ମହାପ୍ରଭୁଙ୍କ ମହାଲୀଳାକୁ କିଏ ବା ବୁଝିବ। ଏହି ମହାନ ମାନବୀୟ ଲୀଳା ସତରେ ଅନନ୍ୟ ଆଉ ମାଧୁର୍ଯ୍ୟମୟ। ସେଥିମଧ୍ୟରୁ ରଥଯାତ୍ରା ସବୁଠାରୁ ନିଆରା। ଏନେଇ ପ୍ରସ୍ତୁତି ଅନେକ ଦିନରୁ ଆରମ୍ଭ ହୋଇଥାଏ। ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇଥାଏ। ରଥକାଠ ପହଞ୍ଚିବାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ। ସବୁ ଉପକରଣ ଭିତରେ ରଥ ଦଉଡିର ଗୁରୁତ୍ୱ ରହିଥାଏ।
ଦଉଡ଼ି ବନ୍ଧା ନୀତି:
ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ତାଳ ଓ ନଡିଆ ଗଛ କାଠରେ ପ୍ରସ୍ତୁତ ଚାରମାର ଖୋଲାଯାଏ। ଏହାକୁ ଭୋଇ ସେବକମାନେ ଖୋଲନ୍ତି। ଏହାପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି ବନ୍ଧା ଯାଇଥାଏ।
Also Read
ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶକରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଏହି ଦଉଡିର ଛୁଆଁ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏନେଇ ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ।
କେଉଁଠୁ ଆସେ ଦଉଡ଼ି:
ମହାପ୍ରଭୁଙ୍କ ସେବାକୁ ଆପଣେଇବା ନେଇ କିଏ ବା ମନ ନ କରେ। ହେଲେ ଏହି ସୁଯୋଗ ସମସ୍ତଙ୍କୁ ମିଳି ନଥାଏ। ଠାକୁର ସେବା ମଧ୍ୟରେ ଦଉଡି ସେବା ମଧ୍ୟ ଗୁରୁତ୍ୱ ରଖେ। ଗତ କିଛି ବର୍ଷ ଧରି ଏହି ଦଉଡ଼ି କେରଳର କଏର ନିଗମରୁ ଅଣାଯାଉଛି। ପୂର୍ବରୁ କଲିକତା କଏର ବୋର୍ଡ଼ ଏହି ଦଉଡି ଯୋଗାଉଥିଲା।
ଦଉଡ଼ିର ମାପ ଓ ସଂଖ୍ୟା:
- ୮ ଇଞ୍ଚ ଗୋଲେଇ ବିଶିଷ୍ଟ ୨୨୦ ଫୁଟ ଲମ୍ବର ୧୨ଟି ଦଉଡ଼ି ତିନି ରଥ ପାଇଁ ଆବଶ୍ୟକ ପଡିଥାଏ।
- ୩ ଇଞ୍ଚ ଗୋଲେଇ ବିଶିଷ୍ଟ ୪୫୦ ଫୁଟ ଲମ୍ବର ୩ଟି ଦଉଡି ରଥ ଘେର ପାଇଁ ଦରକାର ହୋଇଥାଏ।
- ୨୨୦ ଫୁଟ ଲମ୍ବର ଗୋଟିଏ ଦଉଡି ଜରୁରୀ ଆବଶ୍ୟକତା ପାଇଁ ରଖାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ।
- ଦଉଡ଼ି କ୍ରୟ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ମନ୍ଦିର ପ୍ରଶାସନ ତରଫରୁ ହୋଇଥାଏ।
ତିନି ରଥ ଦଉଡିର ନାଁ:
- ଜଗନ୍ନାଥଙ୍କ ନନ୍ଦିଘୋଷ ରଥ – ଶଙ୍ଖଚୂଡ଼
- ବଳଭଦ୍ରଙ୍କ ତାଳଧ୍ୱଜ ରଥ – ବାସୁକୀ
- ସୁଭନ୍ଦ୍ରାଙ୍କ ଦର୍ପଦଳନ ରଥ – ସ୍ୱର୍ଣ୍ଣଚୂଡ଼
ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଏ। ଏହି ରଥର ଦଉଡିର ନାଁ ହେଉଛି ବାସୁକୀ। ରଥ ଟଣା ସମୟରେ ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କ ମନୋରଞ୍ଜନ କରିଥାନ୍ତି।
ସର୍ବଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦଉଡ଼ି ଧରି ଆନନ୍ଦ ମନରେ ରଥକୁ ଟାଣିଥାନ୍ତି। ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥାଏ।
ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥି ମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ସାମିଲ ଥାଏ। ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଥିବା ମାଉସୀ ମା’ ମନ୍ଦିରରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିହୁଏ।
ପ୍ରତି ରଥ ଉପରେ ଶ୍ରୀମନ୍ଦିର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସହଯୋଗ କରନ୍ତି। ଯଦି ଗୋଟିଏ ଦିନରେ ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନ ପାରେ, ତେବେ ପରଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ।