କୁହାଯାଏ, ଶୀତଦିନେ ବଜାରରେ ସବୁଜ ପରିବା ଯାହାକୁ ଯେତେ, ଦର ଢ଼େର୍ କମ୍। ଏହାର କାରଣ ଏହି ସମୟରେ ଅନେକ ପରିବା ଅମଳ ହୁଏ, କାରଣ ଜଳବାୟୁ ଉପକୂଳ ଥାଏ। ଆମ ଓଡ଼ିଶାରେ ଶୀତଦିନ ହେଲା ଅମଳର ସମୟ। ସାଧାରଣ ଭାବେ କମ୍ ଦରରେ ପାଳଙ୍ଗ ଶାଗ, ସୋରିଷ ଶାଗ, ଅଗସ୍ତି ଶାଗ, ଚଣା ଶାଗ, ଏମିତି କେତେ ପ୍ରକାର ଶାଗ, ତା ସାଙ୍ଗକୁ ଗାଜର, କୋବି, ମୂଳା, କ୍ୟାପସିକମ୍, ବିନ୍ସ, ଇତ୍ୟାଦି ପ୍ରଚୁର ମିଳେ। ଏହି ନିର୍ଦ୍ଦିଷ୍ଟ ଶାଗସବୁ ମୁଖ୍ୟତଃ ଶୀତଦିନିଆ ଉତ୍ପାଦ ଅଟେ। ଆଜିକାଲି ବାରମାସ ସାରା ଆମ ଚାହିଦାକୁ ଦେଖି ଅନ୍ୟାନ୍ୟ ଫସଲ ଉପୁଜାଇ ହେଉଥିବା ସତ୍ତ୍ୱେ ଋତୁକାଳୀନ ଅମଳରେ ଆବଶ୍ୟକ ପୋଷକ ରହିଥାଏ, ଅନ୍ୟ ଦିନେ ଅମଳ ଫସଲରେ ଅପେକ୍ଷାକୃତ ପୋଷକ କମ୍ ରୁହେ। ଆଜି କଥା ହେବା ଓଡ଼ିଶାର କିଛି ଶୀତଦିନିଆ ପାରମ୍ପରିକ ଖାଦ୍ୟାଭ୍ୟାସ ବିଷୟରେ, ଯାହା ଶରୀର ପାଇଁ କିପରି ଉପଯୋଗୀ ହୋଇପାରିବ।
ଶୀତଦିନ ଆସିବା ମାତ୍ରେ ପିଲାମାନଙ୍କଠାରେ ଥଣ୍ଡା କାଶ ଆଦି ଦେଖାଯାଏ। ଜଳବାୟୁର ପରିବର୍ତ୍ତନ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ, ଏଣୁ ଏହା ପୁନଃ ବିକାଶ କରିବାକୁ ଆମକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ ଋତୁ ପରିବର୍ତ୍ତନ ହେବା ସହ ଉକ୍ତ ସମୟରେ ମିଳୁଥିବା ପନିପରିବା ତଥା ଶସ୍ୟ ଆଦି ଖାଇବାର ଅଭ୍ୟାସ ରହି ଆସିଛି। ଯେପରି, ଖରାଦିନେ ବିଭିନ୍ନ ଜଳୀୟ ଅଂଶ ଅଧିକ ଥିବା ଫଳ ତରଭୁଜ, ପିଜୁଳି, କାକୁଡ଼ି, ତାଳ ଆଦି ପ୍ରଚୁର ମିଳେ। ବର୍ଷାଦିନେ କଲରା, କଖାରୁ, ବିଭିନ୍ନ ମୂଳ ପରିବା, ମେଥି ଆଦି ମିଳେ, ଯାହା ଇମ୍ୟୁନିଟି ବଢ଼ିବା ତଥା ଶରୀରର ଇନ୍ଫେକସନ୍ ପ୍ରତିରୋଧରେ ସାହାଯ୍ୟ କରେ। ସେହିପରି ଶୀତଦିନ ଆରମ୍ଭରେ ହଳଦି ଅମଳ ହୁଏ, ଓଉ, ପାଳୁଅ, ମୂଳା ପରି ବିଭିନ୍ନ ସତେଜ ପରିବା ଯାହା ପ୍ରକୃତିରେ ଗରମ ଜାତୀୟ ତାହା ଖାଇବାକୁ ପରାମର୍ଶ ଦିଆଯାଏ।
ଏବେ କେତୋଟି ନିର୍ଦ୍ଦିଷ୍ଟ ଶୀତଦିନିଆ ଖାଦ୍ୟ ଉପରେ ନଜର ପକାଇବା। କାର୍ତ୍ତିକ ମାସ ସରିବା ବେଳକୁ ପ୍ରାୟ ଶୀତ ପଡ଼ିବା ଆରମ୍ଭ ହୁଏ। ଏହି ସମୟରେ ହବିଷ ଡାଲେମା ଏକ ଏଡ଼ାଇ ନହେବା ପରି ଖାଦ୍ୟ। ମାସକୁ ଅନ୍ତତଃ ଥରେ ହେଉ ପଛେ, ଘିଅନ୍ନ ସହ କଞ୍ଚା କଦଳୀ, ସାରୁ, ଓଉ ଓ ପାଳୁଅ ସହ ମୁଗ ଡାଲି ପଡ଼ି ହବିଷ ଡାଲେମା ଗିନାଏ ନ ହେଲେ କାର୍ତ୍ତିକ ମାସଟା ଅପୂରଣୀୟ ଲାଗେ। ଏଥିରେ ହଳଦୀ ବ୍ୟବହାର ହୁଏନି କାରଣ ହଳଦୀ ଏହି ସମୟରେ ଅମଳ ହୋଇ ନଥାଏ। ପୁଣି ହଳଦୀକୁ ଶୁଖାଯାଇ ଖାଦ୍ୟୋପଯୋଗୀ ହେବାକୁ ସମୟ ଲାଗେ। ଏଠାରେ କୁହାଯାଇଥିବା ପରିବା ସବୁ ଅତ୍ୟନ୍ତ ସହଜଲବ୍ଧ ଏବଂ ସ୍ୱଭାବରେ ଗରମ ହୋଇଥିବାରୁ ଶୀତଦିନ ଆରମ୍ଭରେ ଏହା ଖାଇବା ବିଧି ରହିଛି। ଆଜିକାଲି ଓଉ ବି ମିଳିବା କଷ୍ଟ ହୋଇଗଲାଣି।
ଶୀତ ଆରମ୍ଭ ହେବା ପରେ ପ୍ରଥମାଷ୍ଟମୀରେ ହଳଦା ପତ୍ର ପିଠା ହୁଏ କାରଣ ଏହା ପରେ ହଳଦୀ ଗଛସବୁ ଉପୁଡ଼ାଯାଏ, ଏଣୁ ଏହାର ପତ୍ରକୁ ପିଠା ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଏ। ହଳଦୀର ଔଷଧୀୟ ଗୁଣ ବିଷୟରେ କଣ ଆଉ କହିବା ଆବଶ୍ୟକ। ଏହା ମୁଖ୍ୟତଃ ଏହାର ବାସ୍ନା ଓ ରଙ୍ଗ ପାଇଁ ବ୍ୟବହାର କରାଯାଏ। ଏହା ସହ ଏକ ଉତ୍ତମ ଆଣ୍ଟିସେପ୍ଟିକ୍ ଅର୍ଥାତ୍ ଶରୀରର କ୍ଷତରେ ଇନଫେକସନ୍ ହେବାକୁ ଦିଏନି। ଏହାକୁ ଖାଇବା ଦ୍ୱାରା କୌଣସି ପ୍ରକାର ଇନ୍ଫେକସନ୍ ହୁଏ ନାହିଁ ଏବଂ ଚର୍ମରୋଗ ହେବାର କମ୍ ସମ୍ଭାବନା ଥାଏ। ଏଥିରେ ଥିବା କ୍ୟୁକୁରମିନ୍ ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ।
ପାଳଙ୍ଗ, ଚଣା ଶାଗ ଆଦି ପ୍ରଚୁର ଲୌହ ବା ଆଇରନ୍ରେ ଭରପୂର ଥିବା ବେଳେ ଅଗସ୍ତି ଫୁଲ ଓ ଶାଗ ଉଭୟ କ୍ୟାଲସିୟମ୍, ପୋଟାସିୟମ୍ ପରି ମିନେରାଲ୍ସରେ ପରିପୂର୍ଣ୍ଣ। କୋବିରେ ଭିଟାମିନ୍ ସି ଅଧିକ ଥିବା ବେଳେ ବ୍ରୋକୋଲିରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ଥାଏ। ମଧ୍ୟାହ୍ନ ଭୋଜନରେ ଗରମ ଉଷୁନା ଭାତ ସାଙ୍ଗକୁ ଶାଗ ଭଜା ଟିକେ ସହିତ କୋବି ଭଜା କିମ୍ୱା ଝୋଳ ଟିକେ ହେଇଗଲେ ସ୍ୱର୍ଗ ପାଇବାପରି ଲାଗେ। ଏଥିସହ ମୂଳା ମଧ୍ୟ ମୁଖ୍ୟତଃ ଶୀତଦିନେ ଅଧିକ ମିଳେ। ଏହି ସମୟରେ ମିଳୁଥିବା ନାଲି ମୂଳା ସ୍ୱାଦରେ ଅନନ୍ୟ ହୋଇଥିବା ବେଳେ ଭିଟାମିନ୍ ସି ଓ ପୋଟାସିୟମ୍ ପ୍ରଚୁର ଥାଏ।
ଅନ୍ୟାନ୍ୟ ଶୀତଦିନିଆ ପରିବା ଭିତରେ ପୁଷ୍ଟିସାରରେ ଭରପୂର ଶିମ୍ୱ, ବିଟ୍, ଗାଜର, ସାଲଗମ୍, ପିଆଜ ଶଣ୍ଢା, ଧନିଆ ପତ୍ର ଆଦି ପ୍ରମୁଖ। ଏସବୁ ମୁଖ୍ୟତଃ ମିନେରାଲ୍ସରେ ଭରପୂର ଥିବାବେଳେ ଥଣ୍ଡାଦିନ ପାଇଁ ଉପଯୋଗୀ ହୋଇଥାଏ। ଏଥିସହ ଅଁଳା, ଆତ ପରି ଫଳ ଭିଟାମିନ୍ ସି’ରେ ଭରପୂର। ଅଁଳା ଆମ ଇମ୍ୟୁନ୍ ବ୍ୟବସ୍ଥା ପାଇଁ କେତେ ଫଳପ୍ରଦ ତାହା କହିବା ଆବଶ୍ୟକ ନାହିଁ। ନିୟମିତ ଅଁଳା ଗୁଣ୍ଡ ସକାଳୁ ଖାଇବା ଦ୍ୱାରା ଆପଣଙ୍କର କୌଣସି ପାକ ଜନିତ ସମସ୍ୟା ରହେ ନାହିଁ।
ଶୀତଦିନିଆ ସକାଳର ଖରାରେ କପେ ଚା ନ ପିଇଲେ କୌଣସି ଭାରତୀୟଙ୍କ ଶୀତଦିନିଆ ସକାଳ ସୁନ୍ଦର ହେବନି। ଏଣୁ ଚା ଓ କଫି ମଧଅୟ ଆମର ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦରକାରୀ ହୋଇପଡ଼େ ଶୀତରେ। ଯଦିଓ ଚା ସବୁ ଋତୁରେ ଏକ ଦରକାରୀ ପାନୀୟ, ତେବେ ଶୀତଦିନେ ଏହାର କ୍ୟାଫେନ୍ ଗୁଣ ଟିକେ ଜଲ୍ଦି ଅନୁଭୂତ ହୁଏ। ଅଳସୂଆ ଶୀତ ସକାଳ ଢୋକେ ଚା ପିଇଲେ ସତେଜ ହୋଇ ଉଠେ। ଏହାର ଆଣ୍ଟି ଅକ୍ସିଡାଣ୍ଟ ଆମକୁ ଦିନସାରା ସକ୍ରିୟ ରଖେ। ଏଣୁ ଶୀତଦିନିଆ ଖାଦ୍ୟ ତାଲିକାରେ ଚା ର ପୋଷଣକୁ ଏଡ଼ାଇ ଦିଆଯାଇ ନପାରେ।
ଯେତେ ସମ୍ଭବ ଋତୁକାଳୀନ ପରିବା ଓ ଫଳ ଘରକୁ ଆଣିବାକୁ ଚେଷ୍ଟା କରନ୍ତୁ। ଏହା ପ୍ରକୃତି ଦ୍ୱାରା ଶରୀର ପାଇଁ ପ୍ରସ୍ତୁତ ଆବଶକୀୟ ପୋଷକଯୁକ୍ତ ଖାଦ୍ୟ। ଔଷଧରୁ ଦୂରେଇ ରହିବାକୁ ହେଲେ ଆମ ପାଖରେ ମହଜୁଦ ଥିବା ପ୍ରକୃତି ଦତ୍ତ ଖାଦ୍ୟକୁ ଉପଯୋଗ କରିବା।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)