Astrospeak
  • Live TV
  • Read In English

Brain Rot Modern Mental Health Crisis: ବ୍ରେନ୍ ରଟ୍ : ଆଧୁନିକ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ମୂଳରେ ରହିଛି ଡୁମସ୍କ୍ରୋଲିଙ୍ଗ

ବ୍ରେନ୍ ରଟ୍ କ'ଣ ? ଡୁମସ୍କ୍ରୋଲିଙ୍ଗ କ'ଣ ? ଏଥିରେ ଆପଣ ଆକ୍ରାନ୍ତ କି ? ଏଥିରୁ ଆପଣ ବାହାରିବେ କିପରି ? ଆଦି ପ୍ରଶ୍ନର ଉତ୍ତର ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

ଆଧୁନିକ ମହାମାରୀ
ଆଧୁନିକ ମହାମାରୀ

କିଛିଦିନ ତଳେ ତିରିଶ ବର୍ଷୀୟ ରବି ସହ ମୋର ଦେଖା ହୋଇଥିଲା । ସେ ଗୋଟିଏ ମଲ୍ଟି-ନ୍ୟାସନାଲ୍ କମ୍ପାନୀରେ କାମ କରେ । ତା’ର କ୍ଳାନ୍ତ ଆଖି ଓ ଅବସନ୍ନ ହାତ ପାଦ ଦେଖି ମୋତେ ସତରେ ବ୍ୟସ୍ତ ଲାଗିଲା । ସେ ହାରିଯାଇ ନଥିଲା କିନ୍ତୁ ତା’ ଭିତରେ ଅନେକ କିଛି ଥମି ଯାଇଥିଲା। ଯେମିତି; ପୁରା ନିଶ୍ଚଳ, ନୀରବ । ଆଖିର ପଲକ ବି ବେଶ୍ ସ୍ଥିର । ସେ କହିଲା, “ମୁଁ ଜାଣିନି ମୋ ସହ କ’ଣ ଘଟୁଛି । ମୁଁ ସକାଳୁ କ୍ଲାନ୍ତ ହୋଇ ଉଠେ ଓ ରାତିରେ ଶୋଇବା ବେଳକୁ ବ୍ୟସ୍ତ ବିବ୍ରତ ହୋଇ ଶୁଏ । ଆଉ ଦିନ ସାରା ଘଣ୍ଟା ଘଣ୍ଟା ଧରି ଦିଶାହୀନ ଭାବେ ସ୍କ୍ରୋଲ୍ କରିଚାଲେ ।”


ଋବିର କାହାଣୀ ଆମ ସମାଜରେ ବିରଳ ନୁହେଁ । କିନ୍ତୁ ଏହା ଏତେ ସାଧାରଣ ହେବା ହିଁ ବେଶୀ ଚିନ୍ତାଜନକ । ଆମେ ଏମିତି ଏକ ଦୁନିଆରେ ରହୁଛନ୍ତି ଯେଉଁଠି ୫ ମିନିଟ୍ ନ୍ୟୁଜ୍ ଦେଖିବାକୁ ଯାଇ ନିଜ ଉପରେ ନିୟନ୍ତ୍ରଣ ହରାଇ ନକାରାତ୍ମକତା, ଭୁଲ୍ ସୂଚନା, ଅପବାଦ ଓ ବିପତ୍ତି ଦେଖିବାରେ ଦୁଇ ଘଣ୍ଟା କେମିତି ବିତିଯାଏ ଜାଣିହୁଏନା । ଏହା କେବଳ ଆମେ ହରାଉଥିବା ସମୟ ନୁହେଁ, ଏହା ଆମର ମାନସିକ ସୁସ୍ଥତା ।

ଏହି ନୀରବ ମହାମାରୀ ଯାହା ମାନବ ଜୀବନର ଶାନ୍ତି, ସୁସ୍ଥତା, ସୁଖ, ସ୍ୱାଚ୍ଛନ୍ଦ୍ୟକୁ ଖାଇଯାଉଛି; ତା’ର ନାଁ ହେଉଛି "ବ୍ରେନ୍ ରଟ୍" । ଏହାର ଆକ୍ଷରିକ ଓ ସାଙ୍କେତିକ ଓଡିଆ ଅର୍ଥ ହେବ "ପଚା ମସ୍ତିଷ୍କ" ।

“ବ୍ରେନ୍ ରଟ୍” ପ୍ରକୃତରେ କ’ଣ ?

ଆପଣ ହୁଏତ ଅନୁଭବ କରିଥିବେ ଯେ ଇନଷ୍ଟାଗ୍ରମ୍ ରିଲ୍, ଟ୍ୱିଟର୍ ଯୁକ୍ତି ବା ଖବର ଶୀର୍ଷକ ସବୁ ସ୍କ୍ରୋଲ୍ କରିବା ପରେ କେମିତି ଗୋଟେ ନୀରସତା ମାଡି ଆସେ, ଯାହା ଭୟ ଭାବ ଗୋଟେ ତିଆରି କରେ । ସେଇ ଶୂନ୍ୟ ଓ ମାନସିକ ଭାବରେ ଆଳସ୍ୟ ଅନୁଭବ ହେଉଛି ବ୍ରେନ୍ ରଟ୍ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମ୍ପ୍ରତି ଏହି ‘ବ୍ରେନ୍ ରଟ୍’ ଶବ୍ଦକୁ ୨୦୨୪ର ଶ୍ରେଷ୍ଠ ଶବ୍ଦ (ୱାର୍ଡ ଅଫ୍ ଦ ଇୟର୍) ଭାବରେ ଘୋଷଣା କରିଛି । ଏହା ଦର୍ଶାଉଛି ଯେ, ଏଇ ଅବଧାରଣା ଆମ ଜୀବନ ସହ କେତେ ଗଭୀର ଭାବରେ ଜଡିତ । ସରଳ ଭାବରେ କହିଲେ, ‘ବ୍ରେନ୍ ରଟ୍’ ହେଉଛି ଗୋଟିଏ ପ୍ରକାରର ମାନସିକ ଅବନତି ଯାହା ତୁଚ୍ଛ, ନକରାତ୍ମକ ଓ ଉତ୍ତେଜନାପୂର୍ଣ୍ଣ ଡିଜିଟାଲ୍ ବିଷୟବସ୍ତୁର ଅତ୍ୟଧିକ ସମ୍ପର୍କରେ ଆସିବା କାରଣରୁ ହୁଏ । ଏହା 'ଡୁମସ୍କ୍ରୋଲିଂ' ସହ ଘନିଷ୍ଠ ଭାବରେ ଜଡିତ। ଡୁମସ୍କ୍ରୋଲିଂ ଦୁଃଖଦାୟକ ଖବର ବା କମ୍ ମୂଲ୍ୟବୋଧ ଥିବା ଡିଜିଟାଲ୍ ଖବର ଖୋଜି ଦେଖିବା ଲାଗି ବାଧ୍ୟ କରୁଥିବା ମନୋବୃତ୍ତିକୁ ବୁଝାଏ। ଏହା ଧୀରେ ଧୀରେ ଆମକୁ ନୀରବରେ କିନ୍ତୁ ଶକ୍ତିଶାଳୀ ଭାବରେ ଗ୍ରାସ କରିଯାଉଛି ।

୧୭୦ ବର୍ଷ ପୂର୍ବେ ଜନ୍ମିତ ଏକ ଶବ୍ଦର ସ୍କ୍ରିନ୍ ପାଇଁ ପୁର୍ନଜନ୍ମ:

ଆପଣ କ’ଣ ବିଶ୍ୱାସ କରିବେ କି ‘ବ୍ରେନ୍ ରଟ୍’ ଶବ୍ଦଟି ୧୮୫୪ ମସିହାରେ ପ୍ରଥମେ ବ୍ୟବହୃତ ହୋଇଥିଲା ବୋଲି ?

ହଁ, ଠିକ୍ ଶୁଣିଛନ୍ତି । ପ୍ରାୟ ୧୭୧ ବର୍ଷ ପୂର୍ବେ ।

ଆମେରିକୀୟ ଦାର୍ଶନିକ ହେନରୀ ଡେଭିଡ୍ ଥୋରୋ, ତାଙ୍କ “କ୍ଲାସିକ୍ ୱାଲଡେନ୍”ରେ ସ୍ମାର୍ଟଫୋନ୍ ଆସିବାର ଅନେକ ଆଗରୁ ଅଗଭୀର ଜୀବନଶୈଳୀ ଓ ଉପରଠାଉରିଆ ଚିନ୍ତାଧାରାକୁ ନେଇ ଦୁଃଖ ପ୍ରକାଶ କରି କହିଥିଲେ;

“ଇଂଲଣ୍ଡ ଆଳୁ ପଚିବା ରୋଗର ଚିକିତ୍ସା କରିବାକୁ ଚେଷ୍ଟା କରୁଥିବା ବେଳେ, କେହି କ’ଣ ମସ୍ତିଷ୍କ ପଚିଯିବା (ବ୍ରେନ୍ ରଟ୍) ରୋଗର ଚିକିତ୍ସା କରିବାକୁ କୌଣସି ପ୍ରୟାସ କରିବେ ନାହିଁ, ଯାହା ଖୁବ୍ ଅଧିକ ବ୍ୟାପକ ଓ ବହୁତ ମାରାତ୍ମକ?”

ଥୋରୋ ଯାହାକୁ ଉପର ଠାଉରିଆ ଜୀବନ କହୁଥିଲେ, ତାହା ଏମିତି ଏକ ଅସ୍ତିତ୍ୱ ଯାହା ପ୍ରକୃତି, ସ୍ଥିରତା ଓ ଅର୍ଥପୂର୍ଣ୍ଣତା ଠାରୁ ବିଚ୍ଛିନ୍ନ ଏକ ଜୀବନ । ଆମ ଜୀବନ ଦିନେ ଏମିତି ହୋଇଯିବ ବୋଲି ସେ ଭୟ କରୁଥିଲେ । ସେ ସେତେବେଳେ ଯାହା ବର୍ଣ୍ଣନା କରିଥିଲେ, ଆଜି ଆମେ ସେଇ ଦୁନିଆରେ ବଞ୍ଚୁଛେ । ଏବେ କେବଳ ଏତିକି ଭିନ୍ନ ଯେ, ଏହା ଏବେ ଆମ ପକେଟ୍ ଭିତରେ ରହିଯାଉଛି ଏବଂ ଅନ୍ତହୀନ ସମୟ ପର୍ଯ୍ୟନ୍ତ ସ୍କ୍ରୋଲ୍ ହୋଇଚାଲିଛି ।

ଡୁମସ୍କ୍ରୋଲିଂ ; ଚର୍ଚ୍ଚାକୁ ଆସିନଥିବା ଏକ ନୂଆ ନିଶା

ନିଜ ମସ୍ତିଷ୍କକୁ ଏକ ସ୍ପଞ୍ଜ ଭାବରେ କଳ୍ପନା କରନ୍ତୁ । ପ୍ରତ୍ୟେକ ସ୍କ୍ରୋଲ୍, ସ୍ୱାଇପ୍ ଏହାକୁ ଭରି ଦେଉଛି – କେବେ କେମିତି ଖୁସିରେ, କିନ୍ତୁ ପ୍ରାୟତଃ ଉଦବେଗ, ଭୟ ଏବଂ ଅବାନ୍ତର କଥାରେ ।

ଆମେ ସ୍କ୍ରୋଲ୍ କରନ୍ତି, କାରଣ ଆମେ ସୂଚନା ପାଇବାକୁ ଚାହାନ୍ତି । ଆମେ ସେଇଠି ଅଟକି ଯାଆନ୍ତି କାରଣ ଆଲଗୋରିଦିମ୍ ଜାଣିଛି ଆମକୁ କେମିତି ଫସେଇ ହେବ । ଏବଂ ଆମେ ଚକ୍କର କାଟନ୍ତି କାରଣ ଆମର ମସ୍ତିଷ୍କ ଯିଏ ବଞ୍ଚିବା ପାଇଁ ତିଆରି ହୋଇଛି ତାହା ବିପଦ ଓ ସଙ୍କଟକୁ ପ୍ରାଥମିକତା ଦେବା ଆରମ୍ଭ କରେ ।

ଡୁମସ୍କ୍ରୋଲିଂ ମସ୍ତିଷ୍କର ସେଇ ତାର ସହିତ ଖେଳେ । ଏହା ଆପଣଙ୍କୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ଦିଏ, ଯାହାଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଲାଗେ ଯେ ସେ ଆପଣଙ୍କୁ ରକ୍ଷା କରୁଛି, କିନ୍ତୁ ଏହା ଆପଣଙ୍କୁ ପଙ୍ଗୁ ବନାଇଦିଏ ।

୨୦୨୩ ମସିହାର ପ୍ୟୁ ରିସର୍ଚ୍ଚ ସେଣ୍ଟର ସର୍ଭେରୁ ଜଣାପଡିଛି ଯେ, ୩୦ ବର୍ଷରୁ କମ୍ ବୟସର ୩୧ ପ୍ରତିଶତ ବୟସ୍କ କହିଛନ୍ତି ଯେ, “ଖବର ସେମାନଙ୍କ ଜୀବନ ସମ୍ପର୍କରେ ସେମାନଙ୍କୁ ଖରାପ ଅନୁଭବ ଦିଏ, କିନ୍ତୁ ସେ ଏସବୁ ଦେଖିବା ବନ୍ଦ କରିପାରିବେ ନାହିଁ ।” ଏହି ବିଷାକ୍ତ ଚକ୍ର କେବଳ ଆମ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ – ଏହା ଆମ ଭାବନା ଓ ଦୁନିଆ ସହ ଯୋଡି ହେବାର ଉପାୟକୁ ବଦଳାଇ ଦିଏ ।

ଆପଣ ବି ‘ବ୍ରେନ୍ ରଟ୍’ର ଶିକାର କି ? ତେବେ ଏହି ସଂକେତ ସବୁ ଦେଖନ୍ତୁ ।

ନିମ୍ନରେ ଦିଆଯାଇଥିବା କିଛି ସାଧାରଣ ସଂକେତ ଉପରେ ଧ୍ୟାନ ଦିଅନ୍ତୁ ।
• ବିଶ୍ରାମ ନେବା ପରେ ବି ମାନସିକ କ୍ଳାନ୍ତି ।
• ଏକାଗ୍ରତାର ଅବଧି ଖୁବ୍ କମ୍  ।
• ପଢିବା ବା ଶୁଣିବା ସମୟରେ ଧ୍ୟାନ କେନ୍ଦ୍ରିତ କରିନପାରିବା ।
• ସ୍କ୍ରିନ୍ ଟାଇମ୍ ପରେ ଚିଡଚିଡା ଲାଗିବା ବା ମନୋଭାବ ପରିବର୍ତ୍ତନ (ମୁଡ୍ ସୁଇଙ୍ଗ) ।
• ଜୀବନ ଓ ଦୁନିଆ ପ୍ରତି ନିରାଶାବାଦୀ ଦୃଷ୍ଟିକୋଣ ।
• ଦୀର୍ଘ ସମୟ ଧରି ସ୍କ୍ରୋଲ୍ କରିବା ପରେ ନିଜକୁ ଦୋଷୀ ଦୋଷୀ ଲାଗିବା ।
• ସ୍ମୃତିଶକ୍ତି କମିବା ବା ଚିନ୍ତାଶକ୍ତି ଧୂଆଁଳିଆ ହୋଇଯିବା ।
• ସାମାଜିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିବା ।
• ଭଲ ଲାଗୁଥିବା କାମ ବା ସଉକ ପୁରା କରିବା ପାଇଁ ପ୍ରେରଣା ନରହିବା ।
• ସ୍କ୍ରିନ୍ ର ଅତ୍ୟଧିକ ବ୍ୟବହାର କାରଣରୁ ନିଦ ନଆସିବା।

ଯଦି ଏ ଭିତରୁ ତିନୋଟିରୁ ଅଧିକ ଆପଣଙ୍କୁ ପରିଚିତ ଶୁଭୁଛି । ତେବେ ଏହା ଆପଣଙ୍କ ଡିଜିଟାଲ୍ ଅଭ୍ୟାସଗୁଡିକର ପୁନଃମୂଲ୍ୟାୟନ କରିବାର ସମୟ ।

ମାନସିକ ସ୍ୱାସ୍ଥ୍ୟ ଉପରେ ‘ବ୍ରେନ୍ ରଟ୍’ର ଗଭୀର ପ୍ରଭାବ:

ରବିର କାହାଣୀ ଏହାର ଏକ ବୃହତ୍ତର ଚିତ୍ର ଦେଉଛି । ସେ କେବଳ କ୍ଲାନ୍ତ ନଥିଲା ସେ ଆନନ୍ଦ, ମନଯୋଗ, ସମ୍ପର୍କ ଓ ଉଦ୍ଦେଶ୍ୟ ଉପରେ ନିୟନ୍ତ୍ରଣ ହରାଇ ବସିଥିଲା ।  ବ୍ରେନ୍ ରଟ୍ କ’ଣ କରିପାରେ ସେ ସମର୍କରେ ବିଷଦ ଭାବରେ ନିମ୍ନରେ କୁହାଯାଇଛି ।

୧.ଆପଣଙ୍କର ଏଙ୍ଗଜାଇଟି ବଢାଏ ।

ଅନବରତ ଖରାପ ଖବର = କ୍ରମାଗତ ଲଢାଇ ଅଥବା ପଳାୟନ । ଷ୍ଟ୍ରେସ୍ ହରମୋନ୍ କର୍ଟିସଲ୍ ଉଚ୍ଚ ରହେ । ଆପଣଙ୍କର ହୃତସ୍ପନ୍ଦନ ଓ ଅସହାୟତାର ଭାବନା ବି ।

୨.ଆପଣଙ୍କ ମନଯୋଗ ନଷ୍ଟ କରେ ।

ଆପଣ କିଛିଗୋଟେ ଆରମ୍ଭ କରନ୍ତି କିନ୍ତୁ ଶେଷ କରିପାରନ୍ତି ନାହିଁ । ଆପଣଙ୍କ ମନ ଗୋଟେ ଟ୍ୟାବ୍ ହପିଂ ବ୍ରାଉଜର୍ ପରି ଡେଇଁବାରେ ଲାଗିଯାଏ । ତେଣୁ ବୌଦ୍ଧିକ କାମ କରିବା ଅସମ୍ଭବ ହୋଇଯାଏ ।

୩. ଆପଣଙ୍କ ସ୍ମୃତିଶକ୍ତିକୁ ନଷ୍ଟ କରେ ।

ମସ୍ତିଷ୍କରେ ଅଧିକ ଜିନିଷ ଭର୍ତ୍ତି ହୋଇ ରହିଥିବା କାରଣରୁ ନୂଆ ସ୍ମୃତିକୁ ଭଲ ଭାବେ ରଖିପାରେ ନାହିଁ । ଆପଣ କେତେବେଳେ ଅଧା ବାକ୍ୟରୁ କିଛି ଭୁଲିଯାାଆନ୍ତି ତ କେତେବେଳେ ଗୋଟିଏ ପୃଷ୍ଠାକୁ ବାରବାର ପଢନ୍ତି ।

୪.ଆପଣଙ୍କ ନିଦକୁ ଖରାପ କରେ ।

ସ୍କ୍ରିନ୍ ଲାଇଟ୍ + ବିଛଣାକୁ ଯିବା ପୂର୍ବରୁ ବିଚଳିତକାରୀ ବିଷୟବସ୍ତୁ = ଖରାପ ନିଦ । ଏବଂ ଖରାପ ନିଦ ବାକି ସବୁକୁ ଖରାପ କରିଦିଏ ।

୫.ନିରାଶାବାଦ ଓ ଅବସାଦ ବଢାଏ ।

ଯେତେବେଳେ ଆପଣ କେବଳ ସଙ୍କଟ ବା ଅସୁବିଧାକୁ ଦେଖନ୍ତି, ଶୁଣନ୍ତି, ସେ ସମ୍ପର୍କରେ ଚିନ୍ତା କରନ୍ତି ଓ ସେଇଥିରେ ବୁଡିରହନ୍ତି, ସେତେବେଳେ ଆପଣ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତି ଯେ ଦୁନିଆ ନଷ୍ଟ ହୋଇଯାଇଛି । ଆପଣଙ୍କ ଆଶାବାଦ ମଉଳି ଯାଏ, ଏବଂ ସେଇ ଜାଗାକୁ ମାଡିବସେ ଶୂନ୍ୟତା, ନିରାଶା ।

୬.ଆପଣଙ୍କୁ ବାସ୍ତବ ଜୀବନରୁ ବିଚ୍ଛିନ୍ନ କରିଦିଏ ।

ଅଧିକ ସ୍କ୍ରିନ୍ ସମୟ ପ୍ରାୟତଃ କମ୍ ଅର୍ଥପୂର୍ଣ୍ଣ କଥାବାର୍ତ୍ତା, ଅବହେଳିତ ଆବେଗ ଓ ରୁଚି, ଏବଂ ବର୍ତ୍ତମାନ ସହିତ ସମ୍ପର୍କ ହରାଇବାକୁ ବୁଝାଏ ।

ନ୍ୟୁରୋସାଇନ୍ସ ଅଧ୍ୟୟନରୁ ଜଣାଯାଏ ଯେ, କ୍ରମାଗତ ମଲ୍ଟିଟାସ୍କିଙ୍ଗ ଏବଂ ଡିଜିଟାଲ୍ ଓଭରଲୋଡ୍ ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସକୁ ଦୁର୍ବଳ କରିଦିଏ, ଯାହା ବୌଦ୍ଧିକ ଚିନ୍ତନ, ସମ୍ବେଦନଶୀଳତା ଓ ଦୀର୍ଘକାଳୀନ ନିଷ୍ପତ୍ତି ନେବାରେ ଆମକୁ ସାହାଯ୍ୟ କରେ । ଧୀରେ ଧୀରେ ଏହା ଆମର ଗଭୀର ଭାବେ ଚିନ୍ତା କରିବା ଶକ୍ତିକୁ କମାଇବା ସହ ଭାବନାତ୍ମକ ଭାବେ ନିଜକୁ ନିୟନ୍ତ୍ରଣ କରିବାର କ୍ଷମତାକୁ ନଷ୍ଟ କରିଦିଏ ।

ହାରିଯିବା ଓ ସଫଳ ହେବାର ପ୍ରୟାସ:

ରବି ଓ ତା ପରି ଅନେକ କାଉନସିଲିଂର ପ୍ରଥମ ଅଧିବେଶନରେ ମୋ ପାଖରେ ସ୍ୱୀକାର କରିଛନ୍ତି ଯେ, ସେମାନେ ବର୍ଷେ କି ତା’ ଠାରୁ ଅଧିକ ସମୟ ଧରି ବହିଟିଏ ହାତରେ ଧରିନାହାଁନ୍ତି କି ହାତରେ ଫୋନ୍ ନଧରି ଖାଇବା ଖାଇ ନାହାଁନ୍ତି । ତାଙ୍କର ସାମାଜିକ ଜୀବନ ହ୍ୱାଟସଅପ୍ ମେସେଜ୍ ଏବଂ ଇମୋଜି ପ୍ରତିକ୍ରିୟା ଦେବା ଭିତରେ ସୀମିତ ହୋଇ ରହିଯାଇଛି । ଏଇସବୁ ପରେ ଛୋଟିଆ ଛୋଟିଆ ପରିବର୍ତ୍ତନରୁ ଆରମ୍ଭ ହୋଇଥିଲା ସଫଳତା । ଏଇଯେମିତି;


- ପ୍ରତିଦିନ ସକାଳେ ଫୋନ୍ ନଧରି ମାତ୍ର ୧୫ ମିନିଟ୍ ଚାଲିବା ।
- ନ୍ୟୁଜ୍ ଆପ୍ ବଦଳରେ ଜର୍ଣ୍ଣାଲିଙ୍ଗ ଆପ୍ ବ୍ୟବହାର କରିବା ।
- ଖାଇବା ବେଳେ ଫୋନ୍ ନଧରିବା ।
-୧୫ ମିନିଟ୍ ପାଇଁ ହେଉ ପଛେ ଚିତ୍ର, ଫଟୋଗ୍ରାଫି ପରି ଥିବା ନିଜ ସଉକକୁ ସମୟ ଦେବା ।
- ନିଜ ସୋସିଆଲ୍ ମିଡିଆକୁ ଏମିତି କ୍ରିଏଟର୍ ଓ ବିଷୟବସ୍ତୁ ସହ କ୍ୟୁରେଟ୍ କରିବା ଯିଏ ଶାନ୍ତି ଓ ଶିଖିବାକୁ ପ୍ରେରିତ କରନ୍ତି ।

ପ୍ରଥମେ ତ ଏହା ସେମାନଙ୍କୁ ବେଶ୍ କଷ୍ଟକର ମନେ ହୋଇଥିଲା, କିନ୍ତୁ ଗୋଟିଏ ମାସ ମଧ୍ୟରେ ତାଙ୍କର ମୁଡ୍ ଠିକ୍ ହେବାକୁ ଆରମ୍ଭ କରିଥିଲା । ନିଦ ବି ଟିକେ ଭଲ ହେଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ପୁଣି ହସିବା ଆରମ୍ଭ କଲେ ଯେତେବେଳେ ଫଟୋଗ୍ରଫି, କବିତା ଲେଖା, ଚିତ୍ର ଆଦି ନିଜର ସଉକକୁ ସମୟ ଦେଲେ ।

‘ବ୍ରେନ୍ ରଟ୍’ରୁ ନିଜକୁ ଉଦ୍ଧାର କରିବାର ବାଟ

୧.ସଚେତନ ରହି ବ୍ୟବହାର କରନ୍ତୁ ।

ସ୍କ୍ରୋଲ୍ କରିବା ଆଗରୁ ଟିକେ ରୁହନ୍ତୁ । ନିଜକୁ ପଚାରନ୍ତୁ, ‘ଏହା ଆପଣଙ୍କ ମନକୁ ସତେଜ କରୁଛି ନା ଅଧିକ ଥକା କରୁଛି ।’ ଉତ୍ସାହଜନକ, ଶିକ୍ଷଣୀୟ ଓ ସୃଜନଶୀଳ ବିଷୟବସ୍ତୁକୁ ଅନୁସରଣ କରି, ବାକି ସବୁକୁ ମ୍ୟୁଟ୍ କରନ୍ତୁ ।

୨. ଡିଜିଟାଲ୍ ସୀମା ନିର୍ଦ୍ଧାରଣ କରନ୍ତୁ ।

ଉଠିବା ପରେ କିମ୍ବା ଶୋଇବା ପୂର୍ବରୁ ଏକ ଘଣ୍ଟା ପର୍ଯ୍ୟନ୍ତ କୌଣସି ସ୍କ୍ରିନ୍ ଦେଖନ୍ତୁ ନାହିଁ । ଆପଣଙ୍କର ଆପ୍ ସବୁକୁ ନିୟନ୍ତ୍ରଣ କରିବା ପାଇଁ ଦରକାର ହେଲେ ଡିଜିଟାଲ୍ ୱେଲବିଙ୍ଗ ଟୁଲ୍ ବ୍ୟବହାର କରନ୍ତୁ । ଆପଣଙ୍କ ମାନସିକ ସ୍ଥାନକୁ ବାହ୍ୟ ଆକ୍ରମଣରୁ ସୁରକ୍ଷିତ ରଖନ୍ତୁ ।

୩. ସପ୍ତାହରେ ଗୋଟିଏ ଦିନ ଡିଜିଟାଲ୍ ଡିଟକ୍ସ କରନ୍ତୁ ।

ମଝିରେ ମଝିରେ ‘ନୋ ସ୍କ୍ରିନ୍ ସନଡେ’ ବା ‘ଅଫଲାଇନ୍ ଇଭିନିଂ’ ଆଦି କରି ଦେଖନ୍ତୁ କ’ଣ ଫଳ ମିଳୁଛି । ଏହାପରେ ଆପଣଙ୍କ ମନ କେତେ ଶାନ୍ତ ଲାଗୁଛି ଦେଖି ଆପଣ ସତରେ ଆଶ୍ଚର୍ଯ୍ୟ ହେବେ ।

୪. ଅପରାଧବୋଧ ବିନା ଅଫଲାଇନ୍ ରୁହନ୍ତୁ ।

ପଢିବା, ଚିତ୍ର କରିବା, ରୋଷେଇ, ଫଟୋଗ୍ରାଫି ପରି ଆପଣଙ୍କୁ ଦିନେ ଭଲ ଲାଗୁଥିବା ଗୋଟିଏ ସଉକ ବାଛନ୍ତୁ । ସେଇଥିରେ ସମୟ ଦିଅନ୍ତୁ । ସ୍କ୍ରିନ୍ ବାହାରେ ଥିବା ଦୁନିଆକୁ ପୁଣିଥରେ ଆବିଷ୍କାର କରନ୍ତୁ ।

୫. ଯୁକ୍ତିଯୁକ୍ତ ଚିନ୍ତାଧାରା ବଢାନ୍ତୁ ।

ସବୁ ଖବର ଆପଣଙ୍କ ଧ୍ୟାନର ଯୋଗ୍ୟ ନୁହେଁ । ଆପଣ ଯାହା ପଢୁଛନ୍ତି ତାହା ପଛର ବିଶ୍ୱସନୀୟତା ଓ ଉଦ୍ଦେଶ୍ୟକୁ ମୂଲ୍ୟାୟନ କରିବା ଶିଖନ୍ତୁ । କ୍ଲିକବେଟ୍ ଓ ଭାବପ୍ରବଣ କରୁଥିବା ଶୀର୍ଷକ ସବୁକୁ ବାଦ୍ ଦିଅନ୍ତୁ ।

୬. ସୁସ୍ଥ ନିଦ୍ରା ପାଇଁ ନିୟମ କରନ୍ତୁ ।

ଶୋଇବା ରୁମ୍ ରେ କୌଣସି ଫୋନ୍ ରଖନ୍ତୁ ନାହିଁ । ଶୋଇବା ଆଗରୁ ହାଲୁକା ଆଲୁଅ ବ୍ୟବହାର କରନ୍ତୁ, ଶାନ୍ତ ମ୍ୟୁଜିକ୍ ଶୁଣନ୍ତୁ ବା କିଛି ପୃଷ୍ଟା ବହି ପଢନ୍ତୁ । ଆପଣଙ୍କ ନିଦ ହେଉଛି ଆପଣଙ୍କୁ ମାନସିକ ଭାବେ ଡିଟକ୍ସ କରିବାର ଏକମାତ୍ର ଓ ସର୍ବୋତ୍କୃଷ୍ଟ ଉପାୟ ।

୭. ମାନସିନ ବ୍ୟାୟାମ ଅଭ୍ୟାସ କରନ୍ତୁ ।

ଗଭୀର ଓ ଲମ୍ବା ନିଶ୍ୱାସ ନେବା, ଧ୍ୟାନ କରିବା, ଏମିତିକି ଚୁପଚାପ୍ ୫ ମିନିଟ୍ ବସିବା ବି ଆପଣଙ୍କ ମସ୍ତିଷ୍କର ମନଯୋଗ ଓ କାର୍ଯ୍ୟପ୍ରଣାଳୀକୁ ଠିକ୍ କରିପାରେ ।

"ବ୍ରେନ୍ ରଟ୍" ଗୋଟେ ଆଧୁନିକ ପଦ ନୁହେଁ ଏହା ଆଧୁନିକ ମହାମାରୀ । କିନ୍ତୁ ଏହାର ପ୍ରତିକାର ଏକୁଟିଆ ରହିବାରେ ନାହିଁ, ନିଜ ଉଦ୍ଦେଶ୍ୟ ବାଛି ସେଇ କାମ କରିବାରେ ଅଛି । ହୋ ହାଲ୍ଲା ବଦଳରେ ଫଳପ୍ରଦ ଜିନିଷ ବାଛିବାରେ ଅଛି, ନିଷ୍କ୍ରିୟତା ବଦଳରେ ସଚେତନ ନିଷ୍ପତ୍ତି ନେବା ଭିତରେ ଅଛି । ଇଣ୍ଟରନେଟ୍ ଆପଣଙ୍କ ପାଇଁ ଧୀର ହୋଇଯିବନି ସିନା, ଆପଣ କିନ୍ତୁ ନିଜ ପାଇଁ ସେଥିରୁ ବିରତି ନେଇପାରିବେ । ଯେଉଁ ପୃଥିବୀ ଆପଣଙ୍କ ଧ୍ୟାନ ଆକର୍ଷଣ ପାଇଁ ଚିତ୍କାର କରେ, ସେଠି ଆପଣ କ’ଣ ଗ୍ରହଣ କରିବେ ତାହା ବାଛିବାର ନୀରବ ଶକ୍ତି ଆପଣଙ୍କର ଅଛି ।
ତେଣୁ ଆଜି ପରେ ଯେତେବେଳେ ବି ଆପଣଙ୍କୁ ସ୍କ୍ରୋଲ୍ କରିବାକୁ ତୀବ୍ର ଇଚ୍ଛା ହେବ ଟିକେ ରହିଯାଆନ୍ତୁ । ନିଜକୁ ପଚାରନ୍ତୁ ଯେ, “ଏହା ଆପଣଙ୍କୁ ବଢ଼ିବାରେ ସାହାଯ୍ୟ କରୁଛି ନା ଷଢ଼ିବାରେ ।”