Advertisment

'ରାତିରେ ସ୍ୱପ୍ନାଦେଶ ହେଲା, ସକାଳେ କାଳିଆକୁ ଗଢ଼ିଲି'

ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ୟାନ୍‌ରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।

Idol of Lord Jagannath

Idol of Lord Jagannath

Advertisment

ଯାହାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ଯିଏ ନିଜେ ନିଜକୁ ଗଢ଼ିଛନ୍ତି, ତାଙ୍କର ଯେଉଁ ବିଚିତ୍ର ଲୀଳା ତାହା ଭକ୍ତ ଦେଖୁଛନ୍ତି । ନିଜକୁ ଗଢ଼ିବାକୁ ସେ ବାଛିଛନ୍ତି ଜଣେ ସାଧାରଣ ଭକ୍ତକୁ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗାଁର ଗୋପାଳ ଚନ୍ଦ୍ର ନାଥ। ଏକ କପଡ଼ା ଦୋକାନରେ ସେଲସମ୍ୟାନ ଭାବରେ କାମ କରୁଥିବା ଗୋପାଳଙ୍କର ମୂର୍ତ୍ତିଗଢ଼ା କାମରେ ତିଳେ ମାତ୍ର ଅଭିଜ୍ଞତା ନାହିଁ। ହେଲେ ଏବେ ସିଏ ଲାଗିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ିବା କାମରେ। ଏହା ପଛରେ ରହିଛି ତାଙ୍କ ଜୀବନର ଏକ ଆଶ୍ଚର୍ଯ୍ୟ ଘଟଣା।

Advertisment

ଗୋଫାଳଙ୍କ କହିବା ଅନୁଯାୟୀ, ଦିନେ ରାତିରେ ସ୍ୱପ୍ନରେ ଦେଖିଲେ ଯେ, ସେ ଶ୍ରୀଜଗନ୍ନାଥଙ୍କ ମୂର୍ତି ତିଆରି କରୁଛନ୍ତି । ସେହି ସ୍ୱପ୍ନ ଗୋପାଳଙ୍କ ଜୀବନରେ ଆଣିଲା ଏକ ବଡ଼ ପରିବର୍ତ୍ତନ । ଏହା ଦେଖି ତାଙ୍କ ଦେହ ଶୀତେଇ ଉଠିଲା । ସକାଳ ହେଲା । ଆଦୌ ମୂର୍ତ୍ତି ଗଢ଼ିବା ଜାଣିନଥିବା ଗୋପାଳଙ୍କୁ ଲାଗିଲା, ସେ ବି ସ୍ୱପ୍ନରେ ଦେଖିଥିବା ପରି ଚତୁର୍ଦ୍ଧା ମୂର୍ତି ଅବିକଳ ଗଢ଼ିପାରିବେ। ସତକୁ ସତ ସେଇଆ ହେଲା। ଆରମ୍ଭ କଲେ ମୂର୍ତ୍ତି ଗଢ଼ା। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ସୁନ୍ଦର ମୂର୍ତି ସୋଲରେ ତିଆରି କରିଛନ୍ତି ଗୋପାଳ ।

ଗୋପାଳ ପିଲାଟି ଦିନରୁ ଜଗନ୍ନାଥଙ୍କ ଭକ୍ତ । ଆଉ ମୂର୍ତ୍ତି ତିଆରି କାମ କରିବା ପରେ ମହାପ୍ରଭୁ ତାଙ୍କ ଜୀବନର ଗୋଟେ ଅଙ୍ଗ ପାଲଟି ଯାଇଛନ୍ତି । ମୂର୍ତ୍ତି ତିଆରି ପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା, କିନ୍ତୁ ଏଗୁଡିକୁ ସେ ବିକନ୍ତି ନାହିଁ । କିଏ କିଏ ଖୁସିର ଜବର କରି କିଛି ଅର୍ଥ ଦିଅନ୍ତି । କିନ୍ତୁ ତାଙ୍କର ଉତ୍ତର ଥାଏ, ମହାପ୍ରଭୁ ତ ଅମୂଲ୍ୟ, ତାଙ୍କର କଣ ମୂଲ୍ୟ ।

Advertisment

ସେ ନିଜେ ବିଶ୍ୱ ନିୟନ୍ତା। ତାଙ୍କୁ ବା କିଏ ଗଢ଼ିବ? ହେଲେ ଭକ୍ତର ଆନନ୍ଦରେ ସେ ଉଲ୍ଲସିତ ହୋଇଯାଆନ୍ତି। ହଜି ଯାଆନ୍ତି। କୁହନ୍ତି, ଭକ୍ତ ମତେ ଯେମିତି ଗଢ଼ିବ ମୁଁ ସେମିତି ହୋଇ ବସିବି ତାଆରି ପାଖରେ। ଏଇ ଯେମିତି ଅଜଣା ଅଶୁଣା ଭକ୍ତ ଗୋପାଳ ନାଥ।

ରିପୋର୍ଟର- ମନୋଜ ଆଚାର୍ଯ୍ୟ

Special Story Idol Of Lord Jagannath Cuttack Salesman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ