ମାନବ ଶରୀରରେ ଉପଯୁକ୍ତ ମାତ୍ରାର ସୁସ୍ଥ ଲାଲ୍ ରକ୍ତ କଣିକାର ଅଭାବକୁ ରକ୍ତହୀନତା ବା Anemia କୁହାଯାଏ। ଏହାକୁ ମାପିବା ପାଇଁ ରକ୍ତରେ ହିମୋଗ୍ଲୋବିନର ମାତ୍ରାକୁ ପ୍ରଥମ ପର୍ଯ୍ୟାୟରେ ମାପ ହିସାବରେ ଗ୍ରହଣ କରାଯାଏ। ଜଣେ ସାଧାରଣ ସୁସ୍ଥ ପ୍ରାପ୍ତବୟସ୍କ ପୁରୁଷଙ୍କ କ୍ଷେତ୍ରରେ ହିମୋଗ୍ଲୋବିନର ମାତ୍ରା ୧୩ -୧୬ g/dL ଏବଂ ମହିଳାଙ୍କ କ୍ଷେତ୍ରରେ ୧୧.୫ -୧୫ g/dL ଗ୍ରହଣୀୟ ଅଟେ। ରକ୍ତହୀନତା ଉଭୟ ଲାଲ୍ ରକ୍ତ କଣିକାର ସ°ଖ୍ୟା ହ୍ରାସ ଏବଂ ସୁସ୍ଥ କାର୍ଯ୍ୟକ୍ଷମ ଲାଲ୍ ରକ୍ତ କଣିକାର ଅଭାବକୁ ବୁଝାଏ। ଏହା ଦ୍ବାରା ରକ୍ତର ଅମ୍ଳଜାନ (Oxygen) ବହନ କରିବାର କ୍ଷମତା ବାଧାପ୍ରାପ୍ତ ହୁଏ ଏବଂ ଶରୀରର ବିଭିନ୍ନ ଅ°ଶକୁ ସଠିକ୍ ମାତ୍ରାରେ ଅମ୍ଳଜାନ ପହଞ୍ଚି ପାରେ ନାହିଁ।
ଏଠାରେ ମନରେ ପ୍ରଶ୍ନ ଆସିପାରେ ଯେ ମଣିଷ ଶରୀରରେ ଏମିତି ରକ୍ତହୀନତା ବା ଲାଲ୍ ରକ୍ତ କଣିକା ସ°ଖ୍ୟା କମିବା କିମ୍ବା ରୁଗ୍ଣ ହେବାର କାରଣ କ’ଣ ହୋଇପାରେ? ସାଧାରଣତଃ ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥାଏ ଯେ ଶରୀରରେ ଲୌହସାରର ଅଭାବ (iron deficiency) କାରଣରୁ ରକ୍ତହୀନତା ଦେଖାଯାଏ। କିନ୍ତୁ ସବୁବେଳେ ସେଇ ଗୋଟିଏ କାରଣ ହୋଇ ନଥାଏ। ଉପଲବ୍ଧ ତଥ୍ୟ ଅନୁସାରେ ପାଖାପାଖି ୪୦୦ ପ୍ରକାରର ରକ୍ତହୀନତା ବା Anemia ଦେଖାଯାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ କାରଣ ମଧ୍ୟ ଭିନ୍ନ ହୋଇଥାଏ। ଯେମିତି ଲୌହସାର ବା Ironର ଅଭାବ କାରଣରୁ ରକ୍ତହୀନତା ଦେଖାଯାଏ, ସେମିତି ଆମେ ଗ୍ରହଣ କରୁଥିବା ଖାଦ୍ୟସାର ମଧ୍ୟରୁ ଆଉ ଗୋଟିଏ ଉପାଦାନ, ଭାଇଟାମିନ୍ ବି 12 (Vitamin B12)ର ଅଭାବରୁ ମଧ୍ୟ ରକ୍ତ ହୀନତା ଦେଖା ଯାଇଥାଏ।
Also Read
ଯଦିଓ ଦୈନିକ ଶରୀର ପାଇଁ ଏହି ଖାଦ୍ୟସାର ବା ଭାଇଟାମିନର ଆବଶ୍ୟକତା ମାତ୍ର ୨.୪ - ୩ ମାଇକ୍ରୋଗ୍ରାମ୍ ରହିଥାଏ କିନ୍ତୁ ଶରୀର ମଧ୍ୟରେ ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ, ସେଥି ମଧ୍ୟରୁ ଗୋଟିଏ ହେଉଛି ଲାଲ୍ ରକ୍ତକଣିକା ନିର୍ମାଣ। ଏହି ଭାଇଟାମିନକୁ ସର୍ବପ୍ରଥମେ ୧୯୨୬ ମସିହାରେ Minot ଏବଂ Murphy ଆବିଷ୍କାର କରିଥିଲେ।
ଭାଇଟାମିନ୍ B12 ଅଭାବରୁ ରକ୍ତହୀନତା କାହିଁକି ହୁଏ: ଆମ ଶରୀରରେ ଥିବା ଅସ୍ଥିମଜ୍ଜା ମଧ୍ୟରେ ରକ୍ତକଣିକା ନିର୍ମାଣ ହୋଇଥାଏ। ଏହି ଲାଲ୍ ରକ୍ତ କଣିକା ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ବା steps ରହିଥାଏ ଯେଉଁଥିରେ କିଛି ପର୍ଯ୍ୟାୟରେ Vit B12ର ଆବଶ୍ୟକତା ରହିଥାଏ। ଏହି ଭାଇଟାମିନର ଅଭାବରେ ଯଦିଓ ଲାଲ୍ ରକ୍ତକଣିକା ନିର୍ମାଣ ପ୍ରକ୍ରିୟା ଏକପ୍ରକାର ସମ୍ପୂର୍ଣ୍ଣ ହୋଇଯାଏ କିନ୍ତୁ କୋଷ ଗୁଡିକ ଆକାରରେ ସାଧାରଣଠାରୁ ବଡ ହୋଇଥା’ନ୍ତି ଏବଂ ସେମାନଙ୍କର କାର୍ଯ୍ୟକ୍ଷମତା ମଧ୍ୟ ହ୍ରାସ ପାଇଥାଏ। ଲାଲ୍ ରକ୍ତକଣିକାର ଏହି ବଡ ଆକାର କାରଣରୁ Vit B12 ଅଭାବ ଜନିତ ରକ୍ତହୀନତାକୁ ମେଗାଲୋବ୍ଲାଷ୍ଟିକ୍ (Megaloblastic Macrocytic Anemia) ରକ୍ତହୀନତା ମଧ୍ୟ କୁହାଯାଏ।
ମେଗାଲୋବ୍ଲାଷ୍ଟିକ୍ ଆନେମିଆର ଲକ୍ଷଣ:
୧- ଥକ୍କାଲାଗିବା, ଉର୍ଜାହୀନ ଲାଗିବା
୨- ଭୋକ ନଲାଗିବା, ଅଜିର୍ନ ଦୋଷ ଲାଗି ରହିବା
୩- ଅଇ ଉଠାଇବା, କୋଷ୍ଠକାଠିନ୍ୟ କିମ୍ବା ପତଳା ଝାଡା ହେବା
୪- ଶେଥାଳିଆ ଦିଶିବା
୫- ଜିହ୍ଵା ଫୁଲିଯିବା ଏବଂ ଗାଢ ଲାଲ୍ ରଙ୍ଗ ଦିଶିବା
୬- ମାଢିରୁ ରକ୍ତସ୍ରାବ ହେବା
୭- ଦୃଷ୍ଟିଶକ୍ତି କମିବା
୮- ଛାତି ଧଡପଡ ହେବା
୯- ଶାରୀରିକ ପରିଶ୍ରମ ସମୟରେ ଧଇଁସଇଁ ଲାଗିବା, ନିଶ୍ୱାସପ୍ରଶ୍ବାସରେ ଅସୁବିଧା ହେବା
୧୦- ମୁଣ୍ଡ ବୁଲାଇବା, ଝାଙ୍କି ହେଲା ପରି ଲାଗିବା, ମୁଣ୍ଡ ବିନ୍ଧିବା
୧୧- ଚିଡଚିଡା ଲାଗିବା
୧୨- ସ୍ମରଣଶକ୍ତି ହ୍ରାସ
୧୩- ଏକାଗ୍ରତାର ଅଭାବ
୨୪- ଦ୍ବନ୍ଦ, କୌଣସି ବିଷୟକୁ ବୁଝିବା ଏବଂ ନିର୍ଣ୍ଣୟ ନେବା ଆଦିରେ ଅସୁବିଧା ଦେଖାଯିବା
୧୫- ସ୍ନାୟୁ ଉପରେ କୁପ୍ରଭାବ କାରଣରୁ ଗୋଡହାତ ଝିମଝିମ୍ ହେବା, ଘୋଳାବିନ୍ଧା ହେବା, ଚାଲିବା ସମୟରେ ତାଳମେଳ ନରହିବା
ଭାଇଟାମିନ୍ B12 ଅଭାବର କାରଣ:
- ଖାଦ୍ୟରେ ଆଦୌ ଆମିଷ କିମ୍ବା ପଶୁଜାତ ଦ୍ରବ୍ଯ ଗ୍ରହଣ ନକରିବା (strict vegetarian diet) ଯେମିତିକି ଅଣ୍ଡା, ମାଛ, କୁକୁଡ଼ା, ଛେଳି କିମ୍ବା ଦୁଗ୍ଧ [ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ଯ ପଶୁଜାତ ଦ୍ରବ୍ଯ ଅଟେ]। Vit B12 ପ୍ରାକୃତିକ ଭାବରେ କୌଣସି ବୃକ୍ଷଜାତ ଖାଦ୍ୟରୁ ମିଳେ ନାହିଁ।
- ଖାଦ୍ୟନଳୀ ବା Intestineରୁ ଅଧିଗ୍ରହଣ (absorption) ନହେବା। ଏହାର ବିଭିନ୍ନ କାରଣ ହୋଇପାରେ:
- କିଛି ବ୍ୟାଧ କାରଣରୁ ଶରୀର ଦ୍ବାରା Vit B12 ଅଧିଗ୍ରହଣରେ ସାହାଯ୍ୟ କରୁଥିବା ତତ୍ତ୍ୱକୁ ସ୍ବତ୍ତସ୍ପୃତ ଭାବରେ ନଷ୍ଟ କରିଦେବା
- ଓଜନହ୍ରାସକାରୀ କିମ୍ବା ଅନ୍ୟ କୌଣସି ସର୍ଜରୀ କାରଣରୁ ପାକସ୍ଥଳୀ ଏ ଅନ୍ତନାଳୀର କିଛି ଅ°ଶ କାଟି ବାହାର କରି ଦିଆଯିବା
- ସିଲିଆକ୍ ଡିସିଜ୍ କିମ୍ବା କୃମି ସ°କ୍ରମଣ କାରଣରୁ ସଠିକ୍ ଭାବରେ ଖାଦ୍ୟ ପାଚନ ନହେବା
- ଦୀର୍ଘ ଦିନ ଧରି ଆଣ୍ଟାସିଡ୍ ଔଷଧ ଏବଂ ମେଟଫରମିନ୍ ଗ୍ରହଣ କରିବା
- ମଦ୍ୟପାନ
ମେଗାଲୋବ୍ଲାଷ୍ଟିକ୍ ଆନେମିଆର ଚିକିତ୍ସା:
ଉପଯୁକ୍ତ ରକ୍ତ ପରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆବଶ୍ୟକତା ଏବଂ ଉପଯୁକ୍ତ ପରିମାଣ ଏବଂ ଅବଧି ପାଇଁ Vit B12 ଇଞ୍ଜେକସନ୍ ନିଆଯାଏ। Vit B12 ସପ୍ଲିମେଣ୍ଟସ୍ ମଧ୍ୟ ଗ୍ରହଣ କରାଯାଏ। ଉପଯୁକ୍ତ ସମୟରେ ଚିକିତ୍ସା ନକରିବା ଦ୍ବାରା ପରମାନେଣ୍ଟ ସ୍ନାୟୁ ନଷ୍ଟ ହେବାର ଆଶଙ୍କା ରହିଥାଏ।
ନିଜ ଖାଦ୍ୟରେ କଲିଜା, କୁକୁଡ଼ା କିମ୍ବା ଅନ୍ୟାନ୍ୟ ମା°ସ, ଅଣ୍ଡା, ମାଛ, କ୍ଷୀର, ଛେନା ଆଦି ଗ୍ରହଣ କରିବା ଦ୍ୱାରା ଶରୀରକୁ Vit B12 ମିଳିଥାଏ।