ରାତି ପାହିଲେ ସୁନାବେଶ; ଜନସମୁଦ୍ର ପାଲଟିବ ଶ୍ରୀକ୍ଷେତ୍ର, ସୁନାରେ ସଜେଇ ହେବେ ଶ୍ରୀଜିଉ

ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ । ମହଣ ମହଣ ଅଳଙ୍କାରରେ ଝଟକିବେ ମହାପ୍ରଭୁ । ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ ।

Suna Besha

ଆଡ଼ପ ମଣ୍ଡପରେ ଲୀଳା ଖେଳା ସାରି ଭାଇ ଭଉଣୀଙ୍କ ସହ ଏବେ ନୀଳକନ୍ଦର ମୁହାଁ ନୀଳାଚଳିଆ । ଆସନ୍ତାକାଲି ଆଷାଢ଼ ଶୁକ୍ଳ ଏକାଦଶୀରେ ବିଶ୍ୱନିୟନ୍ତାଙ୍କ ହେବ ସୁନାବେଶ । ମହଣ ମହଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରା ଯାଉଥିବାରୁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଫୋକସ୍ କରିଛି ପୋଲିସ୍ ପ୍ରଶାସନ ।

ବୁଧବାର ବିଶ୍ୱନିୟନ୍ତାଙ୍କ ସୁନାବେଶ । ମହଣ ମହଣ ଅଳଙ୍କାରରେ ଝଟକିବେ ମହାପ୍ରଭୁ । ପୁରି ଉଠିବ ସିଂହଦ୍ୱାର, ଉଚ୍ଛୁଳିବ ବଡ଼ଦାଣ୍ଡ । ସକାଳୁ ୩ ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଦର୍ଶନ ଦେବେ ରଥାରୁଢ଼ ୩ ଠାକୁର । ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।

ତେଣୁ ସେଠାରୁ ହିଁ ଆସନ୍ତାକାଲି ଅଳଙ୍କାର ଆଣି ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ । ମାନବୀୟ ଲୀଳା କରୁଥିବା ପ୍ରଭୁ ଶ୍ରୀବଳଭଦ୍ର ଧାରଣ କରିବେ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ସହ ବିଭିନ୍ନ ପ୍ରକାରର ମାଳି । ସେହିପରି ଦେବୀ ସୁଭଦ୍ରାଙ୍କ ମସ୍ତକରେ କିରିଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, କଦମ୍ବମାଳି, ସେବତୀମାଳି ସହ ପରିଧାନ କରିବେ ୨ଟି ତଗଡ଼ି ।

ଶ୍ରୀଜଗନ୍ନାଥ ମଧ୍ୟ ବଡ଼ଭାଇଙ୍କ ଭଳି ପରିଧାନ କରିବେ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ସହ ମାଳି । ଏହି ବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ରଥାରୁଢ଼ ଶ୍ରୀଜିଉଙ୍କ ସାମ୍ନାରେ କୌଣସି ସେବାୟତଙ୍କୁ ଛିଡ଼ା ହେବାକୁ ବାରଣ କରାଯାଇଛି ।

ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି । ତେଣୁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସ୍ୱରୂପ ଯେଉଁମାନେ ଭୁବନେଶ୍ୱର ପଟୁ ୪ ଚକିଆରେ ଆସୁଥିବେ ସେମାନେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର, ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥ ବଲ୍ଲଭ, ୟାତ୍ରିକା ପ୍ୟାଲେସ୍ ଏବଂ ନୋଳିଆ ଫିଲଡରେ ପାର୍କିଂ କରିବେ ।

କୋଣାର୍କ ପଟୁ ଆସୁଥିବା ଯାତ୍ରୀ, ଇଣ୍ଡୋର ଷ୍ଟାଡ଼ିୟମ୍, ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡ଼ି ରଖିବେ । ଭୁବନେଶ୍ୱର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତୀପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଏବଂ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫାଗ୍ ବିଚ୍, ହୋଟେଲ୍ ନୀଳାଚଳ ଅଶୋକ, ହଲିଡେ ରିସର୍ଟ ପଛପଟ ପାର୍କିଂରେ ଗାଡ଼ି ରହିବ ।

ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ ୱାନ ୱେରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ତାଳଧ୍ୱଜ ରଥ କଡ଼େ କଡ଼େ ଫେରିବେ । ସୁନାବେଶ ପାଇଁ ମୁତୟନ ହେବେ ମୋଟ୍ ୧୯୦ ପ୍ଲାଟୁନ୍ ପୋଲିସ ଫୋର୍ସ ।