Advertisment

ମହାପ୍ରଭୁଙ୍କ ସୁନାବେଶ ପଛରେ କାହାର ରହିଛି ବିଶେଷ ଅବଦାନ

ସୁନାବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜ କରାଯାଏ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। କିନ୍ତୁ ରଥଯାତ୍ରାର ଅନ୍ତିମ ଦିନରେ ଠାକୁରମାନେ ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଅଦ୍ୟତନ ହୋଇଛି
Suna Besha of Lord ShriJagannath

Suna Besha of Lord ShriJagannath

Advertisment

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନା ବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ମହାପ୍ରଭୁଙ୍କ ଅନ୍ୟସବୁ ବେଶରେ ମାଧୁର୍ଯ୍ୟ ପ୍ରକଟିତ ହେଉଥିବା ସ୍ଥଳେ, କେବଳ ସୁନା ବେଶରେ ଐଶ୍ୱର୍ଯ୍ୟ ଦେଖାଦେଇଥାଏ। ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ବିଭିନ୍ନ ତିଥିରେ ଯଥା: କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା, ଦଶହରା ପ୍ରଭୃତି ଦିବସମାନଙ୍କରେ ରାଜବେଶ, ରାଜା ରାଜେଶ୍ୱର ଇତ୍ୟାଦି ସୁନାବେଶରେ ସଜ୍ଜିତ ହେଉଥିଲେ ହେଁ ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

Advertisment

କ’ଣ କୁହେ ଇତିହାସ:

ଏହି ସୁନାବେଶ ପ୍ରଚଳନର ଇତିହାସ ସମ୍ପର୍କରେ ଜଣାଯାଏ ଯେ, ଓଡ଼ିଆ ଜାତିର ପରମାରାଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଏ ରାଜ୍ୟର ରାଜା ମହାରାଜାମାନେ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବା ପ୍ରମାଣ ଶିଳାଲେଖରୁ ମିଳୁଛି।

ତୃତୀୟ ଅନଙ୍ଗଭୀମ ଦେବ (୧୨୧୧-୧୨୩୮) ଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କର ଜନୈକ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ପରେ ତାଙ୍କ ପୁତ୍ରଭାବେ ଲାଙ୍ଗୁଳା ନରସିଂହ ଦେବ (୧୨୩୮- ୧୨୬୬) ମଧ୍ୟ ନିଜକୁ ପୁରୁଷୋତ୍ତମ ପୁତ୍ରଭାବେ ଅଭିହିତ କରିଥିଲେ।

Advertisment

ଭାନୁଦେବ ତୃତୀୟ (୧୩୦୮-୧୩୨୮) ଜଗନ୍ନାଥଙ୍କୁ ରାଜାଧିରାଜ ରୂପେ ସ୍ୱୀକାର କରି ମହାପ୍ରଭୁଙ୍କ ନାମରେ ଅଙ୍କ ଗଣନା ଆରମ୍ଭ କରିଥିଲେ। ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ (୧୪୩୫-୧୪୬୬) ଜଗନ୍ନାଥଙ୍କୁ ଜାତୀୟ ଦେବତା ରୂପେ ପ୍ରଚାରିତ କରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗଭୀନ ଦେବ ଓ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଓଡ଼ିଶାର ରାଜାରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ ଦୁଇବର୍ଷ ଧରି ଅଭିଷେକ ହୋଇ ନଥିଲେ।

କେତେକ ଗବେଷକଙ୍କ ମତରେ ରଥ ଉପରେ ଠାକୁରମାନଙ୍କ ଏହି ବେଶର ନାମ ‘ବଡ଼ ତଢାଉ ବେଶ’ ମଧ୍ୟ। ବଡ଼ତଢାଉ ବେଶ ମତରେ କପିଳେନ୍ଦ୍ର ଦେବ ୧୪୬୦ରେ ଦକ୍ଷିଣ ବିଜୟରୁ ଫେରିବା ବେଳେ ୧୬ଟି ହାତୀ ପିଠିରେ ବୋଝେଇ ସୁନା ଅଳଙ୍କାର ଆଣିଥିଲେı ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରିଥିବା ନେଇ ଜୟବିଜୟ ଦ୍ୱାରସ୍ଥିତ ଶିଳାଲେଖରେ ସୂଚନା ରହିଛି।

Advertisment

ଅଳଙ୍କାର ସମ୍ପର୍କରେ ରାଜା ବଡ଼ତଢାଉଙ୍କ ପରାମର୍ଶ ନେଇଥିଲେ। ରତ୍ନବେଦିରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ସବୁ ବର୍ଗରେ ଭକ୍ତ ଦର୍ଶନ କରି ପାରୁନାହାନ୍ତି ତେଣୁ ରଥ ଉପରେ ସବୁବର୍ଗର ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ କରେଇବାକୁ ବଡ଼ତଢାଉ ରାଜାଙ୍କୁ ଅନୁରୋଧ କରିଥିଲେ। ଦକ୍ଷିଣାଭିମୁଖୀ ଯାତ୍ରାରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରିବାକୁ ରାଜା ଅନୁମତି ଦେଇଥିଲେ।

କିପରି ହୁଏ ସୁନାବେଶ:

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନା ବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ୍‌, ପୋଲିସ୍‌, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନି ରଥ ଉପରକୁ ଆସିଥାଏ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥାନ୍ତି।

Suna Besha Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ