Advertisment

Ratha Jatra: ଭାବର ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ...ଚାରିଆଡ଼େ ଜନସମୁଦ୍ର

ନନ୍ଦ ରାଜାଙ୍କ ନଟଖଟିଆ ପୁଅ ଟାହିଆ ହଲେଇ ହଲେଇ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଚିତ୍ର ଦେଖି କିଏ ଷାଷ୍ଟାଙ୍ଗ ପ୍ରଣିପାତ କରିଥିଲା ତ କିଏ ଆଖିର ଲୁହକୁ ଲୁଚାଇ ପାରିନଥିଲା । ଝିପି ଝିପି ବର୍ଷାରେ କାଳିଆର ଚକା ଆଖି ସହ ଆଖି ମିଶାଇ ଭଗବାନଙ୍କ ଭାବରେ ମିଶିଯାଇଥିଲେ । ପୁରୀ ବଡ଼ ଦାଣ୍ଡରେ ପ୍ରବଳ ଜନଗହଳି

ଅଦ୍ୟତନ ହୋଇଛି
ପୁରୀ ରଥଯାତ୍ରା

ପୁରୀ ରଥଯାତ୍ରା

Advertisment

ଭାବରେ ଭିଜିଲେ ଭକ୍ତ ଓ ଭଗବାନ । ବଡ଼ଦାଣ୍ଡରେ, ବଡ଼ଯାତରେ, ବଡ଼ଠାକୁର, ବଡ଼ ବେଶରେ ୯ ଦିନ ପାଇଁ ରତ୍ନବେଦୀକୁ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଆସିଛନ୍ତି ବଡ଼ ଦାଣ୍ଡକୁ ଭକ୍ତଙ୍କୁ ଉଦ୍ଧାରିବା ପାଇଁ ଭକ୍ତଙ୍କ ଭାବକୁ ବୁଝିବା ପାଇଁ । ସେଇଥିପାଇଁ ତ ସକାଳୁ ସକାଳୁ ସଜ ହୋଇଥିଲା ଶ୍ରୀକ୍ଷେତ୍ର । ପ୍ରସ୍ତୁତ ହୋଇସାରିଥିଲା ବଡ଼ ଦାଣ୍ଡରେ ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ଥିଲା ତିନି ରଥ। ଚାହିଁ ରହିଥିଲେ ଅଗଣତି ଭକ୍ତ । ମହୋଦଧି ନୁହେଁ ବଡ଼ଦାଣ୍ଡ ପାଲଟି ଯାଇଛି ଜନ ସମୁଦ୍ର । ଭକ୍ତ ଓ ଭଗବାନର ମିଳନ ଦୃଶ୍ୟର ସାକ୍ଷୀ ରହିବାକୁ କାହିଁ କେତେଦିନୁ ଅପେକ୍ଷା କରିଥିଲେ ନର, ନାରୀ, କିନ୍ନର , ଗନ୍ଧର୍ବ ଦେବୀ ଓ ଦେବତା । ମର୍ତ୍ତଧାମରେ, ନୀଳକନ୍ଦରରେ, ନୀଳମାଧବ କଳାଚାନ୍ଦର ଏ ଯାତ୍ରାରେ ସାକ୍ଷୀ ରହିଛନ୍ତି ଚଉଦିଗ ଦଶପାଳ ।

Advertisment

ନୀତି ନିର୍ଘଣ୍ଟରେ ସାମାନ୍ୟ ବିଳମ୍ବ ସତ୍ତ୍ବେ ଆରମ୍ଭ ହୋଇଥିଲା ଜଗତପତିଙ୍କ ପତିତପାବନ ଯାତ୍ରା । ରଥ ତ୍ରୟ ପ୍ରତିଷ୍ଠା ନୀତି ସମ୍ପର୍ଣ୍ଣ ହେବା ପରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ତିନି ରଥରେ ସ୍ଥାପନା ହୋଇଥିଲା ଧ୍ୱଜା ଓ କଳସ। ଏହା ପରେ ପରେ ଆରମ୍ଭଲ ହୋଇଥିଲା ବିଶ୍ବନିୟନ୍ତାଙ୍କ ଦିବ୍ୟ ପହଣ୍ଡି ନୀତି । ପ୍ରଥମେ ରତ୍ନବେଦୀରୁ ବଡ଼ଦାଣ୍ଡରେ ଦଣ୍ଡାୟମାନ ରଥ ଆଡ଼କୁ ୨୨ ପାହାଚ ଡେଇଁ ଆସିଥିଲେ ଚକ୍ରରାଜ ସୁଦର୍ଶନ । ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡିର ଅପୂର୍ବ ଦୃଶ୍ୟ ଦେଖି ପୁଲକିତ ହୋଇଥିଲେ ଭକ୍ତଗଣ । ପରେ ପରେ ଶ୍ରୀମସ୍ତକରେ ଟାହିଆ ପିନ୍ଧି ବଡ଼ଠାକୁର ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବିଜେ କରୁଥିବାର ସୁନ୍ଦର ଦୃଶ୍ୟ ଥିଲା ବେଶ୍ ମନ୍ତ୍ରମୁଗ୍ଧକର ।

ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନୋଲାଭା ଦୃଶ୍ୟ କିଏ ବା ଭୁଲି ପାରିବ । ହଳଦୀ ମୁହିଁ କାଳିଆ ଚାନ୍ଦର ଗେଲ୍ହା ଭଉଣୀ ସେବାୟତଙ୍କ ଦ୍ବାରା ବଡ଼ ଦେଉଳରୁ ଆସିଥିଲେ ଦେବଦଳନ ବା ଦର୍ପଦଳନ ରଥକୁ । ଏହା ପରେ ଝୁଲୁ ଝୁଲି ହଲି ହଲି ବାଙ୍କ ଚାହାଣୀ ଦେଇ ଏପଟ ସେପଟ ହୋଇ ଆଗକୁ ଆଗକୁ ଆସିଥିଲେ ଗଜପତିଙ୍କ ମଉଡ଼ ମଣି କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥ । ଶ୍ରୀମସ୍ତକରେ ଟାହିଆ ପିନ୍ଧି, ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଥିବାର ଦୃଶ୍ୟ ଆଧ୍ୟାତ୍ମିକ ପରିବେଶକୁ କରିଥିଲା ଅଧିକ ଭାବ ବିହ୍ୱଳ । ନନ୍ଦ ରାଜାଙ୍କ ନଟଖଟିଆ ପୁଅ ଟାହିଆ ହଲେଇ ହଲେଇ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଚିତ୍ର ଦେଖି କିଏ ଷାଷ୍ଟାଙ୍ଗ ପ୍ରଣିପାତ କରିଥିଲା ତ କିଏ ଆଖିର ଲୁହକୁ ଲୁଚାଇ ପାରିନଥିଲା । ଝିପି ଝିପି ବର୍ଷାରେ କାଳିଆର ଚକା ଆଖି ସହ ଆଖି ମିଶାଇ ଭଗବାନଙ୍କ ଭାବରେ ମିଶିଯାଇଥିଲେ ।

Advertisment

ତିନି ରଥରେ ଶ୍ରୀଜିଉଙ୍କ ଉପବେସନ ପରେ ପରେ ଅନ୍ୟ ନାତିକାନ୍ତି ସମାପନ ହୋଇଥିଲା । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜ ସହଯୋଗୀଙ୍କ ସହ ଆସି ତିନି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ଶ୍ରୀନହରରୁ ତାମଜାନ୍ ରେ ଆସି ଜଗତଠାକୁରଙ୍କ ଆଦ୍ୟ ସେବକ କୋଟି ଓଡ଼ିଆଙ୍କ ମାନ ଅଭିମାନ ଓ ସ୍ବାଭିମାନର ପ୍ରତୀକ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଭୂତ ଭୈରବ ବିରାଧୀ ବିରବର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା ନୀତି ସମ୍ପାଦନ କରିଥିଲେ । ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ ଆରମ୍ଭ ହୋଇଥିଲା ସେହି ବହୁ ପ୍ରତିକ୍ଷିତ ମୁହୁର୍ତ୍ତ । ଅତି ଶ୍ରଦ୍ଧାର ସହ ଶରଧାବାଲି ଆଡ଼କୁ ରଥଟଣା ଆରମ୍ଭ ହୋଇଥିଲା । ଆସନ୍ତାକାଲିଠୁ ଜନ୍ମବେଦିରୁ ଭକ୍ତଜନଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

Rath Yatra Puri Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ