Advertisment

Pana Sankranti 2024: ପଣା ସଂକ୍ରାନ୍ତିରେ କାହିଁକି ଖିଆଯାଏ ଛତୁଆ, ପିଆଯାଏ ପଣା

ଆଜି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ବେଲ ଆଦି ପଣା ତିଆରି କରି ପିଆଯାଏ। ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ କାରଣ।

ଅଦ୍ୟତନ ହୋଇଛି
Why is Chhatua eaten and Pana drunk in Pana Sankranti

Why is Chhatua eaten and Pana drunk in Pana Sankranti

Advertisment

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ହେବା ସହ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ।

Advertisment

ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି କୁହାଯାଏ। ଓଡ଼ିଆ ପଞ୍ଜିକା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।

କିପରି ହୁଏ ପାଳନ:

ମହାବିଷୁବ ସଂକ୍ରାନ୍ତି ଦିନ ବୃନ୍ଦାବତୀଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ଦିନ ଏକ ଛୋଟ ମାଠିଆ ବା ଠେକିରେ କଣା କରି, ତା’ ଭିତରେ ପଣା ରଖି ତୁଳସୀ ଚଉରା ଉପରେ ବାନ୍ଧିଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ। ଏହି ଠେକିକୁ ବସୁନ୍ଧରା ଠେକି ବା ଘଡି ବୋଲି କହାଯାଏ।

Advertisment

ଏହି ଦିନ ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି।

Advertisment

ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଚକୁ ଏହି ଦିନ ଶେଷ କରାଯାଏ। ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ।

ବୈଜ୍ଞାନିକ ଦୃଷ୍ଟିକୋଣ:

ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ।

ପରିବେଶର ତାପମାତ୍ରା ବଢିବା ସହିତ ଶରୀରରେ ମଧ୍ୟ ଅତ୍ୟଧିକ ତାପଶକ୍ତି ବଢିଥାଏ। ଏହା ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଏହିଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ଏହି କାରଣରୁ ଏହାକୁ ପଣାସଂକ୍ରାନ୍ତି ବୋଲି କୁହାଯାଏ।

ଅନ୍ୟାନ୍ୟ ଦୃଷ୍ଟିକୋଣ:

ସୂର୍ଯ୍ୟ ତାପ ବଢୁଥିବାରୁ ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ଶୋଷ ମେଣ୍ଟେଇବା ପାଇଁ ଜଳଛତ୍ରମାନ ଖୋଲାଯାଏ। ଏହା ସହିତ ବୃକ୍ଷମୂଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତା’ ତଳେ ସରୁ କଣାକରି ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ପବନର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ। ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ।

Pana Sankranti Mahabisuba Sankranti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ