ଭାବ ଓ ଭକ୍ତିରେ ବୁଡ଼ିଲା ଶ୍ରୀକ୍ଷେତ୍ର; ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଦିନକ ପରେ ସୁନାବେଶ

ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ ।

Rath Jatra

ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପୁରୀରେ ଭକ୍ତଙ୍କର ବିପୁଳ ସମାଗମ ହୋଇଛି ।

ଶରଧାବାଲିରୁ ସିଂହଦ୍ୱାର... ରାତି ପାହୁ ପାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼... ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟି ପଡୁଥିଲା ବଡ଼ଦାଣ୍ଡ... ତାରି ଭିତରେ ନାକଚଣା ଦ୍ୱାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ । ଆଡ଼ପ ମଣ୍ଡପରୁ ସଅଳ ନୀତିକାନ୍ତି ବଢ଼ାଇ ବାହୁଡ଼ିବାକୁ ପ୍ରସ୍ତୁତ ହେଉଥିଲେ କଳା ମୁକୁନ୍ଦ ।

ଆଉ ଶରଧାବାଲିକୁ ବର୍ଷା ଛୁଇଁଯିବା ପରେ ନିର୍ଦ୍ଧାରିତ ସମୟର ଢେର ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ପୁଷ୍ପବୃଷ୍ଟି ସମ ଝିପିଝିପି ବର୍ଷାରେ ଟାହିଆ ହଲେଇ ହଲେଇ ଝୁଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ କାଳିଆଠାକୁର ।

ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆରମ୍ଭ ହୋଇଥିଲା ଛେରାପହଁରା । ଏହାପରେ ପହଞ୍ଚି ଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୩ଟାରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ ।

ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କ ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ । ଟିକେ ଖରା ଟିକେ ଛାଇର ସୁନ୍ଦର ପାଗକୁ ତହୁଁ ସୁନ୍ଦର ଭକ୍ତିମୟ ପରିବେଶ । ଭକ୍ତ ଭିଡ଼ରେ ଦରିଆରେ ବିଶାଳ ପୋତ ଭଳି ଗଡ଼ି ଚାଲିଥିଲେ ତିନି ରଥ ତ, ଢେଉ ପରେ ଢେଉ ଭଳି ପୂରା ବଡ଼ଦାଣ୍ଡରେ ଖେଳୁଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ ।

ଏସବୁ ଭିତରେ କିଛି ସମୟ ରଥତ୍ରୟ ଅଟକିଥିଲେ ମାଉସୀ ମାଆଙ୍କ ମନ୍ଦିର ଆଗରେ । ସେଠୁ ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର । ଏହାପରେ ଶ୍ରୀନଅର ସମ୍ମୁଖରେ ସଂପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ । ବୁଧବାର ଜଗତ୍‌ଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତଠାକୁର । ତା’ ପରଦିନ ଅଧରପଣା, ଆଉ ଶୁକ୍ରବାର ହେବ ନୀଳାଦ୍ରିବିଜେ ।