ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ । ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।।
ନମସ୍ତେ କମଳା ମାଗୋ ଅତି ଦୟାବତୀ । ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।।
ତୋର ଦୟାବଳେ ମାଗୋ ଦରିଦ୍ର ଜନର । ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।।
Also Read
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ । ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।।
ଆଜି ମାଣବସା ଶେଷ ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ତେବେ ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ" ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ, କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ନିଜସ୍ଵ ପର୍ବ । ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର । ଆବ୍ରାହ୍ମଣଚାଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ । ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ । ଏହି ଦିନ ଓଡିଆ ଗୃହିଣୀ ମାନେ ଝୋଟି, ଚିତା, ଧାନଶିଶା, ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି । ଓଡିଆଙ୍କର ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ଜଣା ପଡ଼େ ।
ମାଣବସା ଗୁରୁବାର ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଏଥି ପାଇଁ ଗାଁଠୁ ସହର ଚାରିଆଡେ ଉତ୍ସବମୁଖର ପରିବେଶ । ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟେକ ଦୁଆର ଅଗଣା କାନ୍ଥରେ ଝୋଟି ଚିତା ପକା ଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧାନ ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ ।
ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।