Advertisment

Anla Navami 2025: ଜାଣନ୍ତୁ କିପରି ସୃଷ୍ଟି ହେଲା ଅଁଳା ଗଛ, କଣ ରହିଛି ଓଡ଼ିଆଙ୍କ ବିଶ୍ବାସ ?

ଅଁଳା ନବମୀରେ ଶ୍ରୀରାଧା ଓଡିଆଣୀ ବେଶରେ ସଜ୍ଜିତ ହୋଇଥାନ୍ତି। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାକୁ ଭକ୍ତଙ୍କ ନାହିଁ ନଥିବା ଭିଡ ଲାଗେ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହିଦିନ ଶ୍ରୀରାଧାଙ୍କ ପାଦ ଦର୍ଶନର ମାହାତ୍ମ୍ୟ।

ଅଦ୍ୟତନ ହୋଇଛି
Significance of Anla Navami; Know how the amla tree was born

Significance of Anla Navami; Know how the amla tree was born

Advertisment

ଦୀପାବଳିର ୮ ଦିନ ପରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ଦିନଟିକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ। ଏହି ପୁଣ୍ୟ ତିଥିରେ ଦର୍ଶନ କରାଯାଏ ଶ୍ରୀରାଧାଙ୍କ ପାଦପଦ୍ମ।

Advertisment

ପବିତ୍ର ଅଁଳା ନବମୀରେ ତାଙ୍କର ପାଦ ଦର୍ଶନ ଲାଗି ଭକ୍ତଙ୍କ ମନ ବ୍ୟାକୁଳ। ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇଥିବା ଶ୍ରୀରାଧାରାଣୀଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି। ଏହି ଦିନଟି ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ।

ଏହି ଦିନ ଅଁଳା ଗଛକୁ ମଧ୍ୟ ପୂଜା କରାଯାଏ। ଓଡ଼ିଶାର ଧର୍ମ ସଂସ୍କୃତିରେ ଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି। ବିଶ୍ୱାସ କରାଯାଏ ଯେ ସରସ୍ୱତୀଙ୍କର ରଜୋଗୁଣରୁ ଅଁଳାର ସୃଷ୍ଟି ହୋଇଛି। ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ମଧ୍ୟ ରହିଛି।

Advertisment

ଅଁଳା ଗଛର ଜନ୍ମ :

ଥରେ ଭଗବାନ ହରିଙ୍କୁ ମହାଲକ୍ଷ୍ମୀ ଓ ଭଗବତୀ କୌଣସି ଏକ ନୂଆ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ। କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଆଖିରୁ ଏକସଙ୍ଗେ ଲୁହ ଝରିଲା। ସେହି ଆନନ୍ଦାଶ୍ରୁ ମାଟିରେ ପଡ଼ି ଅଁଳାଗଛ ସୃଷ୍ଟିହେଲା।

Anla Navami 2024ଅଁଳା ଗଛର ଜନ୍ମ

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକାଠି ବନରେ ନିଜ ନିଜ ସ୍ୱାମୀଙ୍କ ପାଇଁ ପୂଜାପାଠ କରିବାକୁ ମନକଲେ। କିନ୍ତୁ ଅସୁବିଧା ଏହା ଥିଲା ଯେ ସେମାନଙ୍କ ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା। ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର ଆଉ ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା।

Advertisment

Anla Navami 2024ଅଁଳା ଗଛର ପୂଜା

ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ସମାଧାନ ହେବ। ଠିକ ସେତିକିବେଳେ ଦେବଶ୍ରୀ ନାରଦ ସେଠାରେ ପହଞ୍ଚି ସମସ୍ୟାକୁ ଶୁଣିଲେ। ଏହା ପରେ ଅଁଳା; ବେଲ ଓ ତୁଳସୀର ସମାହାର ବୋଲି ସେମାନଙ୍କୁ କହିଲେ। ନାରଦଙ୍କ ଠାରୁ ଏହା ଶୁଣି ଦୁହେଁ ଅଁଳାଗଛ ନିକଟରେ ପୂଜାକାର୍ଯ୍ୟ ସମାପନ କଲେ। ସେଇଥିପାଇଁ ଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟବୃକ୍ଷ ବୋଲି ବିଶ୍ୱାସ କରାଯାଏ।

ଓଡ଼ିଶାରେ ପୂଜାବିଧି:

ଅଁଳା ନବମୀରେ ଅଁଳା ଗଛ ତଳେ ବଟା ଅଁଳାରେ ଭଗବାନ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ। ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ। ହବିଷିଆଳୀମାନେ ଏହିଦିନ ଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି।

Anla Navami 2024ଓଡ଼ିଆ ପରମ୍ପରାରେ ଅଁଳା ନବମୀ

ଧାର୍ମିକ ମହତ୍ତ୍ୱ:

ଅଁଳା ନବମୀକୁ କେଉଁଠି କୁଷ୍ମାଣ୍ଡା ନବମୀ ତ ଆଉ କେଉଁଠି ଜଗଧାତ୍ରୀ ପୂଜା ମଧ୍ୟ କୁହାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ଦିନ ଦାନ, ଉପାସନା, ଭକ୍ତି, ସେବା ଇତ୍ୟାଦି ଭଳି ଶୁଭ କାର୍ଯ୍ୟ କରାଯାଏ, ଏହାର ଗୁଣ ଅନେକ ଜନ୍ମ ପାଇଁ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି।

Anla Navami 2024ସମସ୍ତ ଦେବତା ଏବଂ ଦେବୀ ଅଁଳା ଗଛରେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି

ବିଶ୍ୱାସ କରାଯାଏ ଯେ ଏହିଦିନ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା ଏବଂ ଏହି ଦିନଠାରୁ ଭଗବାନ କୃଷ୍ଣ ତାଙ୍କର ବାଲ୍ୟଲୀଳା ଛାଡି ମଥୁରା ଯାଇଥିଲେ। କୁହାଯାଏ ଯେ ସମସ୍ତ ଦେବତା ଏବଂ ଦେବୀ ଅଁଳା ଗଛରେ ବାସ କରନ୍ତି। ତେଣୁ ଏହି ବୃକ୍ଷକୁ ପୂଜା କରାଯାଏ।

ଶ୍ରୀରାଧାଙ୍କ ପାଦ ଦର୍ଶନ:

ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଏକ ମହାନ ଉତ୍ସବ ଅଟେ। ପୌରାଣିକ କାହାଣୀ ଅନୁସାରେ ଏହିଦିନ ଶ୍ରୀହନୁମାନ ଲଙ୍କାପୁରୀରେ ଦେବୀ ସୀତାଙ୍କ ପାଦ ଦର୍ଶନ କରିଥିଲେ। ଏହି ଦିନରେ ବୈଷ୍ଣବମାନଙ୍କର ଠାକୁରାଣୀ ରାଧାଦେବୀଙ୍କ ପାଦ ଦର୍ଶନ କରିବାର ପରମ୍ପରା ରହିଛି। ଏହାର ନିଦର୍ଶନ ରୂପେ ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ ମହାନ ଯାତ୍ରା ଭାବରେ ପାଳନ କରାଯାଏ।

Anla Navami 2024ରାଧାପାଦ ଦର୍ଶନ

ସାକ୍ଷୀଗୋପାଳଙ୍କ ବାମ ପାର୍ଶ୍ୱରେ ଓଡ଼ିଆଣୀ ଢଙ୍ଗରେ ଶ୍ରୀରାଧାଙ୍କ ଅଷ୍ଟଧାତୁ ନିର୍ମିତ କମନୀୟ ବିଗ୍ରହ ବିରାଜିତା। କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥିରେ ଶ୍ରୀରାଧା ରାଣୀ ଓଡ଼ିଆଣୀ ବେଶରେ କଣିଆ କଛାରେ ପାଟଶାଢୀ ପରିଧାନ କରନ୍ତି। ଏହାଦ୍ୱାରା ପାଦ ଉପରକୁ ଶାଢ଼ୀ ଉଠି ଯାଉଥିବାରୁ ପାଦ ଦୁଇଟି ସହ ପାଦରେ ଅଳଂକୃତ ଅଳଙ୍କାରମାନ ଭକ୍ତମାନେ ଦର୍ଶନ କରି ଧନ୍ୟ ହୁଅନ୍ତି।

Anla Navami 2024ସାକ୍ଷୀଗୋପାଳ ମନ୍ଦିର

ଏହିଦିନ ବ୍ୟତୀତ ବର୍ଷସାରା ମାତାଙ୍କ ପାଦ ଆବୃତ ହୋଇ ରହୁଥିବାରୁ ଅନ୍ୟ ଦିନମାନଙ୍କରେ ପାଦ ଦର୍ଶନ ଯୋଗ ମିଳି ନ ଥାଏ। ଏହିଦିନ ଶାଢ଼ୀ ପଣତକାନିରେ ଗୁଆ, ଅରୁଆ ଚାଉଳ, ଫୁଲ ଗଣ୍ଠିପଡ଼ି କାନ୍ଧର ବାମ ଭାଗରେ ପଛକୁ ଓହଳା ଯାଇଥାଏ। ଦେବୀ ରାଧାଙ୍କ ଓଡ଼ିଆ ବେଶଭୂଷା ପରିପାଟୀ ଅଳଙ୍କାର ଭୂଷଣ ସହିତ କମନୀୟ ପାଦଯୁଗଳ ଦର୍ଶନ କରି ଭକ୍ତ ଅଁଳା ଫଳ ଓ ପତ୍ର ପ୍ରଦାନ କରି ଅନନ୍ତ ପୁଣ୍ୟ ଅର୍ଜନ କରିଥାଆନ୍ତି। ଏହିଦିନ ସାକ୍ଷୀଗୋପାଳରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।

Odisha Culture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ