Advertisment

Sabitri Brata: ଯମ ନେଇଯାଇଥିଲେ ସ୍ୱାମୀଙ୍କ ଜୀବନ; କିପରି ଫେରିପାଇଲେ ସାବିତ୍ରୀ

ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହୁଏ ସାବିତ୍ରୀ ବ୍ରତ। ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନେଇ ମଙ୍ଗଳ କାମନା କରି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ରତ ପଛର କାହାଣୀ।

ଅଦ୍ୟତନ ହୋଇଛି
Sabitri Brata 2023

Sabitri Brata 2023; Story about Sabitri

Advertisment

ଓଡିଶାବାସୀ ଅନେକ ପ୍ରକାର ବ୍ରତରେ ରଖନ୍ତି ବିଶ୍ୱାସ। ସେଥିମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ। ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହୁଏ ଏହି ପବିତ୍ର ବ୍ରତ। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ। ତେଣୁ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନେଇ ମଙ୍ଗଳ କାମନା କରି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ଏହି ଓଷା ପାଳନ କରିଥାନ୍ତି।

Advertisment

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ। ଏହି ଦିନ ସଧବା ନାରୀମାନେ ଉପବାସ କରନ୍ତି। କୌଣସି ପ୍ରକାର ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ଅପରାହ୍ଣରେ ପୂଜା ଶେଷ ହେଲେ ଧୂଆମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳମୂଳ ଖାଇଥାନ୍ତି।

ଅଧିକ ପଢ଼ନ୍ତୁ: ସାବିତ୍ରୀ ବ୍ରତ ପାଳୁଛନ୍ତି କି… କିପରି ନିଜର ଯତ୍ନ ନେବେ ଜାଣନ୍ତୁ

ଏହି ଅବସରରେ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ। ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ। ପୌରାଣିକ କଥାବସ୍ତୁ ଅନୁସାରେ ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ। ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ଯମ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କ ଗୁଣଗାନ କରାଯାଏ।

Advertisment

ପୌରାଣିକ କାହାଣୀ:

ମହାଭାରତ କାବ୍ୟାନୁସାରେ ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜା ଥିଲେ। ସେ ମା’ ସାବିତ୍ରୀ ବା ଗାୟତ୍ରୀ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ଯଜ୍ଞ କରିଥିଲେ। ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ଇଛା ଅନୁସାରେ ବର ମାଗିବାକୁ କହିଲେ। ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ଗୁହାରୀ କରିଥିଲେ।

ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନ'ଥିବା କହି ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ।

Advertisment

ଅଧିକ ପଢ଼ନ୍ତୁ: ବିବାହ ପରେ ନୂଆ ସାବିତ୍ରୀ ବ୍ରତ କରୁଛନ୍ତି କି… ଜାଣନ୍ତୁ ବ୍ରତ ନିୟମ

ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜନ୍ମ ହେଲା। ସାବିତ୍ରୀଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରିଥିବାରୁ ଅଶ୍ୱପତି ତାଙ୍କର ନାମ ସାବିତ୍ରୀ ରଖିଥିଲେ। ସାବିତ୍ରୀ ଯୌବନରେ ପାଦ ଦେବା ପରେ ବାପାଙ୍କ ଆଦେଶରେ ନିଜ ଇଚ୍ଛାରେ ବର ଖୋଜିବାକୁ ସମ୍ମତି ପାଇଥିଲେ। ଏନେଇ ସହଚରୀମାନଙ୍କ ସହ ବର ଖୋଜିବା ନେଇ ଚାରିଆଡେ ଭ୍ରମଣ କରିବାକୁ ବାହାରିଲେ।

ଅନ୍ୟପକ୍ଷରେ ଶାଲ୍ୱଦେଶର ରାଜା ଦ୍ୟୁମତସେନ ଓ ଶୈବ୍ୟାଙ୍କ ଠାରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ। ସତ୍ୟବାନଙ୍କ ଶୈଶବାସ୍ଥାରେ ଦ୍ୟୁମତସେନ ଅନ୍ଧ ଓ ଭ୍ରଷ୍ଟରାଜ୍ୟ ହୋଇ ବନବାସୀ ହୋଇଥିଲେ। ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ବାପାମାଆଙ୍କର ସେବା କରୁଥିଲେ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତି, ଧର୍ମପରାୟଣାତା ଓ ତାଙ୍କ ରୂପରେ ମୁଗ୍ଧ ହୋଇଗଲେ। ଐଶ୍ୱର୍ଯ୍ୟ ଭୋଗ ଲାଳସା ତ୍ୟାଗକରି ସତ୍ୟବାନଙ୍କ ସହ ଜୀବନଯାପନ କରିବା ପାଇଁ ସଂକଳ୍ପ କରି ସତ୍ୟବାନଙ୍କୁ ନିଜର ପତିରୂପେ ଚୟନ କରି ରାଜଧାନୀକୁ ଫେରିଲେ ଓ ବାପାଙ୍କୁ ଏ ବିଷୟରେ ଜଣାଇଲେ।

ଠିକ୍ ଏହି ସମୟରେ ଦେବ ଋଷି ନାରଦ ଆସି ପହଞ୍ଚିଗଲେ। ସେ ସତ୍ୟବାନଙ୍କ ପରମାୟୁ ଆଉ ମାତ୍ର ଏକ ବର୍ଷ ଥିବା ଜଣାଇ, ନିଜ ମତ ବଦଳାଇବାକୁ ସାବିତ୍ରୀଙ୍କୁ କହିଲେ। ମାତ୍ର ସାବିତ୍ରୀ ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ତେବେ ଉଭୟ ପକ୍ଷଙ୍କ ବାପାମାଆଙ୍କ ଅନୁମତି କ୍ରମେ ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତୃଗୃହର ସମସ୍ତ ସୁଖ ତ୍ୟାଗକରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବା କଲେ।

ବିବାହର ଏକ ବର୍ଷ ପୂରିବାକୁ ଆଉ ମାତ୍ର ତିନି ଦିନ ବାକିଥାଏ। ଏହା ପୂର୍ବରୁ ସାବିତ୍ରୀ ତ୍ରିରାତ୍ର-ବ୍ରତ ଆରମ୍ଭ କଲେ। ଯେଉଁଦିନ ଏକ ବର୍ଷ ପୂର୍ଣ୍ଣ ହେଲା ଓ ସତ୍ୟବାନଙ୍କର ପରମାୟୁ ଶେଷ ହେଲା, ସେଦିନ ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସହ ଗଲେ।

ବଣରେ ସତ୍ୟବାନ ଅଶ୍ୱସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରାଗଲେ ଓ ତାହା ହିଁ ତାଙ୍କର ଶେଷ ନିଦ୍ରା ଥିଲା। କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସି ରହିଲେ।

ଯମଦୂତମାନେ ସତ୍ୟବାନଙ୍କ ଜୀବନ ନେବା ପାଇଁ ଆସି ସାବିତ୍ରୀଙ୍କ ପାଖରୁ ତାଙ୍କୁ ନେଇ ନ ପାରି ଫେରିଗଲେ। ବିଫଳ ଯମଦୂତଙ୍କଠାରୁ ଖବର ପାଇ ନିଜେ ଯମରାଜ ଆସି ସେଠାରେ ପହଞ୍ଚିଲେ ଆଉ ସତ୍ୟବାନଙ୍କ ଜୀବନକୁ ନେଇ ବାହାରିଲେ। ସାବିତ୍ରୀ ମଧ୍ୟ ଯମଙ୍କ ପଛେ ପଛେ ଧାଇଁଲେ। ଯମରାଜ ସାବିତ୍ରୀଙ୍କ ପତିଭକ୍ତି ଓ ସ୍ତୁତିପାଠରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ତିନୋଟି ବର ଦେବାକୁ ସତ୍ୟକଲେ। କିନ୍ତୁ ସର୍ତ୍ତ ରଖିଲେ ଯେ ସତ୍ୟବାନଙ୍କ ଜୀବନ ବଦଳରେ ଆଉ ଯାହା ମାଗିବେ ସେ ଦେବେ।

ଅଧିକ ପଢ଼ନ୍ତୁ: ସଧବା ନାରୀମାନେ ସାବିତ୍ରୀ ବ୍ରତରେ କାହିଁକି ପୂଜା କରନ୍ତି ବରଗଛ

ସାବିତ୍ରୀ ଚତୁରତାର ସହ ଏହି ତିନି ବର ମାଗିନେଲେ।ପ୍ରଥମ ବରରେ ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ରାଜ୍ୟ ପୁନଃ ପ୍ରାପ୍ତ, ଦ୍ୱିତୀୟ ବରରେ ନିଜ ଶ୍ୱଶୁରଙ୍କ ପାଇଁ ପୁତ୍ର ସନ୍ତାନ ଓ ତୃତୀୟ ବରରେ ନିଜ ଗର୍ଭରୁ ଶତପୁତ୍ର। ଯମ ତଥାସ୍ତୁ କହି, ଫେରିଯିବାକୁ କହିବାରୁ, ସାବିତ୍ରୀ ତାଙ୍କୁ ଅଟକାଇଲେ। ସେ ଯମଙ୍କୁ ପଚାରିଲେ ଯେ, ସେ ଜଣେ ମହାସତୀ ହୋଇ ସ୍ୱାମୀଙ୍କ ବିନା କିପରି ଶତପୁତ୍ର ପାଇବେ? ଫଳରେ ଯମ ନିରୁପାୟ ହୋଇ ସତ୍ୟବାନଙ୍କୁ ପୁନଃ ଜୀବିତ କରାଇ ଆୟୁ ଦାନକଲେ।

ସାବିତ୍ରୀଙ୍କ ଏଭଳି ପତିଭକ୍ତି ଯୁଗେ ଯୁଗେ ଅମର ହୋଇ ରହିଗଲା। ଆଜିର ଭାରତୀୟ ନାରୀମାନେ ଏହି ପରଂପରାକୁ ସମ୍ମାନ ଦେବା ପାଇଁ ସବିତ୍ରୀ ବ୍ରତ ପାଳନ କରନ୍ତି।

Savitri Brata Sabitri Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ