ଜ୍ୱରରେ ପଡ଼ିଛନ୍ତି ମଣିମା, ଚାଲିବ ଗୁପ୍ତସେବା; ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ

ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

Sri Mandir

ସ୍ନାନ ବେଦୀରେ ଦିବ୍ୟସ୍ନାନ ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ । ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୫ ଦିନ ଧରି ଅସୁସ୍ଥ ଶ୍ରୀଜିଉଙ୍କର ଚାଲିବ ଗୁପ୍ତ ଅଣବସର ନୀତି । ଏଥି ପାଇଁ ରତ୍ନସିଂହାସନରେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ । ଏହି ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ ।

ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜା ପାଇବେ । ଏଥିପାଇଁ ବିଳମ୍ବିତ ରାତିରେ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ଅନ୍ୟପଟେ ବିଳମ୍ବିତ ରାତିରେ ବାହୁଡ଼ା ପହଣ୍ଡି ଶେଷ ପରେ ଶ୍ରୀଜିଉଙ୍କ ସୁନାଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି ।

ଅନ୍ୟପଟେ ଶ୍ରୀଜିଉ ଅଣବସର ଘରେ ଥିବାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଦର୍ଶନ । ଭୋରରୁ ଅଲାରନାଥ ପୀଠରେ ଦ୍ୱାର ଫିଟା, ମଙ୍ଗଳ ଆଳତି ଓ ତଡ଼ପଲାଗି ନୀତି ପରେ ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି ।

ଅଲାରନାଥ ପୀଠରେ ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ବିଶ୍ୱାସ ରହିଛି ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ କରି ପ୍ରଭୁ ଜ୍ୱରରେ ପଡ଼ି ଅଣବସରରେ ୧୩ ଦିନ ଧରି ରହିବେ । ଏଣୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ ।

ତେଣୁ ଏହି ସମୟକେ ଭକ୍ତ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରନ୍ତି । ଶ୍ରୀମନ୍ଦିର ଭୋଗନୀତି ପରି ଅଲାରନାଥରେ ମଧ୍ୟ ଭୋଗ ହୁଏ । ସେପଟେ ଶାନ୍ତି ଶୃଙ୍ଖଳା ନିମନ୍ତେ ଅଲାରନାଥଙ୍କ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜଣେ ଏସପି, ଦୁଇ ଡିଏସପି, ୪ ଜଣ ଇନସପେକ୍ଟରଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ସେପଟେ ଗତକାଲି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ପାଗ ଅନୁକୂଳ ଥିବା ସହ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । କୃତ କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର ।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଓ ଚତୁର୍ଧାମୂରତିଙ୍କ ଦିବ୍ୟ ହାତୀ ବେଶ ଦର୍ଶନ କରି ତଲ୍ଲୀନ ଅଗଣିତ ଭକ୍ତଙ୍କ ମନ ଓ ପ୍ରାଣ । ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ି ଭୋରରୁ ଲୋକାରଣ୍ୟ ହୋଇ ସାରିଥିଲେ ସାରା ଶ୍ରୀକ୍ଷେତ୍ର । ଭୋର ୪ଟା ୩୦ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳାର୍ପଣ ।

ଆଉ ଭୋର୍‍ ୫ଟା ୨୦ ବେଳକୁ ଆରମ୍ଭ ହୋଇଥିଲା ପହଣ୍ଡି । ଘଣ୍ଟଘଣ୍ଟାର ତାଳ, ହରିବୋଲ ହୁଳହୁଳିର କମ୍ପନ ଓ ଟାହିଆର ଅପୂର୍ବ ଦୋଳଣରେ, ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଚତୁର୍ଧାମୂରତି । ପରେ ବିଭିନ୍ନ ନୀତିକାନ୍ତି ଅନ୍ତେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସଂପନ୍ନ ହୋଇଥିଲା ତିନି ଠାକୁରଙ୍କ ଦିବ୍ୟସ୍ନାନ ।

ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଛେରା ପହଁରା ସରିବା ପରେ ହାତୀବେଶରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ । ଆଉ ଶ୍ରୀଜିଉଙ୍କ ଏ ଦୁର୍ଲଭ ବେଶ ଦର୍ଶନ ପରେ ଅଭିଭୂତ ହୋଇପଡ଼ିଥିଲେ ଅଗଣିତ ଭକ୍ତ ।