Mahakumbh Mela 2025: କ’ଣ ଏହି ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ? କାହିଁକି ଦୂଷିତ ହେଉଛି ସଙ୍ଗମ ଘାଟର ପାଣି ?

ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।

କାହିଁକି ଦୂଷିତ ହେଉଛି ପବିତ୍ର ସଙ୍ଗମ ?

ମହାକୁମ୍ଭ…ପ୍ରୟାଗରାଜ…ସଙ୍ଗମଘାଟ… ଅମୃତସ୍ନାନ.. । ଗତ କିଛି ଦିନ ଧରି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସବୁରି ମୁହଁରେ ଏହି ସବୁ ଶବ୍ଦ । ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ଅମୃତ ବେଳାରେ ବୁଡ ପକାଇବେ. ଅକ୍ଷୟ ପୁଣ୍ୟ ଅର୍ଜନ କରିବେ..ଏମିତି ଭାବନା ନେଇ କୋଟି କୋଟି ଶ୍ରଦ୍ଧାଳୁ ଦେଶରୁ ବିଦେଶ ସବୁଠୁ ଧାଇଁ ଆସୁଛନ୍ତି । ଏତେ ଲୋକଙ୍କ ପାପ ଖଣ୍ଡନ କରୁ କରୁ ଏବେ ଗଙ୍ଗା, ଯମୁନାର ସଙ୍ଗମ ଘାଟ ପୁତିଗନ୍ଧମୟ ହୋଇଗଲାଣି ।

ପ୍ରୟାଗରାଜର ଗଙ୍ଗା-ଯମୁନା ପାଣି ଅନେକ ଜାଗାରେ ଆଉ ବ୍ୟବହାର ଯୋଗ୍ୟ ହୋଇ ନାହିଁ । କହିବାକୁ ଗଲେ ସଙ୍ଗମର ଅନେକ ସ୍ଥାନରେ ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ସ୍ତର ବହୁତ ଅଧିକ ବଢିଗଲାଣି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ନେଇ ଏକ ରିପୋର୍ଟ ନାଶନାଲ ଗ୍ରୀନ ଟ୍ରିବ୍ୟୁନାଲକୁ ଦେଇଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ଫିକଲ କୋଲିଫର୍ମ ଯୋଗୁ ସଙ୍ଗମର ଜଳ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି ।

ରିପୋର୍ଟ ଅନୁସାରେ, ଯେବେଠାରୁ ମହାକୁମ୍ଭ ଚାଲି ଆସିଛି, ସେବେଠାରୁ ପ୍ରୟାଗରାଜ ସଙ୍ଗମର ଅଲଗା ଅଲଗା ସ୍ଥାନରେ ଫିକଲ କୋଲିଫର୍ମ ମାତ୍ରା ଅଧିକ ଦେଖିବାକୁ ମିଳୁଛି । ମହାକୁମ୍ଭରେ ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧିକ ଲେକାଙ୍କ ଗଙ୍ଗାରେ ବୁଡ ପକାଇ ସାରିଲେଣି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାର, ଏହି ପାଣିରେ ଫିକଲ କୋଲିଫର୍ମର ମାତ୍ରା ୧୦୦ ମିଲିମିଟର ପାଣିରେ ୨,୫୦୦ ୟୁନିଟରୁ ବହୁତ ଅଧିକ ରହିଛି ।

ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀରେ ଏହି ପ୍ରଦୂଷଣ ରୋକିବା ପାଇଁ ଏନଜିଟି ଶୁଣାଣି କରୁଛି । ମହାକୁମ୍ଭ ମେଳାରେ ଏହି ପ୍ରଦୂଷଣ ନିୟନ୍ତ୍ରଣ ଯୋଜନାକୁ ନେଇ ଏନଜିଟି ୟୁପି ସରକାରକୁ ନିର୍ଦ୍ଦେଶ ବି ଦେଇଛି । ଏନଜିଟି ନିଜ ଟିପ୍ପଣୀରେ ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କଡା ସମାଲୋଚନା କରି କହିଛନ୍ତି, ‘ଆପଣ ୫୦ କୋଟି ଲୋକଙ୍କୁ ପ୍ରଦୂଷିତ ପାଣିରେ ଗାଧୋଇଦେଲେ । ଯେଉଁ ପାଣି ଗାଧୋଇବା ପାଇଁ ଯୋଗ୍ୟ ନୁହେଁ ସେହିପାଣିରେ ଲୋକେ ବୁଡ଼ ମାରୁଛନ୍ତି ।’

ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ କ’ଣ ?

ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ଉଷ୍ମ ରକ୍ତ ଥିବା ଜନ୍ତୁ କିମ୍ବା ମଣିଷଙ୍କ ଅନ୍ତନଳୀରେ ଥାଏ । ଏ ବ୍ୟାକ୍ଟେରିଆକୁ ସାଧାରଣତଃ ଜଳରେ ସମ୍ଭାବ୍ୟ ପ୍ରଦୂଷଣର ସୂଚକ ଭାବେ ବିବେଚନା କରା ଯାଇଥାଏ । ଏମାନଙ୍କ ଉପସ୍ଥିତିରୁ ଜଣା ପଡିଥାଏ ଯେ, ପାଣିରେ ହାନିକାରକ ରୋଗର ଜୀବାଣୁ ଯେମିତି ଭାଇରସ, ପରଜୀବି କିମ୍ବା ଅନ୍ୟ ବ୍ୟାକ୍ଟେରିଆ ଆଦି ଥାଇପାରେ । ଏହି ସବୁ ହାନିକାରକ ଜୀବାଣୁ ମଣିଷ ଏବଂ ଜୀବଜନ୍ତୁଙ୍କ ମଳରୁ ସୃଷ୍ଟି ହୋଇଥାନ୍ତି । ପାଣିର ଗୁଣବତ୍ତା ଯାଞ୍ଚ କରିବା ପାଇଁ ସାଧାରଣତଃ ଫିକଲ କୋଲିଫର୍ମ ଯାଞ୍ଚ କରା ଯାଇଥାଏ । ପାଣିରେ ଫିକଲ କୋଲିଫର୍ମର ମାତ୍ରାକୁ ଦେଖି ଜଣାପଡିଥାଏ ଯେ, ଏହା ପିଇବା, ଗାଧୋଇବା ତଥା ଅନ୍ୟାନ୍ୟ କାମ ପାଇଁ କେତେ ସୁରକ୍ଷିତ ।

ଫିକଲ କୋଲିଫର୍ମ ପ୍ରତି କାହିଁକି ସଚେତନ ରହିବା ଜରୁରୀ ?

ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁଯାୟୀ, ପ୍ରୟାଗରାଜରେ ନଦୀରେ ମୁଖ୍ୟତଃ ବର୍ଜ୍ୟ ବସ୍ତୁ ମିଶିବା କାରଣରୁ କୋଲିଫର୍ମ ଜୀବାଣୁ ସୃଷ୍ଟି ହୋଇ ପାଣିକୁ ଦୂଷିତ କରୁଛି।

କେତେ କ୍ଷତିକାରକ ଏହି କୋଲିଫର୍ମ ବ୍ୟାକ୍ଟେରିଆ ?

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁସାରେ, ଏବେ ଚାଲିଥିବା ମହାକୁମ୍ଭ ସମୟରେ ଫିକଲ କୋଲିଫର୍ମ ସ୍ତର ପ୍ରତି ୧୦୦ ମିଲିଲିଟରରେ ୨,୫୦୦ ୟୁନିଟ ରହିଛି ଯାହା ସୁରକ୍ଷିତ ସୀମାଠାରୁ କାହିଁ କେତେ ଅଧିକ । ରିପୋର୍ଟରେ ଆହୁରି ଦର୍ଶାଯାଇଛି, ଏହି ମାତ୍ରାର ପ୍ରଦୂଷିତ ଜଳ ନଦୀରେ ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବହୁତ କ୍ଷତିକାରକ । ପ୍ରୟାଗରାଜର ସଙ୍ଗମରେ ଦିନକୁ ଲକ୍ଷ ଲକ୍ଷ ଲୋକ ପ୍ରବେଶ କରୁଛନ୍ତି ବୁଡ଼ ପକାଇବା ପାଇଁ । ଯାହାଫଳରେ ତୀର୍ଥଯାତ୍ରୀଙ୍କ ପାଇଁ ଜଳଜନିତ ରୋଗର ସମସ୍ୟା ଯଥେଷ୍ଟ ବଢି ଯାଇଛି । ଏହାବ୍ୟତୀତ ଆଖପାଖରୁ ବର୍ଜ୍ୟବସ୍ତୁ ମିଶିବା ଯୋଗୁ ପ୍ରଦୂଷଣର ମାତ୍ରା ଆହୁରି ବଢିଯାଉଛି । ଏହି ଦୂଷିତ ଜଳ ସମ୍ପର୍କରେ ଆସିବା ଯୋଗୁ ପାଚନ, ସଂକ୍ରମଣ, ଚର୍ମ ଫଳିଯିବା , ଆଖି ପୋଡାଜଳା ହେବା, ଟାଇଫଏଡ, ହେପାଟାଇଟିସ ଏ ଭଳି ଗମ୍ଭୀର ରୋଗ ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

କ୍ୟାନ୍ସର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନପାରେ

ଏହି ଦୂଷିତ ପାଣି ଯଦି ପ୍ରଶ୍ୱାସ ନେବାବେଳେ ଭିତରକୁ ଚାଲିଯାଏ ତେବେ ଶ୍ୱାସ କ୍ରିୟା ଜନିତ ସମସ୍ୟା ଦେଖା ଦେଇପାରେ । ବିଶେଷକରି ଛୋଟ ଛୋଟ ପିଲା, ବୟସ୍କ ଲୋକଙ୍କ ପାଖରେ ଏହି ସଂକ୍ରମଣ ଆଶଙ୍କା ଅଧିକ ରହିଛି । ତେବେ ଏହି ପ୍ରଦୂଷଣ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମଧ୍ୟ ଏକ ବଡ ବିପଦ ସୃଷ୍ଟି କରିଥାଏ । ବିଶେଷକରି ଯେଉଁମାନେ ଦୈନନ୍ଦିନ ଆବଶ୍ୟକତା ପାଇଁ ଗଙ୍ଗା ଉପରେ ନିର୍ଭର କରନ୍ତି ସେମାନଙ୍କ ପାଇଁ ବେଶି ବିପଦର ଆଶଙ୍କା ରହିଛି ।

ପାଣିରେ ଥିବା ମଳ ଜୀବାଣୁ ସହ ନିରନ୍ତର ସଂସ୍ପର୍ଶରେ ଆସିବା ଫଳରେ ସଂକ୍ରମଣ ଆଶଙ୍କା ବଢି ଯାଇଥାଏ । ଏହାର ପ୍ରଭାବରେ ଚର୍ମଜନିତ ରୋଗ, ପାଚନକ୍ରିୟା, ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥାଏ । ଦୀର୍ଘଦିନ ଧରି ଏପରି ପ୍ରଦୂଷଣ ଭିତରେ ରହିବା ଫଳରେ ମୁତ୍ରାଶୟ ଏବଂ କୋଲନ କ୍ୟାନ୍ସର ସମେତ ଅନ୍ୟ କ୍ୟାନ୍ସର ଆଶଙ୍କା ମଧ୍ୟ ଦେଖା ଦେଇପାରେ ।

(ବି.ଦ୍ର- ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ଦ୍ୱାରା ସଗୃହିତ)