); ଫଳ ( ଆପଲ୍, ଅଙ୍ଗୁର, ନାସପାତି, ପ୍ଲମ୍, ବିଭିନ୍ନ କୋଳି) ଏବଂ ପନିପରିବା ଅଧିକ ଗ୍ରହଣ କରନ୍ତୁ। ଏହି ସବୁ ଖାଦ୍ୟରେ ବୃକ୍ଷଜାତ ବା ଫାଇଟୋ-ଇଷ୍ଟ୍ରୋଜେନ୍ ରହିଥାଏ।
କୁଲି° ଫୁଡ୍ସ: ହଟ୍-ଫ୍ଲସେସର ସମସ୍ୟା ଅଧିକ ରହୁଥିଲେ ଶରୀରକୁ ଥଣ୍ଡା ରଖୁଥିବା ବା କୁଲି° ଫୁଡ୍ସ ଗ୍ରହଣ କରନ୍ତୁ: ଆପଲ୍, ପାଚିଲା କଦଳୀ, ଗ୍ରୀନ୍ ଟି, ପାଳଙ୍ଗ ଶାଗ, ବ୍ରୋକଲି ଏବଂ ଅଣ୍ଡାର ଧଳା ଅ°ଶ।
ପୁଷ୍ଟିସାର ଯୁକ୍ତ ଖାଦ୍ୟ: ସୋୟା, ଛେନା, ଡାଲି ଜାତୀୟ ଦ୍ରବ୍ୟ, ବିନ୍ସ, ନଟ୍ସ ଆଣ୍ଡ ସିଡ୍ସ, ମାଛ ପରି ପୁଷ୍ଟିସାର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଏହା ଆପଣଙ୍କ ମାସପେଷୀର ସନ୍ତୁଳନ ରକ୍ଷା କରେ ଏବଂ ମେନୋପଜ୍ ସମୟର ଗୋଡହାତ ଘୋଳାବିନ୍ଧା ଏବଂ ହାଲିଆ ଲାଗିବାରୁ ଉପଶମ ଦେଇଥାଏ।
ଓମେଗା-3 ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ (ପୂର୍ବରୁ ଏ ବିଷୟରେ ଆଲୋଚନା ହୋଇଛି) ଗ୍ରହଣ କରନ୍ତୁ ଏହା ମାନସିକ ସନ୍ତୁଳନ, ମୁଡ୍ ସ୍ବିଙ୍ଗ୍ସରୁ ମୁକ୍ତି ଦେବା ସହ ରକ୍ତଚାପକୁ ନିୟନ୍ତ୍ରିତ କରେ ଏବଂ ହୃଦୟର ମାସପେଷୀକୁ ସୁରକ୍ଷିତ ରଖେ।
ନିଜ ଖାଦ୍ୟରେ ବିଭିନ୍ନ ଫଳ ଓ ପନିପରିବାର ମାତ୍ରା ବଢାନ୍ତୁ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କୋଷ ସ୍ତରରେ ସୁରକ୍ଷା ପ୍ରଦାନ କରେ ଏବଂ ବୟସ୍କ ହେବାର ପ୍ରକ୍ରିୟାକୁ ଶିଥିଳ କରେ।
ହୋଲ୍-ଗ୍ରେନ୍ ଏବଂ ଅଧିକ ତନ୍ତୁ ଯୁକ୍ତ ଖାଦ୍ୟ ଖାଆନ୍ତୁ, ଏହା ପାକସ୍ଥଳୀ ଏବଂ ଅନ୍ତନାଳୀର ସ୍ବାସ୍ଥ୍ୟ ପାଇଁ ହିତକର। କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ।
ମେନୋପଜାଲ୍ ବୟସରେ ଇଷ୍ଟ୍ରୋଜେନର ମାତ୍ରାରେ ହ୍ରାସ କାରଣରୁ ମହିଳାମାନଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ୍ ଦେଖାଯାଏ, ତେଣୁ ହାଡକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଯେମିତିକି ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ଯ, ବିଭିନ୍ନ ପ୍ରକାର ଶାଗ, ନଟ୍ସ ଓ ସିଡ୍ସ, ଡାଲିଜାତୀୟ ଦ୍ରବ୍ଯ ଏବଂ କ୍ୟାଲସିୟମ୍-ଫର୍ଟିଫାଏଡ୍ ଖାଦ୍ୟ ଓ ପାନୀୟ ଦ୍ରବ୍ଯ ଗ୍ରହଣ କରିବା ଉଚିତ।
ଖାଦ୍ୟ ସହ ଉପଯୁକ୍ତ ମାତ୍ରାରେ ପାଣି ଗ୍ରହଣ କରିବା ମଧ୍ୟ ମେନୋପଜାଲ୍ ସମୟରେ ଜରୁରୀ। ଏହା ଶରୀର ଏବଂ ଚର୍ମକୁ ହାଇଡ୍ରେଟେଡ୍ ରଖିବା ସହ, କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ, ଅନ୍ତନାଳୀରେ ଖାଦ୍ୟ ଅବଗ୍ରହଣରେ ସାହାଯ୍ୟ କରିବା ସହ ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରେ।
ପ୍ୟାକେଜ୍ଡ ଏବଂ ପ୍ରୋସେସ୍ଡ ଫୁଡ୍ ଯେମିତିକି ଚିପ୍ସ, କୁକିଜ୍, ପ୍ୟାଷ୍ଟ୍ରି, ବ୍ୟାକନ୍, ବ୍ରେଡ୍, ଇନଷ୍ଟାଣ୍ଟ୍ ସୁପ୍ ଓ ନୁଡୁଲ୍ସ ଆଦି ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଶରୀରର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଏହି ସବୁ ଖାଦ୍ୟ ଏବଂ ଟ୍ରାନ୍ସ-ଫ୍ୟାଟରୁ ଦୂରେଇ ରୁହନ୍ତୁ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)