AI
ଏବେ ଅଧିକାଂଶ ଲୋକ କଥା କଥାକେ ଚାଟଜିପିଟି ବ୍ୟବହାର କରୁଛନ୍ତି । ସତେ ଯେମିତି ଚାଟଜିପିଟି ଯାହା କହୁଛି ସତ କହୁଛି ଓ ସଠିକ୍ ପରାମର୍ଶ ଦେଉଛି । ଜଣେ ବୟସ୍କ ବ୍ୟକ୍ତି ଚାଟଜିପିଟିରେ ଲେଖିଲେ, ଲୁଣ ବା ସୋଡିୟମ୍ କ୍ଲୋରାଇଡର ବିକଳ୍ପ କଣ ? ଚାଟଜିପିଟି ଲେଖିଲା ସୋଡିୟମ୍ ବ୍ରୋମାଇଡ୍ । ଏହି ବ୍ୟକ୍ତିଜଣକ କାହାରିକୁ କିଛି ନପଚାରି ସିଧାସଳଖ ସୋଡିୟମ୍ ବ୍ରୋମାଇଡ୍ କିଣିଆଣିଲେ ଓ ତାକୁ ଲୁଣ ବଦଳରେ ବ୍ୟବହାର କଲେ ।
ଏହା ପରେ ସେ ଅସୁସ୍ଥ ହୋଇପଡିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଏହି ବ୍ୟକ୍ତିଜଣକ ମନେ ମନେ ଧରିନେଇଥିଲେ ଯେ ତାଙ୍କ ପଡୋଶୀ ତାଙ୍କୁ ବିଷ ଦେଇଦେଇଛନ୍ତି । ଏହି ଘଟଣା ଏକ ବିରଳ ଘଟଣା ଥିଲା । ତାଙ୍କର ମାନସିକ ରୋଗର ଇତିହାସ ନଥିଲା କି ସେ ନିକଟରେ କୌଣସି ରୋଗ ପାଇଁ ଔଷଧ ଖାଇନଥିଲେ । ସେ ୨୪ ଘଣ୍ଟା ପର୍ଯ୍ୟନ୍ତ ଖାଲି ବାଉଳେଇ ଚାଉଳେଇ ହେଲେ । ଡାକ୍ତରମାନେ ତାଙ୍କୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଲେ ।
ଏହି ଘଟଣା ଆନାଲସ୍ ଅଫ୍ ଇଣ୍ଟରନାଲ୍ ମେଡିସିନ୍ କ୍ଲିନିକାଲ୍ କେସେସ୍ରେ ପ୍ରକାଶିତ ହୋଇଛି । ଏହା ଏକ ମେଡିକାଲ ମିଷ୍ଟ୍ରି ବା ଚିକିତ୍ସା ରହସ୍ୟ ଥିଲା । ଏହାର ଏକ ଅସାଧାରଣ କାରଣ ଥିଲା । ତାହା ହେଉଛି ବ୍ରୋମାଇଡ୍ ବିଷକ୍ରିୟା, ବା “ବ୍ରୋମିଜ୍” । ପ୍ରାୟ ଶହେ ବର୍ଷ ତଳେ ଏହା ଏକ ସାଧାରଣ ରୋଗ ଥିଲା। ଏହି ବ୍ୟକ୍ତିଙ୍କର ମେଜର ଅର୍ଗାନ ସବୁ ଠିକଠାକ୍ ଥିଲା । କିନ୍ତୁ ରକ୍ତ ପରୀକ୍ଷାରେ ଏହି ବ୍ୟତିକ୍ରମର କାରଣ ଧରାପଡି ଯାଇଥିଲା । ରକ୍ତରେ କ୍ଲୋରାଇଡ ପରିମାଣ ଅଧିକ ଥିଲା ଓ ରକ୍ତର କେମେଷ୍ଚ୍ରି ଠିକ୍ ନଥିଲା । ତାଙ୍କର ଫସଫେଟ୍ ସ୍ତର କମ୍ ଥିଲା ଏବଂ ମେଟାବୋଲିକ୍ ଆଲକାଲୋସିସ୍ ଏବଂ ଶ୍ୱାସକ୍ରିୟା ଆସିଡୋସିସ୍ର ଏକ ଅଜଣା ମିଶ୍ରଣ ଥିଲା।
ଡାକ୍ତରଙ୍କ ପ୍ରାରମ୍ଭିକ ଚିନ୍ତା ଥିଲା ସମ୍ଭବତଃ ଭାରୀ ଧାତୁ ଦ୍ୱାରା ବିଷ ଦିଆଯାଇଛି କି ନାହିଁ ? କିନ୍ତୁ ଡାକ୍ତରମାନେ ଗଭୀର ଅନୁସନ୍ଧାନ କରି ଜାଣିଲେ ଯେ ରକ୍ତରେ ବ୍ରୋମାଇଡ୍ ଦ୍ୱାରା ସୃଷ୍ଟି ହୋଇଛି ସ୍ୟୁଡୋହାଇପରକ୍ଲୋରେମିଆ।
ବ୍ୟକ୍ତିଜଣକ ଅଧିକ ସନ୍ଦେହୀ ହୋଇପଡିଥିଲେ । ତାଙ୍କୁ ଶୂନ୍ୟବାଣୀ ହେଉଛି ବୋଲି କହୁଥିଲେ ଓ ହସ୍ପିଟାଲ ଛାଡି ଚାଲିଯିବାକୁ ଚାହୁଁଥିଲେ । ଅସ୍ତିତ୍ୱହୀନ ଜିନିଷ ଶୁଣିବା ଓ ଦେଖିବାର ଅଭିଯୋଗ କଲେ, ଏବଂ ହସ୍ପିଟାଲ୍ ଛାଡ଼ିବାକୁ ଚେଷ୍ଟା କରୁଥିଲେ। ଡାକ୍ତରମାନେ ତାଙ୍କୁ ଆଣ୍ଟିସାଇକୋଟିକ୍ ଔଷଧ ଆରମ୍ଭ କଲେ ଏବଂ ଏକ ସୁରକ୍ଷିତ ମାନସିକ ଚିକିତ୍ସା ଇଉନିଟକୁ ସ୍ଥାନାନ୍ତର କରିଥିଲେ ।
ଡାକ୍ତରମାନେ ରୋଗ ଚିହ୍ନଟ କରିବା ପରେ ସେହି ଅନୁସାରେ ଔଷଧ ଦେଇଥିଲେ । ସେ ଧିରେ ଧିରେ ଭଲ ହେବାକୁ ଲାଗିଲେ । ସେ ଗତ ୩ ମାସ ଧରି ଏହି ବ୍ରୋମାଇଡ ନିୟମିତ ଖାଉଥିବାର ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଏହାରକ ବିପଦଜ୍ଜନକ ଦିଗ ବିଷୟରେ ସେ କିଛି ଜାଣିନଥିଲେ । ତେଣୁ AIକୁ ପଚାରି କୌଣସି ଖାଦ୍ୟ ବା ଔଷଧ ବ୍ୟବହାର ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/AI_1755177499.jpg)