ଖରାଦିନ ଆସିଲା ମାନେ ସବୁ ସ୍କୁଲ ଛୁଆଙ୍କ ମନ ଖୁସି ହୋଇଯାଏ। ସକାଳୁଆ ଅଧା ଦିନ ସ୍କୁଲ ସାଙ୍ଗକୁ ଲମ୍ବା ଦିନ, ଖେଳିବା ପାଇଁ ଅଧିକ ସମୟ ମିଳିଯାଏ। ଏବେ ପୁଣି ଜଳବାୟୁ ପରିବର୍ତ୍ତନ ଏହି ଖରାଦିନ ବା ଗ୍ରୀଷ୍ମର ଅବଧି ପୂର୍ବ ଅପେକ୍ଷା ଲମ୍ବା କରି ଦେଲାଣି। ଗତ କିଛି ବର୍ଷ ଭିତରେ ପ୍ରାୟତଃ ମାର୍ଚ୍ଚ ମାସ ବେଳକୁ ପରୀକ୍ଷା ସରି ସକାଳୁଆ ସ୍କୁଲ ସାଙ୍ଗକୁ ଅପ୍ରେଲ ମାସରୁ ଗ୍ରୀଷ୍ମ ପ୍ରବାହ ପାଇଁ ଅନେକ ଦିନ ସ୍କୁଲ ବନ୍ଦ ମଧ୍ୟ ରହୁଛି। ଯଦିଓ ଗ୍ରୀଷ୍ମ ଋତୁରେ ପିଲାମାନେ ଅଧିକ ସମୟ ଖେଳାଖେଳି ପାଇଁ ପାଆନ୍ତି କିନ୍ତୁ ଖରା, ତାତି ସାଙ୍ଗକୁ ଅଧିକ ସମୟ ଖେଳାଖେଳି କରିବା ଏବଂ ଉପଯୁକ୍ତ ପରିମାଣର ପାଣି ଏବଂ ଖାଦ୍ୟ ଗ୍ରହଣ ନକରିବା ଅନେକ ସମୟରେ କିଶୋର ମାନଙ୍କ ଠାରେ ଡିହାଇଡ୍ରେସନ୍ (ଶରୀରରେ ଜଳୀୟ ଅ°ଶ କମିଯିବା) ର କାରଣ ହୋଇଥାଏ।
ଅନେକ ସମୟରେ ଅଳ୍ପ ଓ ସାଧାରଣ ଡିହାଇଡ୍ରେସନର ଉପଚାର ଘରେ ସାଧାରଣ ଭାବରେ ପାଣି ପିଇବା ଏବଂ ଖାଦ୍ୟ ଗ୍ରହଣ ଦ୍ବାରା ହୋଇଯାଏ। କିନ୍ତୁ ଡିହାଇଡ୍ରେସନ୍ ଅଧିକ ସମୟ ଧରି ଲାଗି ରହିଲେ ଏବଂ ଠିକ୍ ସମୟରେ ଉପଚାର ନକଲେ କେବଳ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବର° ପ୍ରାଣଘାତକ ମଧ୍ୟ ହୋଇପାରେ।
Also Read
ଡିହାଇଡ୍ରେସନ୍ ର ଲକ୍ଷଣ: ଚିକିତ୍ସା କିମ୍ବା ଉପଚାର ପୂର୍ବରୁ ସମସ୍ୟାକୁ ଚିହ୍ନଟ କରିବା ଅଧିକ ଜରୁରୀ ହୋଇଥାଏ। ବୟସ ଅନୁସାରେ ଡିହାଇଡ୍ରେସନର ଲକ୍ଷଣ ପିଲାଙ୍କ ମଧ୍ୟରେ ଅଳ୍ପ-ବହୁତ ଅଲଗା ହୋଇପାରେ। କିଶୋରମାନଙ୍କ ମଧ୍ୟରେ ଦେଖା ଯାଉଥିବା ଡିହାଇଡ୍ରେସନର ସାଧାରଣ ଲକ୍ଷଣ ଗୁଡିକ ହେଲା:
- ମୁଣ୍ଡ ବୁଲାଇବା, ହାଲିଆ ଲାଗିବା
- ଥକ୍କା ଲାଗି ଅତ୍ୟଧିକ ନିଦ ଆସିବା ବା ମାନ୍ଦା ଦେଖାଯିବା
- ଚିଡଚିଡା ହେବା
- ସାଧାରଣ ନିତିଦିନିଆ କଥା ବୁଝିବାରେ ଅସୁବିଧା ବା confused ରହିବା
- ଗୋଡହାତ ଘୋଳାବିନ୍ଧା ଏବଂ ମା°ସପେଷୀରେ କ୍ରାମ୍ପ୍ସ ହେବା
- ଚର୍ମ ଲାଲ୍ ଓ ଶୁଖିଲା ଦେଖାଯାଇ, ଉଷୁମ ବା ଗରମ ଲାଗିବା
- ପାଟି ଶୁଖି ଅଠାଳିଆ ଲାଗିବା, ଓଠର ଚମଡା ଫାଟି ଯିବା
- ପରିଶ୍ରା ଗାଢ ହଳଦିଆ କିମ୍ବା ସୋରିଷ ତେଲ ପରି ଦିଶିବା। ପରିଶ୍ରା କମ୍ ମାତ୍ରାରେ ହେବା।
- ଅଇ ଉଠେଇ ବାନ୍ତି ହେବା ନିଶ୍ୱାସପ୍ରଶ୍ବାସ ଗତି ତଥା ହୃଦସ୍ପନ୍ଦନ ବଢିଯିବା
ଡିହାଇଡ୍ରେସନ୍ ପ୍ରତିରୋଧର ଉପାୟ:
ଆପଣଙ୍କ କିଶୋର ସନ୍ତାନକୁ ଖେଳ ମଝିରେ ପ୍ରତି ୨୦-୩୦ ମିନିଟରେ କିଛି ସମୟ ପାଇଁ ପାଣି-ବିରତି ନେବାକୁ ବୁଝାନ୍ତୁ। ଅର୍ଥାତ ଏହି ବିରତିରେ ସେମାନେ ଖେଳ ବନ୍ଦ ରଖି, କୌଣସି ଛାଇ ଜାଗାରେ ବସି, ପାଣି ପିଇ ପାରିବେ। ଯଦି ପିଲାମାନେ ସାଧା ପାଣି ପିଇବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ତାହେଲେ ପଇଡ ପାଣି, ଲେମ୍ବୁ-ଚିନି-ଲୁଣ ପାଣି, କମଳା ରସ, ଓ ଆର୍ ଏସ୍ ଘୋଳ, ଘୋଳ ଦହି ଆଦିର ବ୍ୟବସ୍ଥା ମଧ୍ୟ କରି ପାରନ୍ତି।
ଯଦି ପିଲାମାନେ କୌଣସି ଗେମ୍ ବା ଟୁର୍ଣ୍ଣାମେଣ୍ଟର ଆୟୋଜନ କରନ୍ତି, ପୂର୍ବଦିନ ସନ୍ଧ୍ୟାରୁ ଅଧିକ ପାଣି ପିଆଇବା ଆରମ୍ଭ କରନ୍ତୁ।
ଡିହାଇଡ୍ରେସନ୍ ବା ଗ୍ରାଷ୍ମ ଋତୁରେ ଖେଳକୁଦ ପରେ କ୍ୟାଫେନ୍ ଯୁକ୍ତ ଏନର୍ଜି ଡ୍ରିଙ୍କ୍ସ ଦିଅନ୍ତୁ ନାହିଁ। ଏହା ଡାଇୟୁରେଟିକ୍ସର କାମ କରେ, ଅର୍ଥାତ ଅଧିକ ପରିଶ୍ରା କରାଏ, ଯାହାକି ଅଧିକ ଡିହାଇଡ୍ରେସନର କାରଣ ହୁଏ।
ଗ୍ରୀଷ୍ମ ଋତୁରେ ମିଳୁଥିବା ଫଳ ଯେମିତିକି ତରଭୁଜ, ଫୁଟି କାକୁଡ଼ି, ଜାମୁରୋଳ ଏସବୁ ଶରୀରରେ ଡିହାଇଡ୍ରେସନର ମୁକାବିଲା କରିବାରେ ସାହାଯ୍ୟ କରନ୍ତି। ଏହାଛଡା ଫଳ ଏବଂ ଫଳରସରୁ ବିଭିନ୍ନ ପ୍ରକାରର ମିନେରାଲ୍ସ ମଧ୍ୟ ମିଳିଥାଏ।
ଜଟିଳ ବା କ୍ରିଟିକାଲ୍ ଡିହାଇଡ୍ରେସନ୍: ଡିହାଇଡ୍ରେସନ୍ ର ଅଧିକ ଜଟିଳ ଲକ୍ଷଣ ଯେମିତିକି ତନ୍ଦ୍ରାଳୁ ହେବା, ବାଉଳିଚାଉଳି ହେବା, ପରିସ୍ରା ବନ୍ଦ ହୋଇଯିବା, ହୃତସ୍ପନ୍ଦନ ଓ ନିଶ୍ବାସର ଗତି ବଢିଯିବା କିମ୍ବା ଚେତାଶୂନ୍ୟ ହୋଇଯିବା, ଏସବୁ କ୍ଷେତ୍ରରେ ହସ୍ପିଟାଲ ବା ଡାକ୍ତରଖାନା ଯିବା ଆବଶ୍ୟକ ହୋଇପଡେ। ଏମତି ସମୟରେ ପାଟି ପଟେ ଆବଶ୍ୟକ ମାତ୍ରାର ପାଣି ଗ୍ରହଣ କରିହୁଏ ନାହିଁ, ତେଣୁ Intravenous Fluid ଜରୁରୀ ହୋଇଥାଏ। ଏଇ ଅବସ୍ଥାରେ ପ୍ରାରମ୍ଭିକ ସ୍ଥରରେ ଚିକିତ୍ସା ନକଲେ ଗୋଡ଼ହାତ ଅଚଳ ହେବା (ଦେହରୁ ଜରୁରୀ ଲବଣସାର କ୍ଷୟ ହୋଇ ମା°ଶପେଷୀ ଅକାମୀ ବା paresis ଦେଖାଯାଏ), ବୃକକ୍ କାର୍ଯ୍ୟକାରିତା କମିଯିବା ବା renal failure (AKI) ପରି ସମସ୍ୟା ସୃଷ୍ଟି ହୋଇ ICUର ମଧ୍ୟ ଆବଶ୍ୟକତା ପଡିପାରେ।