Advertisment

ନୀଳାଦ୍ରି ବିଜେରେ ଶେଷ ହୁଏ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା

ନଅ ଦିନର ଯାତ୍ରା ସାରି ଶେଷରେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ୱଗୃହକୁ ଫେରନ୍ତି। ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଠାକୁରଙ୍କ ଏହି ପରମ୍ପରା ନିଳାଦ୍ରି ବିଜେ ଭାବେ ଜଣାଶୁଣା।

ଅଦ୍ୟତନ ହୋଇଛି
The end ritual of Ratha Jatra is known as Niladri Bije

The end ritual of Ratha Jatra is known as Niladri Bije

Advertisment

ନଅଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି।

Advertisment

ଶାସ୍ତ୍ରରେ ଯଦିଓ ଉଲ୍ଲେଖ ରହିଛି ଯେ ଦ୍ୱାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ବାସ୍ତବ କଥା ଦେଖିଲେ କିଛି ଭିନ୍ନ ରହିଛି। ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ। ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ହୋଇ ଆସୁଛି। ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ।

ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଏ। ଏହାପରେ ଦର୍ଶନ ପାଇଁ କିଛି ସମୟ ଭକ୍ତମାନଙ୍କୁ ରଥ ଉପରୁ ଛଡା ଯାଇଥାଏ। ଏହା ପରେ ବିଜେ କାହାଳି ବାଜେ ଓ ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ।

Advertisment

ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ଏହା ପରେ ଗୋଟି ପହଣ୍ଡି କ୍ରମରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ।

ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥାଏ। ଏହି ସମୟରେ ଠାକୁର ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ହୁଏ। ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହି କିଛି କ୍ଷଣ ପରେ ଖୋଲାଯାଏ।

Advertisment

ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ।

ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ ଫିଟେ। ଏହା ପରେ ବନ୍ଦାପନା, ରସଗୋଲା ଭୋଗ ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ହୋଇଥାଏ। ଏହା ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରନ୍ତି।

ଏହି ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ। ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ। କଥିତ ଅଛି ଯେ, ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଞ୍ଜନ କରିଥିଲେ।

ଏହା ପରେ ଅନ୍ୟ ମୂର୍ତ୍ତି ଆସ୍ଥାନ ଛାଡି ବିଜେ ହୁଅନ୍ତି। ଏହାକୁ ଗୋଟି ପହଣ୍ଡି କୁହାଯାଏ। ଠାକୁରମାନେ ଜଣକ ପରେ ଜଣେ ବିଜେ ହେଲେ ଧାଡିପହଣ୍ଡି କୁହାଯାଏ। ସେହିପରି ହାତକୁ ହାତ ଧରି ଯୋଡିହୋଇ ଚାଲିବାକୁ ହାତପ‍ଇଠ ବୁଝାଏ।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ