Advertisment

ଦିନକ ପରେ ଦେବସ୍ନାନ ପୂର୍ଣ୍ଣମୀ; ରତ୍ନବେଦି ଛାଡି ସ୍ନାନବେଦିକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି

ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ।

undefined

Snana Purnima

Advertisment

ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ସେଥିପାଇଁ ଆଜି ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଦିବ୍ୟସ୍ନାନ ପରେ ଦୁର୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

Advertisment

ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧିବେ। ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ।

ଏ ସମସ୍ତ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍ ୪ଟାରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଏହାପରେ ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ସଂପନ୍ନ ହେବ। ଅପରାହ୍ନ ୨ଟା ୪୦ରେ ଶ୍ରୀଜିଉଙ୍କ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୬.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ରହିଛି। ଏହାପରେ ରାତି ୧୦ଟା ୩୦ରୁ ଗୋଟାଏ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏପଟେ ରାଘବ ଦାସ ଓ ଗୋପାଳତୀର୍ଥ ମଠରେ ମହାପ୍ରଭୁଙ୍କ ହାତୀବେଶ ଲାଗି ଚାଲିଛି ଜୋରସୋର ପ୍ରସ୍ତୁତି। ସୋଲ, ଜରି, ଜମ୍ବୁରା, କଦଳୀପଟ, କଇଁଥ ଅଠା ଭଳି ବିଭିନ୍ନ ସାମଗ୍ରୀରେ କାରିଗରମାନେ ହାତୀବେଶ ପ୍ରସ୍ତୁତ କରୁଛନ୍ତି।

Advertisment

ସ୍ନାନଯାତ୍ରା ପାଇଁ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ପାଇଁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

Ratha Jatra Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ