ଐତିହ୍ୟ ଓ ସଂସ୍କୃତିର ରୂପାୟନ-ବାଲିଯାତ୍ରା

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

Cuttack Baliyatra 2022

ଆଜି କାର୍ତ୍ତିକ ପୂର୍ଣ୍ଣମୀ। ସକାଳୁ ଉଠି ଆବାଳ ବୃଦ୍ଧ ବନିତା କଦଳୀ ପଟୁକାରେ ତିଆରି ଡଙ୍ଗା ନଦୀରେ ଭସାଇବେ। ଆ..କା..ମା..ବୈ..ଶବ୍ଦରେ ପ୍ରକମ୍ପିତ ହୋଇଉଠିବ ନଦୀ ପଠା। ଏହି ଡଙ୍ଗାଭସା ପରମ୍ପରା ଖାଲି ଆମର ଧାର୍ମିକ ଭାବନାର ପରିଚୟ ନୁହେଁ, ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ଭିତ୍ତିଭୂମିର ଏକ ଅଲିଭା ଇତିହାସ।  ଏହା ଉପରେ ବିଜୟଲକ୍ଷ୍ମୀ ଦାଶଙ୍କ ସ୍ୱତନ୍ତ ଆଲେଖ୍ୟ..

ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।

କୁଞ୍ଜ ବିହାରୀ ଦାଶଙ୍କ ଲୋକଗଳ୍ପ ସଞ୍ଚୟନରେ ସଂଗୃହୀତ ‘କୁହୁକ ମଣ୍ଡଳ ଚଢେଇ କଥା’, ‘ସୌଦାଗରର ଚାରି ପୁଅ କଥା‘,“ତଅପୋଇ କଥା‘,“ଯେହୁ ଚିନ୍ତଇ ପରମନ୍ଦ’, ‘ସାଧବର ସାନପୁଅ’, ‘କୁହୁକ କରାଟ’ ଗପରେ ଓଡ଼ିଆ ସାଧବପୁଅର ବୋଇତ ଯାତ୍ରା କଥା ଉପଲବ୍ଧ। ବହୁ ପ୍ରଚଳିତ କୁମାର ପୂର୍ଣ୍ଣିମା ଓ ରଜଦୋଳି ଗୀତରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳେ।

‘ବଟବୃକ୍ଷ ମୂଳେ ଜନମ ହୋଇଲି ସିଂହଳ ଦ୍ୱୀପରେ ଘର/ସିଦ୍ଧ ବାସେଳୀଙ୍କୁ କାନ୍ଧରେ ବୋହିଛି/ସିପାହୀ କୈବର୍ତ୍ତ ନାମ ମୋହର।’

‘ମୁଁ ପାଇଲି ମାଟି/ମୋ ଭାଇ ଆସିବେ ଦରିଆ କାଟି ଲୋ/ହାତେ ସୁନା ଦାନ୍ତକାଠି’

ଆମ ନିତିଦିନିଆ ଜୀବନରେ କଥା କଥାରେ ବହୁ ପ୍ରକାର ରୁଢିର ପ୍ରୟୋଗ କରିଥାଉ ଯାହା କି ନୌବାଣିଜ୍ୟ ପରମ୍ପରା ସହ ଜଡ଼ିତ। ଯେମିତି ଆମ ଉପରେ ଦାରୁଣ ଦୁଃଖ ପଡିଲେ ଆମେ କହୁ, ଭେଳା ବୁଡ଼ିଲା, ସୁଖ ସମୟରେ କହୁ ‘ ଜାହାଜ ଲାଗିଛି ଇତ୍ୟାଦି । ଅନେକ ଜିନିଷର ନାଁ ମଧ୍ୟ ନୌବାଣିଜ୍ୟ ସହ ଜଡ଼ିତ। ଯେମିତି ବୋଇତି ଆଳୁ, ବୋଇତି କଖାରୁ। ବୋଇତ ଜରିଆରେ ଏହି ଦ୍ରବ୍ୟ ଆମଦାନୀ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି।

ଆମ ରାଜ୍ୟରେ ଚୈତ୍ୟ ପୂର୍ଣ୍ଣିମାରେ ଚଇତି ଘୋଡା ନାଚ ଅନୁଷ୍ଠିତ ହୁଏ। ପ୍ରାଚୀନ ପରମ୍ପରା ଭିତ୍ତିକ ଏହି ଲୋକ ନୃତ୍ୟରେ କୈବର୍ତ୍ତ କୂଳର ବଂଶ ଇତିହାସ, ସେବା ବୃତ୍ତିକୁ ଗୀତ ଶୈଳୀରେ ଗାନ କରାଯାଏ। ଜଣେ ନଚାଳି ଏକ ସୁସଜ୍ଜିତ ଘୋଡା ଭିତରେ ପଶି ତେଲିଙ୍ଗି ବାଜା ଓ ଯୋଡିମହୁରୀ ବଜାଇ ଗାନ କରନ୍ତି। କେବର୍ତ୍ତ ସଂପ୍ରଦାୟରେ ଡଙ୍ଗାକୁ ପୂଜା କରାଯାଇଥାଏ । ଏହି ପରମ୍ପରାକୁ ଉଜ୍ଜିବୀତ କରି ରଖିବା ପାଇଁ ଭାଦ୍ରବ ମାସରେ ଖୁଦୁରୁକୁଣୀ ଓଷା, ଦୀପାବଳି ଦିନ ରାତିରେ ବୋଇତ ଚିତ୍ର କରି କଂସା ବାସନ ପୂଜା, କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଣ କରାଯାଏ।

ଐତିହାସିକ ବିରୁପାକ୍ଷ କରଙ୍କ କହିବା ଅନୁଯାୟୀ, ଉତ୍କଳ ଜାତ ପାନ ବିନିୟମରେ ଜାଭା ଅଞ୍ଚଳରୁ ଯେଉଁ ଗୁଆ ଆମଦାନୀ କରାଯାଉଥିଲା ସେହି ପାନ ଓ ଗୁଆକୁ ଶୁଦ୍ଧ ମନରେ ଗଙ୍ଗାମାତାଙ୍କୁ ସମର୍ପଣ କରି ବୋଇତ ଯାତ୍ରା ଆରମ୍ଭ ହେଉଥିଲା। ଉପସ୍ଥିତ ଆତ୍ମୀୟମାନଙ୍କୁ ବିଦାୟକାଳୀନ ଇଙ୍ଗିତ ଜଣାଇବାକୁ ଯାଇ କୁହାଯାଉଥିଲା..‘ଆ..କା..ମା.ଭୈଃ..ଅର୍ଥାତ, ଆଷାଢଠାରୁ କାର୍ତ୍ତିକ ମଧ୍ୟରେ ଫେରିବି, ଭୟ କରନା।

ଆମ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁକାରେ ପାନ ଓ ଗୁଆ ରଖି ..‘ଆ..କା..ମା.ଭୈଃ, ଗୁଆ ପାନ ଦେଇ, ଗୁଆପାନ ଯାକ ତୋର, ମାସକ ଧର୍ମ ମୋର...କହି ଡଙ୍ଗାକୁ ଭସାଇ ଦିଆଯାଏ।

ଖ୍ରୀଷ୍ଟ ପୂର୍ବ ୨୬୧ରେ ମଗଧ ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପଛରେ ମଧ୍ୟ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଥିବା କଥା ମଧ୍ୟ ସ୍ୱୀକାର କାରାଯାଏ। ସେଥିପାଇଁ ଐତିହାସିକ କେ.ପି.ଜୟସ୍ୱାଲ ତାଙ୍କ ‘ହିନ୍ଦୁ ପଲିଟି’ ପୁସ୍ତକରେ ମଗଧ ସାମ୍ରାଜ୍ୟର ଆଲୋଚନା ଅବକାଶରେ ନୌବାଣିଜ୍ୟ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ କଥା ମଧ୍ୟ କହିଛନ୍ତି। ଦେବୀ ନଦୀ ମୁହାଣ ନିକଟରେ ବର୍ତ୍ତମାନ ଥିବା ମରିଚପୁର, ହରିଣ ପୁର, ବିସୁନ ପୁର, କୁଜଙ୍ଗ, ପାରାଦେଇ ପୁର, ଆଳି ଓ କନିକା ଆଦି ଅବସ୍ଥିତ ଥିଲା। ଏହି ୮ଟି ରାଜ୍ୟକୁ ଓଡ ରାଷ୍ଟ୍ର କୁହାଯାଉଥିଲା। ଓଡ଼ିଶାର ସ୍ୱାଧୀନ ରାଜ୍ୟମାନେ ଏହି ନଦୀ ବନ୍ଦରମାନଙ୍କରେ ବହିଃଶତ୍ରୁଙ୍କୁ ନଦୀ ମୁହାଣବାଟେ ପ୍ରବେଶ କରାଇ ନ ଦେବା ପାଇଁ ସାମନ୍ତ ରାଜାମାନଙ୍କୁ ରଖାଇଥିଲେ। ଏହା ବ୍ୟତୀତ ପ୍ରାଚୀ ନଦୀ ସହିତ ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟ କେମିତି ସଂଶ୍ଳିଷ୍ଟ ଥିଲା ଏହା ପୁରୀ ଜିଲ୍ଲା ଗେଜେଟିୟର ତ୍ରୟୋଦଶ ସଂସ୍କରଣରୁ ସୂଚନା ମିଳିଥାଏ।

ଆମ ସାହିତ୍ୟରେ ମଧ୍ୟ ଏହି ସମୃଦ୍ଧି ଓ ପରମ୍ପରାର କଥା କୁହାଯାଇଛି। ସାରଳା ମହାଭାରତରେ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତାରେ, ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀରେ, ଦୀନକୃଷ୍ଣ ଦାସଙ୍କ ପ୍ରସ୍ତାବ ସିନ୍ଧୁରେ ଏହି ମହାନ ପରମ୍ପରା ବର୍ଣ୍ଣନା କରାଯାଇଛି।

ଆଦିକବି ସାରଳା ଦାସ ମହାଭାରତରେ ଲେଖିଛନ୍ତି, ‘କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୁଧବାର ଯେ ପୂର୍ଣ୍ଣମୀ/ଆ..କା..ମା..ଭୈ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ୱାମୀ। ’

ସେହିପରି କୈବର୍ତ୍ତଗୀତାର ପଞ୍ଚମ ଅଧ୍ୟାୟରେ ସନ୍ଥକବି ଅଚ୍ୟୁତାନନ୍ଦ ଦାସ ବୋଇତ ବେଉସା ଉପରେ ଲେଖିଛନ୍ତି ‘ବୋଇତ ବେଉସା କର ନ ହୋଇବ କ୍ଷତି/ହସ୍ତୀ, ଅଶ୍ୱ. ପଦାତି ଖଟିବେ ତୋର କତି।’

ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀ କାବ୍ୟରେ ଯେଉଁ କଣ୍ଣାଟ ଦେଶ କଥା କହିଛନ୍ତି ତାହା ପ୍ରାଚୀନ ଉତ୍କଳର ଅଂଶ ବିଶେଷ। କଣ୍ଣାଟ ଦେଶରେ ବେପାର କରିବା ପାଇଁ ଦେଶ ବିଦେଶକୁ ଯାଉଥିଲେ। ବିଦେଶରୁ ପ୍ରାପ୍ତ ଧନ ଆଣି ରାଜକୁମାରମାନଙ୍କୁ ଭେଟି ଦେଉଥିଲେ। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି

‘ଏହି କାଳେ ଜଣାଇଲା ବେତ୍ରକର/ଆସି ବୋଇତି ଆଳେକ ଅଛି ଦ୍ୱାର/ବୋଲେ ସିଂହଳ ଦ୍ୱୀପୁ ‘ଆସିଛି ମୁହିଁ/ଇଚ୍ଛା ମୋର ଯୁବରାଜ ଭେଟ ପାଇଁ।’

ଓଡ଼ିଶାରେ ଏହି ପରମ୍ପରା ଯେ କେତେ ସମୃଦ୍ଧ ଥିଲା ତାହା ଫକୀରମୋହନଙ୍କ ଗଳ୍ପସ୍ୱଳ୍ପ ଦ୍ୱିତୀୟ ଭାଗରେ ପ୍ରଦତ୍ତ ତଥ୍ୟରୁ ପ୍ରମାଣିତ ହୁଏ। ଫକୀରମୋହନ ଲେଖିଛନ୍ତି, ‘ପ୍ରତିବର୍ଷ ବାଲେଶ୍ୱର ଜିଲ୍ଲାରେ ନ ଲକ୍ଷ ମହଣ ଲୁଣ ପ୍ରୋକ୍ତାନ ହେଉଥିଲା। ଏଥିମଧ୍ୟରୁ ଦେଢଲକ୍ଷ ମହଣ ନିଜ ବାଲେଶ୍ୱର ଜିଲ୍ଲାର ଖରଚ ସକାଶେ ବାଲେଶ୍ୱର ଓ ଭଦ୍ରକ ଗୋଲାରେ ଗୋଲାଜାତ କରାଯାଇ ବାକି ସାଢେ ସାତ ଲକ୍ଷ ମହଣ ଲୁଣ ବଙ୍ଗ ଦେଶରେ ବ୍ୟବହାର ନିମନ୍ତେ ଗଙ୍ଗାନଦୀ ପଶ୍ଚିମ ଉପକୂଳରେ ସାଲିକା ନାମକ ଗୋଲାକୁ ଚାଲାଣ ଦିଆଯାଏ।’

ନୌବାଣିଜ୍ୟ କ୍ଷେତ୍ରରେ ବାଲେଶ୍ୱର ବନ୍ଦର ଯେ କେତେ ସମୃଦ୍ଧ ଥିଲା ଏଥିରୁ ତାହା ସ୍ପଷ୍ଟ ହୁଏ। ଏହାପରେ ୧୮୮୫ରେ ଗୋବିନ୍ଦ ରଥଙ୍କ କଟକ ଦର୍ଶନ ବହି ପ୍ରକାଶିତ ହୋଇଥିଲା। ଏଥିରେ କଟକରେ ଅନୁଷ୍ଠିତ କାର୍ତ୍ତିକ ପୂର୍ଣ୍ଣମୀ ମେଳା (ଯାହାକୁ ଆମେ ବାଲିଯାତ୍ରା କହୁଛେ) ସମ୍ପର୍କରେ ବର୍ଣ୍ଣନା କରାଯାଇଛି-

‘ଅଦୂରେ ପ୍ରିୟ ବାନ୍ଧବ ଶିବ ନିକେତନ/ମହାନଦୀକି ଶଙ୍କର କରନ୍ତି ଦର୍ଶନ/ଅତି ରମଣୀୟ ଅଟେ ଏହି ଶିବ ଧାମ/କିଛି କ୍ଷଣ ଏହି ଠାରେ କରିବା ବିଶ୍ରାମ/କାର୍ତ୍ତିକ ପୂର୍ଣ୍ଣମୀ ଦିନ ମେଳା ସଂକୀର୍ତ୍ତନ/ଏଠାରେ ମିଳି କରାନ୍ତି ନାଗରିକ ଜନ........ଜଳରେ ଭାସୁଛି ରାଶି ରାଶି ଜଳଯାନ/କଟକ ବାଣିଜ୍ୟ ଏଥୁଁ କର ଅନୁମାନ’

କଟକର ଗଡଗଡ଼ିଆ ଘାଟ ସମୃଦ୍ଧ ବାଣିଜ୍ୟ ପରମ୍ପରାର ସ୍ମାରକ ଥିଲା। ଅତୀତର ଏଇ ସମୃଦ୍ଧ ପରମ୍ପରା ସମୟ କ୍ରମେ ଅବଲୁପ୍ତ ହୋଇଛି। ଇଂରେଜମାନଙ୍କ ଆଗମନ ପରେ ନୌବାଣିଜ୍ୟ ପରମ୍ପରା ସେମାନଙ୍କ ହାତକୁ ଚାଲି ଯାଇଥିଲା।

ଯାହା ବି ହେଉ, ଅତୀତର ସେଇ ଐତିହ୍ୟ, ସଂସ୍କୃତିର ବାର୍ତ୍ତାବହ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ ପୂର୍ବକ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ବୋଇତ ଭସାଣ ସହିତ ବାଲିଯାତ୍ରା ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେଉଛି। ସଂପ୍ରତି ବାଲିଯାତ୍ରା ବାଣିଜ୍ୟିକ ତଥା ସୌଖିନ ମେଳାରେ ପରିଣତ ହୋଇଛି। ପ୍ରାଚୀନ ଉତ୍କଳର ସମୃଦ୍ଧ ଐତିହ୍ୟକୁ ଏକ ସୃଜନଶିଳ୍ପରେ ପ୍ରତିଷ୍ଠା କରିଛି। ଅନୈକ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ବାଲିଯାତ୍ରା ପରମ୍ପରାର ରୂପାୟନ ମାତ୍ର। ବର୍ତ୍ତମାନ ପିଢିର ଗେବଷକ ଓ ବୁଦ୍ଧିଜୀବୀଗଣ ବାଲିଯାତ୍ରା ସହ ଜଡିତ ସମୃଦ୍ଧ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ଶ୍ରଦ୍ଧାର ସହିତ ଅନୁଶୀଳନ କଲେ ଓଡ଼ିଆ ଜାତିର ପ୍ରାଚୀନ ଗୌରବମୟ ସଂସ୍କୃତିର ପୁନରୁଦ୍ଧାର ହୋଇପାରିବ।

 

(ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ)