କେମିତି ତିଆରି ହୁଏ ଟାହିଆ, କ’ଣ ଏହା ପଛରେ ଇତିହାସ; ଜାଣନ୍ତୁ ...

ଦିନ କେଇଟା ପରେ ଗୁଣ୍ଡିଚା ଯାତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଦାଣ୍ଡକୁ ବିଜେ କରିବେ ।

Tahia

ଦିନ କେଇଟା ପରେ ଗୁଣ୍ଡିଚା ଯାତ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଦାଣ୍ଡକୁ ବିଜେ କରିବେ । ଆଉ ଏହି ସିଂହଠାଣୀରେ ବିଜେ କଲା ବେଳେ ମହାପ୍ରଭୁଙ୍କ ମଥାରେ ଝଟକୁଥିବ ଟାହିଆ । ଯାହାକୁ ନେଇ ରହିଛି, ଅନେକ କାହାଣୀ । ଏବେ ବି ଏହି ଟାହିଆ ଯୋଗାଉଥିବା ମଠଟି ଶ୍ରୀକ୍ଷେତ୍ରରେ ରହିଛି । ନାଁ ତାର ରାଘବଦାସ ମଠ । କଥାରେ ଅଛି ଆହେ ରାଘବ ଦାସେ କାଳିଆ ମଥାରେ ତୁମ ଟାହଆ ହସେ ।

ତେବେ ଆପଣ ଜାଣନ୍ତି କି, ଏହି ଟାହିଆ କେମିତି ଆଉ କେବେଠାରୁ ପ୍ରସ୍ତୁତ ହୁଏ । ବାସ୍ତବରେ ପରମ୍ପରା ମୁତାବକ ଅକ୍ଷୟ ତୃତୀୟାଠାରୁ ପ୍ରଭୁଙ୍କ ଟାହିଆ କାର୍ଯ୍ୟ ଆରମ୍ଭ ହୋଇଥାଏ । ପ୍ରତିବର୍ଷ ସ୍ନାନ ଓ ରଥଯାତ୍ରାକୁ ମିଶାଇଲେ ସର୍ବମୋଟ ୨୪ ଗୋଟି ଟାହିଆ ପ୍ରସ୍ତୁତ ହୋଇଥାଏ । ପ୍ରାରମ୍ଭିକ ସ୍ତରରେ ସ୍ନାନ ପୂର୍ଣ୍ଣିମା ଲାଗି ୮ଟି ଟାହିଆ ପ୍ରସ୍ତୁତ ହୁଏ । ଯାହାକୁ ଶ୍ରୀଜୀଉମାନେ ସ୍ନାନ ମଣ୍ଡକୁ ଆସିବା ଓ ଅଣସର ପିଣ୍ଡିକୁ ବିଜେ ସମୟରେ ପରିଧାନ କରିଥାନ୍ତି ।

ପଢନ୍ତୁ ଏହି ଖବର: Ratha Jatra 2024: ରଥ ଦଉଡ଼ି ଛୁଇଁଲେ ସର୍ବପାପ ମୋଚନ ହୁଏ, ଜାଣନ୍ତୁ ଏହାର ମାହାତ୍ମ୍ୟ...

ସେହିପରି ରଥଯାତ୍ରା ପାଇଁ ୮ ଟି ଟାହିଆ ପ୍ରସ୍ତୁତ କରା ଯାଇଥାଏ । ଶ୍ରୀମନ୍ଦିରରୁ ରଥ ଉପରକୁ ଗଲାବେଳେ ୪ଟି ଓ ରଥରୁ ଗୁଣ୍ଡିଚା ମନ୍ଦିର ରତ୍ନ ସିଂହାସନକୁ ଗଲା ବେଳେ ଆଉ ୪ଟି ଟାହିଆ ବ୍ୟବହାର ହୋଇଥାଏ । ଅନୁରୂପ ଭାବେ ଗୁଣ୍ଡିଚା ମନ୍ଦିରରୁ ରଥ ଉପରକୁ ଆସିବା ବେଳେ ଓ ନିଳାଦ୍ରୀ ବିଜେରେ ରତ୍ନ ସିଂହାସନକୁ ବିଜେ କରିବା ବେଳେ ଆଉ ୮ଟି ଟାହିଆ, ମହାପ୍ରଭୁଙ୍କ ପହଣ୍ଡିରେ ବ୍ୟବହାର ହୋଇଥାଏ ।

ବେତ, ବାଉଁଶ, ସୋଲ, ଜରି,ପାଣି ରଙ୍ଗ, ପଇତା ସୂତା, ରଙ୍ଗଣୀ ଫୁଲ, କଦଳୀ ପଟୁକା, ତୁଳସୀରେ ଟାହିଆ ପ୍ରସ୍ତୁତ କରାଯାଏ । ଯାହାର ଅଗ୍ରଭାଗରେ ଦୁବ କେରା ଶୋଭା ପାଇଥାଏ । ଦେବସ୍ନାନ ପୂର୍ଣ୍ଣମୀ, ଗୁଣ୍ଡିଚା ମନ୍ଦିର ବିଜେ, ବାହୁଡ଼ା ବିଜେ ବେଳେ ଅପେକ୍ଷାକୃତ ଛୋଟ ଟାହିଆ ଲାଗି ହେଉଥିବା ବେଳେ ରଥଯାତ୍ରା ଓ ନୀଳାଦ୍ରିବିଜେରେ ବଡ ଟାହିଆ ଲାଗି ହୋଇଥାଏ ।

ମହାପ୍ରଭୁଙ୍କ ବଡ଼ ଟାହିଆରେ ୩୭ଟି, ବଡ଼ ଠାକୁରଙ୍କ ଟାହିଆରେ ୩୧ ଟି କାଠି ବ୍ୟବହୃତ ହେଉଥିବା ବେଳେ ଛୋଟ ଟାହିଆରେ ଯଥାକ୍ରମେ ୨୫ ଟି ଓ ୨୧ ଟି କାଠି ବ୍ୟବହାର କରାଯାଏ । ମା ସୁଭଦ୍ରାଙ୍କ ଟାହିଆର ଲମ୍ବ ଦେଢ଼ ହାତ ଓ ଓସାର ଦେଢ଼ ହାତ ହୋଇଥିବା ବେଳେ ସୁଦର୍ଶନଙ୍କୁ ଲାଗି ହେଉଥିବା ଟାହିଆକୁ ଟୋପର କୁହାଯାଏ ।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...