Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।

ଶ୍ରୀଜୀଉଙ୍କ ବାହୁଡାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ଆସନ୍ତୁ ମହାପ୍ରଭୁଙ୍କ ଏହି ଯାତ୍ରା ବିଷୟରେ ଜାଣିନେବା।

ସମ୍ପୂର୍ଣ୍ଣ ରଥଯାତ୍ରାକୁ ତିନୋଟି ଅଙ୍ଗରେ ବିଭକ୍ତ କରାଯାଏ। ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଅଙ୍ଗ ହୋଇଥିବା ବେଳେ ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ତୃତୀୟ ଅଙ୍ଗ ହୋଇଥାଏ। ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭକରି ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ପଢନ୍ତୁ ଏହି ଖବର: Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

ପାଳନ ବିଧି:

ଗୁଣ୍ଡିଚାଯାତ୍ରା ଠାରୁ ଠାକୁରମାନେ ରଥରୁ ଓହ୍ଲାଇବା ଯାଏ ତିନି ରଥରେ ଧ୍ୱଜ ପୂଜା ହୁଏ। ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା ପହଣ୍ଡି ଆରମ୍ଭ ହୋଇଯାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ, ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି ଆଦି ହେବାର ବିଧି ରହିଛି।

ଆବଶ୍ୟକୀୟ ମରାମତି କାର୍ଯ୍ୟ:

ପରେ ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା, ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

ବାହୁଡା ରଥ ଟଣା:

ବାହୁଡା ରଥ ଟଣା ହୋଇ ବଳଭଦ୍ରଙ୍କ ରଥ ବଡଶଙ୍ଖ ଯାଏ ଆସିବା ପରେ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୁଏ। ଏହାପରେ ଜଗନ୍ନାଥଙ୍କ ରଥ ଟଣା ହୋଇଥାଏ। ବାଟରେ ଠାକୁରଙ୍କ ପାଇଁ ପନ୍ତି ଭୋଗ ହୁଏ। ବଡଠାକୁର ଓ ସୁଭଦ୍ରାଙ୍କ ରଥ ବଡଦେଉଳ ସିଂହଦ୍ୱାର ନିକଟରେ ପହଞ୍ଚିବା ପୂର୍ବରୁ ଅଳ୍ପ ଦୂର ମାଉସୀ ମା’ ମନ୍ଦିର ପାଖରେ ରୁହେ। ଏଠାରେ ଜଗନ୍ନାଥଙ୍କୁ ଛେନା ପୋଡପିଠା ଭୋଗ ଦିଆଯାଏ। ଏହାପରେ ରଥ ଟଣା ଆରମ୍ଭ ହୁଏ।

ସିଂହଦ୍ୱାରରେ ପହଞ୍ଚିବା ପରେ:

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଦେଉଳ ସିଂହଦ୍ୱାର ପାଖକୁ ଆସି ରାଜାଙ୍କ ନଅର ସାମ୍ନାରେ ରୁହେ। ଏହା ପରେ ମାହଲକ୍ଷ୍ମୀ ସଜ୍ଜ ହୋଇ ପାଲିଙ୍କୀରେ ବିଜେ କରି ବଡ ଦେଉଳ ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି। ସେଠାରୁ ଜଗନ୍ନାଥଙ୍କ ରଥକୁ ଚାହାନ୍ତି।

ଏହା ପରେ ମହାଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥ ରଥ ଚାରିପଟେ ବେଢାଏ ବୁଲେ। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଦଇତାମାନେ ଆଜ୍ଞାମାଳ ନିଅନ୍ତି। ଏହାପରେ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରିଯାଆନ୍ତି। ପରେ ଜଗନ୍ନାଥଙ୍କ ରଥ ମନ୍ଦିର ସିଂହଦ୍ୱାର ନିକଟକୁ ଆସେ। ବାହୁଡା ଶେଷ ଦିନ ଠାକୁରମାନେ ରଥରେ ରୁହନ୍ତି।

ସିଂହାସନକୁ ବିଜେ:

ମଧ୍ୟାହ୍ନ ଧୂପ ଠାରୁ ଶୁଖିଲା ଭୋଗ ଆରମ୍ଭ ହୁଏ। ପରଦିନ ମଧ୍ୟ ଠାକୁରମାନେ ରଥରେ ରହି ଥାଆନ୍ତି। ଏଠାରେ ଏକାଦଶୀ ନୀତି, ଅଧର ପଣା ଭୋଗ, ସୁନାବେଶ ହୁଏ। ଦ୍ୱାଦଶୀ ଦିନ ଠାକୁରମାନେ ରଥରୁ ସିଂହାସନକୁ ବିଜେ ହୁଅନ୍ତି।

ପଢନ୍ତୁ ଏହି ଖବର: Ratha Jatra 2024: ନନ୍ଦିଘୋଷ ରଥର କେତେକ ଜାଣିବା କଥା; କେତେ ଚକ, ଏହାର ନାଁ କ’ଣ…