Advertisment

ଦ୍ୱିତୀୟ ଦିନର ରଥଟଣା ପରେ ଶରଧାବାଲିରେ ୩ ରଥ

ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

undefined

Ratha Jatra

Advertisment

ଶରଧାବାଲିରେ ଠିଆ ତିନି ରଥ। ନବଦିନାତ୍ମକ ଘୋଷଯାତ୍ରାରେ ରତ୍ନବେଦୀରୁ ଜନ୍ମବେଦୀରେ ପହଁଚିଛନ୍ତି ଶ୍ରୀଜିଉ। କାଲି ଅଧରାସ୍ତାରେ ଅଟକିଥିବା ତିନି ଦିଅଁଙ୍କ ରଥକୁ ଆଜି ଶ୍ରଦ୍ଧାର ସହ ଟାଣି ଆଣିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପାଗ ଅନୁକୂଳ ଥିବାରୁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର। ଆଜି ରଥ ଉପରେ ଦର୍ଶନ ଦେବା ସହ ଆସନ୍ତାକାଲି ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

Advertisment

ନୀଳ ଆକାଶରୁ ଖସି ଆସୁଥିଲା ଝିପ୍ ଝିପ୍ ବର୍ଷା। ହେଲେ ଭକ୍ତି ଓ ଭାବରେ ଭିଜୁଥିଲା କାଳିଆର ବଡଦାଣ୍ଡ। ସିଂହଦ୍ୱାରରୁ ଅଳ୍ପ ଦୂର ନନ୍ଦିଘୋଷରେ ବିରାଜମାନ ଜଗତରନାଥଙ୍କୁ ପଲକ ନପକାଇ ଚାହିଁ ରହିଥିଲା ଭକ୍ତ। ଅଳ୍ପ ଦୂରରେ ଦର୍ପଦଳନ ରଥରେ କାଳିଆ ସାଆନ୍ତଙ୍କୁ ଅପେକ୍ଷା କରିଥିଲେ ଦେବୀ ସୁଭଦ୍ରା। ଆଉ ତା’ ଆଗରେ ମରିଚିକୋଟ ଛକରେ ତାଳଧ୍ୱଜ ରଥ ଉପରୁ ସତେ ଯେମିତି ଭାଇ-ଭଉଣୀଙ୍କୁ ହାତ ଠାରି ଡାକୁଥିଲେ ବଡ ଠାକୁର। ସକାଳ ପ୍ରାୟ ୯ଟା ୨୦, ରଥ ଆଗରେ ଜନସମୁଦ୍ର। ଘଣ୍ଟ ଘଣ୍ଟା, ମୃଦଙ୍ଗ ଓ କୀର୍ତ୍ତନର ତାଳେ ତାଳେ ହୁରି ପଡିଥିଲା ହୋ ଭକତେ। ବଡଦାଣ୍ଡରେ ଗଡିଥିଲା ତିନି ରଥ। କୋଟି ଜନ୍ମର ପୁଣ୍ୟ ଘେନି ଶ୍ରୀଜିଉଙ୍କ ରଥକୁ ଟାଣିନେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ।

ରଥ ଦଉଡିକୁ ହାତରେ ଧରି ଉଛୁଳି ଉଠୁଥିଲା ଭକ୍ତର ମନ। ଆଉ, ଭକ୍ତର ଭାବରେ ବନ୍ଧା ଭାବଗ୍ରାହୀର ମନ ଟାଣୁଥିଲା ଜନ୍ମବେଦୀକୁ, ଶରଧାବାଲିକୁ। ଭାଗ୍ୟରେ ଥିଲେ ମିଳେ ଏମିତି ସୁଯୋଗ। ଦୁଇ ଦିନ ରଥ ଉପରେ ଜଗତ ଠାକୁରଙ୍କ ଦିବ୍ୟ ଦର୍ଶନ। ମନ, ପ୍ରାଣ, ଶରୀର ହଜି ଯାଇଥିଲା, ମଜି ଯାଇଥିଲା ମହାବାହୁଙ୍କ ପାଖରେ। ନନ୍ଦିଘୋଷ ରଥକୁ ଟାଣି ଜଗନ୍ନାଥଙ୍କ ଆଶୀର୍ବାଦ ନେଇଥିଲେ ରାଜ୍ୟ ପୋଲିସ ମୁଖିଆ। ମଧ୍ୟାହ୍ନ ପ୍ରାୟ ୧୨ଟା ୩୫..ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା ବଳଭଦ୍ରଙ୍କ ତାଳଧ୍ୱଜ। ତାର ପ୍ରାୟ ଘଣ୍ଟାକ ପରେ ଗୋଟାଏ ୪୦ ମିନିଟରେ ଶରଧାବାଲିରେ ପହଁଚିଥିଲା ଦର୍ପଦଳନ। ଅପରାହ୍ଣ ପ୍ରାୟ ୨ଟା ୩୫ରେ ନନ୍ଦିଘୋଷରେ ଆସିଥିଲେ କାଳିଆ ଠାକୁର। ଶରଧାବାଲିରେ ଲାଗିଥିଲା ତିନି ରଥ।

Advertisment

ଆଜି ତିନି ଦିଅଁ ରଥରେ ରହିବେ। ରଥ ଉପରେ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ, ବଡ ସିଂହାର ବେଶ ହେବ। କାଲି ସକାଳୁ ଅବକାଶ, ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ୫ ଦଶନ୍ଧି ପରେ ଏବର୍ଷ ରଥଯାତ୍ରା ଦୁଇ ଦିନ ପଡିଛି। ଆଉ ଶ୍ରୀଜିଉଙ୍କ ଘୋଷଯାତ୍ରାରେ ସାମିଲ ହୋଇ କୃତ କୃତ୍ୟ ଭକ୍ତ।

Lord Jagannath Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ