Mysterious Dinga Dinga Virus: ଡରାଉଛି ରହସ୍ୟମୟ ଭାଇରସ ଡିଙ୍ଗା ଡିଙ୍ଗା, ଅଥୟ ହୋଇ ନାଚୁଛନ୍ତି ରୋଗୀ

ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ ।

ରହସ୍ୟମୟ ଡିଙ୍ଗା ଡିଙ୍ଗା ଭାଇରସ୍

ଅଦୃଶ୍ୟ ଭାଇରସ କରୋନାର ଆତଙ୍କ ମନରୁ ନଲିଭୁଣୁ ସାରା ବିଶ୍ୱରେ ଦିନକୁ ଦିନ ନୂଆ ନୂଆ ଭାଇରସ ଆତଙ୍କ ଦେଖିବାକୁ ମିଳୁଛି । କେତେବେଳେ ମାରବର୍ଗ, କେତେବେଳେ ନିପା, କେତେବେଳେ ଜିକା ତ କେତେବେଳେ ଡିଜିଜ ଏକ୍ସ . . . ଆଉ ଏବେ ଆଫ୍ରିକୀୟ ଦେଶରେ ଆତଙ୍କ ଖେଳାଇଛି ଡିଙ୍ଗା ଡିଙ୍ଗା ଭାଇରସ । ଏହି ରୋଗର ନାମ ଯେପରି ଅଜବ, ତା’ର ଲକ୍ଷଣ ମଧ୍ୟ ସେହିପରି । ଲକ୍ଷଣ ଆଧାରରେ ଏହି ରୋଗର ନାମ ରଖାଯାଇଛି । ବୈଜ୍ଞାନିକ ଏ ରୋଗର ନାମକରଣ କରିନାହାନ୍ତି । ଡିଙ୍ଗା ଡିଙ୍ଗାର ଅର୍ଥ ହେଲା ହଲି ହଲି ନୃତ୍ୟ କରିବା । ଏହି ରୋଗରେ ପୀଡିତ ବ୍ୟକ୍ତି ନାଚୁଥିବା ଭଳି ଦେଖିବାକୁ ମିଳୁଛି । ଉଗାଣ୍ଡାର ବୁଣ୍ଡିବୁଗ୍ୟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ବିଚିତ୍ର ଭାଇରସ ଠାବ ହୋଇଛି । ଏହି ରହସ୍ୟମୟ ରୋଗ ମୁଖ୍ୟତଃ ମହିଳା ଓ ଝିଅ ମାନଙ୍କୁ ବେଶୀ ପ୍ରଭାବିତ କରୁଛି ।


ଡିଙ୍ଗା ଡିଙ୍ଗା ରୋଗ କ’ଣ ?

ଉଗାଣ୍ଡାର ବୁଣ୍ଡିବୁଗ୍ୟ ଜିଲ୍ଲାରେ ଡିଙ୍ଗା ଡିଙ୍ଗାର ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବତ୍ତର୍ମାନ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି, ମାତ୍ର କାହାର ମୃତ୍ୟୁ ହୋଇନାହିଁ। ଅନ୍ୟାନ୍ୟ ଭାଇରସ ପରି ଏହି ଭାଇରସର କାରଣ ଏବଂ ଉତ୍ସ ସମ୍ପର୍କରେ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଇନଫ୍ଲୁଏଂଜା, ସିଓଭିଆଇଡି-୧୯, ମ୍ୟାଲେରିଆ ଭଳି ଏହା ଏକ ରୋଗ ବୋଲି ଅନୁମାନ କରାଯାଉଛି । ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ପାଖକୁ ସଂକ୍ରମିତ ହେଉଥିବାରୁ ସତର୍କ ରହିବା ପାଇଁ ଲୋକଙ୍କୁ କୁହାଯାଇଛି ।

ଡିଙ୍ଗା ଡିଙ୍ଗାର ଲକ୍ଷଣ

ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଉି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ । ସବୁବେଳେ ଶରୀରରେ କମ୍ପନ ସୃଷ୍ଟି ହେଉଥିବାରୁ ସଂକ୍ରମିତ ବ୍ୟକ୍ତି ନାଚୁଥିବା ପରି ଦେଖାଯାଆନ୍ତି । ଏହି କାରଣରୁ ବିଶେଷଜ୍ଞମାନେ ଏ ରହସ୍ୟମୟ ରୋଗକୁ ୧୫୧୮ ମସିହାରେ ଫ୍ରାନ୍ସର ଷ୍ଟ୍ରାସବର୍ଗରେ ବ୍ୟାପିଥିବା ଡାନ୍ସିଂ ପ୍ଲେଗ ସହିତ ତୁଳନା କରୁଛନ୍ତି। ଡାନ୍ସିଂ ପ୍ଲେଗରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଇଥିଲା ଓ ପୀଡିତମାନେ ଅସ୍ଥିର ଭାବରେ ନାଚି ନାଚି ପ୍ରାଣ ହରାଇଥିଲେ ।

ଅଧିକ ପଢ଼ନ୍ତୁ:ଜିକା ଭାଇରସ୍‌କୁ ନେଇ ଆଲର୍ଟ; ସଂକ୍ରମଣ ହେଲେ କେତେ ବିପଜ୍ଜନକ ଶରୀର ପାଇଁ ? ଜାଣନ୍ତୁ...

ଡିଙ୍ଗା ଡିଙ୍ଗା ସାଂଘାତିକ କି ?

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗକୁ ରୋକିବା ପାଇଁ କୌଣସି ଭ୍ୟାକସିନ ଆସିନାହିଁ । ରୋଗର ନିରାକରଣ ପାଇଁ ଆବଶ୍ୟକୀୟ ଔଷଧ ଏବଂ ଟୀକା ପ୍ରଦାନ କରାଯାଉଥିବା ବେଳେ ସାଇଣ୍ଟିଫିକ ଟିମ ସେଠାରେ ପହଞ୍ଚି ଅଧିକ ଗବେଷଣା ଜାରି ରଖିଛନ୍ତି। ଏହି ରୋଗ ଭଲ ହେବା ପାଇଁ ପ୍ରାୟ ସପ୍ତାହେ ସମୟ ଲାଗୁଛି । ତେବେ ଡିଙ୍ଗା ଡିଙ୍ଗାରେ ରୋଗୀଙ୍କ ମୃତ୍ୟୁର କୌଣସି ସୂଚନା ନାହିଁ ।

ଏହାକୁ ରୋକାଯାଇ ପାରିବ କି ?

କରୋନା ପରି ଏହି ରୋଗରୁ ରକ୍ଷା ପାଇବା ପାଇଁ ସଂକ୍ରମିତଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । କୌଣସି ପ୍ରକାର ଲକ୍ଷଣ ଦେଖାଦେଲେ ତୁରନ୍ତ ରିପୋର୍ଟ କରିବା ପାଇଁ କୁହାଯାଇଛି ।

୧୫୧୮ର ଡାନ୍ସିଂ ପ୍ଲେଗ ସହ କରାଯାଉଛି ତୁଳନା

୫୦୦ ବର୍ଷ ତଳେ ବ୍ୟାପିଥିଲା ଏକ ଭୟଙ୍କର ରୋଗ । ନାଚି ନାଚି ୪୦୦ ଲୋକ ପ୍ରାଣ ହରାଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ, ନାଚିବା ଯୋଗୁ ଏତେ ଲୋକଙ୍କର ମୃତ୍ୟୁ ଘଟି ନ ଥିଲା ବରଂ ଏହା ଥିଲା ଏକ ରୋଗ । ଏହି ରୋଗ ହେଲେ ଲୋକେ ନାଚିବା ଆରମ୍ଭ କରି ଦେଉଥିଲେ । ଶରୀର ନିଶ୍ଚଳ ହୋଇଯିବା ପର୍ଯ୍ୟନ୍ତ ନାଚୁଥିଲେ, ଶେଷରେ ନାଚି ନାଚି ଚାଲିଯାଉଥିଲା ଜୀବନ । ୧୫୧୮ ମସିହାରେ ଫ୍ରାନ୍ସର ଷ୍ଟାର୍ସବର୍ଗ ସହରରେ ଦେଖା ଦେଇଥିଲା ଏହି ରୋଗ । ଏହି ରୋଗରେ ଆକ୍ରାନ୍ତ ଲୋକମାନେ ଘରୁ ବାହାରି ଆସି ହଠାତ ରାସ୍ତା ଉପରେ ନାଚିବା ଆରମ୍ଭ କରୁଥିଲେ । ନାଚି ନାଚି କେହି ନିସ୍ତେଜ ହୋଇପଡୁଥିଲ ତ କାହାର ମୃତ୍ୟୁ ଘଟୁଥିଲା । ଏପରି ଘଟଣା ଦୀର୍ଘ ଦିନ ଯାଏ ଚାଲିଥିଲା । କେମିତି ଏ ରୋଗ ଆସିଥିଲା ଏବଂ ଏହାର ବୈଜ୍ଞାନିକ କାରଣ କ’ଣ ତାହା ଏବେ ବି ଅଜଣା ।

କଙ୍ଗୋରେ ରହସ୍ୟମୟ ରୋଗରେ ୧୪୩ ଜଣଙ୍କର ମୃତ୍ୟୁ

ଅନ୍ୟପକ୍ଷରେ କଙ୍ଗୋ (ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ)ରେ ଏକ ରହସ୍ୟମୟ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋରେ ଏପର୍ଯ୍ୟନ୍ତ ୧୪୩ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଟନ୍ତି । କଙ୍ଗୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, କାଶ ଏବଂ ମ୍ୟାଲେରିଆ ଭଳି ଭୟଙ୍କର ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ ।

ଚଳିତ ବର୍ଷ ଅକ୍ଟୋବରରେ ପ୍ରଥମ ଥର ପାଇଁ ଏହି ରହସ୍ୟମୟ ରୋଗର ୫୯୨ ଟି ନମୂନା ଚିହ୍ନଟ କରାଯାଇଥିଲା ।  WHO ପକ୍ଷରୁ ଏହି ରୋଗର ନାମ ରଖାଯାଇଛି ଡିଜିଜ ଏକ୍ସ । କାରଣ ରୋଗର ଯାଂଚ ସମ୍ପୂର୍ଣ୍ଣ ଭାବରେ ହୋଇପାରି ନାହିଁ । ଏହି ଭୂତାଣୁ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିଲା, ଯାହାଙ୍କ ବୟସ ପାଖାପାଖି ୫ ବର୍ଷ । ଏହି ରୋଗ ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯାଉଛି ।