ଖୁସି, କ୍ରୋଧ, ଭୟ ପରି ମନଦୁଃଖ ହେବା ମଧ୍ୟ ଗୋଟିଏ ସ୍ବାଭାବିକ କଥା। କୌଣସି କାମରେ ମନଲାଖି ଫଳ ନମିଳିଲେ, ଅନ୍ତରଙ୍ଗ ବନ୍ଧୁ କିମ୍ବା ଆତ୍ମୀୟଙ୍କୁ ହରାଇଲେ ଏବଂ ବିଫଳତା ସମୟରେ ମନ ଦୁଃଖ ହୋଇଯିବା ଗୋଟିଏ ସାଧାରଣ ଏବଂ ସ୍ବାଭାବିକ କଥା। କିନ୍ତୁ ଏହି ମନଦୁଃଖ ହେବା, କୌଣସି କଥାରେ ମନ ନଲାଗଗବା, ଉତ୍ସାହ ନାସିବା, ବିରକ୍ତ ଲାଗିବା ଅନେକ ଦିନ ପର୍ଯ୍ୟନ୍ତ ଲଗାତାର ଜାରୀ ରହି (ଲଗାତାର ୨ ସପ୍ତାହ ପର୍ଯ୍ୟନ୍ତ) ଯେତେବେଳେ ଏହା ମଣିଷର ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଏ ଏବଂ ପ୍ରାଣହାନୀ କିମ୍ବା ଆତ୍ମହତ୍ୟାର ଆଶଙ୍କା ବଢିଯାଏ, ସେତେବେଳେ ଏହାକୁ ଅବସାଦ ବା depression କୁହାଯାଏ।
ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ବା WHO ଅନୁସାରେ ପୃଥିବୀରେ ଅନ୍ୟୁନ୍ୟ ୫% ପ୍ରାପ୍ତବୟସ୍କ ଏହି ଅବସାଦ ଦ୍ବାରା ଆକ୍ରାନ୍ତ। ମହିଳା ମାନଙ୍କ କ୍ଷେତ୍ରରେ ଅବସାଦର ମାତ୍ରା ପୁରୁଷ ମାନଙ୍କ ତୁଳନାରେ ହାରାହାରି ୫୦% ଅଧିକ। ବିଶ୍ବରେ ହାରାହାରି ୧୦% ଗର୍ଭବତୀ ଏବଂ ନବ-ପ୍ରସୂତିଙ୍କ ପାଖରେ ଅବସାଦର ଲକ୍ଷଣ ଦେଖାଯାଏ। ୧୫ରୁ ୨୯ ବର୍ଷ ବୟସ୍କ ହେଉଛନ୍ତି ବିଶ୍ବରେ ସର୍ବାଧିକ ଅବସାଦ ଭୋଗୁଥିବା ଗ୍ରୁପ୍। ଏହି ବୟସ ଗ୍ରୁପ୍ ମଧ୍ୟରେ ଆତ୍ମହତ୍ୟା ହେଉଛି ମୃତ୍ୟୁର ଚତୁର୍ଥ ସର୍ବବୃହତ କାରଣ। ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ ଜଣରେ ଜଣେ ବ୍ୟକ୍ତି ଅବସାଦ ଭୋଗି ଥାଆନ୍ତି।
Also Read
ଅବସାଦର ଲକ୍ଷଣ:
ଅହେତୁକ ମନଦୁଃଖ, ବିଷାଦଗ୍ରସ୍ତ ରହିବା, କୌଣସି କାର୍ଯ୍ୟରେ ସ୍ପୃହା ନରହିବା, ଉତ୍ସାହ ନାସିବା। ମନ ସର୍ବଦା ଦୁଃଖ ରହିବା ସହ ଚିଡଚିଡା ଲାଗିବା ଏବଂ ନିଜ ଭିତରେ ଗୋଟିଏ ଅଭାବ ଓ ଖାଲିପଣ ଅନୁଭବ କରିବା। ଏବଂ ଏପରି ମନୋସ୍ତିତି ଅତି କମରେ ଲଗାତାର ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବା।
ଲୋକସମ୍ପର୍କ, ବନ୍ଧୁଙ୍କ ସହ ବାର୍ତ୍ତାଳାପ କମିଯିବା।
ଏକାଗ୍ରତାର କଭାବ, ଦ୍ବନ୍ଦ, ନିଷ୍ପତ୍ତି ନେବାରେ ବିଫଳତା
ନିଜ ଭିତରେ ଅପରାଧବୋଧ ଏବଂ ଅନୁତ୍ସାହିତ ଅନୁଭବ
ଭବିଷ୍ୟତ ପ୍ରତି ବିଷାଦଗ୍ରସ୍ତ, ନିରାଶାବାଦୀ
ନିଦ୍ରାଭାବ କିମ୍ବା ବହୁତ ବେଶୀ ନିଦ ଲାଗିବା
ଆତ୍ମହତ୍ୟା ପ୍ରବଣତା
ଭୋକ ନଲାଗିବା, ଓଜନ ହ୍ରାସ କିମ୍ବା ଅତ୍ୟଧିକ ଭୋକ ଲାଗିବା ଏବଂ ମାତ୍ରାଧିକ ଓଜନ ବଢିଯିବା।
ସଦାସର୍ବଦା ଥକ୍କା ଏବଂ ଅଳସୁଆ ଲାଗିବା, ଉର୍ଜାହୀନ ମନେ ହେବା
ଅକାରଣରେ କାନ୍ଦିବା
ଧିର ଏବ ଉର୍ଜାହୀନ ଭାବରେ କଥା କହିବା ଏବଂ ଚଲାବୁଲା କରିବା
ଅଫିସ୍ କିମ୍ବା ବିଦ୍ୟାଳୟ(ଛାତ୍ର ହୋଇଥିଲେ) ରେ କମ୍ୟୁନିଟି/ ଗ୍ରୁପ୍ ବା ସାମୁହିକ କାର୍ଯ୍ୟରେ ଯୋଗ ନଦେଇପାରିବା। ପାରିବାରିକ ଏବଂ ସାମାଜିକ କାର୍ଯ୍ୟକ୍ରମରୁ ଦୂରେଇ ର
ଅବସାଦର କାରଣ:
ପାରିବାରିକ, ସାମାଜିକ ଅପରିସ୍ତିତି ବା ଦୁର୍ଘଟଣା ଯାହା ଭୀଷଣ ମାନସିକ ଆଘାତର (emotional trauma) କାରଣ ହୋଇଥିବ: ଆତ୍ମୀୟଙ୍କୁ ହରାଇବା, ପିତାମାତାଙ୍କ ବିବାହ ବିଚ୍ଛେଦ, ତୃତୀୟ ଲିଙ୍ଗି ହେବାର ସାମାଜିକ ସ୍ବୀକୃତି(gender identity), ବେରୋଜଗାରି, ପ୍ରାକୃତିକ ଦୁର୍ବିପାକ, ଯୁଦ୍ଧ କିମ୍ବା ହି°ସା, ସଡକ ଦୁର୍ଘଟଣା, ବ୍ୟବସାୟରେ ବିଫଳତା ଇତ୍ୟାଦି।
ଶାରୀରିକ ଅସୁସ୍ଥତା: ହୃଦରୋଗ, କର୍କଟ, ମଧୁମେହ, ଥାଇରୋଏଡ୍ ଗ୍ରନ୍ଥିର ରୋଗ, ମେଦବହୁଳତା, ପକ୍ଷାଘାତ ଆଦି ମଧ୍ୟ ଅବସାଦର କାରଣ ହୋଇଥାଏ।
ସାମାଜିକ ଓ ସା°ସ୍କୃତିକ: ସ୍ଥାନାନ୍ତର, ଅତ୍ୟଧିକ ଓଜନ, ଚର୍ମର ରଙ୍ଗ, ଭାଷା, ଜାତି, ଆର୍ଥିକ ପରିସ୍ଥିତି ଆଦି ପାଇଁ ବନ୍ଧୁ ଗହଣ କିମ୍ବା ସଭା-ସମିତିରେ ବାରମ୍ବାର ଉପହାସର ଶିକାର ହେବା ମଧ୍ୟ ଅବସାଦର କାରଣ ହୋଇଥାଏ।
ରଜଃ ନିବୃତ୍ତି (menopause) ସମୟରେ ମହିଳାଙ୍କ କ୍ଷେତ୍ରରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟ୍ରୋନ୍ ପରି ହରମୋନର ମାତ୍ରାରେ ପରିବର୍ତ୍ତନ
ଶରୀରରେ Vitamin-D ର ଅଭାବ
ନିଶା ସେବନ
ଅବସାଦ କାରଣରୁ ଗୁରୁତର ହେଉଥିବା ବ୍ୟାଧି:
ମେଦବହୁଳତା
ମଧୁମେହ
ଥାଇରୋଏଡ୍ ଗ୍ରନ୍ଥି ସମସ୍ୟା
ହୃଦରୋଗ
ଶ୍ବାସରୋଗ/ asthma
ଆଣ୍ଠୁଗଣ୍ଠି ବାତ/ arthritis
କର୍କଟ
ଚିକିତ୍ସା ଓ ସମାଧାନ:
ଅବସାଦରୁ ମୁକ୍ତି ପାଇବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ସୋପାନ ହେଉଛି “ସ୍ବୀକାର” କରିବା। ନିଜେ ନିଜକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ କରିବା। ପରିବାର ଏବଂ ବନ୍ଧୁଙ୍କ ଅପେକ୍ଷା ନିଜେ ନିଜକୁ ହିଁ ବେଶୀ ସାହାଯ୍ୟ କରା ଯାଇ ପାରିବ।
ମନେରଖନ୍ତୁ ଅବସାଦ ବା depressionର ଚିକିତ୍ସା ସମ୍ଭବ। ଏଥିପାଇଁ ଉପଯୁକ୍ତ ଔଷଧ ମଧ୍ୟ ଉପଲବ୍ଧ ରହିଛି। ଏହି ଔଷଧସବୁକୁ କାମ କରିବା ପାଇଁ ଗ୍ରହଣ କରିବା ପରେ ଅତି କମରେ ୬ ସପ୍ତାହ ଲାଗିଥାଏ। ତେଣୁ ଧୈର୍ଯ୍ୟ ନହାରି ଲଗାତାର କାଉନସେଲିଂ ଏବଂ ଔଷଧ ଗ୍ରହଣ ଦ୍ବାରା ଅବସାଦରୁ ମୁକ୍ତି ମିଳେ।
ନିଜ ଅଞ୍ଚଳରେ ଥିବା Help Group ସହ ଯୋଡି ହୁଅନ୍ତୁ।
ନିଜର ଯତ୍ନ ନିଅନ୍ତୁ:
ସାଙ୍ଗସାଥୀ ଏବଂ ବନ୍ଧୁଙ୍କ ସହ ଯୋଗାଯୋଗ ରଖନ୍ତୁ
ଯେଉଁ କାମ ଆପଣଙ୍କୁ ଆଗରୁ ଆନନ୍ଦ ଦେଉଥିଲା ସେସବୁ କରିବା ପାଇଁ ଚେଷ୍ଟା କରନ୍ତୁ, ଯେମିତିକି ବହି ପଢିବା, ଗୀତ ଶୁଣିବା, ଛବି ଆଙ୍କିବା, ବଗିଚା କାମ, ବୁଲାବୁଲି କରିବା ଇତ୍ୟାଦି
ନିୟମିତ ଶାରୀରିକ ବ୍ୟାୟାମ କରନ୍ତୁ, ଓ୍ବାକି° କରନ୍ତୁ
ଖାଦ୍ୟଗ୍ରହଣ ଓ ନିଦ୍ରାର ଉପଯୁକ୍ତ ଓ ନିୟମିତ ରୁଟିନ୍ follow କରନ୍ତୁ
ନିଶା ସେବନ କରନ୍ତୁ ନାହିଁ
କୌଣସି ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ନିୟମିତ ନିଜ ମନର ଭାବ ଓ କଥା ବାଣ୍ଟିବା ଶିଖନ୍ତୁ
ଆତ୍ମହତ୍ୟାର ଭାବନା କିମ୍ବା ଅତ୍ୟଧିକ ଭୟ ଅନୁଭବ କଲେ ତୁରନ୍ତ ନିଜ ପରିବାର, ଆତ୍ମୀୟ, ବନ୍ଧୁ କିମ୍ବା ମନୋଚିକିତ୍ସକଙ୍କ ସହ ଯୋଗାଯୋଗ କରନ୍ତୁ। ମନେ ରଖନ୍ତୁ ଆପଣଙ୍କ ଉପସ୍ଥିତ ଆପଣଙ୍କ ପରିବାର ପାଇଁ ଖୁବ୍ ଜରୁରୀ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)