Advertisment

Mental Position in Rainy Season: ବର୍ଷା ଋତୁରେ ମନ ଖରାପ ଲାଗୁଛି, ଦେହ ଅବଶ ଲାଗୁଛି...କାହିଁକି ଏମିତି ହୁଏ ?

ଗୋଟିଏ ସର୍ବେକ୍ଷଣ ଅନୁସାରେ ଆମ ଭିତରୁ ହାରାହାରି ୯ ପ୍ରତିଶତ ଲୋକ ବର୍ଷାଋତୁକୁ ପସନ୍ଦ କରନ୍ତିନି। କାହିଁକି ନା ଏଇ ୯% ମଣିଷଙ୍କର ବର୍ଷାଋତୁରେ ହଠାତ୍ ଅକାରଣରେ ମନଦୁଃଖ ଲାଗି ରହିବା ସହ, ଦେହ ଅବଶ ଲାଗେ ଏବଂ କାମ କରିବା ପାଇଁ ସ୍ପୃହା ଆସେ ନାହିଁ। ଆପଣ ମଧ୍ୟ ନିଜ ଆଖପାଖରେ ଏମିତି କାହାକୁ ନା କାହାକୁ ଭେଟିଥିବେ ଯିଏ କହିଥିବେ ବର୍ଷାଋତୁ ଆସିଲେ ମାନସିକ ଅବସାଦ ବା ଅଳସୁଆ ପଣ ବଢିଯାଏ। ଏହି ଗ୍ରୁପର ଲୋକେ ବର୍ଷାଦିନରେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ପାଇଁ ଫୁର୍ତ୍ତି ଦେଖାନ୍ତି ନାହିଁ। ଅଧିକରୁ ଅଧିକ ସମୟ ଶୋଇ ରହିବା, ମନ ଦୁଃଖ ରହିବା ଏବଂ ଅନ୍ୟ ମାନଙ୍କ ସହ କମ୍ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କଲେ କିମ୍ବା ଖବର ଜାଣିବା ପାଇଁ ଚାହିଁଲେ ଚିଡ଼ି ଯାଆନ୍ତି।

ଅଦ୍ୟତନ ହୋଇଛି
ପାଗ ବଦଳିଲେ ମନ ବଦଳେ

ପାଗ ବଦଳିଲେ ମନ ବଦଳେ

Advertisment

ବର୍ଷାଋତୁରେ ମନଦୁଃଖର ସମ୍ଭାବ୍ୟ କାରଣ:

(୧) ଅନେକ ବିଶେଷଜ୍ଞଙ୍କ ମତରେ, ବର୍ଷା ଋତୁରେ ଏପରି ଅନୁଭବ ହେବା ପ୍ରକୃତରେ ଡିପ୍ରେସନ୍ ବା ଅବସାଦ ନୁହେଁ ବର° ଏହା ମଣିଷ ଯେକୌଣସି ଗୋଟିଏ ଋତୁକୁ କେମିତି ଗ୍ରହଣ କରୁଛି, ତା’ ଉପରେ ନିର୍ଭର କରେ। ଯେମିତିକି ପାଠପଢା ଏବଂ ସ୍କୁଲ ଯିବାକୁ ଭଲ ପାଉଥିବା ଜଣେ ଛାତ୍ର ପାଇଁ ବର୍ଷାଋତୁ ବିରକ୍ତିକର ହୋଇଥିବା ବେଳେ ସ୍କୁଲ ଯିବା ପାଇଁ ବାଧ୍ୟ ହେଉଥିବା ପିଲାଟିଏ ପାଇଁ ବର୍ଷାଋତୁ ଆନନ୍ଦ ଦାୟକ ହୋଇପାରେ। ସେମିତି ଜଣେ କୃଷକ ପାଇଁ ବର୍ଷାଋତୁ ଆନନ୍ଦର କାରଣ ହୋଇ, ଜଣେ ଗୃହ କିମ୍ବା ରାସ୍ତା ନିର୍ମାଣ ଶ୍ରମିକ ପାଇଁ ଦୁଃଖର କାରଣ ହୋଇଥାଏ।

Advertisment

(୨) SAD: କିଛି ବିଶେଷଜ୍ଞଙ୍କ ମତରେ ଏହା ପଛରେ SAD ବା ସିଜନାଲ୍ ଆଫେକ୍ଟିଭ୍ ଡିଜଅର୍ଡର ମଧ୍ୟ ହୋଇପାରେ। ଏଥିରେ ମଣିଷ ଯେକୌଣସି ଗୋଟିଏ ଖାସ୍ ଋତୁ କିମ୍ବା ଜଳବାୟୁ ପରିବର୍ତ୍ତନ ସମୟରେ ଅବସାଦ ଗ୍ରସ୍ତ ହୋଇ ପଡେ।

(୩) ଓ୍ବେଦର ଫୋବିଆ: କିଛି ମଣିଷଙ୍କ ଭିତରେ ଗୋଟିଏ ଋତୁକୁ ନେଇ ଅହେତୁକ ଏବଂ ଅକାରଣରେ ଭୟ ଥାଏ, ଏହା ମଧ୍ୟ ଅବସାଦର କାରଣ ହୋଇପାରେ।

Advertisment

(୪) ଅତ୍ୟଧିକ ଖରା-ଗରମ, ଶୀତ ଏବଂ ବର୍ଷା, ଜଳବାୟୁରେ ଯେକୌଣସି extreme ପରିବର୍ତ୍ତନର ମଣିଷ ଉପରେ ଶାରୀରିକ ଏବଂ ମାନସିକ କୁପ୍ରଭାବ ପକାଇଥାଏ, ଏହା ପ୍ରମାଣିତ। ଦିନଦିନ ଧରି ବର୍ଷା ଲାଗି ରହିଲେ ମଣିଷର ଆଉଟଡୋର ଆକ୍ଟିଭିଟି ବା ଘରବାହାରକୁ ଚଳପ୍ରଚଳ, ଚଲାବୁଲା ଏବଂ ଖେଳକୁଦ କମିଯାଏ, ଶାରୀରିକ କାମ କମିଯାଏ। ଏହା ମଣିଷର ପାଚନକ୍ରିୟାକୁ ପ୍ରଭାବିତ କରି ପେଟ ଫମ୍ପେଇବା, କୋଷ୍ଠକାଠିନ୍ୟ ଆଦିର କାରଣ ହୋଇପାରେ। ଯାହା ମଣିଷକୁ ମାନ୍ଦା ଏବଂ ଥକ୍କା ଲାଗିବା ପାଇଁ ଦାୟୀ ହୋଇଥାଏ। ଫୁର୍ତ୍ତି ଅନୁଭବ କରିବା ପାଇଁ ମଣିଷ ବାରମ୍ବାର ଚା’ ଏବଂ କଫି ସେବନ କରେ, ଯାହା ଡିହାଇଡ୍ରେସନର କାରଣ ହୋଇଥାଏ ଏବଂ ମଣିଷକୁ ଥକ୍କା ଲାଗେ।

(୫) ବର୍ଷାଋତୁରେ ବାଦଲ ଘୋଡେଇ ହୋଇ ରହିବା ଦ୍ବାରା ପୃଥିବୀ ପୃଷ୍ଠାରେ ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟ କିରଣ ପହଞ୍ଚି ପାରେ ନାହିଁ। ଏହା ଦ୍ବାରା ମଣିଷ ଶରୀର ସଠିକ ମାତ୍ରାରେ Vitamin- D ତିଆରି ହୋଇପାରେ ନାହିଁ, ଯାହା ଶରୀରରେ ସେରୋଟୋନିନ୍ କ୍ଷରଣରେ ବାଧା ସୃଷ୍ଟି କରେ। ଏହି ସେରୋଟୋନିନ୍ ହରମୋନ୍ ମଣିଷର ମୁଡକୁ ନିୟନ୍ତ୍ରଣ କରିଥାଏ। ଖୁସିହେବା, ଫୁର୍ତ୍ତି ଅନୁଭବ କରିବା, ସ୍ମୃତିଶକ୍ତି, ନୂତନ ବିଷୟ ଜାଣିବା ଓ ଶିଖିବାର ଇଚ୍ଛା, ଶରୀରର ତାପମାତ୍ରା, ନିଦ୍ରା, ସାମାଜିକ ଓ ପାରିବାରିକ ବ୍ୟବହାର, ଏସବୁ ସେରୋଟୋନିନ୍ ନିୟନ୍ତ୍ରଣ କରିଥାଏ। ସେରୋଟୋନିନର ଅଭାବରେ ଅହେତୁକ ଅବସାଦ, ଭୟ, ଚିନ୍ତା ଦେଖା ଯାଇଥାଏ।

Advertisment

(୬) ହଠାତ୍ ଜଳବାୟୁ ପରିବର୍ତନ କାରଣରୁ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଆସି ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ସମସ୍ୟା ଦେଖା ଯାଇ ପାରେ ଏବଂ ଏହା ଦ୍ବାରା କାମ କରିବା ପାଇଁଁ ସ୍ପୃହା ଆସେ ନାହିଁ, ଅଳସୁଆ ଲାଗେ।

(୭) ସନ୍ତସନ୍ତିଆ, ଓଦାଳିଆ ପାଗ କାରଣରୁ ମଣିଷର ବାହାରେ ଚଳପ୍ରଚଳ ହେବା ଓ ସାମାଜିକ ଯୋଗାଯୋଗ ମଧ୍ୟ କମିଯାଏ, ଏହା ମଣିଷକୁ ଦୁଃଖିତ କରିଥାଏ।

ବର୍ଷା ଋତୁରେ ଦେଖା ଯାଉଥିବା ସାଧାରଣ ମୁଡ୍:

(୧) ଥକ୍କା ଲାଗିବା, ହାଲିଆ ଲାଗିବା, ଅଳସୁଆ ଲାଗିବା, ଶାରୀରିକ ପରିଶ୍ରମ ପାଇଁ ଇଚ୍ଛା ନହେବା।

(୨) ଏକୁଟିଆ ଲାଗିବା, ମନ ଦୁଃଖ ହେବା

(୩) ମସ୍ତିଷ୍କ ଶୂନ୍ୟ ଏବଂ ଭାବନା ଶୂନ୍ୟ ମନେ ହେବା, ବ୍ଲାଙ୍କ୍ ଫିଲ୍ ହେବା

(୪) ମୁଡ୍ ସ୍ବିଙ୍ଗ୍ ହେବା, ଚିଡଚିଡା ଲାଗିବା

(୫) ମିଠା ଏବଂ ମସଲାଦାର ଖାଦ୍ୟ ବା ଜଙ୍କ୍ ଫୁଡ୍ ପାଇଁ ମନବଳେଇବା

ବର୍ଷା ଦିନିଆ ମୁଡ୍ ସ୍ବିଙ୍ଗ୍ କାହାର ଅଧିକ ଦେଖାଯାଏ:

(୧) ବୟସ୍କ ବ୍ୟକ୍ତି, ହୋମ୍ ମେକର୍

(୨) କେୟାର୍ ଗିଭର୍ ଏବଂ ଘରୁ ଦୂରରେ ରହି କାମ କରୁଥିବା ବ୍ୟକ୍ତି

(୩) ଛାତ୍ରଛାତ୍ରୀ

(୪) ମାନସିକ ଅବସାଦରେ ପିଡୀତ ବ୍ୟକ୍ତି

ବର୍ଷାଋତୁର ଅବସାଦକୁ ଦୂର କରିବା ପାଇଁ ଉପାୟ:

(୧) ଚା’- କଫି ପରି ପାନୀୟ ଗ୍ରହଣକୁ ନିୟନ୍ତ୍ରଣ କରନ୍ତୁ। ଅଦା-ତୁଳସୀ କିମ୍ବା ଲେମ୍ବୁ - ମହୁ ଚା’ ପିଅନ୍ତୁ।

(୨) ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ। ଏକଦମ୍ ପେଟପୁରା ନଖାଇ ଅଳ୍ପ-ଅଳ୍ପ କରି ଖାଆନ୍ତୁ। ଖଟ ଉପରେ ପଡିରହି, ଟିଭି କିମ୍ବା ମୋବାଇଲ ଦେଖୁଥିବା ସମୟରେ ଖାଆନ୍ତୁ ନାହିଁ, ଏହା ଓଜନ ବୃଦ୍ଧି, ମେଦବହୁଳତାର କାରଣ ହୋଇପାରେ, ଯାହା ପୁଣି ଅବସାଦର କାରଣ ହୁଏ।

(୨) ଘର କୋଣରେ ଥିବା ନିଜ ପଢା କିମ୍ବା ଖାଇବା ଟେବଲରେ ବସି ରୁହନ୍ତୁ ନାହିଁ। ବାଲକନୀ କିମ୍ବା ଘରର ଯେକୌଣସି ଅ°ଶ ଯେଉଁଠି ଅଧିକରୁ ଅଧିକ ମାତ୍ରା ଓ ସମୟ ପାଇଁ ସୂର୍ଯ୍ୟାଲୋକ ରହୁଛି ସେଠି ବସି କାମ କରନ୍ତୁ ଓ ଖାଆନ୍ତୁ।

(୩) ଖାଦ୍ୟ କିମ୍ବା ଟିଭି- ମୋବାଇଲ ପରଦା ମାଧ୍ୟମରେ ଅବସାଦ ଦୂର କରିବାର ଉପାୟ ନଖୋଜି ଛୋଟଛୋଟ ବନ୍ଧୁମିଳନ, ପରିବାର ବର୍ଗଙ୍କ ସହ ଲୁଡୋ, ଚେସ୍, କ୍ୟାରମ୍ ଆଦି ଖେଳିବା, ହାଲୁକା ବର୍ଷା ସମୟରେ ଛତା ଧରି ଚାଲିବା, ନୂଆ ବହି ପଢିବା, ବଗିଚା କାମ କରିବା ଅଭ୍ୟାସ କରନ୍ତୁ।

(୪) ହାଲୁକା ବ୍ୟାୟାମ କିମ୍ବା ନାଚ ମାଧ୍ୟମରେ ଶରୀରକୁ ଓ୍ବାର୍ମ-ଅପ୍ କରନ୍ତୁ।

(୫) ମନକୁ ପ୍ରଫୁଲ୍ଲିତ କଲା ପରି ଗୀତ ଶୁଣନ୍ତୁ।

(୬) କମ୍ ବର୍ଷା ହେଉଥିବା ଅଞ୍ଚଳକୁ ବୁଲିବା ପାଇଁ ଯାଆନ୍ତୁ।

(୭) ଡାକ୍ତରଙ୍କ ପରାମର୍ଶ ଏବଂ ରକ୍ତ ପରୀକ୍ଷା ପରେ ଆବଶ୍ୟକ ସ୍ଥଳରେ Vitamin D ଗ୍ରହଣ କରନ୍ତୁ।

ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ: ଦୁଇ ସପ୍ତାହରୁ ଅଧିକ ସମୟ ଧରି ଅତ୍ୟଧିକ ଏବଂ ଅନିୟନ୍ତ୍ରିତ ଅବସାଦ ଲାଗି ରହି, ଦୈନନ୍ଦିନ ପାରିବାରିକ, କାର୍ଯ୍ୟାଳୟ ଏବଂ ସାମାଜିକ ଜୀବନକୁ ପ୍ରଭାବିତ କରୁଥିଲେ ସାଇକିଆଟ୍ରିଷ୍ଟଙ୍କ ସାହାଯ୍ୟ ନିଅନ୍ତୁ।

Mental Health Muscular Weakness Rainy Weather
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ