Ratha Jatra 2024: ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ମିଳେ କୋଟି ଜନ୍ମର ପୁଣ୍ୟ; ଜାଣନ୍ତୁ ଏହାର ନୀତିକାନ୍ତି

ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।

ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ମିଳେ କୋଟି ଜନ୍ମର ପୁଣ୍ୟ

ସରି ସରି ଆସୁଛି ମହାବାହୁଙ୍କର ଜନ୍ମବେଦୀ ଲୀଳା। ବାହୁଡା ଯାତ୍ରାରେ ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ଦିନ ହୋଇଥାଏ ଠାକୁରଙ୍କ ବାହୁଡା ଯାତ୍ରା। ଏହା ପୂର୍ବ ଦିନ ନବମୀରେ ଗୁଣ୍ଡିଚା ମନ୍ଦିରରେ ହୁଏ ସନ୍ଧ୍ୟା ଦର୍ଶନ। ଏନେଇ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳେ।

ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ଵାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୁଏ। ଆରମ୍ଭ ହୁଏ ସର୍ବସାଧାରଣ ଦର୍ଶନ। ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଥାଏ ପ୍ରବଳ ଉତ୍କଣ୍ଠା। ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନର ସ୍ୱତନ୍ତ୍ରତା ରହିଛି। ବର୍ଷ ତମାମ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି ବର୍ଣ୍ଣନା କରା ନ ଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି।

ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।

ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହିପରି ଜନସାଧାରଣରେ ବହୁ ପ୍ରଚାରିତ ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ’ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ, ଦୀପ ପ୍ରଜ୍ଜ୍ୱଳନ, ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିଥିବା ଜଣାଯାଏ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ। ଏହିଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।

ବିଭିନ୍ନ ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ଅନୁଯାୟୀ ନବମୀ ସନ୍ଧ୍ୟା ଦର୍ଶନ ଦିନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ମଣ୍ଡପରେ ଦର୍ଶନ ଓ ବ୍ରାହ୍ମଣ ଭୋଜନ କରିଥିଲେ। ଏହାଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ। ଏହି କାରଣରୁ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ସମଗ୍ର ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳ ଲୋକାରଣ୍ୟ ହୋଇପଡେ।

ସନ୍ଧ୍ୟା ଦର୍ଶନ ନୀତି:

ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ-ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ସର୍ବାଙ୍ଗ, ନୂଆଲାଗି ବେଶ, ମଧ୍ୟାହ୍ନ ଧୂପ, ୨ୟ ଭୋଗ ମଣ୍ଡପ, ମଇଲମ, ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ୩ୟ ଭୋଗମଣ୍ଡପ, ରାହାସକୁ ଦିଅଁ ବିଜେ, ମଇଲମ, ଚନ୍ଦନ ଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ, ପହୁଡ ଆଳତି, ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ, ଚାରବନ୍ଧା ରାତି ଏବଂ କୁସୁମିଲାଗି।

ନବମୀର ସନ୍ଧ୍ୟା ଦର୍ଶନ ନୀତି ପରେ ଦଶମୀ ଦିନ ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯାଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହୁଏ।